Unknown

 

 

 

 

 

 

 

 

 

 

 

ସଂସ୍ପର୍ଶ

କାଳୀ ପ୍ରସାଦ ଦାସ

 

 

 

 

 

 

 

 

 

 

 

 

Friend in need is more useful than a wife is happiness.

 

–Harald Robbins.

 

ସଂସ୍ପର୍ଶ

 

ଟୁକୁ କହୁଛି Uncle, ଭାବି ଭାବି ମିଛରେ କହିଲେ କଣ ମୁଁ ସତ ବୁଝିବି ! ବାପା ବୋଉ ପାଖରେ ତିନିଦିନ ଲାଗି ଶୋଇଥାନ୍ତି । କେବେ ଥରେ ଅଧେ ନ ଶୋଇଥିଲେ ମୁଁ ଭାରି ରାଗିଯାଏ ବାପାଙ୍କ ଉପରେ । କହେ, ବୋଉକୁ ମୋର ଡର ମାଡ଼ିବ । ତୁମେ ତାକୁ ଏକୁଟିଆ ଛାଡ଼ି ଶୋଇଲେ ମୁଁ ମୋଟେ ତୁମକୁ କଥା କହିବି ନାହିଁ ।

 

 

 

 

 

 

 

 

 

 

 

 

ଉତ୍ସର୍ଗ

 

ଶ୍ରୀ ଶରତ୍‌ କୁମାର ରାୟ

 

ସ୍ନେହାସ୍ପଦେଷୁ...........

 

ତମ ଗାଁ ଝିଅଗୁଡ଼ାକ ଭାରି ଖରାପ ।

 

ଆଉ ତମ ଗାଁ ଝିଅଗୁଡ଼ାକ..... ?

 

ହଉ ସେ କଥା ଛାଡ଼ । ତୁ ଯାହାକୁ ବିବାହ କରିବୁ ସେ କଣ ଭଲ ଝିଅଟିଏ ହୋଇଥିବ ବୋଲି ଭାବୁଚୁ ?

 

ନିଶ୍ଚୟ । ବେଟ୍‌ପକା ।

 

ରଖି ଦେଇ ଥା’ବେ ସେ ପୁଡ଼ିଆ । ଆଉ କାହା ପାଖରେ ଜମେଇ ବସିଲେ ସୁନ୍ଦର ଦିଶିବ; କିନ୍ତୁ ମୋ ପାଖରେ ନୁହଁ । ମୁଁ ପରା ଆଖିରେ ଦେଖି, କାନରେ ଶୁଣି ଥୋବରା ହେଲିଣି । ଏ ଯୁଗରେ କେଉଁ ଝିଅ ଜଣକର ସତୀତ୍ୱ ଉପରେ ପବିତ୍ର ପ୍ରତିଶ୍ରୁତି ଦିଆଯାଇ ପାରିବ କହିଲୁ ?

 

ହି ହି କରି ହସିଦେଇଥିଲା କାମଦେବ । ଅଭିଜ୍ଞତାହୀନ ସୁବୋଧ ରହସ୍ୟମୟ ନାରୀ ଚରିତ୍ରକୁ ଉପରେ ଦେଖି ବିଶ୍ଳେଷଣ କରୁଛି । ଅଥଚ ତାର ଗଭୀରତା ଯେ କେତେ ତାହା ସେ କଳିପାରୁ ନାହିଁ ।

 

ପୁଣି ସୁବୋଧ ହସିଥିଲା । ଆଉ କହିଥିଲା, ଆମ ପାଇଁ ସିନା ସେ ଦିନ ଆସି ନାହିଁ ବୋଲି ଆମେ ଭାବୁଥାଇଁ ଭଲ ଝିଅଟିଏ ବିବାହ କରିବା । ହେଲେ ସେଭଳି ଝିଅଟିଏ କାହିଁ ? ଗୋଟିଏ କେଶ୍‌ ଅତି ନିଚ୍ଛକ ଭାବେ ଦେଖାଇ ଦେଇ ପାରିବୁ ? ଅମୁକ ବନ୍ଧୁମାନେ ଯେଉଁ ସମୁକ ଝିଅଗୁଡ଼ାଙ୍କୁ ବିବାହ କରିଛନ୍ତି ସେମାନଙ୍କ ପଛରେ ଅନେକ ଗୋପନ ଇତିହାସ ଲୁଚି ରହିଛି । ତୁ ସେ ସବୁ ଜାଣିଚୁ କି ନାହିଁ ମୁଁ କହି ପାରିବି ନାହିଁ । ତେବେ ତୋର ଯେଉଁ ଧାରଣା ଯେ ସହର ଝିଅମାନଙ୍କ ଝିଅ ଅପେକ୍ଷା ଗାଁ ଝିଅଗୁଡ଼ାଙ୍କର ଚରିତ୍ର ସ୍ୱଭାବ ଖୁବ୍‌ଭଲ, ତାହା କେବେହେଲେ ଠିକ୍‌ନୁହେଁ । ଆଜିକାଲି ଚରିତ୍ରହୀନା ସମସ୍ତେ । କିନ୍ତୁ ଆଭିଜାତ୍ୟର ଛାଞ୍ଚ ନେଇ ଯାହା ସେମାନେ ଉପରେ ଚିକ୍‌ଚିକ୍‌ କରୁଥାନ୍ତି । କାମଦେବ ଆଉ ବେଶୀ ଯୁକ୍ତି କରି ପାରି ନ ଥିଲା ସୁବୋଧ ସାଙ୍ଗରେ । ସେ ଯାହା ବୁଝିଛି ତାହାହିଁ ହେଉ । ବାହା ହୋଇ ସାରିଲେ ଉଭୟେ ମନଖୋଲି ପୁଣି ଯୁକ୍ତି କରି ବସିବେ । କାମଦେବ କହିଥିଲା–ସୁବୋଧ, ପର ଝିଅ ବୋହୂଙ୍କ ନାଁରେ ଅପପ୍ରଚାର କରିବାରେ ଆମର ଲାଭ କଣ ଅଛି, କହିଲୁ ? ଆମେ ଯୋଉଦିନ ଅଙ୍ଗେ ନିଭେଇବା ସେଇଦିନ ଜାଣିବା ଯେ ପୁରୁଷ ମନର ଖିଆଲ, ଆଉ ନାରୀ ଜୀବନର ରହସ୍ୟ କେଉଁଟା କେତେ ପରିମାଣରେ ଏ ଯୁଗର ସୀମା ନିର୍ଦ୍ଧାରଣ କରି ପାରୁଛି । ବର୍ତ୍ତମାନ ପାଟିତୁଣ୍ଡ କରି କିଛି ଲାଭ ନାହିଁ-

 

ତହୁଁ ଦୁଇବନ୍ଧୁ ହଟ୍‌ମୁଡ଼ରୁ ହଠାତ୍‌ ସ୍ଥିର ହୋଇ ଯାଇ ଯେଝା ଯେଝା ବାଟରେ ଫେରି ଯାଇଥିଲେ ।

 

ସେଦିନର ମୁହୂର୍ତ୍ତ ଏ ଗୁଡ଼ା । ଆଜିର ନୁହେଁ । ଅଛି ଅଛିର ଅତୀତକୁ ନେଇ ଜୀବନର ସମ୍ପୂର୍ଣ୍ଣ ବସନ୍ତରେ ହିଲ୍ଳୋଳର ସ୍ପର୍ଶ ଦେଉଥିଲା ବେଳେ ହାଇ ମାରୁଥିଲା ସମୟ । ବିଚ୍ଛୁରିତ ହୋଇ ପଡ଼ୁଥିଲା ସେଦିନର ଜ୍ୟୋତି । ଲାଗି ଆସୁଥିଲା ପରଶ ଭଳି ।

 

ହୁଁ । ଏଇ ସକାଶେ ପରା ମୁଁ ତୋ ଉପରେ ରାଗେ । କିଏ ସୁବୋଧ କିରେ ।

 

ହଁ ।

 

ତୋରି କଥା ତ ମୁଁ ଅବିକା ଭାବୁଥିଲି । ବହୁବେଳୁ ତୁ ଆସି ମୋତେ ଡାକିଲୁଣି, ନୁହେଁ-? ହଉ ହଉ ଆ, ବସ-

 

ନାଇଁ ମ, ବସିବାକୁ ମୁଁ ଆସି ନାହିଁ । ତୋତେ ଡାକିବାବୁ ଆସିଛି କୋଳି ଖାଇବାକୁ ଯିବାପାଇଁ । ଏତିକି କହି ଫେଁ କିନା ହସିଦେଲା ସୁବୋଧ ।

 

ସୁବୋଧ ଡାକୁଛି । ମିଛରେ । ନାଇଁ ମ, ସତ ହେଉ ସେଥିରେ କଣ ଅଛି ।

 

ପାଟିରେ ଗୁଲୁ ଗୁଲୁ କଥା କହି ସୁବୋଧ ତା’ ହାତକୁ ଟାଣୁଛି । ଆହୁରି ଅତୀତ ଆଡ଼କୁ-

 

କୋଳିଖିଆ ଦିନ ତା’ ସହିତ ପ୍ରଥମ ଦେଖା ହୋଇଥିଲା ।

 

ସେଇ ସୁବୋଧ ଇଏ । ସାମାନ୍ୟ ଡେଙ୍ଗା ହୋଇ ଯାଇଛି । କଣ୍ଠସ୍ୱର ବଦଳି ଯାଇଛି । ନାକପୁଡ଼ା ତଳେ ଅସ୍ପଷ୍ଟ ଦିଶୁଥିବା କହରିଆ ନିଶପୁଳାକ କଳାବର୍ଣ୍ଣ ଧାରଣ କରିଛି । ଆଉ ଗାଲରେ ଅଳ୍ପ କେଇ କେରା ଗଜା ଦାଢ଼ି ଉଠିଛି । ଏତିକି ମାତ୍ର ତଫାତ୍‌ ।

 

ଭାଷାରେ କହିଲେ ଯାହା ବେଶୀ ଜଣାଯାଉ ନାହିଁ, ଦୂର ଦେଖାଯାଉ ନାହିଁ, ଅନୁଭବକୁ ସ୍ପଷ୍ଟୀକରଣ କରି ବସିଲେ ଅନେକ କିଛି ରୂପର ତାରତମ୍ୟ ଆଖି ଉପରେ ପଡ଼ିଯାଉଛି ।

 

ସୁବୋଧ କହୁଛି ସମୟର ତର୍ଜମା ନ କଲେ କେମିତି ହେବ ? କୋଳି ତୋଳାର ଦିନ...କେଡ଼େ ମଜ୍ଜା ଲାଗୁ ନ ଥିଲା ସତେ ! ଆଉ ଫେରି ଆସିବ କି ?

 

କାମଦେବ ହସି ଦେଉଥିଲା ।

 

ଥଟ୍ଟା, ତାମସା କରି ଅତୀତକୁ ହୋଦରାଇ ସୁବୋଧର ଗାଲ ଟିପିଦେଇ କହୁଥିଲା, ବଡ଼ ହୋଇ ଗଲେଣି ନା, ଆମ ଦେହ ହାତରେ ଆଉ କଣ ଅଛି । ସବୁ ହାଡ଼ୁଆ ହାଡ଼ୁଆ ଲାଗୁଛି । ତୋତେ ଯେଉଁ ସମୟରେ ମାଇଚିଆ କହି ଚିଡ଼ାଉଥିଲି ସେତେବେଳେ ତୋଠେଇଁ କଣ ଏତେ ଲୋମକୂପର ଚାଷ ଥିଲା, ନା ବୟସର ପିଡ଼ିଆ ଲାଗି ଦେହ ଏମିତି ଅତିରିକ୍ତ ଉର୍ବରିଆ ହୋଇ ଉଠିଥିଲା ।

 

ଓଃ, ମନେ ପଡ଼ିଯାଉଛି, ନୁହେଁ ?

 

ଯେଉଁଦିନ ବଡ଼ ଝଙ୍କାଳିଆ କୋଳିବୁଦା ମୁଳରେ ଠିଆହୋଇ ମୁଁ ଖଣ୍ଡେ ବାଡ଼ିରେ ସରହଦ୍‌ ଟାଣି କହୁଥିଲି, ଏଇ ବୁଦାଟି ମୋର । ଏଠୁ କେହି କୋଳି ଖାଇ ପାରିବେ ନାହିଁ । ତୁ ସେଦିନ ମୋ ସାଙ୍ଗରେ ଖୁବ୍‌ କଳି କଜିଆ କରି କହିଥିଲୁ, କାହା ବାପା ତ ଏଠି କୋଳିବୁଦା ଲଗେଇ ନାହିଁ, ତେଣୁ ଅଲାଜୁକ ପୁଅମାନେ ଏଠାରେ ଆସି ତୁଚ୍ଛାକୁ ସମ୍ପତ୍ତି ଅଧିକାର କରୁଛନ୍ତି କାହିଁକି ?

 

ମନେ ପଡ଼ୁଛି ନା ?

 

ତଥାପି କାମଦେବ ନୀରବ ରହୁଥିଲା । କିଛି କହୁ ନ ଥିଲା । ସୁବୋଧ ସାଙ୍ଗରେ ଅଜଣା ଭଳି ସେ ସେଦିନ କଳି କରିଥିଲା । ପିଲାଳିଆ ମିଞ୍ଜାସ୍‌ର ସମସ୍ତ ସ୍ୱଭାବକୁ ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟରେ ଜାହିର କରି ବସିଥିଲା । ସେଠି କେହି କାହାକୁ ଊଣା ନ ଥିଲେ ।

 

ଉଭୟ ରାଗ ଜର୍ଜରିତ । ଯୌବନର ମାତ୍ର ଅଳ୍ପ କେତେ ବର୍ଷର ଉତ୍ତେଜନା ଦେହ ଆଉ ମନରେ ସଞ୍ଚାରିତ ହୋଇ ଚାଲୁଥାଏ । କାମଦେବ ସୁବୋଧ ପ୍ରତି ହାତ ଉତ୍ତୋଳନ କରିବା ପାଇଁ ଉଦ୍ୟତ ହୁଅନ୍ତେ ଅନ୍ୟ ସାଥୀମାନେ ପହଞ୍ଚି ସେମାନଙ୍କୁ କଳହରୁ ନିବୃତ୍ତାଇ ଥିଲେ ।

 

କୋଳିଖିଆ ମନ, ଆଉ କଞ୍ଚା ବୟସ । ଏଇ ନିକଟ ଅତୀତର ଆବରଣ ମଧ୍ୟରେ ଲୁଚି ଯାଇଛି ମାତ୍ର ।

 

ଅଶାନ୍ତ ମନରେ ପ୍ରତିଶୋଧର ସମଭାବାପନ୍ନ ହୃଦୟ ନେଇ ଦୁହେଁ ନଈ କୂଳ ପଠାରୁ ଫେରି ଆସିଥିଲେ । ଉଦ୍ଦେଶ୍ୟ ଥିଲା ଯେ ଭବିଷ୍ୟତରେ ଏକୁଟିଆ ଉଭୟ ଉଭୟଙ୍କୁ ଦେଖିଲେ ଉଚିତ ଆଘାତ ନ ଦେଇ ଛାଡ଼ି ଦେବେ ନାହିଁ ।

 

ଦିନ ଗଡ଼ି ଚାଲୁଥିଲା ।

 

ମନର ଯୋଗସୂତ୍ର ନେଇ ସମୟର ବିସ୍ମିତ ନଦୀର ତଟ ପ୍ରଦେଶରେ ଦୁହେଁ ଦୁହିଁଙ୍କୁ ପୁଣି ଭେଟିଥିଲେ ।

 

କଳ୍ପନା ସିନେମା କାଉଣ୍ଟର ।

 

ଦିଲ୍ଳୀପକୁମାର, ବୈଜୟନ୍ତୀମାଲା ଅଭିନୀତ ଜେମିନର ‘ପୈଗାମ୍‌’ ଛବି ପାଇଁ ଅକଥନୀୟ ଭିଡ଼ ଜମିଥିଲା ସେଠାରେ । ବୁଢ଼ା, ଟୋକା ଆଉ ପିଲା ଧସ୍ତାଧସ୍ତି କରି ଆଗ ପଛ ହେବାରେ ଲାଗିଥାନ୍ତି । ଜଣେ ଅନ୍ୟ ଜଣକୁ ଧକ୍‌କା ପକେଇବାରେ ପାଟି ତୁଣ୍ଡ ଓ କଳି କଜିଆ ମଧ୍ୟ ଆସ୍ତେ ଆସ୍ତେ ଉପୁଜୁଥାଏ । ଖୁନ୍ଦା ପକେଇବା, ତଣ୍ଟିଆ ମାରିବାରେ ପାରଙ୍ଗମ ସହରିଆ ଗୁଣ୍ଡାମାନେ ସେମାନଙ୍କ ଆଦତ ଛାଡ଼ିବାକୁ ନାରାଜ । ଯାହା ହେଉନା କାହିଁକି ଧାଡ଼ି ଭାଙ୍ଗି ସେମାନେ ଆଗକୁ ଯିବେ । ତା ନ ହେଲେ ଟିକେଟ ମିଳି ପାରିବ ନାହିଁ ।

 

ଆଖି ବୁଲେଇଲା ବେଳକୁ ସିନେମା ହଲ୍‌ ସାମନାଟା ଲୋକ ଭିଡ଼ରେ ଥାଟ ପଟାଳି ଭାଙ୍ଗୁଥିଲା । ପୋଲିସ ଥାଇ ବା ଆୟତ୍ତ କରୁଛି କେତେକେ । ତେବେ ବାହାରେ ରହି ମଧ୍ୟ ଧାଡ଼ିରେ ଥିବା କୌଣସି ବ୍ୟକ୍ତିଙ୍କୁ ଟିକେଟ୍‌ ଖଣ୍ଡେ ପାଇଁ ଟଙ୍କା ବଢ଼ାଇ ଦେଲେ ସେମାନେ ଆଣିଦେଇ ପାରିବେ ବୋଲି ସେଭଳି ବିଶ୍ୱାସ ଅନେକଙ୍କର ଥାଏ । ଏପରିକି କେହି କେହି ହତାଶାରେ ଫେରିଯିବା ଅପେକ୍ଷା ସହୃଦୟ ବ୍ୟକ୍ତିଙ୍କଠାରୁ ଟିକେଟ୍‌ ଆଣି ଛବି ଦେଖିଥିବାର ପ୍ରତ୍ୟକ୍ଷ ଅନୁଭୂତି ମଧ୍ୟ ମିଛ ନୁହେଁ ।

 

କାମଦେବ ଅନେକଥର ସେଇ ଉପାୟ ଅବଲମ୍ବନ କରିଥାଏ । ସିନେମା ହଲ ପାଖରେ ଯଦି ଭିଡ଼ ଦେଖିଲା, ତେବେ ବାହାରେ ରହି ଟିକେଟ୍‌ଖଣ୍ଡେ ହାସଲ୍‌ କରିବାର ସୁଯୋଗ ସେ ଉଣ୍ଡେ । ସେଥିରେ ସେ କ୍ୱଚିତ୍‌ ଅସଫଳ ହୋଇଛି । ଏତେ ଧକ୍‌କା ମରାମରି କଳି କଜିଆ ଭିତରକୁ ପଶୁଛି କିଏ ?

 

କାମଦେବ ସେଦିନ ଧାଡ଼ି ଭିତରେ ନ ପଶି ଦୁଇ ଟଙ୍କିଆ ନୋଟ୍‌ଖଣ୍ଡେ ଜଣେ ବୟସ୍କ ବ୍ୟକ୍ତିଙ୍କ ହାତକୁ ବଢ଼ାଇ ଦେଇଥିଲା । ଖଣ୍ଡେ ଟିକେଟ୍‌ ତାର । ଯେମିତି ନିଶ୍ଚୟ ଆଣିବେ । ସେଦିନ ନ ଦେଖି ପାରିଲେ ଆଉ ସେ ଦେଖିପାରିବ ନାହିଁ । କାରଣ ଛୁଟିରେ ତାକୁ ମାସକ ଲାଗି ଗାଁକୁ ଯିବାକୁ ପଡ଼ିବ ।

 

ବୟସ୍କ ଭଦ୍ରବ୍ୟକ୍ତିଙ୍କ ହାତରେ ଥିଲା ପାଞ୍ଚୋଟି ଟିକେଟ୍‌ର ବରାଦ । ଚାରି ଖଣ୍ଡରୁ ଅଧିକ ଖଣ୍ଡ ହେଲେ ଟିକେଟ୍‌ ସୁପାରିଶ କରି ଜଣେ ଲୋକକୁ ଦେବାପାଇଁ ସିନେମା ମାଲିକଙ୍କର ମନା । ସେ କିନ୍ତୁ କାମଦେବର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିଲେ ନାହିଁ ।

 

କାମଦେବ ଟିକେଟ୍‌ପ୍ରତି ଆସ୍ଥାଭାଜନ ହୋଇ ପୋଷ୍ଟର ଦେଖିବା ପାଇଁ ବାହାରକୁ ଚାଲି ଆସିଥିଲା । ପ୍ରାୟ ପନ୍ଦର ମିନିଟ୍‌ପରେ ଭଦ୍ରବ୍ୟକ୍ତି ଟିକେଟ୍‌ ନେଇ ଫେରିଥିଲେ । ମୋଟେ ପାଞ୍ଚଖଣ୍ଡି ଟିକେଟ୍‌ ।

 

ଆଉ ?

 

କାମଦେବ ମୁହଁରେ ନିରାଶାର କଳା ଛାଇ ଘୋଟି ଆସିଥିଲା । ତା’ ଖଣ୍ଡିକ ତାହେଲେ ଆଣି ହେଲା ନାହିଁ । ସେ ଫେରିଯିବ । ‘ପୈଗାମ୍‌’ ଛବିକୁ ଏହି ନୂଆ ସ୍ତରରେ ଆଉ ଦେଖିବା ସ୍ୱପ୍ନ ।

 

ମୁହଁ ଶୁଖାଇ କାମଦେବ ଫେରିବାକୁ ଉଦ୍ୟତ ହେଉଥିବା ବେଳେ ଭଦ୍ରବ୍ୟକ୍ତି ହସିଦେଇ କହିଥିଲେ, ଏଇ ଯେଉଁ ପିଲା ଆସୁଛନ୍ତି, ତାଙ୍କ ହାତରେ ତମ ଟିକେଟ୍‌ ଅଛି ।

 

ଆଖି ଢିମା ଢିମା ହୋଇ ଯାଇଥିଲା କାମଦେବର । ସେଇ ପିଲାଟି ହାତରେ ତା’ ଟିକେଟ୍‌ ?

 

ଭଦ୍ରଲୋକ କହିଥିଲେ, ମୋ ତିନି ଜଣଙ୍କ ଆଗରେ ସେ ପିଲା ଜଣଙ୍କ ତାଙ୍କର ଖଣ୍ଡେ ଟିକେଟ୍‌ଲାଗି ଲାଇନ୍‌ ଧରିଥିଲେ । ପୂର୍ବରୁ ସେ ମୋର ସାମାନ୍ୟ ପରିଚିତ ଥିବାରୁ ମୁଁ ତାଙ୍କୁ ଟଙ୍କାଟି ଦେଇ ଦେଇଥିଲି ।

 

ଯାହାହେଉ ଆପଣ ଯେ କୌଣସି ମତେ ଟିକେଟ୍‌ ପାଇଲେ ଗଲା, ମୁଁ ଆଣେ ବା ସିଏ ଆଣନ୍ତୁ ।

 

ପିଲାଟି ହାତରେ ପଇସା ଗଣି ଗଣିକା ପାଖେଇ ଆସିଲା ।

 

ସେଇ ପିଲାଟି ।

 

ସୁବୋଧ ।

 

ଯାହାର କୋଳିତୋଳା ହାତକୁ କାମଦେବ ମୋଡ଼ି ଦେଇଥିଲା, ସେଇ ସୁବୋଧର ଡାହାଣ ହାତ ସ୍ପଷ୍ଟ ଦେଖାଯାଉଛି ।

 

ମିଛ ନୁହେଁ ।

 

କାଲିର କଥା ।

 

ସେଇ ଡାହାଣ ହାତରେ ସୁବୋଧ ଟିକେଟ୍‌ ଆଣି ତାକୁ, ଟେକି ଦେଲେ କେଡ଼େ ବଡ଼ ମାଡ଼ ମାରିଲା ପରି ନ ହେବ ?

 

ଅପମାନର ଋଣ ପରିଶୋଧ ଏମିତି ହୁଏ ନାହିଁ ଆଉ କଣ ?

 

ସୁବୋଧ କାମଦେବକୁ ଦେଖି ପକେଇବା କ୍ଷଣି ରାଗରେ ଜଳି ଉଠି ସାରିଲାଣି । କିନ୍ତୁ କାମଦେବ ଶିଥିଳ ହୋଇ ପଡ଼ିଲା । ତାରି ଟିକେଟ୍‌ ପୁଣି ସୁବୋଧ ହାତରେ ! ଶତ୍ରୁ ସିଏ ତାର । ଏକା ସାଙ୍ଗରେ ପାଖକୁ ପାଖ ଲାଗି ବସିଲେ କାଳେ କେଉଁ ଭାବ ମନରେ ଜାଗିପାରେ । ହଲ୍‌ ଭିତରେ ରାଗ ଯଦି ଉଠିଲା ତେବେ କେଡ଼େ ଅଭଦ୍ର କଥା ନ ହେବ ।

 

କାମଦେବର ମନରେ ସେଇ କଥା ଖେଳୁଥିଲା । ସୁବୋଧ ରାମ ତମ ତମ ହୋଇ ଟିକେଟ ଖଣ୍ଡିକ ଭଦ୍ରବ୍ୟକ୍ତିଙ୍କୁ ବଢ଼ାଇ ଦେବା ସମୟରେ ସେ ଟିକେଟ୍‌କୁ କାମଦେବ ହସ୍ତରେ ଅର୍ପଣ କରି ଦେଇଥିଲେ ।

 

ନିରୂପାୟ ଥିଲା କାମଦେବ । ତେଣୁ ସେ ଗ୍ରହଣ କରିଥିଲା ।

 

ପାଞ୍ଚଖଣ୍ଡ ଟିକେଟ ମଧ୍ୟରୁ ଗୋଟିକୁ ଆଣି ସେଇ ନିର୍ଦ୍ଦିଷ୍ଟ ଟିକେଟ୍‌ଖଣ୍ଡିକ ପ୍ରତ୍ୟାଖ୍ୟାନ କରିବାର ଯୋଜନା ମନେ ମନେ କରି ବସିଥିଲେ ହେଁ ତାହା ପଣ୍ଡ ହୋଇଯାଇଥିଲା ।

 

କାରଣ ପାଞ୍ଚଖଣ୍ଡ ଟିକେଟ ପାଇଁ ସେଇ ଭଦ୍ରବ୍ୟକ୍ତିଙ୍କୁ ମିଶାଇ ବାକୀ ଆଉ ଯେଉଁ ଚାରିଜଣ ପ୍ରାର୍ଥୀ ଥିଲେ, ସେମାନେ ହେଉଛନ୍ତି ନାରୀ । ତାଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇ କାମଦେବକୁ ସେଇ ସ୍ଥାନରେ ଆରୋପିତ କରିବା ନିଶ୍ଚୟ ନିଅଣ୍ଟ ବୁଦ୍ଧି ଆର କାମ ହେବ । ସେଇ ହେତୁ ସୁବୋଧ ସହିତ ବସିବାର ସାହସ ବାନ୍ଧି ସେ ସିଧା ସିଧା ବସାକୁ ଫେରି ଆସିଥିଲା ।

ସୁବୋଧ ରାଗ ଉନ୍ମୁକ୍ତ ନୟନରେ ତାର ଚଲାପଥକୁ ସେମିତି ଚାହିଁ ରହିଥାଏ । ସମୟର ବ୍ୟବଧାନ ଥିଲା ମୋଟେ ଘଣ୍ଟାଏ । ଛ’ଟା ବେଳେ ସୋ ଆରମ୍ଭ ହେବା କଥା ଜାଣି ଦୁହେଁ ନିଜ ନିଜ ବାସସ୍ଥଳୀକୁ ବିଚ୍ଛିନ୍ନ ହୋଇଯାଇଥିଲେ ସିନା, କିନ୍ତୁ ଫେରି ଆସିଥିଲେ ଠିକ୍‌ ସମୟରେ ।

ଦ୍ୱିତୀୟ ପରିଚୟର ଭେଟ ।

ସିନେମା ହଲରେ ସୋ ଚାଲୁଥିଲା ।

ପୈଗାମ ।

ନାଁ ଟି ମନ୍ଦ ନୁହେଁ ।

ଏ ଯୁଗ ପାଇଁ କିଛି ସମ୍ବାଦ ପରିବେଷଣ କରିବା ଦୃଷ୍ଟିରୁ ଜେମିନି ନୂତନ ଦୃଷ୍ଟିଭଙ୍ଗୀ ନେଇ ଛବିଟି ତୋଳିଛନ୍ତି ବୋଲି ଚାରିଆଡ଼େ ପ୍ରଚାର ଚାଲିଛି । ସେଥିଲାଗି ଦେଖିବା ପାଇଁ ପ୍ରବଳ ଭିଡ଼ । ସବୁ ଶ୍ରେଣୀର ଦର୍ଶକଙ୍କ ମନରେ ଦେଖିବାର ଉତ୍କଣ୍ଠା ଲାଗି ରହିଛି । ଆଖି ଟେକି ଚାହିଁଲେ ପେଟ ଆନନ୍ଦରେ ପୂରି ଉଠୁଛି । କଳା ପାଇଁ ମନର ବ୍ୟଗ୍ରତା ସତେ ଏତେ ବଡ଼ !

ହଲ୍‌ରେ ପାଟିତୁଣ୍ଡ ନାହିଁ । ସବୁ ଶୁନ୍‌ଶାନ୍‌ ।

ଟେଲର୍‌ ପଡ଼ିଗଲାଣି । କାମଦେବ ଅଧା ମନ ନେଇ ପରଦା ଉପରକୁ ଚାହିଁଛି । ବାକୀ ଅଧେ ମନ ତା’ ଡାହାଣ ପାଖ ସିଟ୍ ଉପରେ । ଖାଲି ଅଛି ସିଟ୍‌ଟି । ସୁବୋଧ ଏ ପର୍ଯ୍ୟନ୍ତ ଆସି ନାହିଁ । ମନରେ ଉଦ୍‌ବେଗ ଖେଳିଲା କାମଦେବର । ସୁବୋଧ ପର୍ଯ୍ୟନ୍ତ ବିଳମ୍ବ କରିବାରେ ଅଭିପ୍ରାୟ କଣ ? ଆଉ ଏମିତି ହୋଇପାରେ କାମଦେବକୁ ରାସ୍ତାରେ ମାରିବାର ପ୍ରତିଶୋଧ ଭାବ ନେଇ ଦେ ତା‘ ସପକ୍ଷର ଲୋକ ଯୋଗାଡ଼ କରୁଥିବ । ସିନେମା ଦେଖା ନ ହେଉ ।

 

ମନେ ମନେ ନାନା ପ୍ରକାର ଚିନ୍ତା କରୁଥିଲା ସେ । ସୋ ଆରମ୍ଭ ହୋଇଗଲାଣି । ଛବିର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଦେଖା ହେଉଚି । ସୁବୋଧ ପରି କେହି ଜଣେ ଆସୁଥିବାର ହଲ୍‌ର ଅନ୍ଧକାର ମଧ୍ୟରେ ଅନୁମାନ କରି ସେ ଚମକି ପଡ଼ିଲା ।

 

ସେଇ ଗେଡ଼ା ଯୁବକଟି ।

 

କଳା ରଙ୍ଗର ଗରମ ପୋଷାକ ଖଣ୍ଡିକ ଶୀତର ଆତିଶଯ୍ୟ ଯୋଗୁ ପରିଧାନ କରି ଆସୁଛି ।

 

ସୁବୋଧ ନିଶ୍ଚୟ ।

 

ଟର୍ଚ୍ଚ ଲାଇଟର ସଙ୍କେତ ଅନୁସାରେ ସେ ଆସି ତା’ ଆସନ ଗ୍ରହଣ କରିନେଲା ।

 

ସୁବୋଧ ।

 

ଯାହା ଲାଗି ଏତେ ଏତେ ଅପଚିନ୍ତା ସେ କରି ବସୁଥିଲା, ତାରି ଆବିର୍ଭାବରେ ନିମିଷକେ ତାହା ଉଭେଇ ଗଲା । ଡେରି ହୋଇ ଯାଇଥିଲା କିଛି ଘରୋଇ କାମ ନେଇ । ମନରେ ରାଗ ନ ଥିଲେ ସେ ଏହାହିଁ କହିଥାନ୍ତା ।

 

ତା’ ହେଲା ନାହିଁ ।

 

ଦୁହେଁ ଚୁପ୍‌ଚାପ୍‌ ସିନେମା ଦେଖିଲେ ।

 

ପ୍ରେକ୍ଷାଳୟର ନୀରବତା ସାଙ୍ଗକୁ ସମତାଳ ଦେଇ ଗତି କଲା କାମଦେବ ଆଉ ସୁବୋଧଙ୍କ ମନର ନିର୍ଜ୍ଜନତା । ପ୍ରଥମ ଅର୍ଦ୍ଧାଂଶର ପ୍ରେମପର୍ଯ୍ୟାୟ ଅବଶ୍ୟ ସେତେ ଗୁରୁ ନୁହେଁ, ତଥାପି ମନ୍ଦ ଉପଭୋଗ୍ୟ ହୋଇନଥିଲା ।

 

ବିଭିନ୍ନ ଦର୍ଶକଙ୍କର ଭିନ୍ନ ଭିନ୍ନ ମତ ଶେଷ ଆଡ଼କୁ ପ୍ରକାଶ ପାଇଲା ପରେ ବିଶ୍ରାମ ସମୟ ଆସି ଉପସ୍ଥିତ ହୋଇଗଲା । କାମଦେବ ଓ ସୁବୋଧ ସେମାନଙ୍କ ମନର ମନ୍ତବ୍ୟ ବା କାହାକୁ ଜଣାଇବେ । ପଡ଼ୋଶୀ ଦର୍ଶକଭାବେ ସେମାନଙ୍କ ମନରେ ଅସଙ୍ଗତିକୁ ତ କେହି ବୁଝିଲେ ନାହିଁ !

 

ହେଉ ।

 

ବିଶ୍ରାମ କକ୍ଷର ଆଲୋକମାଳା ଜଳି ଉଠିବାକ୍ଷଣି ଦର୍ଶକମାନେ କେହି କେହି ବାହାରକୁ ଚାଲିଗଲେ । ସୁବୋଧ ମଧ୍ୟ ନିଜ ସିଟ୍‌ରୁ ଉଠିଗଲା । କିନ୍ତୁ କାମଦେବ ଗଲା ନାହିଁ । ବରଂ ହଲ୍‌ ଭିତରେ ବିକୁଥିବା ଚାନାଚୂର ବିକାଳିଠାରୁ ଗୋଟିଏ ପକେଟ୍‌ ବାରମଜା କିଣି ସେ ପାଟିରେ ପକେଇବା ଆରମ୍ଭ କଲା ।

 

ବିଶ୍ରାମର ସମୟ ଥିଲା ମୋଟେ ପାଞ୍ଚ ମିନିଟ୍‌ । ତାପରେ ଯେଉଁ ଦର୍ଶକମାନେ ବାହାରେ ବୁଲୁଥିଲେ, ସେମାନେ ଯଥାସ୍ଥାନକୁ ଫେରି ଆସିଥିଲେ ।

 

ସୁବୋଧ ଆସିଲା ତା’ ସିଟ୍‌କୁ ।

 

ହାତରେ ଦୁଇ ପୁଡ଼ା ଚାନାଚୂର ଧରି ଆସିଥିଲା । ସିଟ୍‌ରେ ବସିପଡ଼ିଲା ପରେ ପରେ ସେଥିରୁ ଗୋଟିଏ ବଢ଼େଇ ଦେଲା କାମଦେବ ହାତକୁ । କିନ୍ତୁ ସେତେବେଳ ପର୍ଯ୍ୟନ୍ତ କାମଦେବ ପାଖରୁ ନିଜ ବାରମଜାତକ ସରି ନଥାଏ । ହେଲେ ସେ ଯଦି ସୁବୋଧଠାରୁ ତାହା ଗ୍ରହଣ ନ କରୁଛି ତାକୁ ଅପମାନ ଲାଗିବ ଏଇ ଆଶାରେ ସେ ହାତ ବଢ଼େଇ ନେଇ ଆସିଥିଲା । ଶାସ୍ତିର ବିନିମୟ ପାଇଁ ଯେଉଁ ହସ୍ତକୁ ଅସ୍ତ୍ର କରି ବ୍ୟବହାର କରିବ ବୋଲି କିଛି ସମୟ ପୂର୍ବରୁ ସେ ଚିନ୍ତା କରିବସୁଥିଲା, ତାହା ପୁଣି ନିମିଷକେ ପରିବର୍ତ୍ତିତ ହୋଇ ବନ୍ଧୁତାର ପ୍ରାରମ୍ଭିକ ସୂଚନାକୁ ଗ୍ରହଣ କରି ନେଇଥିଲେ । ହାୟରେ ମନ ! କେତେବେଳେ ଯେ ଏଇ ମନରେ କଣ ଘଟେ ତାହା କେହି ଜାଣିପାରିବେ ନାହିଁ । କର୍ତ୍ତା କେବଳ କର୍ତ୍ତବ୍ୟର ଅଧୀନ ସିନା !

 

ଛୋଟ ହୋଇ ଯାଇଥିଲା କାମଦେବର ମନ ! ସେ କେବଳ ନିଜ କଥା ବୁଝି ଗୋଟିଏ ପକେଟ୍‌ ଚାନାଚୂର ଆଣିଥିଲା । ହିଂସା, ଦ୍ୱେଷରେ ଜର୍ଜରିତ ତା’ ମନ ଆଉ ଜଣଙ୍କ ନିଃସ୍ୱାର୍ଥପର ମାନସିକ ଅନ୍ତର୍ଦାହକୁ ବୁଝିବାକୁ ସକ୍ଷମ ହୋଇଥାନ୍ତା କୁଆଡ଼ୁ ?

 

ଦୁର୍ବଳ ହୋଇପଡ଼ିଲା ସେ । କିନ୍ତୁ ନିଜର ଭାବାବେଶକୁ ପରିବର୍ତ୍ତନ କରି ସେ ପ୍ରଥମେ କହିଥିଲା, ମୋ ହାତରେ ଚାନାଚୂର ଥିଲା, ଆପଣ କାହିଁକି ଅଯଥା ଆଉ ଗୋଟିଏ ପୁଡ଼ିଆ ଆଣିଲେ ?

 

ସୁବୋଧ ହସି ଦେଇଥିଲା । ଚପଳତାର ସେ ହସ ତା’ କୋମଳ ମୁଖମଣ୍ଡଳରେ ସମୃଦ୍ଧ ସରଳତାର ସୂଚନା ପରିପ୍ରକାଶ କରୁଥିଲା । ସେ କହିଲା, ‘ଆଣିଲି ବୋଲି କ୍ଷତି କଣ ହୋଇଗଲା ଯେ’, ସାମାନ୍ୟ କୋଳି ପାଇଁ ଯେଉଁ କଳି ହେଉଥିଲା ସେ ବରଂ କ୍ଷତିକାରକ । ସେ ଦିନ ତ ଆଉ ଆଜି ନାହିଁ ।

 

କାମଦେବ ମୁହଁରେ ଛୋଟ ହସଟିଏ ଖେଳାଇ କହିଲା, ରାଗ ବ୍ରହ୍ମ ଚଣ୍ଡାଳ । ରାଗରେ ମଣିଷ ନିଜର ସବୁକିଛି ଗୌରବ ହରାଇଥାଏ । କିନ୍ତୁ ମନରେ ଯେତେବେଳେ ସଂଯମ, ଶାନ୍ତି ଉପସ୍ଥିତ ହୁଏ, ସେତେବେଳେ ସେ ନିଜକୁ ଭଲ ଅନୁଭବ କରେ ।

 

କୋଳିତୋଳା ଦିନକୁ ସପନ ଭଳି ଭୁଲି ଯିବାକୁ ହେବ ।

 

ଆକ୍ରୋଶ ରଖି ଚାଲିଲେ ଆମ ଦୁହିଁଙ୍କୁ କ୍ଷତି ।

 

ସୁବୋଧଠାରୁ ଏମିତି ଉପଦେଶ ଶୁଣିବ ବୋଲି କାମଦେବ ସ୍ୱପ୍ନରେ ସୁଦ୍ଧା ଧାରଣା କରି ନଥିଲା । ବରଂ ସେ ଭାବି ଆସୁଥିଲା ଯେ ଯୁବକ ରକ୍ତ, କେତେବେଳେ କେଉଁ କଥା ଘଟି ଯାଇପାରେ ?

 

ପରଦା ଉପରେ ଆଡ଼ଭେଟାଇଜ୍‌ମେଣ୍ଟ ପଡ଼ୁଛି ।

 

ଏଇ ଯେ ‘ପୈଗାମ୍‍’ ପରେ ‘ଦୋସ୍ତି’ ଆସିବ ।

 

ହଁ, ନୂଆ ଛବି ‘ଦୋସ୍ତି’ । ବସାରେ ଠିକଣା ଦେଲେ ମୁଁ ଆପଣଙ୍କୁ ଯାଇଁ ସାଥିରେ ଡାକି ଆଣିବି । ସୁବୋଧ କହିଥିଲା ।

 

କାମଦେବର ମନ ଚହଲିଗଲା । ଶତ୍ରୁ ତାର କିଏ ? ଏଇ ସୁବୋଧ ! ନା, ନା ।

 

ସୁବୋଧ, ଶାନ୍ତ, ଶିଷ୍ଟ, ଅମାୟିକ ।

 

ମନ ହେଉଛି ମଣିଷର ଅଦୃଶ୍ୟମାନ ଶତ୍ରୁ । ସେଦିନର ଶତ୍ରୁ ସୁବୋଧ ସେଇ ଅଦୃଶ୍ୟମାନ କ୍ରୁଦ୍ଧ ରାଜ୍ୟରେ ବିଲୟ ଭଜିଛି । ଇଏ ମିତ୍ର ।

 

ମିତ୍ର ସୁବୋଧ ।

 

ମନର ବିନିମୟରେ କ୍ଷମାକୁ ଅବୁଝା ଭଳି ମାନିନେଇ ଯିଏ ଶାସ୍ତିକୁ ଉପହାସ କଲା, ସେଇ ସୁବୋଧ ଇଏ । ତାକୁ ‘ଦୋସ୍ତି’ ଛବି ଦେଖିବା ପାଇଁ ନିମନ୍ତ୍ରଣ କରୁଛି ।

 

‘ପୈଗାମ୍‍’ ପରେ ‘ଦୋସ୍ତି’ ।

 

ପାପ ପରେ ପୁଣ୍ୟ ନୁହେଁ ନା କ’ଣ ?

 

ଦୁହେଁ କିଛି କିଛି କ୍ଷଣ ପରସ୍ପରକୁ ଚାହିଁ ଭାବି ହେଉଥିଲେ ।

 

ଶତ୍ରୁଠାରେ ବି ମିତ୍ର ଜନ୍ମ ହୁଏ । ଆଉ ମିତ୍ରଠାରେ ଠିକ୍‌ ଶତ୍ରୁ ଜନ୍ମ ନ ହେବ ବା କାହିଁକି-?

 

ମନର ଏ ପାଖ ସେପାଖ ନେଇ ସବୁ ଖେଳ ତ !

 

।। ୨ ।।

 

‘ପୈଗାମ୍‍’ ଛବି ଦେଖି ସାରିବା ପରେ କାମଦେବ ସୁବୋଧ ସହିତ ଖୁବ୍‍ ତୃପ୍ତ ମନରେ ହଲରୁ ଫେରି ଆସିଥିଲା । ବାହାରେ କାମଦେବ ଅପେକ୍ଷା କରିଛି, ସୁବୋଧ ସାଇକେଲ୍‌ ନେଇ ଆସିଲେ ତାକୁ ବିଦାୟ ଦେଇ ସେ ରିକ୍‌ସାରେ ଯିବ । ଅପେକ୍ଷା ନ କରିବା ଅସୁନ୍ଦର କଥା ।

 

ସୁବୋଧ ସାଇକେଲ୍‌ ଷ୍ଟାଣ୍ଡରୁ ରୋଡ଼ ପର୍ଯ୍ୟନ୍ତ ଆସୁ ଆସୁ କହିଲା, ଆପଣ ରେକ୍‌ସାରେ ଘରକୁ ଯିବେ ?

 

ହଁ ।

 

କାଇଁ, ଚାଲୁ ନାହାନ୍ତି, ମୁଁ ଆପଣଙ୍କୁ ନେଇ ସାଇକେଲ୍‌ରେ ଘରେ ପହଞ୍ଚାଇ ଦେଇ ଆସିବି ।

 

ବସାଟା ବହୁଦୂର । ଆପଣ ମୋ ଲାଗି ଏତେ କଷ୍ଟ କରିବେ କାହିଁକି ?

 

ନା, ନା, କଷ୍ଟ ବିଶେଷ ହେବ ନାହିଁ । ଥଣ୍ଡା ପଡ଼ିଛି ବୋଲି ଆପଣ ତାହା କଷ୍ଟ ବୋଲି ଭାବି ପାରନ୍ତି । ହେଲେ ଏମିତି ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ ଘୂରିବା ମୋର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ତା ଛଡ଼ା ଆପଣଙ୍କ ବସାଟା ଦେଖିଲେ ଭବିଷ୍ୟତରେ ଆଉ ଠିକଣାର ଅନୁସନ୍ଧାନ କରିବାକୁ ପଡ଼ିବ ନାହିଁ ।

 

କାମଦେବ ମନା କରିବାକୁ ଯୁକ୍ତି ଖୋଜି ପାଇଲା ନାହିଁ । ସୁବୋଧ ସାଙ୍ଗରେ ହିଁ ତାକୁ ଯିବାକୁ ହେବ ଭାବି ପ୍ରସ୍ତୁତ ହୋଇଗଲା । ସୁବୋଧ ତାକୁ ବୋହି ନେବ, ସେ ଧାରଣା ମଧ୍ୟ ମନେ ମନେ ସେ କରି ନେଉଥିଲା । ତେବେ ସୌଜନ୍ୟ ଦୃଷ୍ଟିରୁ...ଆପଣ ଚଲେଇବେ ?

 

ହଁ । ମୋତେ କଷ୍ଟ ଲାଗିବ ନାହିଁ ଯେ ! ତେବେ ଆପଣ କେଉଁଠି ବସିଲେ ସୁବିଧା ? ଆଗରେ ନା ପଛରେ ?

 

ପଛରେ ବସିଲେ ଉଠାଣି ରାସ୍ତାରେ ବୋହିବାକୁ ବଡ଼ କଷ୍ଟ ଲାଗିବ । ତେଣୁ ଆଗରେ ବସିବାକୁ ସେ କହିଥିଲା ।

 

ତାପରେ ସୁବୋଧ କାମଦେବକୁ ଆଗରେ ନେଇ ଦ୍ରୁତ ଗତିରେ ସାଇକେଲ୍‌ ଚାଳନା କରିଥିଲା ।

 

ବାହାରର ଥଣ୍ଡା ଥିଲା ଖୁବ୍‌ ଯନ୍ତ୍ରଣାଦାୟକ । କିନ୍ତୁ ମନର ଆନନ୍ଦ ଏତେଦୂର ସୀମା ଲଙ୍ଘନ କରି ଯାଇଥିଲା ଯେ ସେଇ କ୍ଳେଶ ବା ଯନ୍ତ୍ରଣା ଦେହକୁ ମୋଟେ ବାଧୁ ନ ଥିଲା । ଗତିମୁଖର ସାଇକେଲ୍‌ଟି ଭିନ୍ନ ରାସ୍ତାରେ ଆଗଉଥିଲା ବେଳେ କାମଦେବ କହିଲା– ଏ ବାଟେ ଗଲେ ବହୁ ବୁଲାଣି ପଡ଼ିବ ।

 

ସୁବୋଧ ମନା କଲା । କହିଲା, ଭିତରେ ଗୋଟିଏ ଗଳି ରାସ୍ତା ଅଛି ସେଇ ବାଟେ ମୁଁ ଆପଣଙ୍କୁ ନେଇ ଛାଡ଼ିଦେଇ ଆସିବି ।

 

କାମଦେବ ସୁବୋଧର କଥାରେ ପ୍ରତିବାଦ କରି ପାରିଲା ନାହିଁ । ସାଇକେଲ୍‌ ଚାଲୁଥିଲା ଅଚିହ୍ନା ଅଚିହ୍ନା ଘର ସମ୍ମୁଖ ଦେଇ ।

 

କୋଠା ଘରଗୁଡ଼ିକ, ଛୋଟ, ବଡ଼ । ଦୋକାନ, ବସାଘର ଓ ବ୍ୟବସାୟର ନାନାଦି ଫନ୍ଦି ସେଇ ସବୁ ଘର ଗୁଡ଼ିକର ଜୀବନଲିପି ବହନ କରି ମୁଣ୍ଡ ଟେକି ରହିଛି । ଶୀତର ଆତିଶଯ୍ୟ ଯୋଗୁ ବିଜୁଳି ଆଲୋକମାଳା ଉପରେ ଏକ ପାଂଶୁଳ ରଙ୍ଗ ବୋଳା ହେଲା ଭଳି ଦେଖାଯାଉଥିଲା ।

 

ଛାୟା କୁହେଳିର ଭେଳିକି ଅବା ଲୁଚକାଳି ।

 

ସେଇ ସବୁ ଆଡ଼କୁ ଚାହିଁ ଚାହିଁ କାମଦେବ ସାଇକେଲ୍‌ ଆଗରେ ବସି ଯାଉଥାଏ ।

 

ସୁବୋଧ ତାର ଚାଳକ ।

 

କଥା କହିବାର ଦରକାର ପଡ଼ୁଥିଲେ ‘ଆପଣ’ ସମ୍ବୋଧନ ପୂର୍ବକ ଜଣେ ଅନ୍ୟ ଜଣକୁ କହି ଚାଲୁଥିଲେ । ତେବେ ଦୁଇଜଣଙ୍କୁ ବିସ୍ମୟ ଥିଲା ଦୁଇଟି କଥା ।

 

କାମଦେବ ବିସ୍ମିତ ହେଉଥିଲା ନୂଆ ପଥ ଦେଇ ଯିବାରେ କିନ୍ତୁ ସୁବୋଧ ବିସ୍ମିତ ହେଉଥିଲା କାମଦେବର ଘର ଦେଖିବା ଉଦ୍ଦେଶ୍ୟ ନେଇ । ହେଲେ ସେଇ ଦୁଇ ବିସ୍ମୟରୁ କେଉଁ ଗୋଟିକ ହେଲେ ସେତେ ଗୁରୁତ୍ୱପୂର୍ଣ୍ଣ କିମ୍ବା ତାତ୍ପର୍ଯ୍ୟପୂର୍ଣ୍ଣ ନଥିଲା ।

 

କିଛି ଦୂର ଆଗେଇବା ପରେ ସାଇକେଲ୍‌ଟି ଗୋଟିଏ ଏକମହଲା କୋଠା ଘର ନିକଟରେ ଅଟକି ଯାଇଥିଲା । ସୁବୋଧ କହିଲା, ଏଇଠି ଟିକେ ସାଇକେଲ୍‌ଟି ଧରି ଆପଣ ଠିଆ ହୋଇଥାଆନ୍ତୁ, ମୁଁ ଭିତରୁ ଆସେ । ବେଶୀ ସମୟ ଲାଗିବ ନାହିଁ, ମୋଟେ ପାଞ୍ଚ ମିନିଟ୍‌ ।

 

କାମଦେବ ବାହାରେ ଛିଡ଼ା ହୋଇଥିଲା ।

 

ଅଳ୍ପ ସମୟ ପରେ ଜଣେ ବିଧବା ବୃଦ୍ଧା ଆସି କହିଲେ ବାପ ଘରକୁ ଆସ । ପୁଅ ଭିତରେ ଥାଇ ଡକେଇଚି ପରା ।

 

କାମଦେବ ବୃଦ୍ଧାଙ୍କ ଡାକରାରେ ଘର ଭିତରକୁ ପ୍ରବେଶ କରିଥିଲା ।

 

ସେ ଥିଲା ସୁବୋଧ ପାଖରେ ।

 

ଅଡ଼ୁଆ ଅଡ଼ୁଆ ଲାଗୁଥିଲା ନୂଆ ହେତୁ । ତେବେ ମୁହଁ ଫିଟେଇ କାମଦେବ ପଚାରିଥିଲା, ଏଇଟା କଣ ତମ ଘର ?

 

ନା ।

 

ତେବେ ନିଜ ଘର ନ ହେଲେ ସୁଦ୍ଧା ଭଡ଼ା ନ ଦେଇ ସେମାନେ ସେଠାରେ ଅନେକ ଦିନୁ ଚଳି ଆସୁଛନ୍ତି ବୋଲି ସୁବୋଧ କହିଥିଲା ।

 

ସେମାନେ ବୋଇଲେ ସୁବୋଧ, ତା’ ବିଧବା ମା, ତା ସାନ ଭଉଣୀ ଆଉ ଛୋଟ ଭାଇଟିଏ । ସୁବୋଧଠାରୁ ଜଣେ ବଡ଼ ଭଉଣୀ ଅଛନ୍ତି ଯେ ସେ କିନ୍ତୁ ବିବାହ କରିନାହାନ୍ତି । ସେବାଦଳର ନେତ୍ରୀ ଭାବେ ସେ ସଦା ସର୍ବଦା ବାହାରେ ବୁଲନ୍ତି । ସୁବୋଧର ପିତା ସରକାରୀ ଚାକିରୀ କରୁଥିବା ବେଳେ ସେଇ କ୍ୱାଟର ଖଣ୍ଡିକ ତାଙ୍କୁ ମିଳିଥିଲା । ସେ ମରିଯିବା ଉତ୍ତାରୁ ସେଇ ବସାଟିକୁ ସରକାର କାଢ଼ି ନେଇଥାନ୍ତେ । କିନ୍ତୁ ତାର ବଡ଼ ଭଉଣୀ ସେତେବେଳକୁ ଜଣେ ନେତ୍ରୀ ରୂପେ ଏକ ବିଶିଷ୍ଟ ଦଳ ତଥା ରାଜନୀତିର ଶ୍ରୀମଣ୍ଡନ କରୁଥିବାରୁ ସେଇଟି ରକ୍ଷା ହୋଇଗଲା । ତା ନ ହେଲେ ପିଲାମାନେ ଅରକ୍ଷ ହୋଇ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥାନ୍ତେ ।

 

ଗରିବ ନ ହେଲେ ଓ ବଡ଼ଲୋକ ବୋଲି ସେମାନଙ୍କୁ କୁହାଯିବ ନାହିଁ । ସମ୍ବଳ ସେମାନଙ୍କର କାହିଁ ଯେ !

 

ସୁବୋଧ ବାପାଙ୍କର ମାତ୍ର କେଇଟା ଟଙ୍କା ପେନ୍‌ସନ୍‌ରେ ଚାରି ପ୍ରାଣୀ କୁଟୁମ୍ବ ଏ ମହରଗ ବଜାରରେ ଚଳନ୍ତେ କିପରି ? ଭାଗ୍ୟକୁ ସୁବୋଧର ବଡ଼ ଭଉଣୀ କିଛି କିଛି ଟଙ୍କା ପଠାଇବାରୁ ସେମାନେ ଚଳିଯାଉଛନ୍ତି । ଝିଅଟା ହେଲେ କଣ ହେବ, ବାହା ନ ହେଇ ଚାରିଟା ଜୀବନକୁ ବେକେରେ ବାନ୍ଧିଛି ନା ?

 

ପ୍ରଶଂସା କରୁଥିଲେ ସୁବୋଧର ମା । ତାଙ୍କ ନିରୀମାଖୀ ଜୀବନର ମରୁ ଅବବାହିକା ଉପରେ ସବୁଜ ଦୁର୍ବାଦଳକୁ ଅଙ୍କୁରିତ କରିବାରେ ଆଶାର ସଲିଳ ବର୍ଷଣ କରୁଥିଲା ତରାଙ୍କ ବଡ଼ ଝିଅଟି ।

 

ସୁବୋଧ ପାଠପଢ଼ି କେମିତି ବଡ଼ ମଣିଷ ହୋଇଗଲେ ସାନ ଭାଇ ଓ ସାନ ଭଉଣୀର ସେ ଭବିଷ୍ୟତ ଦେଖିବ । ବୁଢ଼ୀ ମା କଥା ପଛେ ନ ହେଲେ ନାଇଁ ।

 

ଆର ଘରୁ ସୁବୋଧ ପାଟି କରି କହିଉଠିଥିଲା, କଣ ବୋଉ, ଏତେ ସମୟ ବକୁଚୁ ? ମୁଁ କାମଦେବ ବାବୁଙ୍କୁ ଛାଡ଼ିବା ପାଇଁ ଯିବିଟି ? ରାତି କେତେ ହେବାକୁ ବସିଲାଣି । ପୁଣି ବାହାରେ ଭୀଷଣ ଥଣ୍ଡା !

 

ସୁବୋଧର ମା କହିଥିଲେ ପୁଅ, ରାତିରେ ଏଇଠି ରହିଗଲେ କଣ ଚଳିବ ନାହିଁ । ତାଙ୍କ ବୋଉ ଏବେ ଘରେ କ୍ଷୀରୀ ପୁରୀ କରିଥିବେ, ଆମର ଶାଗ ଭାତ ଖାଇ ସେ ଏଇଠି ଶୋଇ ପଡ଼ନ୍ତୁ-

 

କାମଦେବ ସେମାନଙ୍କ ସ୍ନେହରେ ଶିହରି ଉଠିଥିଲା । ସୁବୋଧ ମାଙ୍କର ଏ କି ସାର୍ବଜନୀନ ମାତୃଭାବ ! ଦେଖେଇ ହେବାର ଅଭିପ୍ରାୟ ନୁହେଁ ତ !

 

କାମଦେବ କହିଥିଲା, ନାଇଁ ମାଉସୀ, ଶାଗ ଭାତ ଆମର ସବୁଦିନର ସାଥୀ, ଆହାର । କ୍ଷୀରୀ ପୁରୀର ଭାଗ୍ୟ ଆମର କାଇଁ ? ଯାହାର ବାପା ନିତିପ୍ରତି କଳ କାରଖାନାରେ ମଜୁରୀ ଖଟି ଦିନକୁ ତିନି ଟଙ୍କା କରି ମୂଲ ଆଣିଲେ ହାଣ୍ଡିରେ ପଡ଼େ, ସେ କେମିତି କ୍ଷୀରୀ ପୁରିକି ମନ ବଳେଇବ ?

 

ସୁବୋଧ ର ମା ଡାକ ଛାଡ଼ିଲେ, ଆଣିଲୁ ଝିଅ ? ଭାଇ ପରା ଯିବ ବୋଲି ବ୍ୟସ୍ତ ହେଲାଣି ।

 

ସୁବୋଧ ପାଖରେ ଝିଅଟି ପିଠା ଥାଳୀ ଥୋଇଦେଇ ଚାଲି ଯାଆନ୍ତେ ମା କହିଲେ, ପୁଅ ଯାଉନା ହାତ ଧୋଇ ଆସିବ ? ବାଟ ଓଷା ଆଜି ହୋଇଥିଲା ବୋଲି ପିଠା ଦି’ଟା ଭୋଗ ପାଇଁ ତିଆରି ହୋଇଥିଲା । ଘରେ ଅଭାବ ହେଲେ ପିଲା କଣ ବୁଝିବେ ? ଯା ବାପ, ହାତ ଧୁଅ । ଲାଜ କରୁଚ କାଇଁକି ? ସୁବୋଧ କାମଦେବର ହାତ ଟାଣି ଆଣିଥିଲା । ଲାଜ କଲେ ବି ଖାଇବାକୁ ପଡ଼ିବ । ସେମିତି ମୁକୁଳି ଯାଇ ହେବ ନାହିଁ ।

 

ହାତ ଧୋଇ ପିଠା ଥାଳୀ ପାଖରେ ବସି ଲାଜେଇ ଲାଜେଇ ଟିକେ ଟିକେ ପିଠା ଖୁମ୍ପୁଥିବା ବେଳେ ସୁବୋଧର ମା ରାଣ ପକେଇ ଦେଉଥିଲେ ।

 

ପୁଅ ତମ ବୋଉ ରାଣ, ମନ ବୋଧ କରି ଗରିବ ଘରୁ ପିଠା ଦି’ଟା ଖାଇ ଯା ।

 

ସୁବୋଧ ମଧ୍ୟ କହିଥିଲା, ଲାଜ କରୁଛନ୍ତି କଣ ? ଖାଇବା ପିଇବାରେ ପୁରୁଷ ପୁଅ ହୋଇ ଯେ କୌଣସି ସ୍ଥାନରେ ପରା ଆମେ ପଶି ଖାଇ ଆସିବା । ଆଉ ଏଠି ତ ମୁଁ ଆପଣଙ୍କର ବନ୍ଧୁ ।

 

ହୃଦୟ ଭିତରେ ଧଡ଼କ ପଶିଗଲା କାମଦେବର ।

 

ବନ୍ଧୁ !

 

ତା’ ନିଃସଙ୍ଗ ଜୀବନରେ ସୁବୋଧ ଆତ୍ମଚିତ୍କାର ଦେଉଛି ନା ?

 

ହଁ, ଠିକ୍‌ଅଛି । ବନ୍ଧୁ ଯେବେ ହେଲା, ତେବେ ସେ ଲାଜ କରିବ କାହିଁକି ? ସରମରେ ଝିଅମାନେ ତଳକୁ ମୁହଁ ପୋତିଲା ପରି ସେ ବସିବ କାହିଁକି ?

 

ପିଠା ଗୋଟିକ ପରେ ଗୋଟିଏ ଖାଇଲାବେଳେ ସୁବୋଧର ମା ତାରି ଆଡ଼େ ଚାହିଁ ହସୁଥିଲେ ।

 

ପୁଣି ମଧ୍ୟ ସେ ଡାକିଲେ, ଆଉ ଦି’ ଟା ପିଠା ଆଣିଲୁ ଝିଅ ?

 

କାମଦେବ ନାହିଁ କରିଥିଲା ।

 

ତାପରେ ସୁବୋଧର ମା ସେଇ ରାତିଟା ରହିଯିବା ପାଇଁ ଯେତେ କହିଥିଲେ ସୁଦ୍ଧା ସେ ନିଜର ଅସୁବିଧା ଦେଖାଇ ପ୍ରତ୍ୟାଖ୍ୟାନ କରି ଫେରି ଆସିଲା ।

 

ସୁବୋଧ ସାଇକେଲ୍‌ରେ କାମଦେବକୁ ଛାଡ଼ିଦେବା ପାଇଁ ଆସିଥିଲା ।

 

ରାତି ସେତେବେଳକୁ ପ୍ରାୟ ସାଢେ ଦଶ । ନିରନ୍ନ ଅନ୍ଧକାର ମଧ୍ୟରେ ସାଇକେଲ ଛୁଟେଇଲା ବେଳେ କାମଦେବ ଭାବୁଥିଲା ଓହୋ, ନିଜଘର ଏଇ ମେନ୍‌ରୋଡ଼କୁ ଲାଗିଅଛି ବୋଲି ସୁବୋଧ ତାକୁ ବୁଲେଇ ବୁଲେଇ ଅନ୍ୟ ବାଟରେ ଆଣୁଛି ?

 

ହଉ ହେଲା ।

 

କିନ୍ତୁ ଏଇ ଯେ ପୁଣି ସେଇ ଅନ୍ଧ ଗଳି ! କି କିଟ ଅନ୍ଧାର ! ଏ ବାଟ ଛଡ଼ା ଆଉ କଣ ଅନ୍ୟ ବାଟେ ଯାଇ ହୋଇ ନ ଥାନ୍ତା ?

 

ହଁ, ଯାଇ ପାରିଥାନ୍ତେ । କିନ୍ତୁ ସେ ବାଟରେ ଯାଇଥିଲେ ଏ ରାସ୍ତାଠଉଁ ବିପତ୍ତି ବେଶି ପଡ଼ିବାରେ ସମ୍ଭାବନା ।

 

ଆପଣ ଜାଣିଥିବେ ଜାଗୁଲା ମଶାଣୀକୁ ?

 

ହଁ । ବହୁ ବଡ଼ ମଶାଣୀ । ଦିନକୁ ପାଞ୍ଚ ଛଅ କରି ମଡ଼ା ସେଠି ପୋଡ଼ା ହୁଅନ୍ତି ଓ ପୋତା ହୁଅନ୍ତି ।

 

ହଁ, ଦୂରରୁ ମୁଁ ଦେଖିଛି । ବଡ଼ ନିଛାଟିଆ ଲାଗେ ଚାହିଁଲେ । ଆପଣ ସଞ୍ଜ ହେଲା ପରେ ପରେ ସେ ରାସ୍ତାରେ ଏକୁଟିଆ ଯାଇପାରିବେ ନାହିଁ । ଭାରୀ ଭୟ ଲାଗିବ । କିଏ ଯେପରି ବାଟ ଘେରିଲା ପରି ଆପଣଙ୍କୁ ଜଣାଯିବ । ଅନ୍ଧାରର ଛାଇ କିମ୍ବା ଇଲେକ୍‌ଟ୍ରିକ୍‌ଖୁଣ୍ଟ ହୋଇଥାଉ ପଛେ, ସେ ସବୁ ଜଣାଯିବ ଯେମିତି ଅଶରୀରୀ ଭୂତ ପ୍ରେତ । ଆଗରେ ତୁଚ୍ଛାଟାକୁ ଡାଆଣୀ, ପିତାଶୁଣୀ ପାଟିରେ ଆଲୁଅ ପୁରାଇ ଭୟାନକ ରୂପରେ ବାଟ ଓଗାଳିଲା ପରି ବୋଧ ହେବେ । ଆଉ କେହି କେହି କହନ୍ତି, ସେଠି ଯେଉଁ ମଣିଷ ମୁଣ୍ଡଗୁଡ଼ାକ ଗଡ଼ୁଛି, ସେଗୁଡ଼ାକ କୁଆଡ଼େ ମାଦଳ । ଭାରୀ ମାରାତ୍ମକ ସେମାନେ । ଇଏ ଜୀବନ୍ତ ମଣିଷଙ୍କୁ ଦେଖିଲେ ମୋଟେ ଛାଡ଼ିବେ ନାହିଁ । ଗଡ଼ି ଗଡ଼ି ତାଙ୍କ ପାଖକୁ ଲାଗି ଆସିବାର ପ୍ରକୃତି ସେମାନଙ୍କର ଅତି ବିଚିତ୍ର । ସେଇ ଲାଗି ଯିବାରେ ମଣିଷର ଜୀବନନାଟିକା ଶୋଷି ନେଇଥାନ୍ତି ।

 

ଜାଗୁଲା ମଶାଣୀରେ ଭୂତ ପ୍ରେତଙ୍କ ଉପଦ୍ରବ କିଏ ନ ଶୁଣିଚି ? କାମଦେବ କହିଲା, ଏଇ ଗଳି ବି ତ କମ୍‌ ଭୟାନକ ନୁହେଁ ? ସୁବୋଧ କହିଲା, ଏ ଗଳି ଅନ୍ଧାର । ହେଲେ ଏଇ ଗଳିର ଦୁଇ କଡ଼ରେ ଥିବା ଯେଉଁ ବସ୍ତି ଦେଖୁଚନ୍ତି ସେମାନେ ମୋ ମନର ଭୟକୁ ଉପଶମ କରିଛନ୍ତି । ତା ନ ହେଲେ ମୁଁ ସେମାନଙ୍କର ପତ୍ତା ରଖି ନ ଥାନ୍ତି । ଦିଦି ମୋର କେଉଁ ଦିନଠାରୁ ବସ୍ତିଟିର ମୂଳୋତ୍ପାଟନ କରିଦେଇ ସାରିଥାନ୍ତା ।

 

କୌତୁହଳୀ ହୋଇ କାମଦେବ ଜିଜ୍ଞାସୁ ନେତ୍ରରେ ତାହା ଜାଣିବାକୁ ଚାହିଁବାରୁ ସୁବୋଧ କହିଲା, ଆଉ ଦିନେ କହିବି ଏ ଅନ୍ଧ ଗଳିରେ ଚରିତ । ଆଜି ନୁହେଁ ।

 

ଚାହୁଁ ଚାହୁଁ ସେମାନେ ମେନ୍‌ ରାସ୍ତା ଉପରକୁ ଉଠି ଆସିଲେ । କାମଦେବ ଆଙ୍ଗୁଠି ନିର୍ଦ୍ଦେଶ କରି ତା’ ଘର ଦେଖେଇ ଦେଲା ସୁବୋଧକୁ ।

 

କାମଦେବର ଘର ।

 

କାମଦେବକୁ ଛାଡ଼ିଦେଇ ସୁବୋଧ ଫେରିଯିବାକୁ ଉଦ୍ୟତ ହେବା ବେଳେ ଜଣେ ବୃଦ୍ଧ ଘରୁ ବାହାରି ଆସି କହିଥିଲେ କିଏ ସିଏ ବାପ ?

 

କାମଦେବ ତାର ବନ୍ଧୁ ବୋଲି ପରିଚୟ ଦେଇଥିଲା । ସୁବୋଧ ଅନୁମାନ କରିନେଲା ଯେ ବୃଦ୍ଧ ଜଣକ ନିଶ୍ଚୟ କାମଦେବର ବାପା । ତେଣୁ ସେ ହାତ ଯୋଡ଼ି ନମସ୍କାର କରିଥିଲେ ।

 

ବୃଦ୍ଧ କହିଲେ ବାପ, ରାତି ଏତେ ହେଲାଣି କୁଆଡ଼େ ଯିବ ?

 

ନେହୁର ରୋଡ଼ !

 

ତା ହେଲେ ତ ତୁମକୁ ଜାଗୁଲା ମଶାଣୀ ରାସ୍ତା ଦେଇ ନ ଗଲେ ଆଉ କେଉଁ ବାଟ ନିକଟ ପଡ଼ିବ ନାହିଁ । ଆଜି ନ ଯାଇ ଏଇଠି ରହି ଯାଉନା ?

 

ନା । ବୋଉ ତେଣେ ମୋତେ ଅନେଇଥିବ । ଶୋଇ ନଥିବ । ମୁଁ ନ ଫେରିଲା ଯାଏ ତା’ ପ୍ରାଣରେ ପରା ସାହା ପଶେ ନାହିଁ ।

 

ମିଛ କଥା !

 

କାମଦେବ ଜୋର୍‌ରେ କହି ଦେଇଥିଲା ।

 

ଆଜି ରାତିରେ ଆମ ଘରେ ରହିଗଲେ ମାଉସୀ ମୋଟେ କିଛି ସନ୍ଦେହ କରିବେ ନାହିଁ । କାରଣ ସେ ଜାଣିଛନ୍ତି ଯେ ଆପଣ ମୋ ସାଙ୍ଗରେ ଆମ ଘରକୁ ଆସିଛନ୍ତି, ଆଉ ଅସୁବିଧା ହେଲେ ଏଇଠି ରହିଯିବେ ।

 

ସୁବୋଧ କହିଥିଲା ତା’ ମାନେ ଆପଣ ମୋତେ ବାଧ୍ୟ କରି ଅଟକାଇବେ ।

 

ହଁ ।

 

ବେଶୀ ଯୁକ୍ତି କିମ୍ବା ଅମାନ୍ୟ ନ କରି ସୁବୋଧ, କାମଦେବର ଅତିଥି ହୋଇଥିଲା ସେଦିନ ।

 

କାମଦେବର ଘରେ ଦୁଇଜଣ ମାତ୍ର ସ୍ତ୍ରୀ ଲୋକ । ଜଣେ ସଧବା ବୁଢ଼ୀ । ସେ ହେଉଛନ୍ତି କାମଦେବର ମା । ଆଉ ଜଣେ ବିଧବା ଅଳ୍ପ ବୟସ୍କା ନାରୀ । ସେ ହେଉଛନ୍ତି କାମଦେବର ଭାଉଜ-। ବିବାହ କରିବାର ମୋଟେ ପାଞ୍ଚ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କୁ ହରାଇଛନ୍ତି ।

 

କାମଦେବ ଦେଖେଇ ଦେଇଥିଲା, ଏଇ ଯେଉଁ ଝିଅଟି ଆସୁଛି, ସେ ହେଉଛି ତାର ଏକମାତ୍ର ଝିଆରୀ । ବୟସ ତାକୁ ମୋଟେ ସାତ । ତାକୁ ତିନି ବର୍ଷ ହୋଇଥିଲା ବେଳେ ଭାଇ ମରିଗଲେ ।

 

କାମଦେବର ମା କହିଥିଲେ, ପୁଅରେ ତେମେ ଯେବେ ତା’ ଭାଇ ବଞ୍ଚିଥିବା ବେଳେ ଏ ଘରକୁ ଆସିଥାନ୍ତ, ତେବେ ଦେଖିଥାନ୍ତ, ଏ ଘର କେମିତି ହାଇଦୁଆଳିରେ ଚାରିଆଡ଼େ ଡକା ପଡ଼ିଥିଲା । ଭାଇ, ଯୁଦ୍ଧ ଚାକିରୀ କରି କି ଗୋଟାଏ ଅଫିସର ହୋଇଥିଲା ଯେ ସଦାଦିନ ଏଠି ଦେଖିବ ବଡ଼ ବଡ଼ିଆଙ୍କ ମେଳା । ଦଇବ ସହିଲା ନାହିଁରେ ବାପ । କେଇଟା ଦିନ ସେଇ ଯୁଦ୍ଧପଡ଼ିଆକୁ ନଜର ପକେଇବାକୁ ଯାଇ ଆଉ ମୋଟେ ଫେରିଲା ନାହିଁ ସେ । କହୁ କହୁ କାମଦେବର ମା କାନ୍ଦି ପକେଇଥିଲେ । ଗୋପନରେ ଭାଉଜ ଆଖିଲୁ ଲୁହ ଗଡ଼ାଇ ରୋଷେଇଶାଳ ଭିତରକୁ ଲୁଚିଗଲେ । ଆଉ ତେଣେ କାମଦେବର ବୁଢ଼ା ବାପ, ମେଲା ଖଟ ଉପରେ ମୁଣ୍ଡରେ ହାତ ଦେଇ ସେମିତି ଥକାହୋଇ ବସି ରହିଥାନ୍ତି, ତାହା ଦେଖୁଥାଏ ସୁବୋଧ । ଗୋଟିଏ ବୋଲି ପୁଅ କାମଦେବ, ତା’ ଉପରେ ବା ସେମାନଙ୍କର କି ଭରସା ଅଛି ?

 

ସବୁ ବୁଝି ପାରିଲା ସେ ।

 

କାମଦେବ ହୃଦୟର ଦୁଃଖକୁ ଚାପି ରଖି କହିଲା, ଯାଉଚି ନା ଏଠି ଆସି ସକେଇ ହେଲା ? ଯିଏ ଗୋଟିଏ ନୂଆ ଲୋକ ଆସି ଘରେ ପାଦ ଦେବ, ଆ ମୁଣ୍ଡରୁ ବାହାରିବ ପାଗଳାମି ! ହୁଁ ।

 

ଖଟ ଉପରେ ସଚେତନ ହୋଇ ବୁଢ଼ା ମଧ୍ୟ ବଡ଼ ପାଟିରେ କୁହାଟିଲେ, ପିଲା ଦୁହେଁ ଆସି ବସିଲେଣି ତାଙ୍କ ଚର୍ଚ୍ଚା ନ କରି ଆଗେ ସକା ଆରମ୍ଭ ହୋଇଗଲା । ଏଇ ବୁଢ଼ୀଠେଇଁ ସବୁ ନବରଙ୍ଗ । କାମ ତ କିଛି ନାହିଁ, ଖାଲି ସବୁବେଳେ ଗପ ଆଉ କାନ୍ଦ ।

 

କାମଦେବ ସୁବୋଧକୁ ଘର ଭିତରକୁ ଡାକିନେଇ ପରିସ୍ଥିତି ବୁଝାଇ ଦେଇଥିଲା ।

 

ଭାଇ ତାର ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଘରେ ଆୟ, ସମ୍ବଳର ଅନ୍ୟ ପନ୍ଥା ନାହିଁ । ସେପରି ସ୍ଥଳେ ପାଞ୍ଚପ୍ରାଣୀ କୁଟୁମ୍ବ ବଞ୍ଚିବେ କେମିତି ? ମଫସଲ ଗାଁରେ ତାଙ୍କର ଅବଶ୍ୟ ଘରଦ୍ୱାର ଅଛି । କିନ୍ତୁ ବାଡ଼ିରେ ଗୁବେ ବୋଲି ଜମି ନାହିଁ । ସେଥିଲାଗି କାମଦେବର ଭାଇ ପରିବାରବର୍ଗଙ୍କୁ ଏଇ ସହରକୁ ନେଇ ଆସିଥିଲେ । ଆଉ ଏଇ ଯେଉଁ ଛୋଟମୋଟ କୋଠା ଖଣ୍ଡିକରେ ସେମାନେ ଅଛନ୍ତି, ସେଇଟାକୁ ଭାଇ କିଣି ଘର ତୋଳି ଦେଇ ଯାଇଛନ୍ତି । ବୋଉ ନାଁରେ ଜାଗାଟି କିଣା ହୋଇଥିଲା । କିନ୍ତୁ ଭାଇ ମରିଗଲା ପରେ କାମଦେବ ଭାଉଜଙ୍କ ଦୁଃଖ ଦେଖି ତାଙ୍କ ମନରେ ବଞ୍ଚିବାର ପ୍ରେରଣା ଦେବା ଲାଗି ପୁନର୍ବାର ଭାଉଜଙ୍କ ନାଁରେ ତାହା କରାଇ ଦେଇଛି । ଭବିଷ୍ୟତରେ ହୁଏତ ଏ ଜାଗାକୁ ଯୌତୁକ ସ୍ୱରୂପ ସେ ତାଙ୍କ ଝିଅକୁ ଦେଇ ପାରନ୍ତି ।

 

ସୁବୋଧ କାମଦେବଠାରୁ ତାଙ୍କ ଘରର ସଂକ୍ଷିପ୍ତ ଇତିହାସ ଶୁଣି ଦୁଃଖରେ ମ୍ରିୟମାଣ ହୋଇପଡ଼ିଲା । ସେ ଭାବୁଥିଲା ଯେ ତାଙ୍କ ଘରଠାରୁ ଦୁଃଖୀ ପରିବାର ଆଉ ପ୍ରାୟ ଏ ଦୁନିଆରେ କେହି ନାହାନ୍ତି । କିନ୍ତୁ ସେ କାମଦେବକୁ ସମଦୁଃଖୀ ଭାବେ କଳ୍ପନା କରି ସମବେଦନା ଜ୍ଞାପନ କରିଥିଲା ।

 

ତେବେ ଦୁଃଖ ଯାହାକୁ ପଡ଼େ, ସେ ଯେ କିଭଳି ଭାବରେ ଅଙ୍ଗେ ନିଭାଏ, ତାହା ସେ ଜାଣେ । ସବୁବେଳେ ମନ ବ୍ୟସ୍ତ, ବିବ୍ରତ ରହି ପଳାୟନ ପନ୍ଥା ଅବଲମ୍ବନ କରିବାକୁ ରାହା ଖୋଜେ-। ଅନ୍ୟ କାହାର ଧନ, ଦୌଲତ ସୁଖ ତାକୁ ଅପମାନ, ଉପହାସ ପରି ବୋଧହୁଏ । ଦୁଃଖବେଳେ ଆହା ପଦେ କହିବାକୁ କିଏ ଅଛି ? ଓଲଟି ସାହୁକାର, ଶତ୍ରୁ ଆଉ ଯେତେ ଯିଏ ଆସି ବେଡ଼ି ଉପରେ କୋରଡ଼ା ହେବେ ସେତିକିବେଳେ । ସୁଖର ସାଥୀ ଯେଉଁମାନେ ସେମାନେ ଆପେ ଆପେ ପାଟି ନ ଫିଟାଇ ଦୂରେଇ ଚାଲିଯିବେ ।

 

ଦୁଃଖ ପାଇଁ ଦଇବ ଏ ଦୁନିଆରେ କମ୍‌ । ଅଥଚ ସୁଖରେ ଉଆସରେ କେତେ ନୂଆ ଅତିଥିଙ୍କର ବି ଭିଡ଼ ଜମୁଛି ।

 

ମନକୁ ଯେତେ ବୁଝେଇଲେ ଦୁଃଖୀ ମନ ବୁଝୁଛି କୁଆଡ଼ୁ ! ମା ଜନମ ଦେଇ ପୁଅକୁ ଏଡ଼େଟିରୁ ଏତେ ବଡ଼ କଲା ପରେ ତାକୁ ଯଦି ଠାକୁରେ ତା’ କୋଳରୁ ଛିନ୍ନ କରି ନେଇ ଯାଆନ୍ତି ତେବେ ବୁକୁ ଫାଡ଼ି କ୍ଷୀର ଦେଇଥିବା ମା ମନ ସେଇ ବିଚ୍ଛେଦରେ କେତେ ମର୍ମାନ୍ତୁଦ ନ ହେବ ?

 

କାମଦେବର ମାଙ୍କ ପାଇଁ ଆଶ୍ୱାସନା କିଛି ନୁହେଁ । ଇଲେକ୍‌ଟ୍ରିକ୍‌ ଆଲୋକକୁ ଦୂରରୁ ଦେଖି ଦେହର ଶୀତଳତାକୁ ଉଷ୍ଣ କରିବା ଯେମିତି ବୃଥା, ତାଙ୍କ ମନର ପ୍ରଗାଢ଼ ବେଦନାକୁ ଆଶ୍ୱାସନା ଛଳରେ ଦୂରୀଭୂତ କରିବା ସେମିତି । ବୁଢ଼ୀ ଗୁଣୁ ଗୁଣେଇ ମନକୁ ମନ ତା’ ପୁଅ ଗୁଣ ସ୍ମରଣ କରି କାନ୍ଦୁଛନ୍ତି । ସେ କାନ୍ଦିବେ । ଚିରଦିନ ସେମିତି କାନ୍ଦୁଥିବେ । କେବଳ ପୁତ୍ରହରା ହୋଇ ସେ କାହିଁକି, ପତିହରା ହୋଇ କାମଦେବର ଭାଉଜ ମଧ୍ୟ ଚିରଦିନ ଅଭିଶପ୍ତା ଚକୋରୀ ସମ ବ୍ୟର୍ଥ ନିଶିଥିନୀର ବେଳାଭୂମିରେ ଚେଇଁ ଚେଇଁ ଆଖି ଲୁହରେ ସମୁଦ୍ରର ଢେଉ ଗଣି ଚାଲୁଥିବେ ! ଯେଉଁଦିନ ସମୟ ଲିଭିବ, ସେଦିନ ସେ ଆଖି ବୁଜିବେ; ଏହାହିଁ ସମସ୍ତଙ୍କ ପାଇଁ ସତ୍ୟ । ବୁଦ୍ଧଦେବଙ୍କ ମନର ଆନ୍ଦୋଳନ ଏଇ ଯେଉଁ ସତ୍ୟକୁ ମିଥ୍ୟା କରିପାରିଲା ନାହିଁ ଯେତେବେଳେ ଆଉ କେଉଁ ପୁରୁଷ ଏ ସଂସାରରେ ଜନ୍ମ ହୋଇ ମୃତ୍ୟୁକୁ ନିବାରଣ କରିପାରିବ ?

 

କାମଦେବ ସୁବୋଧକୁ ଦେଖେଇ ଦେଉଥିଲା ତା’ ବୋଉର ଢଙ୍ଗ । ମନର ଅବସ୍ଥା କେମିତି ତାକୁ ପାଗଳାମି ଆଡ଼କୁ ନେଇ ଯାଉଛି । ବାପା କହୁଥିଲେ ଆଉ କେଇଟା ଦିନ ଅପେକ୍ଷା କର ଟୁନା ବୋଉ, କାମଦେବର ପଢ଼ା ସରିଗଲେ ସେ ପୁଣି ତମ ମୁହଁରେ ହସ ଫୁଟେଇବ ନାହିଁ କି-?

 

ସୁବୋଧ ଶୁଣି ହସି ଦେଇଥିଲା ।

 

ହଁ, ତାଙ୍କ ଉପରେ ଏ ଘରର ଆଶ ଭରସା ସବୁ । ମରୁଭୂମିରେ ଉଶୀର ସିନା ତୃଷ୍ଣା ମେଣ୍ଟାଏ ନାହିଁ, ହେଲେ ଓଏସିସ୍‌ର ଅବଦାନ ତ ସେଠି କମ୍‌ ନୁହେଁ ? ସେଠି ଉଦ୍ୟାନର ନିର୍ମାଣ କରାଯାଇ ଭ୍ରମର ଓ ପୁଷ୍ପର ସମ୍ବନ୍ଧ ସୃଷ୍ଟି କରାଯାଇ ପାରିବ ତ !

 

କାମଦେବର କୋମଳ ଗାଲ ଦୁଇଟି ସୁବୋଧର ଇଙ୍ଗିତକୁ ମର୍ମ କରି ପ୍ରତିହସରେ ଫୁଲ ଉଠିଥିଲା । ଆଉ ଅବ୍ୟକ୍ତ ଭାବେ ତା ଶରୀରରେ ଚହଲି ଉଠିଥିଲା ନୂତନ ଯୌବନ । ବେଶୀ କିଛି ସେ ନ କହି ମୁରବୀ ଭଳି କହି ପକେଇଥିଲା ହଉ ହଉ ଖାଇ ଦିଅନ୍ତୁ । ବେଶୀ ଗପିଲେ, ତେଣେ ସବୁ ଥଣ୍ଡା ହୋଇଯାଉଛି ।

 

କାମଦେବର ମା ଦୁଆର ମୁହଁ ପାଖରେ ଛିଡ଼ା ହୋଇ କହିଲେ, ହଁ ରେ ପୁଅ ଖାଇଦିଅ-। ଏ ପୋଡ଼ା କପାଳୀ ମନକୁ ତେମେ ସବୁ ବାହାର ଲୋକ ଅର୍ଥ କରି ଦୟା ଦେଖେଇଲେ ପରା ବାପ ପୁଅଙ୍କର ଖରାପ । ସୁବୋଧ କହିଲା, ମାଉସୀ ତମେ ଗଲ ଖାଇ ଶୋଇବ ।

 

ଖିଆ ସରିବା ପରେ କାମଦେବ କହିଥିଲା ଆଉ ଆପଣ ଘରକୁ ଏତେ ରାତିରେ ଯିବେ କାହିଁକି ? ଏ ଗରିବ ଘରେ ବିଛଣା ପାତି ରାତିକ ଶୋଇ ପଡ଼ିଲେ କଣ ଚଳିବ ନାହିଁ ?

 

ସୁବୋଧ ନାହିଁ କରି ପାରି ପାରି ନ ଥିଲା । କିନ୍ତୁ କାମଦେବ ସହିତ ଗୋଟିଏ ସର୍ତ୍ତ ରଖିଥିଲା ଯେ ସକାଳ ହେଲେ ଶଯ୍ୟା ତ୍ୟାଗ କରି ସେ ମୁହୂର୍ତ୍ତ ମାତ୍ର ରହିପାରିବ ନାହିଁ ।

 

ତଥାସ୍ତୁ କରିଥିଲା କାମଦେବ ।

 

ଅନ୍ୟମାନେ ବିଶ୍ରାମ ନେବା ପରେ ଦୁଇ ବନ୍ଧୁ ଏକା ସାଙ୍ଗରେ ଏକା ବିଛଣାରେ ନିଦ୍ରା ଦେବୀଙ୍କ କୋଳରେ ଆଶ୍ରୟ ନେଇଥିଲେ ।

 

ଶୋଇବାରେ ମୋର କିଛି କଟକଣା ନାହିଁ ?

 

କିନ୍ତୁ ମୋର ଅଛି ।

 

ଆଗ କାମଦେବ ଆରମ୍ଭ କଲାବେଳେ ତାକୁ ଯୁକ୍ତିରେ କାଟିବା ପାଇଁ ସୁବୋଧ କହିଥିଲା ।

 

ମୁଁ ଶୋଇଲାବେଳେ ଭାରୀ ଫ୍ରି ।

 

ମୁଁ ବି !

 

କିନ୍ତୁ.......

 

କିନ୍ତୁ ପୁଣି କଣ ?

 

ଏଇ ଶୋଇବା ସମୟରେ ମୋ ଅବସ୍ଥା ମୋଟେ ଠିକ୍‌ ରହେ ନାହିଁ । ଭଦ୍ର, ଅଭଦ୍ର, କାଳ ପାତ୍ର ବିଚାର ନକରି ଯିଏ ମୋ ପାଖରେ ଶୋଇଥାଏ, ମୁଁ ତା ଉପରେ ଗୋଡ଼ ହାତ ସବୁ ଲଦିଦିଏ ।

 

ହି....ହି....ହି...ହି....କାମଦେବ ସୁବୋଧର କଥା ଶୁଣି ହସି ଦେବା କ୍ଷଣି ସୁବୋଧ ଚୁପ୍‌ଚୁପ୍‌ କରି କହିଲା ଆରେ ଆପଣ ଏଭଳି ହସିଲେ ଅନ୍ୟ ଘରେ ବୋଉ ଭାଉଜ ପ୍ରଭୃତି କଣ ଭାବିବେ ?

 

କାମଦେବ କହିଲା, ଆପଣ ସେଭଳି ମୋଟେ ଧାରଣା କରନ୍ତୁ ନାହିଁ । ଆଉ ଚାରି ପାଞ୍ଚ ଥର ଆମ ଘରକୁ ଯା ଆସ କଲେ ଜାଣିପାରିବେ ଘରେ ମୋତେ ମା ଭାଉଜ କେତେ ଆଦର କରନ୍ତି । ମୁଁ ନ ଖାଇଲେ ଭାଉଜ ମୋଟେ ଖାଇବେ ନାହିଁ । ମଲାବେଳେ ଭାଇ କୁଆଡ଼େ ତାଙ୍କ ଅନ୍ତିମ ଇଚ୍ଛା ପ୍ରକାଶ କରି ଯାଇଛନ୍ତି ଯେ ତାଙ୍କ ଅପୂରଣୀୟ କାର୍ଯ୍ୟ ଭାଉଜ ପୂରଣ କରିବେ । ଅର୍ଥାତ୍‌ ଭାଉଜ ମତେ ପାଠ ପଢ଼ାଇ ମଣିଷ କରିବେ ।

 

ସୁବୋଧ ସସ୍ନେହ ବଶତଃ କାମଦେବର ହାତ ଟିପିଦେଇ କହିଥିଲା ବାଃ, ଠିକ୍‌ ମୋ ଦିଦି ପରି ଆପଣଙ୍କ ଭାଉଜ । ଦୁହେଁ ସେମାନଙ୍କର ରଙ୍ଗିନ୍‌ ସଂସାରକୁ ଆମରି ଲାଗି ସିନା ଦଇବ ଦୁର୍ବିପାକରେ ନଷ୍ଟ କରି ବସିଛନ୍ତି !

 

କାମଦେବ ସୁବୋଧଠାରୁ ପ୍ରାରମ୍ଭ ବନ୍ଧୁତାର ସ୍ପର୍ଶ ଉପଲବ୍‌ଧି କରି ନିଜକୁ ବିଶେଷ ଗୌରବାନ୍ୱିତ ମନେ କରି ବସିଲା । କୋଳି ଖାଇବା ଦିନ ଯିଏ ଥିଲା ଶତ୍ରୁ, ବାଡ଼ି ଦେଖେଇ ତାକୁ ମାରିବାର ଧମକ ଦେଉଥିଲା, ଆଜି ସିଏ ପୁଣି ତା’ ପାଖକୁ ଏତେ ଲାଗି ଆସିଛି ! କି ବିଚିତ୍ର ଏ ମନର ଗତି ! ସମୟର କୌଣସି ମୁହୂର୍ତ୍ତ ମଧ୍ୟ କହି ପାରିବ ନାହିଁ ଯେ ମଣିଷ ମନରେ ଆଗକୁ କଣ ଅଛି କିମ୍ବା କଣ ଘଟିବ ?

 

ସୁବୋଧ କହିଥିଲା, ଗୋଡ଼ ପକେଇବା ଢଙ୍ଗ ନେଇ ଆପଣ ଖରାପ ଭାବୁଛନ୍ତି କି ? ମୋ କୁଅଭ୍ୟାସକୁ ଆଗରୁ ଜଣେଇ ଦେବା ପାଇଁ ପରା କହିଲି ?

 

କାମଦେବ ଭାବୁଥିଲା ଅନ୍ୟ ପ୍ରକାର । ହୁଏତ ସୁବୋଧ ଯାହାକୁ ଅଭ୍ୟାସ କହୁଛି ସେଇଟା ଆଜିକାଲିର ସବୁ ଟୋକା ଟାକଳିଆଙ୍କଠାରେ ଦେଖାଯାଉଛି । ଚଳଚ୍ଚିତ୍ରର ରୂପେଲି ପରଦା ଉପରେ ବହୁ ବହୁ ଚିତ୍ର ନାୟିକାଙ୍କୁ ଦେଖି ଦେଖି ରାତିରେ ସେଗୁଡ଼ିକ ଚାଳନ୍ତି ରାଧା ଭଳି ଏ ଯୁଗର ପାପ ଶ୍ରୀକୃଷ୍ଣଙ୍କ ଦେହରେ କେଳି ରଚନା କରିବାକୁ ବହୁବିଧ ଭଙ୍ଗୀରେ ଅଭ୍ୟର୍ଥନା କରୁଛନ୍ତି । ଫଳରେ ଗୋଡ଼ାପକା, ହାତପକା ପ୍ରଭୃତି ଅଭ୍ୟାସ ଏଇ ଯୁବକମାନଙ୍କ ଶୋଇବା ଶେଯରେ ଫୁଟି ବାହାରି ପଡ଼ୁଚି ତାକୁ ରୋକି ହେଉନାହିଁ ।

 

ବଡ଼ ମୁସ୍କିଲ୍‌ ।

 

ମମ୍‌ତାଜ, ଲିନା, ହେମମାଳିନୀ, କାହା କଥା ଭାବି ଭାବି ଏପରି ରୋଗ ତୁମଠାରେ ଘଟିଛି, ଶୁଣେ ?

 

ସୁବୋଧ ମନେ ମନେ ହସି ଦେଇ କୁଣ୍ଢେଇ ପକେଇଥିଲା କାମଦେବକୁ । ନା, ଏଥର ମୁଁ ଆଉ ‘ଆପଣ’ର ମର୍ଯ୍ୟାଦା ମୋଟେ ରଖିବି ନାହିଁ । ଆପଣ ସେ ସବୁକୁ ଏଇ କେତେ ଘଣ୍ଟାର ବନ୍ଧୁତା ମଧ୍ୟରେ ହରେଇ ଦେଇଛନ୍ତି । ଆପଣ ଯାହା କୁହନ୍ତୁ ପଛେ ଆଜିର ଯୁବକମାନେ ସେମାନଙ୍କ ବିକୃତ ମନ ଦର୍ପଣର ପ୍ରତିବିମ୍ବରେ ଅନେକ କିଛି ଅଶ୍ଳୀଳତାର ଛବି ଦେଖି ତାର ସମୀକ୍ଷା କରିଥାନ୍ତି ।

 

ଅଶ୍ୱ, ବୃକ୍ଷ, ଶଶକ, ମୃଗ......

 

କାଇଁ ସେମାନେ ନୁହନ୍ତି କି ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ଆଉ ହସ୍ତିନୀ ।

 

ଦୁହିଁଙ୍କ ଯୁକ୍ତି ଠିକ୍‌ ମିଳି ଯାଇଥିଲା । ବୟସ ଲାଗିଲେ ମନ ଆପେ ଆପେ ଉଡ଼େ । କାହିଁ ସେଇ ପରିକଳ୍ପିତ ପକ୍ଷୀରାଜ ଘୋଡ଼ାର କଳ୍ପନା ପରି କେତେ କେତେ ମନର ପକ୍ଷୀ ଡେଣା ମେଲି ଚାଲି ଯାଆନ୍ତି । ସବୁର ମୂଳ ହେଉଛି ଉନ୍ମାଦନା ଆଉ ପରଶ ।

 

ନିଦ ଟିକେ ଟିକେ ଆଖିକୁ ଲାଗି ଆସୁଥିଲେ ସୁଦ୍ଧା ଉତ୍ତେଜନାର ବଶବର୍ତ୍ତୀ ହୋଇ କେହି ଶୋଇବାକୁ ଇଚ୍ଛା କରୁ ନଥିଲେ । ଗପ କରିବା ଉଭୟଙ୍କ ପକ୍ଷେ ଖୁବ୍‌ ସୁଖପ୍ରଦ ବୋଧ ହେଉଥିଲା ।

 

ଯୌବନର ଗପ ।

 

ବୟସର ନହବତରେ ତାର ଯେଉଁ ଗୋପନ ଇଶାରା !

 

ଇସ୍‌ ।

 

ଯୌବନ ପାଇଁ ମଣିଷ ଏମିତି ଖୁସି ହୁଏ । ସ୍ତ୍ରୀ ପୁରୁଷ ହୋଇ ଏକା ସାଙ୍ଗରେ ଗୋଟିଏ ବିଛଣାରେ ଯିଏ ଶୋଇଛି ସିଏ ଜାଣେ ତାର ମର୍ମ । ପରଶ, ଉଦ୍‌ବେଳନ ଆଉ ଗରମ, ଦେହର କିଭଳି ଅନୁଭୂତ ହୁଏ, ତାହା ସେ ଜାଣେ । ବିପରୀତ ଧର୍ମୀ ଜୀବନ ସହିତ ସହବାସରେ ଜଡ଼ି ରହିଲେ ଶିହରଣର ଯେଉଁ ଚିତ୍କାର !

 

ଆଃ.......

 

ତେବେ ସମଧର୍ମୀ ପୁରୁଷ ଦୁହେଁ ଏଭଳି ହେଲେ ଲାଭ ବା କଣ ?

 

ତଥାପି......

 

ହସି ହସି ସୁବୋଧ କଥାକୁ ପାଟି ଭିତରେ ଅଟକାଇ ରଖୁଥିବା ବେଳେ କାମଦେବ କହିଥିଲା ଓହୋ, ବୁଝିଲି ଏମିତି କଥା ତାହେଲେ । ହଉ । ନିଜ ନିଜ ଭିତରେ ଯାହା ହେବା ସେଇଟା ଟ୍ରେଡ଼୍‌ ସିକ୍ରେଟ୍‌ ଭଳି କାମ କରୁଥାଉ । ବାହାର ପାଇଁ ଫନ୍ଦା ବସେଇବାକୁ ପଡ଼ିବ ।

 

ରାଜି ?

 

ଏସ୍‌ ।

 

ଓକେ । ତାହେଲେ ସୁନା ପିଲାଙ୍କ ପରି ଶୋଇପଡ଼ । ଆଉ ଗୋଟିଏ କଥା, ଏଣିକି ଦୁହେଁ ଦୁହିଁକି ‘ଆପଣ’ ସମ୍ବୋଧନ ନ କରି ‘ତୁ’ ବୋଲି କରିବା ।

 

ସୁବୋଧ କାମଦେବର ହାତ ପାପୁଲିକୁ ସାଉଁଳେଇ ସାଉଁଳେଇ ଚାପି ଦେଇଥିଲା । ତାପରେ ଦୁହେଁ ଅଭିଭୂତ ହୋଇ ପଡ଼ିଥିଲେ ଗଭୀର ନିଦ୍ରାରେ । ସକାଳୁ ବିଛଣା ଛାଡ଼ିଲା ପରେ ସୁବୋଧ କେବଳ ମୁହଁଟି ଧୋଇ ପକେଇ ଲାଜରେ ସାଇକେଲ୍‌ରେ ଧାଇଁ ଏକା ନିଶ୍ୱାସରେ ଘରେ ପହଞ୍ଚି ଯାଇଥିଲା । ପଛରୁ କାମଦେବର ବାପ ମା, ଜଳଖିଆ ଖାଇ ଯିବାକୁ ଯେତେ ଅନୁନୟ କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲା ।

 

।। ୩ ।।

 

ଗୋଟିଏ ଦିନର ନୂତନ ଶତ୍ରୁ ରୂପେ ଜଣେ ଅନ୍ୟ ଜଣଙ୍କ ପ୍ରତି ଜନ୍ମଲାଭ କରିବା ପରେ ଆଉ ଦିନେ ପରସ୍ପର ଆକସ୍ମିକ ଭାବେ ବନ୍ଧୁତା ସୂତ୍ରରେ ଏତେଦୂର ଆବଦ୍ଧ ହୋଇଯିବେ ତାହା ସ୍ୱପ୍ନରେ ସୁଦ୍ଧା କଳନା କରାଯାଇ ନଥିଲା ।

 

କାମଦେବ ଆଉ ସୁବୋଧ ।

 

ସହରର ଜଣେ କୁମେରୁ ହେଲେ, ଅନ୍ୟ ଜଣେ ସୁମେରୁ । କୌଣସି ପ୍ରକାରର ଯୋଗାଯୋଗ ମଧ୍ୟ ସ୍ୱାର୍ଥ ଦୃଷ୍ଟିରୁ ପର୍ଯ୍ୟାୟଭୁକ୍ତ ହୋଇପାରନ୍ତା ନାହିଁ । କିନ୍ତୁ ଦୁହେଁ ଦୁହିଁଙ୍କର ବନ୍ଧୁ ହୋଇଗଲେ । ଏପରିକି ଘଡ଼ିଏ ଜଣେ ଅନ୍ୟ ଜଣକୁ ନ ଦେଖିଲେ ପାଗଳ ଭଳି ହେଉଥିଲେ । ଜଣଙ୍କ ଲାଗି ଅନ୍ୟ ଜଣେ ପ୍ରତୀକ୍ଷା କରୁଥିଲା ଘଣ୍ଟା ଘଣ୍ଟା ଧରି ।

 

ସେମାନେ କହୁଥିଲେ ସେମାନଙ୍କ ବନ୍ଧୁତା ଶ୍ରେଷ୍ଠ । କେବେହେଲେ ତାହା ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ !

 

ହେଉ ହେଲା ଏବେ । ଦୁହିଁଙ୍କୁ ଦୁହେଁ ଖୁବ୍‌ଭଲ ପାଇ ବନ୍ଧୁ ହୋଇଛନ୍ତି ଯେତେବେଳେ, ତାଙ୍କୁ ସମାଲୋଚନା କରିବ କିଏ ? କାମଦେବର ଘରେ ଯେମିତି ତାଗିଦ୍‌ ଯେ ଭଲ ଜିନିଷ ହେଲେ ସୁବୋଧ ପାଇଁ ରହିବ, ସୁବୋଧ ଘରେ ମଧ୍ୟ ସେମିତି । ଏକା ସାଥିରେ ଦୁହେଁ ସିନେମା ଯିବା, ମଉଜ୍‌ ମଜଲିସ୍‌ କରିବା କେଉଁଥିରେ ଟିକେ ବ୍ୟତିକ୍ରମ ହୁଏ ନାହିଁ । ଦୁହେଁ ମନ ମିଳେଇ ଖାପ ଖୁଆଇ ସବୁ କରନ୍ତି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଘରେ ଅତି ଆପଣାର ହୋଇଯିବା ପରେ ମଧ୍ୟ ଯାହା ଅକୁହା ଭାବେ ଅତୀତର ଅନ୍ଧାରୀ ପ୍ରାଙ୍ଗଣରେ ବିକ୍ଷିପ୍ତ ହୋଇପଡ଼ି ରହିଥିଲା, ତାହାକୁ ସାଉଁଟି ଆଣି ଅନୁଶୀଳନ କରିବାରେ କେହି କୁଣ୍ଠା ବା ଦ୍ୱିଧା ମନୋଭାବ ପୋଷଣ କରୁ ନଥିଲେ ।

 

ଶୁଣିବାକୁ ଭୁଲି ଯାଇଚୁ ପରା ?

 

କୋଉ କଥା ?

 

ଏଇ ଅନ୍ଧ ଗଳିର କାହାଣୀ; ତା ନିର୍ଜନ ଚରିତ୍ରରେ ଯେତେ ଯେତେ ବିସ୍ଫୋରଣର ଦାଗ ରହିଛି ସିଏ ସବୁ ପରା ଏକ ବିଷମ ଇତିହାସ । କହି ନଥିଲି ଆଉ ଦିନେ କହିବି ବୋଲି ।

 

ବିଷମ ଏ ଗଳି ।

 

ସହରର ଏକ ନିଚ୍ଛଳ ଚୌରଙ୍ଗୀ ବୋଲି ଏ ଗଳିକୁ ଆଖ୍ୟା ଦେଲେ ଭୁଲ ହେବ ନାହିଁ ।

 

ବସ୍ତିଗୁଡ଼ିକ ଛୋଟ, ଛୋଟ ।

 

ଘରର ଦୁଆର ବାଟେ ପ୍ରବେଶ କଲେ ମୁଣ୍ଡ ବାଜିବ ।

 

ସେଗୁଡ଼ିକ ସବୁ ଚାଳଘର ଥିଲା ।

 

ହୃଦୟହୀନ ଅଭଦ୍ର ବ୍ୟକ୍ତିମାନଙ୍କ ଦାନରେ ତାର ପରିବର୍ତ୍ତନ ହୋଇ ଇଟାରେ ନକଲି ଛାତ ପଡ଼ିଛି ।

 

ସୁବୋଧ ଆଚମ୍ବିତ କରି ଦେଉଥିଲା କାମଦେବକୁ ।

 

ଘର ଭିତରେ ଛୋଟ ଛୋଟ ବଖରା ଦୁଇ ଚାରିରୁ କମ୍‌ ନୁହେଁ ।

 

ବସ୍ତିର ଅଧିବାସୀ ହେଲେ ଶରଣାର୍ଥୀ ।

 

କିନ୍ତୁ ସେମାନଙ୍କ ଜୀବନ ଧାରଣ ପାଇଁ ବଞ୍ଚିବାର ନକ୍‌ସା ତିଆରି ହୋଇଛି କେଉଁଠି ?

 

କ୍ଷେତ୍ର, ମାନପତ୍ର କାହିଁ ?

 

ଜମିଜମାର ସମ୍ବଳ କାହିଁ ?

 

ତେବେ ସେମାନେ ସ୍ଥାନାନ୍ତରୀତ ହୋଇ ଚାଲି ଆସିଛନ୍ତି ଯେତେବେଳେ, ଫେରିଯିବେ କେଉଁଠିକି ?

 

ସେମାନେ ସ୍ଥିତିକୁ ଏଇଠି ଦୃଢ଼ କରିନେଲେ ।

 

ବଞ୍ଚିବାର ଦ୍ୱାହି ଦେଇ ସମସ୍ତଙ୍କ ପରି ସେମାନେ କହିଲେ, ବଞ୍ଚିବା ମରିବାର ଦ୍ୱନ୍ଦ ମଧ୍ୟରେ ଯେଉଁଠି ସବୁ ମଣିଷ ପାଦ ପକାଇ ସ୍ଥିତି ସ୍ୱୀକାର କରିଛନ୍ତି, ସେଠି ସେମାନଙ୍କ ବାସସ୍ଥାନର ଭୂମିକାକୁ ଅଗ୍ରାହ୍ୟ କରା ହେବ କେଉଁ ବିଚାରରେ ?

 

ସେମାନେ ସେ ଗଳିରେ ଅନେକ ଦିନ ହେଲା ରହି ଆସିଲେଣି । ଜୀବିକାର୍ଜ୍ଜନର ପନ୍ଥା ଏ ପାଖ ସେ ପାଖ କରି ଧରି ନେଇଛନ୍ତି । ଯାହାର ପିଲାଛୁଆ ଗୁଡ଼ାଏ ସେ ଦି’ ଓଳିରେ ଢୋକେ ପିଇବାକୁ ସମ୍ବଳ ପାଇ ପାରୁଛି କି ନାହିଁ ସନ୍ଦେହ । ତେବେ ସେମାନଙ୍କର ଅନ୍ୟ ପନ୍ଥା ଥିଲା ।

 

ପୁରୁଷମାନଙ୍କର ନୁହେଁ ।

 

ନାରୀମାନଙ୍କର ।

 

ନାରୀମାନେ ବଞ୍ଚିବା ପାଇଁ ରାତିର କଳା ପରଦା ତଳେ ଦେହ ବିକ୍ରୟ କରିଥାନ୍ତି ।

 

ଏଁ ?

 

ଢିମା ଢିମା ଆଖି କରି କାମଦେବ ଚିତ୍କାରି ଉଠିଥିଲା ।

 

ବେଶ୍ୟାମାନେ ଯେମିତି......

 

ହଁ ହଁ ବେଶ୍ୟାମାନେ ଯେଉଁଭଳି ବ୍ୟବସାୟ ସୂତ୍ରରେ ସେମାନଙ୍କ ଦେହ ବିକ୍ରୟ କରିଥାନ୍ତି, ଏମାନେ ସେମିତି ।

 

ନିଶୀଥ ପଲାଶ ।

 

ଓଃ, ଭାରୀ କବିଟିଏ ?

 

ହେବାକୁ ଚେଷ୍ଟା କରୁଛି ।

 

କଣ ଏଇ ଗଳି ରାସ୍ତା କଥା ଶୁଣି ।

 

ନା ।

 

ହଁ, ଲୁଚେଇଲେ ମୁହଁରୁ ଧରା ପଡ଼ିଯାଉଛି ଯେ !

 

ହଉ ହେଲା ଏବେ ।

 

ଏତେ ଖୁସି ହେବା ବେଳ ନୁହେଁରେ କାମଦେବ ।

 

କାହିଁକି ?

 

ଏହି ଗଳିଟା ଅତି ମାରାତ୍ମକ ।

 

କେମିତି ?

 

କହିଲି ପରା ନାରୀମାନେ ଏଠି କାମୁଡ଼ି ଦେଲେ ପୁରୁଷଙ୍କ ଦେହରେ ବିଷ ଚହଟି ଯାଏ-?

 

ସତେ ? ଚୁ....ଚୁ.....

 

ବିଷ ମାରାତ୍ମକ ନୁହେଁ ନା କ’ଣ ?

 

ଅବିଶ୍ୱାସ କରୁ ନାହିଁ ଯେ, ତେବେ ଭାବୁଚି ଭଗବାନ ଏ ମର୍ତ୍ତ୍ୟରେ ନାଗକନ୍ୟା ସୃଷ୍ଟି କଲେ କେମିତି ?

 

ମୁହଁ ଶୁଖେଇ ଦେଲା ସୁବୋଧ । ପାତାଳ ମର୍ତ୍ତ୍ୟର ସମ୍ଭାବନା ବା ପାର୍ଥକ୍ୟ ଅର୍ଥରେ ଏହି ଅନ୍ଧ ଗଳିଟାକୁ ସମୀକ୍ଷା କରା ହେଉନାହିଁ । ଏଠି ନାରୀମାନେ ପେଷାଦାର । କାମୁଡ଼ି ଦେଇ, ପୁଣି ଭଲ କରି ଜାଣନ୍ତି । କିନ୍ତୁ ଯେଉଁମାନେ ଆରୋଗ୍ୟ ଲାଭ କରିପାରନ୍ତି ନାହିଁ, ସେମାନେ ଚିର ଅସୁସ୍ଥ ରହି ପ୍ରାଣତ୍ୟାଗ କରିଥାନ୍ତି ।

 

ସୁବୋଧ ଆଖିରେ ଲୁହ ଘନେଇ ଆସିଲା । କେବେ କେବେ ଏହି ଗଳିର ଚରିତ୍ରକୁ ବିଶେଷ ଭାବରେ ମନରେ ସମୀକ୍ଷା କରି ବସିଲାବେଳେ ଲୁହ ବୁହେ ତା’ ଆଖିରୁ ।

 

କାମଦେବ କହିଲା ତୁ କାନ୍ଦୁଛୁ ସୁବୋଧ ?

 

କାଇଁ ନାଇଁ ତ । ଆଖିରେ କଣ ଗୋଟାଏ ଗୁଣ୍ଡି ପଡ଼ି ଖୁଞ୍ଚି ହେଉଛି ।

 

ହାତ ପାପୁଲିକୁ ମିଛରେ ଆଖି ଦୁଇଟିରେ ମଳି ବସିଥିଲା ।

 

କାମଦେବ ତା’ ଦୁଃଖ ନ ଜାଣୁ । ସେ କାହିଁକି ତା’ ଲାଗି ଅଯଥାରେ ହନ୍ତସନ୍ତ ହେବ ।

 

ତଥାପି କହିଦେବାକୁ ପଡ଼ିବ ।

 

ଅନ୍ଧ ଗଳିର ନାରୀମାନେ ପୁରୁଷମାନଙ୍କ ଦେହକୁ ତୋଳା କରିଥାନ୍ତି ।

 

ତୁ ଇଚ୍ଛା କରୁଛୁ ବୋଧହୁଏ ।

 

କାମଦେବ ?

 

ଖୁବ୍‌ ଜୋର୍‌ରେ ଚିତ୍‌କାର କରିଥିଲା ସୁବୋଧ ।

 

ତୁ ମୋତେ ଭୁଲ୍‌ ବୁଝନା । ମୁଁ ବରଂ ଭବିଷ୍ୟତରେ କେଉଁ ଭଦ୍ର ଘରର ଝିଅକୁ ଭଲ ପାଇବି । ପ୍ରେମ କରି ନିଜ ନୈଷ୍ଠିକ ପ୍ରେମର ପରାକାଷ୍ଠା ଦେଖାଇବି । ହେଲେ ବେଶ୍ୟାମାନଙ୍କ ସାଙ୍ଗରେ କିମ୍ବା ଏଇ ଇତର ନାରୀମାନଙ୍କ ସାଙ୍ଗରେ ମୋ ଦେହକୁ ଅପବିତ୍ର କରି ପାରିବି ନାହିଁ ।

 

ବସ୍ତି ଭିତରୁ ସେଇ ଯେଉଁ ସମ୍ମୁଖ ଘରଟି ଦେଖାଯାଉଛି, ଅନେଇଲୁ ?

 

କାମଦେବ ତୀର ନଜର ନିକ୍ଷେପ କରିଥିଲା ।

 

ସେଇ ଚୁନ ଲିପା ମାଟିଘର । କୋଠା ପରି ଯିଏ ଦେଖାଯାଉଛି ।

 

ହଁ ସେଇ ଘରଟି ।

 

ଶ୍ୱେତସ୍ୱିନୀ ନାଁରେ ସେଠି ଜଣେ ଯୁବତୀ ଥିଲା ।

 

ସୁନ୍ଦର, ଡଉଲ୍‌ଡାଉଲ ଚେହେରା ।

 

ସୁବୋଧ ତା’ ପିଲାବେଳ କଥା କହୁଚି ।

 

ତା’ ଦିଦି ମୋଟେ ନ’ ବର୍ଷର ହୋଇଥିଲା । ସେ ହୋଇଥିଲା ଦୁଇ ବର୍ଷର । ଅନ୍ୟ ପିଲା ଦୁହେଁ ସେତେବେଳେ ମୋଟେ ଜନ୍ମ ହୋଇ ନ ଥାନ୍ତି । ତା ବାପା ସବୁବେଳେ ତାରି ପାଖକୁ ଯାଆନ୍ତି । ଶ୍ୱେତସ୍ୱିନୀର ରୂପ ତାଙ୍କୁ ପାଗଳ କରି ପକାଉଥିଲା । ଘରେ ସ୍ତ୍ରୀ ପିଲାଙ୍କୁ ଉପେକ୍ଷା କରି ମଧ୍ୟ ଶ୍ୱେତସ୍ୱିନୀ ପାଖକୁ ସେ ଧାଇଁ ଯାଉଥିଲେ ।

 

ଶ୍ୱେତସ୍ୱିନୀ ଥିଲା ଚୁମ୍ବକ । ଅଳ୍ପ ଦୂରରେ ଲୁହାକୁ ଚୁମ୍ବକ ଆକର୍ଷଣ କଲା ପରି ଶ୍ୱେତସ୍ୱିନୀ ତା’ ରୂପର ଠାଣିରେ ବାପାଙ୍କୁ ସଦା ସର୍ବଦା ଆକର୍ଷଣ କରୁଥିଲା । ଏପରି ଦେଖାଯାଇଛି ଲୋକେ କହନ୍ତି ବାପା ତାର ଅଫିସରୁ ଖରାବେଳେ ଚାଲିଆସି ଶ୍ୱେତସ୍ୱିନୀ ସାଙ୍ଗରେ ରତିବିଳାସ ରଚନା କରି ନ ଗଲେ ହେବ ନାହିଁ । ଘରେ ବୋଉ ପ୍ରଭୃତି ଜାଣି ସୁଦ୍ଧା ବାପାଙ୍କୁ ବାରଣ କରିବାରେ କୃତକାର୍ଯ୍ୟ ହୋଇପାରିଲେ ନାହିଁ ।

 

ବାପାଙ୍କର ବ୍ୟକ୍ତିତ୍ୱ ଥିଲା ଖୁବ୍‌ଟାଣ୍‌ । କୌଣସି ଲୋକ ମୁହଁ ଉପରେ କିମ୍ବା ବାହାରେ ତାଙ୍କୁ ସମାଲୋଚନା କରିବାକୁ ଅତୀବ ଭୟ କରୁଥିଲେ । କିନ୍ତୁ ବାପା ବୁଝୁ ନଥିଲେ ଯେ ଅନ୍ତରାଳରେ ତାଙ୍କ ବ୍ୟକ୍ତିତ୍ୱର କେତେ ଅପଚୟ ଘଟୁଛି । ବାହାର ରମଣୀ ସାଙ୍ଗ ବ୍ୟତୀତ କ୍ରମେ ଅନୁକ୍ରମେ ମଦ୍ୟପାନରେ ସେ ବୁଡ଼ି ରହିଥିବାର ମଧ୍ୟ ଲୋକେ ଦେଖି ପାରିଥିଲେ । ଅନେକ ରାତିରେ ଘରକୁ ଫେରିବାରେ ମା ଦେଖି ତାଟଙ୍ଗା ହୋଇ ଯାଉଥିଲେ । ଅନ୍ଧ ଗଳିର ନାୟକ ବାପା, ପ୍ରତୀକ୍ଷାମାଣା ମାଙ୍କ ଅଶ୍ରୁଳ ଆଖିର ନିବେଦନକୁ ଉପେକ୍ଷା କରୁଥିଲେ । ତାଙ୍କ ମତରେ ଶ୍ୱେତସ୍ୱିନୀ ପରି ଦୁନିଆରେ ଅଳ୍ପ ବହୁତ ସମସ୍ତେ ଖରାପ । ଧର୍ମପତ୍ନୀ ହେଉଛି ମାୟା, ବନ୍ଧନ । ଦାମ୍ପତ୍ୟ ଜୀବନର ସୂଚୀପତ୍ର ପାଇଁ ଏକ ଅବଲମ୍ବନ ମାତ୍ର । ଯେତେଦିନ ଜୀବନ ଅଛି, ମନ ଯାହା ଚାହୁଁଛି, କରିଯିବା ଉଚିତ । ତା ନ ହେଲେ ସବୁ ଅକାରଣ ହୋଇଯିବ ।

 

ଶ୍ୱେତସ୍ୱିନୀକୁ ଭଲ ପାଇ କେବଳ ଯେ ସମୟ ଓ ମନକୁ ସେ ନଷ୍ଟ କରି ଦେଉଥିଲେ, ତା ନୁହେଁ, ଧନ ବି ନଷ୍ଟ କରୁଥିଲେ । ଦେହ ଉଜୁଡ଼ି ଯାଉଥିଲା ଚରିତ୍ରର ଗୋପନ ଅନ୍ତର୍ଦାହ ତଳେ । ସେମିତି ଟଙ୍କା ଯାଉଥିଲା । ପ୍ରତିକ୍ଷଣରେ ଶ୍ୱେତସ୍ୱିନୀ ଚାହୁଁଥିଲା ଟଙ୍କା । ବାପା ଥିଲେ ତାର ଏକଚାଟିଆ ଗରାଖ । ସର୍ତ୍ତ ଥିଲା ଯେ ଯେତେ ଯାହା ଟଙ୍କା ସେ ଚାହିଁବ ପଛେ ତାକୁ ଦିଆଯିବ, କିନ୍ତୁ ତାଙ୍କ ବ୍ୟତୀତ ସେ ଅନ୍ୟ କାହାକୁ ଦେହ ଦେବ ନାହିଁ ।

 

ଶ୍ୱେତସ୍ୱିନୀ ତାହା ମଞ୍ଜୁର କରିଥିଲା । ବସ୍ତିର ଅନ୍ୟ ନାରୀମାନେ ଗୋଟିଏ ରାତିରେ ଭିନ୍ନ ଭିନ୍ନ ପୁରୁଷଙ୍କୁ ଅଭ୍ୟର୍ଥନା କରୁଥିବା ସ୍ଥଳେ, ସେ କାହିଁକି ଗୋଟିଏ ବଡ଼ ଧନୀ ଶିକାରକୁ ହାତଛଡ଼ା କରି ବସିଥାନ୍ତା ! ଶ୍ୱେତସ୍ୱିନୀକୁ ବାପା ଯେତେ ଟଙ୍କା ଅକୁଣ୍ଠ ଚିତ୍ତରେ ଦେଇ ଆସିଛନ୍ତି ତାହା କୌଣସି ପ୍ରାର୍ଥୀ ଅନ୍ୟ କେଉଁ ନାରୀଙ୍କୁ ଏତେ ଦେଇ ନ ଥିବେ । ଆଜି ମନ ଚାହିଁଛି ଶ୍ୱେତସ୍ୱିନୀ ପାଇଁ ଭଲ ଦାମିକା ଶାଢ଼ୀ କିଣା ହୋଇ ଆସିବ । ସ୍ୱର୍ଣ୍ଣହାର କିମ୍ବା କାଚ ପାଇଁ ଟଙ୍କା ଖର୍ଚ୍ଚ ହୋଇଯାଉ, ଆପତ୍ତି ନାହିଁ ।

 

ଦେହର ପଶାପାଲିରେ ହାରିଯିବାର ଉତ୍ସାହ ରଖି ବାପା କେବେ ଖେଳୁ ନ ଥିଲେ । ମନର ବାଜି ଥିଲା ଟଙ୍କା । ପରୁଆ କଣ ଅଛି ?

 

ହଁ, ଆଜି ମଦ ଖାଇବାକୁ ପଇସା ନାହିଁ । କିନ୍ତୁ ମନ ଯେବେ ମତ୍ତ ପ୍ରବଳ ହୋଇ ଉଠିଛି ଟଙ୍କା ଯେ କୌଣସି ଜାଗାରୁ କରଜ ହୋଇ ଆସିବ । ମାଙ୍କର ଅଳଙ୍କାର ବିକ୍ରି ହୋଇ ଗଲେ ତାଙ୍କୁ କ୍ଷତି ବୋଲି ଜଣା ଯାଏ ନାହିଁ ।

 

ମା’ କାନ୍ଦନ୍ତି ।

 

ଦେହରୁ ଅଳଙ୍କାର କାଢ଼ି ଦେଇ ତା’ ବିନିମୟରେ ଜୀବନକୁ ଧୂଳିସାତ୍‌କରି ଦିଅନା ବୋଲି ବହୁ ଅନୁନୟ ମିନତି କରନ୍ତି । ହେଲେ ସବୁ ଅକାରଣ ହୋଇଯାଏ । ଶ୍ୱେତସ୍ୱିନୀ ତାଙ୍କର ସର୍ବସ୍ୱ । ଧନ ସମ୍ପତ୍ତି କିଛି ନୁହେଁ ତା ତୁଳନାରେ । ତାହା ଆଜି ଅଛି, କାଲିକି ନ ଥିବ । ଆଖି ବୁଜିଲେ କିଏ ଦେଖୁଛି ?

 

ମା କହୁଥିଲେ ବଞ୍ଚିବା ପାଇଁ ତ ସବୁ ଭେଳିକି । ଏପରି କେଉଁ ଆଖି ଦୁନିଆରେ ଅଛି, ଯେ କି ଆପଣାର ବିଡ଼ମ୍ବିତ ଭାଗ୍ୟ ଦେଖି ସୁଖର ପିଛଡ଼ା ପକେଇଛି, କୁହନି ? ଯେଉଁ ସ୍ଥିତି ଲାଗି ଏତେ ନାଟ, ଏତେ ଗର୍ବ, ତାକୁ କଣ ଭଗବାନ୍‌ ଏମିତି କଦର୍ଯ୍ୟ ବାଟରେ ନଷ୍ଟ ହୋଇ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ? ସବୁ ପଥର ସମାନ ହୋଇ ପାରନ୍ତି, ହେଲେ ମନ୍ଦିରରେ ଥିବା ପଥର ଦେହରେ ଫୁଲ ଚଢ଼େଇବାକୁ କାହିଁକି ସମସ୍ତେ ମନ, ପ୍ରାଣ ଢାଳି ଦେଇଥାଆନ୍ତି, ଅଥଚ ଏଇ ରାସ୍ତା ଧାର କିମ୍ବା ପାହାଡ଼ର ପଥରଠାରେ କୃତାଞ୍ଜଳି ପୁଟ ହୋଇ କେହି ତ ଦିନେ ହେଲେ ଫୁଲ ଖସାଇ ଦେଇ ନାହିଁ ?

 

ବାପାଙ୍କ ହାତକୁ ଧରି ମା ବିନତି କରି ଏହିପରି ଅନେକ ଉପଦେଶ ଦେଇଥିଲେ ସୁଦ୍ଧା ତାର କିଛି ମୂଲ୍ୟ ହୁଏ ନାହିଁ ।

 

ବାପା ଓଲଟା ଧାରଣା କରନ୍ତି ଯେ ମା ହେଉଛନ୍ତି ଦଳିତ ପଥର, ଆଉ ଶ୍ୱେତସ୍ୱିନୀ ମନ୍ଦିରର ମୂର୍ତ୍ତି ।

 

ଚିତ୍କାର କରି, କାନ୍ଦି ଲାଭ ବା କଣ ଅଛି ? ଅନେକ ସହୃଦୟ ବନ୍ଧୁ ତଥା ସମ୍ପର୍କୀୟ ବ୍ୟକ୍ତିମାନେ ମଧ୍ୟସ୍ଥତା କରି ବାପାଙ୍କୁ ନିବୃତ୍ତାଇ ପାରିଲେ ନାହିଁ । ବ୍ୟର୍ଥ ହୋଇଗଲା ମା’ଙ୍କର ପୂଜା ନିବେଦନ । ଠାକୁର ଭାବି ଯାହାଙ୍କୁ ସେ ସପ୍ତପଦୀର ସ୍ୱୀକାରରେ ଅନ୍ତରର ସମସ୍ତ ନିର୍ଯ୍ୟାସ ଦାନ କରି ଦେଇଥିଲେ ନିଶି ନିଶି ଧରି, ଦିନ ଆସିଲା ସେ ଆପେ ଆପେ ଅପଦେବତା ପାଲଟିଗଲେ ।

 

ଘରର ପୁଜା ଫୁଲରେ ଆଉ ଦରକାର ହେଲା ନାହିଁ । ଶ୍ୱେତସ୍ୱିନୀ ସବୁ ଦେଉଥିଲା । ହାତ ଟାଣି ତା’ କୋମଳ ବାହୁ ଫାଶରେ ମନକୁ ଅଟକାଇ ପାରୁଥିଲେ ଯେତେବେଳେ ସେଇ କଣ ଯଥେଷ୍ଟ ନୁହେଁ ?

 

ତଥାପି ମନ ରଖିବା ପାଇଁ ଅନେକ ଦିନ ବ୍ୟବଧାନରେ କେବେ କେବେ ସେ ଦେହକୁ ମିଳାଇ ଦେଉଥିଲେ ମାଙ୍କଠାରେ । ତା’ ନ ହେଲେ ମାଙ୍କଠାରୁ ଅଳଙ୍କାର ପତ୍ର ତାଙ୍କ ହାତକୁ ଖସିବ କେମିତି ?

 

ପତ୍ନୀ ପାଖରେ ଏତେ କପଟତା ! ଇସ୍‌ ।

 

କଥାରେ ପ୍ରତିବାଦ କରିବାର ଶକ୍ତି ସାହସ କ୍ଷୁର୍ଣ୍ଣ ହୋଇଥିଲେ ମଧ୍ୟ ମା ତାହା ଅନୁଭବ କରୁଥିଲେ । ହୁଏତ ତାଙ୍କ ନିଷ୍ପେଷିତ ମନ ତଳେ ମାଆ ଅନେକଥର ଚାହିଁଛନ୍ତି ଜୀବନକୁ ନିଃଶେଷ କରିଦେବା ପାଇଁ । କିନ୍ତୁ ହୋଇ ପାରି ନାହିଁ ।

 

ଆଖି ଆଗରେ ତାଙ୍କର ସନ୍ତାନ ।

 

ସୁବୋଧ ଓ ତା’ ଭଉଣୀକୁ ଦୁନିଆର କେଉଁ କୋଣରେ ପ୍ରତ୍ୟାଖ୍ୟାନକରି ସେ ମାଟିର ମରଣକୁ ଗ୍ରହଣ କରି ଥାଆନ୍ତେ ? ହେଲେ ସେ ଯେ ମା । ନାରୀ ମା ହେଲେ ସନ୍ତାନ ପାଇଁ ତା କର୍ତ୍ତବ୍ୟ ବୁଝେ ।

 

ତେଣୁ ସେ ଏଇଟା ନୃଶଂସ ହୋଇପାରିଲେ ନାହିଁ । ଅନ୍ତରରେ ତାଙ୍କର ଆଉ ଏକ ଗର୍ଭ-। ମନକୁ ବଞ୍ଚିବାର ମୋହ ଛାଡ଼ି ପାରୁ ନ ଥାଏ । ଅପଦେବତା ପିତାଙ୍କ ବ୍ୟତୀତ ସେ କଣ ଦୁନିଆରେ ଜନନୀ ଭାବେ ତିଷ୍ଠି ପାରିବେ ନାହିଁ ?

 

ଏଇଆ ସମାଜ ସମାଲୋଚନା କରୁଥିଲା । ଅପସ୍ୱାମୀକୁ ପାଖରେ ରଖି ସ୍ତ୍ରୀ କେମିତି ଦାନ୍ତ କାମୁଡ଼ି ପଡ଼ିଚି ମ !

 

ମା ବୁଝୁଥିଲେ, ଅଥଚ କିଛି କହୁ ନଥିଲେ । ବାପା ଯାହା କରୁଛନ୍ତି ସେଥିକି ଆଖି ବୁଜିଦେଲେ ଚଳିବ । ଆସନ୍ନପ୍ରସବା ମାଙ୍କର ଅବସ୍ଥାକୁ ଚାହିଁ ମାମୁଁ ଘର ଅନେକଥର ଆସି ଜୁଲମ କରିଥିଲେ ଯେ ତାଙ୍କୁ ନେଇଯିବା ପାଇଁ କିନ୍ତୁ ବାପା ଦୃଢ଼ଚିତ୍ତରେ ସେଇ ପ୍ରସ୍ତାବକୁ ପ୍ରତିରୋଧ କରିଥିଲେ । ଉଦ୍ଦେଶ୍ୟ ଯେ ମାଙ୍କ ଅନୁପସ୍ଥିତିରେ ସେ ଟଙ୍କା ପଇସା ଓ ଅଳଙ୍କାର ନେଇ ଶ୍ୱେତସ୍ୱିନୀ ପଛରେ ଖର୍ଚ୍ଚ କରିବେ ।

 

ହୀନିମାନୀ ମାଙ୍କର ଭାଗ୍ୟ ଦିନକୁ ଦିନ ଖରାପ ଆଡ଼କୁ ଗତି କଲା । ହାତରେ ପଇସା ନାହିଁ, ଦେହରେ ଅଳଙ୍କାର ନାହିଁ । ସମ୍ମୁଖରେ ଦୁଇ ଦୁଇଟା ସନ୍ତାନ । ନିଜ ଦେହରେ ମଧ୍ୟ ଆଗାମୀ କାଲିର ସନ୍ତାନ । ଏ ସମସ୍ତ ବୋଝକୁ କେଉଁ ଉପାୟରେ ସେ ସୁରୁଖୁରୁରେ ମେଣ୍ଟାଇ ପାରିବେ ?

 

ଅଦିନରେ ଝରି ଆସୁଥିବା ମନର ବସନ୍ତକୁ ସେ ଆଉ କୌଣସି ବାଟରେ ପଲ୍ଳବିତ କରିବାର ଆଶା ଦେଖି ପାରିଲେ ନାହିଁ । ନିଜେ ଆହାର ନ ପାଆନ୍ତୁ ପଛେ ଅନ୍ୟମାନଙ୍କୁ ଆହାର ଯୋଗାଇବାକୁ ପଡ଼ିବ ।

 

ଝିଅ, ପୁଅ ସମସ୍ତେ ହାତ ପାତିଲେ । କ୍ଷୁଧାରେ ସେମାନଙ୍କ ପ୍ରାଣ ଫାଟି ପଡ଼ୁଛି । ସାଇ ପଡ଼ୋଶୀ ବା ଦୁଃଖ ଦୁର୍ଦ୍ଦଶା ଦେଖି କେତେ ସାହା ହେବେ ! ପରିସ୍ଥିତିର ବାଧ୍ୟରେ ପଡ଼ି ସେ ବାପାଙ୍କ ଅଲକ୍ଷ୍ୟରେ ଯାଇ ପର ଦୁଆରେ କାମଧନ୍ଦା କଲେ ଓ ସେଥିରୁ ଯେତେ ଆୟ ହେଲା ସେଥିରେ ସମସ୍ତେ ଚଳିଲେ । ବାପାଙ୍କର ବ୍ୟକ୍ତିତ୍ୱ ଉପରେ ଦୃଢ଼ ଆସ୍ଥା ପୋଷଣ କରିଥିବା ଲୋକେ ମାଙ୍କ ଜୀବନର ଗତି ଦେଖି ଆହା କରିବାକୁ ଲାଗିଲେ । ମଣିଷ ଜନମ ପାଇ ସମସ୍ତଙ୍କର ଦିନ ତ ସମାନ ଯାଏ ନାହିଁ । ବାପା ଏବେ ମଦ ଖାଇ, ବାର ନାରୀ ସହ ବିଳାସ କରି କେତେଦିନ ଅଫିସରେ ଦୁଇ ଘଣ୍ଟା ମାତ୍ର ଖଟି ଟଙ୍କା ରୋଜଗାର କରିଥାନ୍ତେ ? ଏତେ ଠକାମି, ଏତେ ଅନ୍ୟାୟ ଭଗବାନ ସହିଲେ ହେଲା ।

 

ଏଣେ ତାଙ୍କ ଦେହ ଦିନୁଦିନ କ୍ଷୀଣରୁ କ୍ଷୀଣତର ହୋଇ ଆସୁଥିଲା । ଚାଳିଶ ବର୍ଷର ପୁରୁଷକୁ ଯିଏ ଦେଖିଲା ତା’ ମନରେ ଦୁଃଖ ଲାଗିଲା । ଚାକିରିରେ ପୁଣି ଟଳମଳ ଅବସ୍ଥା । କାଲି ଯେଉଁମାନେ ତାଙ୍କର ମିତ୍ର ଥିଲେ, ପରେ ସେମାନେ ଶତ୍ରୁ ହୋଇ ବସିଲେ । ମଣିଷ ମନ ସ୍ୱାର୍ଥପର ନା, ସେଥିଲାଗି କାଳେ ସେମାନେ ଚକ୍ରାନ୍ତ କରି ବାପାଙ୍କ ସ୍ଥାନ ଅଧିକାର କରି ପାରନ୍ତି, ତାହାହିଁ ଥିଲା ବଡ଼ ଆଶା ଆଉ ସୁଯୋଗ । ମହୁମାଛି ମହୁଫେଣାରୁ ମଧୁ ଆହରଣ କରିସାରିଲା ପରେ ଖାଲି ଫେଣାଟିକୁ ଶୁଖେଇ ଦେଇ ଯେମିତି ଉଡ଼ିଯିବାକୁ ବସେ, ସେମିତି ଶ୍ୱେତସ୍ୱିନୀ ବାପାଙ୍କର ଆସନ୍ନ ପତନର ଅନ୍ଧକାରକୁ ନିରୀକ୍ଷଣ କରି ଦୂରେଇ ଯିବାକୁ ବସିଲା । ସେ ଆଉ କ୍ଷୀଣକାୟ ବାପାଙ୍କୁ ପାଇ ତୃପ୍ତି ହେଲା ନାହିଁ । ତାର ଦରକାର ନୂଆ ନୂଆ ପୁରୁଷ । ତଟକା ତଟକା ଯୁଆନ୍‌ । କଅଁଳ ଶରୀର ଆଉ ଛନ୍‌ଛନ୍‌ ଯୌବନ । ଆଁ କରି ସେମାନଙ୍କୁ ଗିଳି ପକେଇଲେ ସେ ବେଶୀ ତୃପ୍ତ ପାଇବ । ତେଣୁ ବାପାଙ୍କୁ ମୁହେଁ ମୁହେଁ ଦୂର ଦୂର କରିବାକୁ ଲାଗିଲା । ଏତେ ବଡ଼ ଜଣାଶୁଣା ବ୍ୟକ୍ତି କାଳେ ସଚେତନ ହୋଇ ତାର ଉଦ୍ଦେଶ୍ୟ ଜାଣି ପାରିବେ, ସେଇ ହେତୁ ତାଙ୍କୁ ଭଲେଇ ରସେଇ ଉପଦେଶ ଦେବାକୁ ଲାଗିଲା ।

 

ପୁରୁଷ ଶକ୍ତିମାନ୍‌ । ନାରୀ ଦୁର୍ବଳା । କିନ୍ତୁ ନାରୀ ମୁହଁର ଭାଷା ନିକଟରେ ଏପରି କୌଣସି ପୁରୁଷ ନାହିଁ ଯେ କି ଅଳ୍ପ ବହୁତେ ଭାଙ୍ଗି ନ ପଡ଼ିଛି । ନାରୀର ଆବେଦନକୁ ସେ ଯେତେବେଳେ ବ୍ୟର୍ଥ କରି ନାହିଁ, ତାର ନିବେଦନକୁ ସେ ନିଷ୍ଫଳ କରିଦେବ କେଉଁ ମନରେ ?

 

ଶ୍ୱେତସ୍ୱିନୀ ହୃଦୟରେ ଛଳନା ରଖି ମୁହଁରେ ବାପାଙ୍କର ସ୍ତୁତିଗାନ କରୁଥିଲା । ତାଙ୍କ ପୁରୁଷକାରକୁ ନୈବ୍ୟର୍କ୍ତିକ ପରିମାତ୍ମାଙ୍କର ସମକକ୍ଷ କରି ଧର୍ମପତ୍ନୀ ନିକଟରେ ତାର ମୂଲ୍ୟ ଯେ କେଡ଼େ ମହାନ୍‌, ତାହା ସେ ଦର୍ଶାଇଥିଲା । ଘରେ ଛୁଆ ପିଲା, ତେଣୁ ଫେରି ଯାଇଁ ସେମାନଙ୍କର ଯତ୍ନ ନେବାକୁ ସେ ଅନୁରୋଧ କରିଥିଲା ।

 

ତା ଛଡ଼ା ଅନ୍ୟ ଉପାୟ ନଥିଲା । ଶ୍ୱେତସ୍ୱିନୀର ସ୍ୱାର୍ଥ ନିଷ୍ଫଳ ହୋଇ ଯାଉଥିଲା । ପୌଢପୁରୁଷ ସାଙ୍ଗରେ ମିଥୁନ ବିଳାସ କରି ତା’ କ୍ରନ୍ଦସୀ ଯୌବନ ବୃଥା ବନରେ ମଲ୍ଳୀ ସମ ଝରି ଯାଉଥିଲା । ଆଉ ବାନ୍ଧି ହୋଇ ପାରିଲା ନାହିଁ ସେ । ସ୍ୱାର୍ଥ ଲାଗି ମୁହଁରେ ଅନୁତାପର ଭଙ୍ଗୀ କରିବା ସଙ୍ଗେ ସଙ୍ଗେ ଦୁଇଟି ପ୍ରତିଜ୍ଞା ମଧ୍ୟ ସେ କରି ପକେଇଲା । ପ୍ରଥମେ ହେଉଛି ବାପା ଫେରି ନ ଗଲେ ସେ ଆତ୍ମହତ୍ୟା କରିଦେବ । ଦ୍ୱିତୀୟ ହେଉଛି ବାପାଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ନିଜ କୁତ୍ସିତ ବୃତ୍ତି ପରିତ୍ୟାଗ କରିବ । କାରଣ ବାପାଙ୍କର ପ୍ରେମକୁ ଆଦର୍ଶ ବୋଲି ପ୍ରଚାର କରିବା ଥିଲା ତାର ମତ ।

 

ଫଳରେ ବାପା ରାଜି ହୋଇ ଯାଇଥିଲେ । ଶ୍ୱେତସ୍ୱିନୀର ମନ ରକ୍ଷା କରିବାକୁ ସେ ଯେତେବେଳେ ବର୍ଷ ବର୍ଷ ଧରି ନିଜ ଜୀବନକୁ ବରବାଦ୍‌କରି ଆସିଛନ୍ତି, କିଛିଦିନ ଦୂରେଇ ରହି ପୁଣି ସେ ଯଦି ଫେରି ଆସିବେ, ତାହେଲେ ସେ ବୋଧହୁଏ ଅମଙ୍ଗ ହେବ ନାହିଁ । ମନେ ମନେ ସେଇ ଆଶ୍ୱସନା କରି ବାପା ଘରେ ରହିଲେ । ପ୍ରଥମେ ଶ୍ୱେତସ୍ୱିନୀର ବିଚ୍ଛିନ୍ନତା ଅବଶ୍ୟ ତାଙ୍କ ମନ ପ୍ରାଣକୁ ଦିନ ରାତି ଦଗ୍‌ଧୀଭୂତ କରିଥିଲା । କିନ୍ତୁ ପରେ ପରେ ସେ ମାଙ୍କର ଓ ପିଲାମାନଙ୍କର ନିର୍ଯ୍ୟାତିତ ଅବସ୍ଥା ବିଲୋକନ କରି ମ୍ରିୟମାଣ ହୋଇ ପଡ଼ିଥିଲେ । ସେତେବେଳକୁ ସନ୍ତାନ ହୋଇ ସାରିଲେଣି ଚାରି । ଆଉ ବୟସ ହେଲାଣି ପାଖାପାଖି ପଚାଶ । ତଥାକଥିତ କାଳ୍ପନିକ ମାଲୁଣୀ ରାଜକୁମରକୁ କଳା ଫୁଲ, ଧଳା ଫୁଲ ଶୁଙ୍ଘାଇ କକ୍ଷ ଅନ୍ତରାଳରେ କାବୁ କରି ରଖିଲା ସମ, ଅନ୍ଧ ଗଳିର ସେଇ କୁତ୍ସିତା ଶ୍ୱେତସ୍ୱିନୀ ବାପାଙ୍କୁ ଗୋଟିଏ ଯୁଗ ବାନ୍ଧି ରଖି ଦେଇଥିଲା । ମୁକୁଳି ଆସିବାର ପଥ କେହି ଖୋଜି ପାଉ ନଥିଲେ । କିନ୍ତୁ ସେ ଆପେ ଯେତେବେଳେ ତାଙ୍କ ସଂସାର ମଧ୍ୟକୁ ଫେରି ଆସନ୍ତି, ସେତେବେଳେ ଯେ ତାଙ୍କ ସ୍ଥିତି ଏତେଦୂର ବିଦଗ୍‌ଧ ହୋଇ ପଡ଼ିଥିବ, ତାହା ସେ ଦେଖି ସୁଦ୍ଧା ବିଶ୍ୱାସ କରିପାରିଲେ ନାହିଁ ।

 

ତାଙ୍କ ଶୟନ କକ୍ଷରେ ହୁସ୍କି, ରମ୍ ଆଉ ବିଅର୍‌ ବୋତଲର ସଭା । ସେଇ ଘରର କାନ୍ଥ ତଥା ଝରକା ଦେହରେ ଅଳନ୍ଧୁମାନ ଜମାଟ ବାନ୍ଧିଛି । କିଏ ଯିବ ସଫା କରିବାକୁ ? ସଫା କରିବା ଉଦ୍ଦେଶ୍ୟ ନେଇ ମା ଝାଡ଼ୁ ଧରି ଭିତରକୁ ପ୍ରବେଶ କଲେ, ବାପା ତାହା ଖରାପ ମନେ କରି ଓଲଟି ସେଇ ଝାଡ଼ୁରେ ମାଙ୍କ ଉପରେ ପ୍ରହାର ବସେଇ ଦେଇଯିବେ । ସବୁବେଳେ ମଦ ନିଶାରେ ଭୋଳ-। ସଚେତନ ଅବସ୍ଥା ଆସୁଥିଲା କେଉଁଠୁ ଯେ ଅବସ୍ଥା ବୁଝି ପାରିଥାନ୍ତେ । ଏମିତି ଅଜବ ଘଟଣା ଘଟିଛି, ଏଇ ଯେଉଁ ନିକଟବର୍ତ୍ତୀ ସେଲୁନର ବାରିକ, ସେ ଯେବେ ବାବାଙ୍କ ନିଶକୁ ତାଙ୍କ ମନ ମୁତାବକ ପାଲିସ ନ କରି କାଟିଛି, ତେବେ ତା’ ଗାଲରେ ମଧ୍ୟ ବ୍ରହ୍ମ ଚାପୁଡ଼ା ବସି ଯାଇଛି । ବାବାଙ୍କ ଜୀବନ ଚିରତର ଅସଂଯମ ସମୁଦ୍ର କୂଳରେ ଯେତେ ଯେତେ ଢେଉ ଆସି ମଥା ପିଟିଛି, ତାର ଆରକ୍ତ ପ୍ରତିଧ୍ୱନି ଏବେ ଯଦି ମାଙ୍କ କର୍ଣ୍ଣକୁହରରେ ଆସି ବାଜିଯାଏ, ତେବେ ମା ଚେତନା ହରାଇ ମୂର୍ଚ୍ଛା ଚାଲି ଯାଆନ୍ତି ।

 

ବାବାଙ୍କ ଜୀବନର ମତୁଆଲା ମହୋତ୍ସବ କ୍ରମେ ଶେଷ ହୋଇ ଆସିଲା । ଶ୍ୱେତସ୍ୱିନୀ ଜୀବନର ଆସରରୁ ଅପସରି ଆସି ସେ ତାଙ୍କ ଭଗ୍ନ ଘର ସଂସାରକୁ ଦୃଷ୍ଟିପାତ କରି କାନ୍ଦି ପକାଇଥିଲେ । ସଂସାରରେ ତାଙ୍କର ଚାରୋଟି ସନ୍ତାନ । ବଡ଼ ବିବାହ ଅବସ୍ଥା ପ୍ରାପ୍ତ ହୋଇ ସାରିଥିଲା । ତା ଛଡ଼ା ଅନ୍ୟ ପିଲାଏ ଶିକ୍ଷା ପାଇବେ, ଖାଇ ପିଇ ବଞ୍ଚିବେ । ସେ ସବୁ କେମିତି ହେବ ?

 

ବଡ଼ ଝିଅକୁ ଚାହିଁ ମୁଖମୁଣ୍ଡଳ ଜଳି ଉଠିଲା ବାପାଙ୍କର । ଝିଅ ବିବାହ କରିବ, ଅଥଚ ସେ ବାହାରର କୁତ୍ସିତା ନାରୀ ସହିତ ପ୍ରେମ କରୁଛନ୍ତି ?

 

କ୍ଷତିଗ୍ରସ୍ତ ତାଙ୍କ ଜୀବନର ମୂଲ୍ୟ ଉପରେ ଅନୁଶୋଚନା କରି ବସିଲା ବେଳେ ଆଖିରେ ଲୁହ ଜକେଇ ଆସୁଥିଲା । ଅଫିସରେ ଚାକିରୀ କେଉଁଦିନୁ ଯାଇ ସାରିଥାନ୍ତା ! କେବଳ ଅଫିସର ତାଙ୍କୁ ଦୟା ଦେଖାଇ ଆସିଛନ୍ତି ବୋଲି ତାହା ବାଡ଼ି ଆଗରେ ସଳତା ଖିଅ ଝୁଲିଲା ପରି ଝୁଲି ରହିଲା । ଛୁଟି ନେଇ କେତେଦିନ ଅବା ସ୍ୱାସ୍ଥ୍ୟ ଆଳରେ ସେ ଆଉ ରହି ପାରିଥାନ୍ତେ ?

 

ଲୋକେ ବାପାଙ୍କ ଆକୁଳ ଅନୁତାପ ପ୍ରତି ସହାନୁଭୂତି ଦେଖାଇ ସାନ୍ତ୍ୱନା ଦେବାକୁ ଲାଗିଲେ । ହେଲେ ମରୁଭୂମିରେ ଥଣ୍ଡା ପାଣି ଢାଳିଲେ ଲାଭ କଣ ? ବାବା ଅନୁତାପ କଲାବେଳକୁ ଆଉ ବେଳ ନଥିଲା । ଦେହ ଭିତରେ ସେତେବେଳକୁ ଯୌନରୋଗ ଆକ୍ରମଣ କରି ସାରିଥିଲା । ମୁଣ୍ଡ ବୁଲେଇବା, ଦେହ ହାତ ପୋଡ଼ାଜଳା କରିବା, ଖାଇବା ପିଇବାରେ ଅରୁଚି ଆସିବା ସ୍ଥଳେ ମଦର ଇଶାରା ତାଙ୍କୁ ଟିକେ ଟିକେ ଠାରୁଥିଲା । କିନ୍ତୁ ଦେହର ଅବସ୍ଥା ଦୃଷ୍ଟେ ତାହା ଛୁଇଁବା ନିଷେଧ । ମାଙ୍କର ପ୍ରଚେଷ୍ଟା ସେଥିପାଇଁ ପ୍ରଶଂସନୀୟ । ରାତିସାରା ଅନିଦ୍ରା ରହି ମଧ୍ୟ ସେ ତାଙ୍କର ସେବା କରିବାରେ ତ୍ରୁଟି କରିନଥିଲେ । ହେଲେ ଯେ ବଞ୍ଚି ପାରିଲେ ନାହିଁ । ଅକାଳରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

 

କାହାଣୀ ଶୁଣିଲା ପରି ଲାଗୁଥିଲା ।

 

କାଳ୍ପନିକ ନୁହେଁ, ନିଚ୍ଛକ ସତ୍ୟ ।

 

ଅରଣ୍ୟ ରୋଦନ କରି ତାଙ୍କ ଜୀବନ ଯାଇଛି । ବାପ ମାଙ୍କର ବ୍ୟର୍ଥ୍ୟ ବାୟାଦ ରୂପେ ସେ ଯେ କାହିଁକି ତାଙ୍କର ସନ୍ତାନ ହୋଇ ଜନ୍ମ ଗ୍ରହଣ କରିଥିଲେ, ତାର ଉତ୍ତର ଏଇ ଅନ୍ଧ ଗଳିର ମଣିଷମାନେ ଦେଇପାରିବେ ନାହିଁ । କାରଣ ସେମାନେ ତୃଷାର୍ତ୍ତ । ସେମାନଙ୍କର ତୃଷ୍ଣା ଦରକାର । ତନ୍ଦ୍ରାକୁ ଖେଳାଉ ଖେଳାଉ ସେମାନେ ଯେବେ ଜୀବନର ଜାଗରଣ ଅନୁଭବ କରି ପାରିଲେ, ତେବେ ଈଶ୍ୱରଙ୍କ ନିକଟରେ ନୀରବ ପ୍ରାର୍ଥନା କରି ସେମାନେ କଣ କହୁ ନଥିବେ, ହେ ଦୟାମୟ ମୁକ୍ତିର ଦେବତା,. ବଞ୍ଚିବା ପାଇଁ ଆମେ ଯେଉଁ ସବୁ ପାପ କରିଯାଉଛୁ, ମରଣରେ ସେସବୁକୁ ପ୍ରକ୍ଷାଳନ କରିଦିଅ । ଆପଣଙ୍କ ପୁଣ୍ୟ ପୟରୁ ଝରି ପଡ଼ୁଥିବା ପାଣିରେ ତାହା ଧୋଇ ଦେବାକୁ ଆପଣ କୁଣ୍ଠିତ କାହିଁକି ହେବେ ?

 

ଆଶ୍ୱସନାରେ ସେମାନେ ବଞ୍ଚିଛନ୍ତି ।

 

ତେଣୁ ସେମାନଙ୍କର ଅତୀତ ଦରକାର ନାହିଁ ।

 

ଶ୍ୱେତସ୍ୱିନୀ ଯେଉଁ ପାପ କରିଗଲା ତାର ମୁକ୍ତି ଅଛି କି ନା ସେ କହିପାରିବ । କାରଣ ବଞ୍ଚିବାର ମାନଦଣ୍ଡ ଉପରେ ସେ ଅଟଳ ।

 

ବାପା ମରିଗଲା ପରେ ପରେ ଦିଦିର ଆହ୍ୱାନରେ ସମସ୍ତେ ଏକୁଜୁଟ ହୋଇଥିଲେ ସେହି ଅନ୍ଧ ଗଳି ବସ୍ତିଟାର ମୂଳୋତ୍ପାଟନ କରିଦେବାକୁ । କିନ୍ତୁ ଏତେ ଗୁଡ଼ାଏ ଜୀବନ ନାରଖାର ହୋଇଯିବା ଆଶାରେ କେହି ସେମାନଙ୍କର କିଛି କ୍ଷତି କଲେ ନାହିଁ । ଚିରଦିନ ଲାଗି ଧମକ ଦିଆଗଲା ଆଉ ପ୍ରତିଶୋଧ ସ୍ୱରୂପ ଶ୍ୱେତସ୍ୱିନୀକୁ ସେଇ ବସ୍ତିରୁ ବିତାଡ଼ିତ କରାଗଲା ।

 

ପିତାଙ୍କ କଳଙ୍କର ଅବଲୁପ୍ତ ଭୂମିକା ଉପରେ ଏଇ ସଂସାର । ଏତେ ବଡ଼ କାହାଣୀ କହିଲାବେଳେ ସୁବୋଧ ଯେ ଧୈର୍ଯ୍ୟହରା ହୋଇନଥିଲା, ତାହା ଦେଖି କାମଦେବ ବିସ୍ମିତ ହୋଇଯାଇଥିଲା । ବାବା ମରିଗଲେ, ଅଥଚ ଦିଦିକୁ ବିଭା ଦେଇ ପାରିଲେ ନାହିଁ । ପିଲାମାନଙ୍କର ଉନ୍ନତି କାମନା କରି ସୁଦ୍ଧା ସେ ତାହା ଦେଖିବାକୁ ରହିଲେ ନାହିଁ ।

 

ଭାଗ୍ୟର ବିଡ଼ମ୍ବନା ନେଇ ମା ସନ୍ତାନମାନଙ୍କର ଦାୟିତ୍ୱ ବହନ କଲେ । ଦିଦିକୁ ବିବାହ ଦେବା ଲାଗି ତାଙ୍କର ଝୁଙ୍କ୍‌ଉଠିଲା । ବୟସ କିଛି ଅପେକ୍ଷା କରୁନି । ଦିନ ବେଶୀ ଗଡ଼ିଗଲେ ଝିଅ ବାଚ୍ଛନ୍ଦ ପଡ଼ିଯିବ, ସେଇ ଆଶାରେ ସେ ପାତ୍ରଟିଏ ଯୋଗାଡ଼ରେ ରହିଲେ । ହେଲେ ଦିଦିର ଏକାନ୍ତ ଇଚ୍ଛା ଯେ ସେ ବିବାହ କରିବ ନାହିଁ ।

 

ସେ ଚାକିରୀ କରିବ । ଅର୍ଥ ଉପାର୍ଜ୍ଜନ କରି ଛୋଟ ଭାଇ ଓ ଭଉଣୀମାନଙ୍କୁ ମଣିଷ କରିବ । ଦେହରେ ତାର ଶିକ୍ଷା ଅଛି, ମାଟ୍ରିକ୍‌ ପାସ୍‌କରିଛି ଯେତେବେଳେ ତାକୁ କଣ ଚାକିରୀ ଖଣ୍ଡେ ମିଳିବ ନାହିଁ ।

 

ମା ବୁଝେଇ ଥକି ଗଲେ ସୁଦ୍ଧା ଦିଦି ତା’ ନିଷ୍ପତ୍ତିରୁ ତିଳେ ହେଲେ ଘୁଞ୍ଚିଲା ନାହିଁ । ଚାକିରୀ ଅନ୍ୱେଷଣରେ ସେ ଧାଇଁଲା ସରକାରୀ ବା ବେସରକାରୀ ଯେ କୌଣସି ଚାକିରୀଟିଏ ତାର ଦରକାର ।

 

ସରକାର ଘରେ ଦିଦି ଇଣ୍ଟରଭ୍ୟୁ ଦେଲା ।

 

ସେତେବେଳେ ମାଟ୍ରିକ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ଚାକିରୀ ମିଳୁଥିଲା । ସହଜେ ତ ଦିଦି ହେଉଛି ଜାତିର ଝିଅ । ସେହି ସମୟରେ ଖୁବ୍‌କ୍ୱଚିତ୍‌ ଝିଅ ଚାକିରୀ କ୍ଷେତ୍ରରେ ପ୍ରବେଶ କରୁଥିଲେ । ତେଣୁ ଇଣ୍ଟରଭ୍ୟୁରେ ଦିଦିର ପାସ୍‌ ହେବାକ୍ଷଣି ସେ ଚାକିରୀରେ ନିଯୁକ୍ତି ପତ୍ର ପାଇଲା ।

 

ବାପାଙ୍କ ଅନ୍ତେ ଦିଦି ଏବେ ଚାକିରୀ କରୁଛି । ସେଥିଲାଗି ଛୋଟ ଭାଇ ଭଉଣୀଏ ଖୁସି ହେବା କଥା । କାରଣ ସେମାନଙ୍କ ଦୁର୍ଦ୍ଦିନ ଅପସରି ଯିବ । କିନ୍ତ ଖୁସି ହୋଇପାରିଲେ ନାହିଁ ମା । ଝିଅ ଚାକିରୀକୁ ଯାଉଛି ବୋଲି ତାଙ୍କୁ ବଡ଼ ଲଜ୍ଜା ଲାଗିଲା । ସେ ମଧ୍ୟ ଭବିଷ୍ୟତରେ ଝିଅର ଚଲାପଥରେ ଅନିଷ୍ଟ ଘଟିବ ବୋଲି ମନେ ମନେ ଆଶଙ୍କା କରୁଥିଲେ ।

 

ମାଙ୍କ ବୋହୂଦିନ କଥା ମା କହୁଥିଲେ ।

 

ଝିଅ, ବୋହୂଏ ଏରୁଣ୍ଡି ବନ୍ଧ ଡେଇଁ ବାହାରକୁ ଟିକେ ପାଦ କାଢ଼ିଲେ ଲୋକେ କହନ୍ତି ଯା, ଯା ଚରିତ୍ର ତ ହରେଇ ବସିଲା, ଆଉ ହବ କଣ ! ପର ପୁରୁଷ ମୁହଁ ଚାହିଁଲା ?

 

ପର ପୁରୁଷ କିମ୍ବା ଟୋକା ଟାକଳିଆମାନେ ଝିଅ ବୋହୂଙ୍କ ଆଗରେ ସେତେବେଳେ ଅପମାନ ଭକ୍ତି ଦେଖାଯାଉଥାନ୍ତି । ତାଙ୍କୁ ଚାହିଁଦେଲେ କୁଆଡ଼େ ସବୁଯାକ ପାତକ ଆସି ଦେହରେ ଲାଗିଯାଏ ।

 

ଏବେ ଅବଶ୍ୟ ସେ ସବୁ କଟକଣା ମନରେ ନାହିଁ । ଝିଅବୋହୂମାନେ ବିନା ବାଧାବିଘ୍ନରେ ସବୁ ପୁରୁଷମାନଙ୍କ ସହିତ ମିଳି ପାରୁଛନ୍ତି । ବିହାର କରି ପାରୁଛନ୍ତି । ହସି ହସି ହାତ ଧରାଧରି ହୋଇ କ୍ଳବ, ବାରରେ ବଲ ଡ୍ୟାନ୍‌ସ୍ ଦେଉଛନ୍ତି । ପୁରୁଷ ନଥିଲେ ଯେମିତି ସବୁ ଅସାର-

 

ହାଣ୍ଡିଶାଳ କଥା ପଚାରେ କିଏ ?

 

ଓହୋ, ଷାଠିଏ ହାତ ଓଢ଼ଣା ଦେଇ, ନଇଁ ନଇଁକା ଚାଲି ଆଗକାଳ ବୋହୂମାନେ କି କଷ୍ଟ ପାଉନଥିଲେ ! ସିଝି ସିଝି ଏକଦମ୍‌ ଅଣନିଶ୍ୱାସୀ ହୋଇ ଯାଉନଥିଲେ ଆଉ କଣ ?

 

ଦେହରେ ମାଳେ ଲେଖାଁ ମୋଟା କସ୍ତା ଗୁଡ଼େଇ ନ ହେଲେ ହେବ ନାହିଁ । କାହିଁକି ନା ଦେହରୁ ଟିକେ ଦେଖାଗଲେ କାଳେ କିଏ ନଜର ପକେଇ ଦେବ ? କିନ୍ତୁ ଆଜିକାଲି ଏ ଝିଅ, ବୋହୁମାନେ ଭାବୁଛନ୍ତି, ଟେରୀଲିନ୍‌, ଟେରୀକଟ୍‌ ଶାଢ଼ୀ ନ ପିନ୍ଧିଲେ ଦେହକୁ ମୋଟେ ମୁଲାମ୍‌ ଲାଗିବ ନାହିଁ । ସେଥିରେ ପୁଣି ସ୍ଳିଭଲେସ ବ୍ଳାଉଜ୍‌ । କାଖ ସନ୍ଧିରେ ଯୌବନ କି ଅସୀମ ସନ୍ଦେଶ ଆଣି ଦେହ ଭିତରେ ପହଞ୍ଚାଇ ଦେଇ ପାରୁଛି ?

 

ଏମିତି ପରିବର୍ତ୍ତନ ଆସି ନଥିଲେ ସେ ଅନ୍ଧ ବିଶ୍ୱାସର ଯୁଗର ଅବସାନ ଘଟିଥାନ୍ତା କେମିତି ? ଆଗକାଳ ମଣିଷଗୁଡ଼ା କିଛି ନୁହନ୍ତି । ଖାଲି ଅନ୍ଧ ଭଳି ସବୁ ଗ୍ରହଣ କରି ନେଉଥିଲେ ।

 

ଝିଅ ବୋହୂଙ୍କୁ ପାଦକୁ ବାହାର କରିବା ପାପ ବୋଲି ଭାବୁଥିଲେ ।

 

ପୁରୁଷଙ୍କ ଛାଇ ପଡ଼ିଲେ ପୁଣି ନାରୀ ଦେହ ଅପବିତ୍ର ହୋଇଯିବ । ଘର କୋଣରେ ଲୁଚି ରହିଲେ ଆଉ ମନରେ କିଛି ଅଭିସନ୍ଧି ରହିବ ନାହିଁ ।

 

ନାରୀ ପରା ମାଟିର ଦେବୀ । ଅସତୀ ହେଲେ ତା’ ହାତରୁ ଠାକୁର ଆଉ ପାଣି ଛୁଈଁବେ ଟି ?

 

ଏବେକାର ନାରୀମାନଙ୍କ ଗତି ଦେଖି ପୁରୁଣା କାଳର ବୁଢ଼ୀମାନେ ଜିଭ କାମୁଡ଼ି ପକଉଛନ୍ତି । ଛିଆ, ଛିଆ...ଇଏ କି କାଳ ହେଲା ଲୋ, ସବୁ ସାଇଲେ ଏ ଝିଅ, ବୋହୂମାନେ । ଯେଉଁ ଲୁଗାରେ ମାସିକିଆ ଅଶଉଚ ହେଲେ; ସେଇ ଲୁଗା ପିନ୍ଧି ପୁଣି ଠାକୁର ଦରଶନ କରୁଚନ୍ତି ! ଆଉ ହବ ନାଇଁ ।

 

କେମିତି ଧରମ ସହିବ ଏ କାଳକୁ । ଚାରିଆଡ଼େ ପାପ ସାଲୁ ସାଲୁ ହେଇ ମଣିଷଗୁରାଙ୍କୁ ଅଳାପ ଆଇଷିଆ କରି ପକେଇବ ଯେ !

 

ଠାକୁରେ ତୁମେ ଏକା ଜାଣ । ଯୋତା, ଚପଲ ମାଡ଼ି ତୁମକୁ ଦଣ୍ତବତ ହେଲେ, ତୁମେ କେମିତି ସେମାନଙ୍କୁ ଆଶୀର୍ବାଦ କରୁଛ କେଜାଣି । ଫଳ ମନାସିଲେ ଫଳ ଦେଉଛ ଟି ?

 

ଥକା ହେଇ ବୁଢ଼ୀଏ ମୁଣ୍ଡରେ ହାତ ଦେଉଛନ୍ତି । କାଳ ହେଇଛି ଯାହା, ମୁହଁ ଫିଟାଇ ପଦେ କହିଲେ ଚଢ଼ି ଆସିବେ ଆଜିକାଲିକା ଲୋକେ । କହିବେ ପୁରୁଣା କାଳିଆ କଥା, ଇସ୍‌, କି ଆସନା !

 

ତେଣୁ ପାଟି ବନ୍ଦ୍‌ହୋଇ ଯାଉଚି । ଯିଏ ଯାହା କରିବାର କରି ଯାଆନ୍ତୁ । ସେଥିକି ଫଳ ସେମାନେ ଭୋଗିବେ । ଆମ ଦିନ କାଳ ତ ଆସି ସଇଲା !

 

ଏତକ କେବଳ ଆଶ୍ୱାସନା । ମନ ବୁଝିବାକୁ ଦାନ୍ତ କାମୁଡ଼ି ପଡ଼ି ନ ରହିଲେ ହେବ ନାହିଁ-। ମା ଯେତେବେଳେ ସେଇ ଶ୍ରେଣୀର, ସେ ଆଉ ଦିଦିକୁ ବଢ଼ି କହିବେ କଣ ?

 

ଆଜିକାଲିକା ଝିଅ ଦିଦି । ଅବଶ୍ୟ ସ୍ୱଭାବ, ଚରିତ୍ରକୁ ତାର ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ତେବେ ସମୟର ଗତି ଯେଉଁଭଳି ଖରାପ ଆଡ଼କୁ ଯାଉଛି, ସେଇ ହେତୁ ମା’ଙ୍କ ମନରେ ନାନାଦି ଆଶଙ୍କା ଉପୁଜିବା ସମୀଚୀନା ।

 

ହେଲେ ଦିଦି ନିଜ ମନରେ ଦୃଢ଼ ବିଶ୍ୱାସ ପୋଷଣ କରି ଆଗକୁ ଆଗକୁ ମାଡ଼ି ଚାଲିଛି । ସେ ଝିଅ ହୋଇ ଅନେକ ପୁରୁଷଙ୍କ ମେଳରେ ଚାକିରୀ କରୁଥିଲାବେଳେ କେତେବେଳେ ମନରେ ଲାଜ ଆସିପାରେ । ମୁହଁ ଟେକି ସମ୍ମୁଖର ଯୁବକମାନଙ୍କୁ ଚାହିଁବାକୁ ସାହସ ହୁଏ ନାହିଁ । ତେବେ ସେ କେବେ ଦୁର୍ବଳ ହୋଇ ପଡ଼ିନାହିଁ, ଭାଙ୍ଗି ପଡ଼ି ନାହିଁ ।

 

ଚାକିରୀ କରୁଛି, ମନ ଭିତରେ ସ୍ନାୟବିକ ଆବର୍ଜନାକୁ ସ୍ଥାନ ଦେଲେ ପ୍ରଥମେ ସେ ଦୋଷୀ ହେବ । ସାଇ ପଡ଼ୋଶୀଏ ମାଙ୍କ ତରଫରୁ ଦିଦିକୁ ଚାକିରୀ ଜୀବନ ସମ୍ବନ୍ଧରେ ପ୍ରଶ୍ନ କଲାବେଳେ ସେ ଏଇ ଫାଙ୍କି ମାରୁଥିଲା ।

 

ପଇସା ଲାଗି ସିନା ଆଦର୍ଶକୁ ବଳି ଦିଆଯାଇ ପାରିବ ନାହିଁ, ହେଲେ ଦେହର ଆବିଳତାକୁ ସେଥିରେ ଯୋଡ଼ିବାକୁ କଳ୍ପନା କରିବା କି ଦରକାର ? ମନ୍ଦିରର ପୂଜାରୀ ସବୁଦିନେ ଈଶ୍ୱରଙ୍କୁ ପୂଜା କରି ମଧ୍ୟ ଆଶୀର୍ବାଦ ପାଏ ନାହିଁ. ଅଥଚ ଭକ୍ତି ଥରେ ମାତ୍ର ଭକ୍ତିର ବିନିମୟରେ ତାଙ୍କରି ଅମୃତ ଲାଭ କରେ ।

 

ମନର ତାରତମ୍ୟ ନେଇ ସବୁ । ଚରିତ୍ରକୁ ସନ୍ଦେହ କରାଗଲେ ତାହା ଅପବିତ୍ର ହୁଏ ନାହିଁ, ବରଂ ତାକୁ ଜାଣି ଶୁଣି କୁପଥରେ ନିଯୋଗ କରାଗଲେ ତାହା ପବିତ୍ରତା ହରାଇଥାଏ ।

 

ଦିଦି ମହାନ୍‌ ନୁହେଁ, ଆଦର୍ଶ ନୁହେଁ । କିନ୍ତୁ ସେ ପବିତ୍ର ବାସନାରେ ଅନୁରକ୍ତା । ତାକୁ କେହି ନଷ୍ଟ କରି ନାହାନ୍ତି କିମ୍ବା ସେଭଳି ଅପଚେଷ୍ଟା କରି ନାହାନ୍ତି । କିନ୍ତୁ ଦୁନିଆରେ ଖରାପ କାମ କରିବାକୁ ଯେତେ ଲୋକ ଆଗେଇ ଆସିବେ, ଭଲ କାମରେ ସେତେ ଯୋଗ ଦେବେ ନାହିଁ । ବେଳ ଆସିଲା, ଅଫିସର କେତେକ ଯୁବକ, ସେମାନଙ୍କର ନ୍ୟସ୍ତ ସ୍ୱାର୍ଥ ଉପରେ ଆଞ୍ଚ ଆସିବାରୁ ଦିଦି ବିରୁଦ୍ଧରେ ଅପପ୍ରଚାର ଚଳାଇଲେ । ଦିଦିକୁ ଅଫିସରଙ୍କ ସହିତ ଅଭିଯୁକ୍ତ କରି କୁତ୍ସାରଟନା ମଧ୍ୟ କଲେ । ଦିଦି ସେ ସବୁକୁ କର୍ଣ୍ଣପାତ ନ କରି ଅଫିସରେ ଦୃଢ଼ ମନୋବୃତ୍ତିରେ କାମ କରୁଥିଲେ-। ହେଲେ ଯେଉଁଦିନ ସେଇ ଅପପ୍ରଚାର ମା’ଙ୍କ କାନକୁ ପ୍ରବେଶ କଲା, ସେଦିନ ଅତି ମ୍ରିୟମାଣ ହୋଇ ପଡ଼ିଲା ଦିଦି ।

 

ମା କାନ୍ଦୁଥିଲେ ।

 

ଦିଦି ଦେଖିଲା ମା’ଙ୍କ ଆଖିରେ ଶ୍ରାବଣୀର ଧାରା ।

 

ବାପାଙ୍କ ମୃତ୍ୟୁ ପରେ ଏ ଥିଲା ମା’ଙ୍କର ଦ୍ୱିତୀୟ ରୋଦନ ।

 

ତାଙ୍କ ଜୀବନର ଉଜାଣି ଯମୁନା ଉପରେ ସନ୍ତାନମାନଙ୍କୁ ନେଇ ଯେଉଁ ଆଶାର ତରଙ୍ଗମାଳା ଚିକ୍‌ଚିକ୍‌ କରୁଥିଲା, ତାହା କଣ ଏମିତି ଉଭେଇ ଯିବ !

 

ନା....

ଦିଦି ଅନୁତାପ କଲା ।

ଦୃଢ଼ ମନୋବୃତ୍ତି ତାର ଶିଥିଳ ହୋଇ ଆସିଲା ।

ମା’ଙ୍କର ପୂର୍ବ ଉପଦେଶ ଠିକ୍‌ । ଜୀବନର ଅଗ୍ରଗାମୀ ପଥ ଭାରୀ ବିପଦସଙ୍କୁଳ । ଜାଣିଶୁଣି କଣ୍ଟାରେ ଗୋଡ଼ ଦେଲେ କଣ୍ଟା ବୋହିବ ନାହିଁ କେମିତି ?

ସେ ଅପବିତ୍ର ହୋଇନାହିଁ ସିନା, ହେଲେ ଲୋକ କଣ କହିଲେ ? ଏ ଯୁଗ ପ୍ରଚାରର ଯୁଗ । ପ୍ରଚାରକୁ ଲୋକେ ଯେତେ ବିଶ୍ୱାସ କରୁଛନ୍ତି, ପ୍ରତ୍ୟକ୍ଷତାକୁ ନୁହେଁ । ସେଥିଲାଗି ଜ୍ୟୋତିଷମାନେ ଏକ ନିର୍ଭୁଲ ଗଣନାରେ ପହଞ୍ଚିଯାଇ ଯଦି ସିଦ୍ଧାନ୍ତ କରି ଦିଅନ୍ତେ ଯେ ପ୍ରତି ମଣିଷ, ମନର ବିକୀରର ଫଳାଫଳରୁ ଦଶା, ମହାଦଶାର ଫଳ ଭୋଗ କରୁଛନ୍ତି, ତାହେଲେ ଅବା ଏ ଦେଶର ଯୁବକ ଯୁବତୀମାନେ ସତର୍କ ହୋଇ ଅନେକାଂଶରେ ଉଚ୍ଛୃଙ୍ଖଳତାର ରୋଗରୁ ମୁକ୍ତି ପାଇ ଯାଆନ୍ତେ ?

ତାହା କଣ ସେମାନେ କରୁଚନ୍ତି ?

ପରିବର୍ତ୍ତନ ଲୋଡ଼ା, ଖାଲି ପରିବର୍ତ୍ତନ । ସମସ୍ତେ ଏଇ ଧ୍ୱନି ଦେଉଛନ୍ତି ଆଲୋଚନା, ସମାଲୋଚନା କରୁଛନ୍ତି । ଦାନ୍ତ ଦେଖାଇ ହସୁଛନ୍ତି କିମ୍ବା ଦାନ୍ତ ଚିପି ମୁରୁକି ହସା ଦେଉଛନ୍ତି । ଆଉ ବେଶୀ କର୍ଣ୍ଣପାତ କରୁଛନ୍ତି ଅପବାଦ, ଦୁର୍ନୀତି ଆଉ ବ୍ୟଭଚାରର କଥା ଶୁଣିବାକୁ ।

ସେଥିପାଇଁ କି ସଂସ୍କାର ଦରକାର ?

ଦିଦି ମନରେ କ୍ଷୋଭ ଜାତ ହେଲା । ଏଇମାନେ ହେଉଛନ୍ତି ସାମାଜିକ ପ୍ରାଣୀ । ଏମାନଙ୍କ ମନରୁ ପାଶବିକ ପ୍ରବୃତ୍ତି ଓ ଆଚରଣ ଲୋପ ପାଇନାହିଁ । ଅଥଚ ଶାସନ ସଂସ୍ଥାରେ ଫାଇଲ୍‌ ଚାଷ କରି ଏମାନେ କୁଆଡ଼େ ଦେଶର ଉନ୍ନତି କରାଇବେ ।

ହୁଁ ।

ଦିଦି ଚାକିରୀ ଛାଡ଼ିଦେଲା ।

ଅଫିସର ଅବଶ୍ୟ ସେଦିନ ଅନେକ ଦୁଃଖ କରିଥିଲେ । ଦିଦିକୁ ଦମ୍ଭ ସହକାରେ ରହିବାକୁ ଉପଦେଶ ଦେଇଥିଲେ । ହେଲେ ଦିଦି ତାଙ୍କ ସହାନୁଭୂତିକୁ ସିଧା ପ୍ରତ୍ୟାଖ୍ୟାନ କରି ଜୀବନର ବ୍ରତ କରିନେଲା ଯେ ସେ ଉଚ୍ଛୃଙ୍ଖଳତା ବିରୁଦ୍ଧରେ ଅଭିଯାନ ଚଳାଇବ । ଦେଶର ସ୍ୱାଧୀନ ନାଗରିକ ଭାବେ ଯେଉଁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ, ସେଥିପ୍ରତି ତିଳେ ହେଲେ ସେ ଭୟ କରିବ ନାହିଁ ।

ସେଇଦିନଠାରୁ ଦିଦି ଆଗେଇଲା । ମା’ଙ୍କର ଆଶୀର୍ବାଦକୁ ଶିରରେ ଧାରଣ କରି ଦିଦି ଘର ଛାଡ଼ି ବାହାରେ ବୁଲିଲା । ଜନତା ମଧ୍ୟରେ ପରିପ୍ରଚାର କଲା ।

ଚରିତ୍ର, ସଂଯମତା ଆଉ ସାତ୍ତ୍ୱିକ ଚେତନା ସପକ୍ଷରେ ଦିଦିର ଭାଷଣମାନ ସମାଜରେ ଏତେଦୂର ପ୍ରଭାବ ପକାଇଲା ଯେ ପ୍ରତି ରାଜନୈତିକ ଦଳ ଦିଦିକୁ ହାତବାରିସୀ କରିବାକୁ ଇଚ୍ଛା ପ୍ରକାଶ କଲେ ।

ସାମାନ୍ୟ କେଇ ବର୍ଷର ଝିଅ, ତାର ପୁଣି ବୁଦ୍ଧି ଏତେ ! ପ୍ରତ୍ୟେକଙ୍କ ମୁହଁରେ ସେ ଜଣେ ବିଚକ୍ଷଣା ନାରୀ ରୂପେ ଖ୍ୟାତ ହୋଇ ଉଠିଲା ।

 

ଯେଉଁଠି ଦିଦିର ଭାଷଣ, ସେଠି ଶ୍ରୋତାମାନଙ୍କର ସମାଗମ ବେଶୀ ହେଲା ।

 

କଳ୍ପନା ଦିଦି ଭାଷଣ ଦେବେ ।

 

ଜଣେ ଅବିବାହିତା କନ୍ୟା ମୁଖରେ ଚରିତ୍ର ସମ୍ବନ୍ଧରେ ନାନା ପ୍ରକାର ବିଶ୍ଳେଷଣ ଶୁଣି ଲୋକେ ସ୍ତମ୍ଭୀଭୂତ ହୋଇ ଯାଉଥିଲେ । ଅନେକେ ମଧ୍ୟ ଦିଦିର ରାଜନୈତିକ ସ୍ଥିତି ସମ୍ବନ୍ଧରେ ଜାଣିବାକୁ ସ୍ୱତଃ ଆଗ୍ରହୀ ହୋଇ ପଡ଼ିଲେ ।

 

କିନ୍ତୁ ଦିଦି ତ କେଉଁ ଦଳର ନୁହେଁ !

 

ସେ ନିରପେକ୍ଷ ।

 

କି ଉତ୍ତର ଦେବ ?

 

ତେବେ ଶାସକ ଦଳ ଯେତେବେଳେ ଦିଦିର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ହୃଦୟଙ୍ଗମ କରି ଦିଦିକୁ ସେଇ ଦଳରେ ଅନ୍ତର୍ଭୁକ୍ତ କରିବାକୁ ବସିଲେ ଦିଦି ମନା କରିଥିଲା । ସେ କହିଥିଲା ତାର ନେତ୍ରୀ ହେବାର ଆଶା ନାହିଁ । ଶାସନର ଆସନ ଅଳଙ୍କୃତ କରି ପେଷାଦାର ହେବାକୁ ସେ ଇଚ୍ଛୁକା ନୁହେଁ । ସେ ଚାହିଁ ଉଚ୍ଛୃଙ୍ଖଳତାରେ ଉତ୍ପାଟନ । ଆଉ ସୁଚରିତ୍ର ଜୀବନର ବିକାଶ । ଆଜିର ଯୁବନେତାମାନେ ଯଦି ସୁଚରିତ୍ରବାନ୍‌ ହୋଇ ନ ବାହାରିବେ, ତେବେ ସେମାନେ ଭବିଷ୍ୟତ ଶାସନର ଅଧିକାରୀ ହୋଇ ବସିଲେ, ଦେଶ ଉନ୍ନତି ମାର୍ଗରେ ଯିବ ତ !

 

ସେଥିଲାଗି ଦିଦି ଚାହିଁଥିଲା ସେବାଦଳ ଗଠନ କରି, ସେଇ ଆନୁକୂଲ୍ୟରେ ଯୁବଜନତାର ବିକାଶ । ତତ୍‌କାଳୀନ ଶାସକ ଦିଦିକୁ ସେଥିରେ ବହୁ ସାହାଯ୍ୟ, ସହାନୁଭୂତି ଦେଖାଇଲା । ଫଳରେ ଦିଦି ଆଜି ନେତ୍ରୀ ।

 

ସେବାଦଳର ନେତ୍ରୀ ଭାବେ ସେ ସମାଜର ସୁସ୍ଥ ଜୀବନ ପାଇଁ କାମ କରି ଆସୁଛି । ଆଉ ସେଇ କର୍ମମୟ ଜୀବନର ପୁରସ୍କାର ସ୍ୱରୂପ ସେ ଯେଉଁ ପାରିଶ୍ରମିକ ପାଏ, ତାହା ମା’ଙ୍କ ନିକଟ ପଠାଇଲେ ଘରର ଖର୍ଚ୍ଚ ଚଳିଯାଏ ।

 

କାମଦେବ ସୁବୋଧଠାରୁ ତାଙ୍କ ଘରର ଦୀର୍ଘ କାହାଣୀ ଶୁଣିବା ପରେ ନିଜ ଘରର ଅବସ୍ଥା ମଧ୍ୟ ପ୍ରତ୍ୟୁତ୍ତରରେ ତାକୁ କହି ଦେଇଥିଲା ।

 

ଏଇ ତା’ ସୁଜାତା ଭାଉଜ ?

 

ହଁ, ସ୍ପଷ୍ଟ ଅବଲୋକନ କରିଛି ସୁବୋଧ ।

 

ବିଧବା ହୋଇ ଯାଇଛନ୍ତି ସିନା କିନ୍ତୁ ମନ ତାଙ୍କର ବିଧବା ହୋଇ ନାହିଁ । ଅଳଙ୍କାର ବିହୀନ ତାଙ୍କ ଶରୀରକୁ ଦେଖିଲେ ମନେହୁଏ, ସତେ ମ, ଭଗବାନ ନିର୍ଦ୍ଦୟ ନୁହନ୍ତି ଆଉ କଣ ? ଯାହାର ମନରେ ଦୟା, କ୍ଷମା, ସ୍ନେହ, ମମତାର ଅଶେଷ ଅଳଙ୍କାର, ତା’ ଦେହକୁ ସେ ଏତେ ଶୀଘ୍ର ଅଳଙ୍କାରଶୂନ୍ୟ କରିଦେଲେ କେମିତି !

 

ଅଦୃଶ୍ୟ ସେ । ନଚେତ୍‌ ସମ୍ମୂଖରେ ଯଦି ଦେଖା ପଡ଼ନ୍ତେ ତେବେ ବାଧ୍ୟ କରି ତାଙ୍କୁ ଦୋଷୀ କରାଯାଆନ୍ତା, ଆଉ କୁହାଯାଆନ୍ତା, ପ୍ରଭୁ ହେ, କେଉଁ ବିଚାରରେ ତୁମେ ସୁଜାତା ଭାଉଜଙ୍କଠାରୁ ପତି କାଢ଼ି ନେଲ କହିଲ ? ତୁମେ ପରା ବିଚାର କରି ସାବିତ୍ରୀଙ୍କୁ ସତ୍ୟବାନ ଫେରାଇ ଦେଇ ଯାଇଥିଲ, ସୀତାଙ୍କୁ ବିଧବା ଦୋଷରୁ ମୁକ୍ତ କରିବାକୁ ପ୍ରଥମେ ତାଙ୍କୁ ଇହଧାମରୁ ତୋଳି ନେଇ ଯାଇଥିଲ, ସେ କଥା କଣ ଏତେ ଶୀଘ୍ର ମନରୁ ପାଶୋରି ଦେଇ ବସିଲ ?

 

ତୁମେ କହିପାର ସେମାନେ ଅତିମାନବୀ, ଦେବୀ । ଐଶ୍ୱରୀକ ଅଂଶ ନେଇ ସେମାନଙ୍କର ଜନ୍ମ । କିନ୍ତୁ ଟିକିଏ ତଳେଇ ଦେଖିଲେ କଣ ଅବିଶ୍ୱାସ କରାଯିବ ଯେ ସୁଜାତା ଭାଉଜ ଓ ତାଙ୍କ ପରି ଯେତେ ନାରୀ ଦୁନିଆରେ ଅଛନ୍ତି, ସମସ୍ତେ ଗୋଟିଏ ଲେଖାଁ ନାରୀ ନୁହନ୍ତି ବୋଲି ?

 

ସେମାନେ ପ୍ରତ୍ୟେକ ନିଜ ନିଜ ସ୍ତରରେ ଦେବୀ । ସ୍ୱାମୀକୁ ସେବା କରି ହେଉ ବା ସ୍ୱାମୀର ସ୍ୱାର୍ଥ ଲାଗି ହେଉ ସେମାନେ ତିଳ ତିଳ କରି ନିଜକୁ ଉତ୍ସର୍ଗ କରିଛନ୍ତି । ପଳ ପଳ କରି ନିଜ ରକ୍ତ ମାଂସକୁ ତୁଚ୍ଛ କରି ସ୍ୱାମୀ ସହବାସରେ ସନ୍ତାନମାନଙ୍କୁ ଅନ୍ଧକାରର ନର୍କରୁ ମୁକ୍ତି ଦେଇଛନ୍ତି ।

 

ଗର୍ଭର କି ଯନ୍ତ୍ରଣା !

 

ଓଃ......

 

ଯିଏ ମା ହୋଇଛି ସେ ଜାଣେ ।

 

ଦିତି ଆଦିତି ମା ହୋଇ ଯେମିତି ସଂସାରର ଆଦିମାତା ବୋଲାଇ ପାରିଛନ୍ତି, ସେମିତି ଆମ ମା ଭାଉଜମାନେ ସେଇ ବିଚାର ଦୃଷ୍ଟିରୁ କାହିଁକି ପୂଜିତା ନ ହେବେ । କାହିଁକି ଅଳଙ୍କୃତା ନ ହେବେ ? ଶାପଗ୍ରସ୍ତା ହୋଇ ବିଧବା ନାରୀ ରୂପେ ଆଖିରୁ ଚିରଦିନ ଲୁହ ଗଡ଼େଇଲେ କଣ ତୃପ୍ତି ପାଇବ ?

 

ସୁଜାତା ଭାଉଜଙ୍କୁ ଚାହିଁଦେଲେ ବାସ୍ତବିକ୍‌ ମନରେ ବିଦ୍ରୋହ ଆସୁଥିଲା ।

 

ଭଗବାନ୍‌ ନିଷ୍ଠୁର । ସ୍ୱାର୍ଥପର । ତାଙ୍କଠାରୁ ଟିକେ ଅଳଙ୍କାର ଖାଲି କରିଦେଲେ, ସେ ଅସୁନ୍ଦର ଦେଖାଯାଉଛନ୍ତି, ଅଥଚ ସେ ନିଜେ ମଣିଷ ଜାତିକୁ ସୃଷ୍ଟି କରି ଏମାନଙ୍କଠାରୁ ଅଳଙ୍କାର ଖୋଲି ନେଇ କେମିତି ହସୁଛନ୍ତି କେଜାଣି ? ସେ କଣ ନିଜେ ସୌନ୍ଦର୍ଯ୍ୟର ପୂଜାରୀ ହୋଇ ଏମିତି ଅସୁନ୍ଦର ବସ୍ତୁକୁ ଦେଖିବାକୁ ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’ ଆଖ୍ୟା ପାଇଥିଲେ ?

 

ଅଶେଷ ପ୍ରକାରର ଅଳଙ୍କାର ବିଶେଷଣ ଦେଇ ତାଙ୍କୁ ଡକାଯାଉଛି, ଅଥଚ ସେ ସୁଜାତା ଭାଉଜଙ୍କ ପାଇଁ ପୁରାପୂରି କୃପଣ ।

 

ସୁଜାତା ଭାଉଜ, ଓଃ ।

 

ଦୁଃଖ ଆସୁଛି ସୁଜାତା ଭାଉଜଙ୍କ ପାଇଁ ।

 

କାମଦେବର ସେ ସବୁ କିଛି ହେଲେ ସୁଦ୍ଧା ସୁବୋଧ ପାଇଁ ଯେ ତାଙ୍କର ଅନୁକମ୍ପା ଯଥେଷ୍ଟ ଅଛି, ତାହା ସେ କେଇଟା ଦିନର ବନ୍ଧୁତା ଭିତରେ ଅନୁଭବ କରି ସାରିଲେଣି ।

 

କାମଦେବ ସାଙ୍ଗରେ ସୁବୋଧ ନ ଥିଲେ, ସେ ହଠାତ୍‌ ପଚାରି ଦିଅନ୍ତି, ସୁବୋଧ ଆସି ନାହିଁ ?

 

ନା ।

 

ତାର ତ ପୁଣି ନିଜ କାମ ଅଛି । ନା ଖାଲି ବନ୍ଧୁ ହୋଇଛି ବୋଲି ସବୁବେଳେ ଏଇ ଘରକୁ ଦୌଡ଼ୁଥିବ !

 

ଭାଉଜ କାମଦେବଠାରୁ ଆଶା ନ କରୁଥିବା ଉତ୍ତର ଶୁଣି ବ୍ୟଥିତ ମନରେ କହି ପକେଇଲେ, ତାହେଲେ ଶୁଖୁଆ କାହିଁକି ଭାଜିଲି ? ମୁଁ ଭାବିଥିଲି ନା, ସୁବୋଧ ତମ ସାଙ୍ଗରେ ନିଶ୍ଚୟ ଆସିବେ ବୋଲି । ଏଇ ସାମାନ୍ୟ ଉଦାହରଣରୁ ବଡ଼ ପର୍ଯ୍ୟନ୍ତ ଅନେକ ଅଛି । ଭାଉଜ ନିଜେ ନ ଖାଇବେ ପଛେ, କିନ୍ତୁ କାମଦେବ ପେଟରୁ ଟିକେ ଊଣା ହେଲେ ସେ ମୋଟେ ସହି ପାରିବେ ନାହିଁ ।

 

କି ଦୟାର ପ୍ରତିମୂର୍ତ୍ତି !

 

ତାଙ୍କୁ ସିନା କିଏ ଦୟା ଦେଖାନ୍ତି, ଓଲଟି ସେ ସମସ୍ତଙ୍କୁ ଦୟା ଦେଖାଉଛନ୍ତି ! ତାଙ୍କ ଭାଗ୍ୟର ବିଡ଼ମ୍ବନାକୁ ଉପହାସ କଲେ ସେ ହସି ହସି ସହି ନିଅନ୍ତି । କହନ୍ତି, ଶୂନ୍ୟରେ ଯାହା ମିଳାଇ ଯାଇଛି ଆଉ ଆସିବ କେଉଁଠୁ ଯେ ତା’ ପାଇଁ ଅଭିମାନ କରି ଦିନ ଗଣିବା ।

 

ମୃତ୍ୟୁର ଜୀବନ ଫେରି ଆସେ ନାହିଁ । ତା’ ଯଦି ସମ୍ଭବ ହେଉଥାନ୍ତା, ତାହେଲେ ଇହଜଗତରେ ଅମରର ଜୈନ ଗାନ କରି ସମସ୍ତ ପ୍ରାଣୀ ସୁଖର ନିଦ୍ରା ଉପଭୋଗ କରୁଥାନ୍ତେ । ଜରା, ବ୍ୟାଧିକୁ ଉପହାସ କରୁଥାନ୍ତା ଜୀବନ । କୃତ୍ରିମ ଯୌବନର ଆବରଣରେ ଏଇ ମଣିଷ ଜାତିଟା ଆବୃତ ହୋଇ ଖାଲି ଦେଖେଇ କହି ହୁଅନ୍ତା, ସୃଷ୍ଟିର କର୍ତ୍ତା ଦୁନିଆରେ କେହି ନାହାନ୍ତି । ମଣିଷ ସବୁ ।

 

ଏହିଭଳି ଆକାଶକୁସୁମର ଅଳୀକ ଭାବନା ମଣିଷ ସଦାବେଳେ କରି ଆସିଛି । କିନ୍ତୁ ମଣିଷକୁ କେବେହେଲେ ମୃତ୍ୟୁ ଅଟକାଇ ରଖି ପାରିନାହିଁ । ଜୀବନ ଉପାନ୍ତରେ ବିକଟାଳ ରୂପ ଦେଖାଇ ମୃତ୍ୟୁ ମଣିଷର ସମସ୍ତ ଆଶାକୁ ପଣ୍ଡ କରି ଦେଇଛି । ଆଜି ଯେଉଁ ଜିଅନ୍ତା ମଣିଷ ପାଇଁ ଏତେ ଭାଗ ବଣ୍ଟା ଯାଉଛି, କାଲି ସକାଳେ ସେ ଆଖି ବୁଜିଲେ ସେଇ ଭାଗରେ ବା ତାର ଦରକାର କଣ ?

 

ଏଇତ ସୁବୋଧର ବାପା କେତେ ପରିକଳ୍ପନା କହି ନ ଥିଲେ ଯେ ପିଲାଙ୍କୁ ମଣିଷ କରି ଆତ୍ମତୃପ୍ତି ଉପଲବ୍‌ଧି କରିବେ ବୋଲି । ହେଲେ ଅନ୍ତିମ କାଳରେ ସେ ନିଷ୍ଫଳତାର ନିଶ୍ୱାସ ତ୍ୟାଗକରି ଇହସଂସାରରୁ ବିଦାୟ ନେଲେ । ଆଜି ତାଙ୍କ ପିଲାଏ ଯେମିତି ମଣିଷ ହେଉଛନ୍ତି, ସେକଥା ଦେଖିବା ପାଇଁ ସେ ରହିଲେ କି ? ବଞ୍ଚିବାର ତାକୁଡ଼ିରେ ଆଶାର ଜାଲ ମଣିଷ ବୁଣେ । ଉଦ୍ଦେଶ୍ୟ ଯେ ବଞ୍ଚିଥିବା ତକ ତାକୁ ସେ ବିଛେଇ ସମସ୍ତ ଫଳ ଉପଭୋଗ କରିବ । କିନ୍ତୁ ପ୍ରକୃତରେ ସେଇ ଆଶାର ଫଳପ୍ରାପ୍ତି ହୁଏ ତା’ ମୃତ୍ୟୁ ପରବର୍ତ୍ତୀ ଦାୟାଦମାନଙ୍କଠାରେ । କେହି କେହି ବି ସେମାନଙ୍କ ଅଯୋଗ୍ୟତା ହେତୁ ସବୁ ହରେଇ ବସିଥାନ୍ତି ।

 

କାମଦେବ ଆଉ ସୁବୋଧ ପିଲା । ସଂସାରର ଦାୟିତ୍ୱ ମୁଣ୍ଡେଇବାକୁ ଅନେକ ବିଳମ୍ବ ଅଛି । ସେମାନେ କାହିଁକି ବୁଝିବେ ? ସୁଜାତା ଭାଉଜ ଭାଇଙ୍କ ମନରେ ଥିବା ଅପୁରଣୀୟ ଆଶାକୁ କେତେକାଂଶରେ ଫଳବତୀ କରିବାକୁ ଧାଇଁଛନ୍ତି । ଭୁକ୍ଷେପ କରିଛନ୍ତି ତାଙ୍କ ଜୀବନରେ ଘଟି ଯାଇଥିବା ମର୍ମନ୍ତୁଦ ଦୁର୍ଘଟଣାକୁ । ଆଜି ନ ହେଲେ କାଲି ସେ ଫଳର ଅଧିକାରୀ ହେବେ ତାଙ୍କ ଝିଅ ଓ ଦିଅର କାମଦେବ । ସେତେବେଳେ ଯାଇଁ ସେ ଖୁସି ହେବେ । କହିବେ ଯାହାହେଉ ଧ୍ୱଂସ ମଧ୍ୟରୁ ହେଲେ ଅବିନାସର ସନ୍ଧାନ ମିଳିଲା ।

 

ସାଧନାର ଫଳ ଏଇ ନୁହେଁ କି ?

 

ସୁଜାତା ଭାଉଜ ଅନେକବାର କାମଦେବ ଓ ତାଙ୍କ ଶ୍ୱଶୁରଙ୍କୁ କହିଛନ୍ତି, ଦୁଃଖ କରିବା କିମ୍ବା ଚିନ୍ତା କରିବା ଉଚିତ ନୁହେଁ । ସଂସାରେ ଯାହା କ୍ଷତି ଘଟିଯାଇଛି ତାର ପୁରଣ ନିମନ୍ତେ ଏଇ ମଣିଷ ଚେଷ୍ଟା କରିବ । ସେଥିପାଇଁ ଅନେକ କଷ୍ଟ ପଡ଼ିପାରେ ।

 

କାମଦେବର ବାପା ସୁଜାତା ବୋହୂଙ୍କର ମୁହଁଙ୍କୁ ଚାହିଁଛନ୍ତି । ପତ୍ର ଝଡ଼ି ଯାଇଥିବା ବୃକ୍ଷର ଗଣ୍ଡିଟା ଯେମିତି ଦେଖାଯାଏ, ସେମିତି ଦେଖାଯାଉଛି ସୁଜାତାଙ୍କ ମୁଖମଣ୍ଡଳ । ନୀରସ, ଶୁଷ୍କ, ଅପରାହ୍ନର ଆକାଶ ପରି ପଣ୍ଡୁର ବର୍ଣ୍ଣ ।

 

ମନ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି ବୃଦ୍ଧ । କାମଦେବର ବାପା । କେମିତି ତାଙ୍କୁ ସନ୍ତୁଷ୍ଟ କରାଯିବ କେହି ଜାଣିପାରୁ ନାହାନ୍ତି । ହଜେଇ ଦେଇଥିବା ପଦାର୍ଥକୁ ସେ ଆଉ କାହୁଁ ପାଇବେ ?

 

ମନେ ପଡ଼ିଗଲେ ବୁଢ଼ା କହୁଛନ୍ତି ସିଏ ସେମିତି କାଇତାଇ ଚିଜ ନୁହଁରେ । ସିଏ ହେଉଛି ସରଗ ଫୁଲ । କିଏ ଆଉ ତାକୁ ତୋଳି ଆଣି ଦେବ ?

 

କାମଦେବର ଯୌନଜୀବନ ଝଞ୍ଜାର ଏ ତୀବ୍ର କଷାଘାତରେ ସଙ୍କୁଚିତ ହୋଇଯାଉଛି । ସୁଜାତା ଭାଉଜଙ୍କ ଆଖିରେ ଆଉ ଲୁହ ନାହିଁ । ସଫା ଧଳା ପୋଟଳ ଚିରା ଆଖି ଦୁଇଟା ଯେମିତି ଚାହିଁଛି । ଚିପୁଡ଼ି ଦେଲେ ଥୋପାଏ ପାଣି ବି ସେଠୁ ବାହାରିବ କି ନାହିଁ ସନ୍ଦେହ ।

 

ଆଗେ କାମଦେବ ବୁଝି ପାରୁ ନଥିଲା । ଅନୁଭବ କରିପାରୁ ନଥିଲା । କିନ୍ତୁ ଏବେ ତା’ ଦେହରେ ଯୌବନର ସ୍ପର୍ଶ ଲାଗିବାରୁ ସେ ଜାଣି ପାରୁଛି ସଙ୍ଗ ଓ ନିଃସଙ୍ଗ ମଧ୍ୟରେ ପାର୍ଥକ୍ୟ କଣ-? ଆଉ ତା’ ଭାଉଜ ନିଃସଙ୍ଗତାର ଦାହରେ ଦଗ୍‌ଧୀଭୁତ ହୋଇ କେମିତି ଆତ୍ମଚିତ୍କାର ଦେଉଛନ୍ତି-

 

କାମଦେବ ସୁବୋଧ ଆଗରେ ସବୁ ଟିକି ଟିକି ଖୋଲି କହି ଦେଇଛି । ସୁଜାତା ଭାଉଜ ତାର ନିଃସଙ୍ଗ । ସେ ଆଉ ମିଥୁନ ଜୀବନର ପ୍ରତ୍ୟାବର୍ତ୍ତନ ପାଇଁ ଅଭିଲାଷିନୀ ନୁହନ୍ତି । ତଥାପି ନିଝୁମ ରାତିରେ ଭରା ଯୌବନକୁ ଶେଯରେ ଥୋଇଦେଲା ବେଳେ ତାଙ୍କ ମନରେ ଯେଉଁ ବ୍ୟର୍ଥ ପ୍ରତୀକ୍ଷା ବା ମିଳନର ଆଘାତ ଲାଗେ, ସେଥିପାଇଁ ପ୍ରକୃତ ଔଷଧ କେଉଁଟା ?

 

ସମସ୍ତଙ୍କ ଆଗରେ ଭାଉଜ କାନ୍ଦି ନାହାନ୍ତି ସିନା, ହେଲେ ଗୋପନରେ ତାଙ୍କ ପାଟିରୁ ଯେଉଁ କଇଁ କଇଁ କରୁଣ ସ୍ୱର ଭାସି ଆସିଛି ସେଇଟା କଣ ?

 

ସେ କଣ ଚିର ବିଚ୍ଛେଦ ପାଇଁ ଅନୁଶୋଚନାର କ୍ରନ୍ଦନ ନୁହେଁ ? ବିବାହ ନ କରି ଯୁବକ ଯୁବତୀମାନେ ଯଦି ସାଥୀ ପାଇବାକୁ ରାତିରେ ଛଟ୍‌ପଟ୍‌ ହୋଇ ଖାଲି ନିର୍ଜୀବ ଶେଯ, ବିଛଣାକୁ ଉଷୁମ କରି ଦେଇପାରନ୍ତି, ତେବେ ବିବାହ ପରେ ଅଳ୍ପ ବୟସରେ ଯୁବତୀ ନାରୀ ସ୍ୱାମୀହରା ହେଲେ କାହିଁକି ବିଚ୍ଛେଦର ଦହନରେ ମ୍ରିୟମାଣ ନ ହେବ !

 

ଭାଇ ବଞ୍ଚିଥିବାବେଳେ ଅଳଙ୍କାରଯୁକ୍ତା ହୋଇ ସୁଜାତା ଭାଉଜ ଏଡ଼େ ସୁନ୍ଦର ଦିଶୁଥିଲେ ନା ? ତୁ ବିଶ୍ୱାସ ଯିବୁ ନାହିଁ । ସେତେବେଳେ ଯଦି ତୁ ତାଙ୍କୁ ଦେଖିଥାନ୍ତୁ ନିଶ୍ଚୟ କହିଥାନ୍ତୁ ଇଏ ହେଉଛନ୍ତି ଦେବୀ, ନତୁବା ଅପ୍‌ସରା । ଭଗବାନ ତାଙ୍କୁ ଭୁଲରେ ମର୍ତ୍ତ୍ୟରେ ସୃଷ୍ଟି କରିଅଛନ୍ତି ।

 

ଆଜି ସେ ଶୂନ୍ୟ ମାନବୀ । ଆବରଣହୀନା ପଥର । ବଣରେ ପଡ଼ି ପଡ଼ି ପଥର ଉପରେ ଶିଉଳି ଲାଗିଲେ ଯେମିତି ସିନ୍ଦୂର ତା’ ଦେହରେ ମାଖି ଦେବା ପାଇଁ ଟାହୁଲି କରେ, ସେମିତି ହୋଇଛି ସୁଜାତା ଭାଉଜଙ୍କ ଅବସ୍ଥା ।

 

ଶଙ୍ଖାରୀ ଝିଅ, ବୋହୂଙ୍କ ଲାଗି କାଚ ପିନ୍ଧେଇ ଦେଇ ଯିବାକୁ ଡାକ ଛାଡ଼ି ଦାଣ୍ଡରେ ଗଲାବେଳେ ଭାଉଜଙ୍କ ଛାତିରେ ଏମିତି ଧଡ଼କ ପଶିଯାଏ ଯେ ସେ ଯାଇଁ ଘର କୋଣରେ ଲୁଚି ଯାଆନ୍ତି । ଭଲ ଶାଢ଼ୀ ପାଇଁ ବି ତାଙ୍କ ଲାଗି ସେଇ ଦଶା । କାମଦେବର ବୋଉ ସଧବା ହୋଇ ମଧ୍ୟ ଶଙ୍ଖାରୀଠାରୁ କାଚ ନାଇବାକୁ କିମ୍ବା ଭଲ ଶାଢ଼ୀ ଖଣ୍ଡେ ପିନ୍ଧିବାକୁ ମନ ବଳାନ୍ତି ନାହିଁ । ଘରେ ବିଧବା ଯୁବତୀ ବୋହୂ ଆଖିରୁ ଲୁହ ଗଡ଼ାଇବ, ତାଙ୍କର ସଉକ ହେବାରୁ କଣ ମିଳୁଛି ?

 

ବୋଉ ଏଣିକି ମେଳା, ମଉଛବ, ଯାତ୍ରା ତୀର୍ଥକୁ ଯିବାକୁ ଭୁଲିଗଲାଣି । ଖାଲି ଯାହା ମନ୍ଦିରକୁ ଯାଇ ସେଇ ନିଷ୍ଠୁର ପଥରଙ୍କ ପଦ ତଳେ ମୁଣ୍ଡିଆ ମାରି ଆସୁଛି ।

 

କାମଦେବର ବାପା କହନ୍ତି, ଟୁନା ବୋଉ ଆଉ କାହିଁକି ଏତେ କପଟିଆ ହରିଙ୍କ ପୂଜା କରୁଛ କହନି ! ସେ କଣ ତୁମ ଟୁନାକୁ ଫେରାଇ ଦେବେ ?

 

ଭାଇଙ୍କ ମୃତ୍ୟୁରେ ଘରେ ଯେମିତି ଏକ ମସ୍ତବଡ଼ ଚଡ଼କ ପଡ଼ିଛିରେ ସୁବୋଧ । କେମିତି ମୁଁ ପାଠ ପଢ଼ି ଚାକିରୀ କଲେ ସମସ୍ତଙ୍କ ମୁହଁରେ ହସ ଫୁଟେଇବି ସେଇ ଚିନ୍ତା ମୋତେ ଦିନ ରାତି ଘାରୁଛି ।

 

ସୁବୋଧ ଶୁଣିଲା କାମଦେବର ଘର କଥା ଆଉ କାମଦେବ ମଧ୍ୟ ସୁବୋଧ ଘରର ଇତିହାସ ଅବଗତ ହେଲା । ବନ୍ଧୁତାର କେତେ ମାସ ମଧ୍ୟରେ ଉଭୟେ ଉଭୟଙ୍କ ଘରର ଟିକିନିଖି କଥା ଖୋଲାଖୋଲି ଭାବେ ଶୁଣି ନେଲେ ।

 

ସନ୍ଦେହ, ଅବିଶ୍ୱାସ ଆଉ ପ୍ରାଚୀର ଭଳି ସେମାନଙ୍କଠାରେ ରହିଲାନାହିଁ ।

 

ପ୍ରଗାଢ଼ ବନ୍ଧୁତାର ବନ୍ଧନରେ ଛନ୍ଦି ହୋଇଗଲେ ଜଣେ ଅନ୍ୟଜଣଙ୍କ ଦେହରେ ।

 

କୋଳିଖିଆର ସେ ଦିନଗୁଡ଼ାକ ଥିଲା ସହଜ, ସରଳ ଆଉ ମସୃଣ । କିନ୍ତୁ ତା ପରବର୍ତ୍ତୀ ସମୟ ସେମାନେ ଅତିବାହିତ କଲେ ଖୁବ୍‌ ସତର୍କରେ । ପଇସା ପତ୍ରରେ ବେପରୁଆ ଖର୍ଚ୍ଚ ନାହିଁ ଅଥଚ ମଉଜି ମଜଲିସ୍‌ ଚାଲିଛି । ସିନେମା ଦେଖିଗଲେ ସାଙ୍ଗ ହେଇ ଯିବେ । ପୁରୀ, କୋଣାର୍କ, ନନ୍ଦନମାନନ ପ୍ରଭୃତି ରମଣୀୟ ସ୍ଥାନକୁ ବୁଲିଗଲେ ଦୁହିଁଙ୍କ ମଧ୍ୟରୁ କେବେହେଲେ ଜଣେ ଖସି ରହି ଯାଇପାରିବ ନାହିଁ । ତା ନହେଲେ ଅଭିମାନ ଆସେ, ମୁହଁ ଫୁଲାଫୁଲି କରି ମାଇପଙ୍କ ଭଳି କେହି କାହାକୁ ଦୁଇ ତିନି ଦିନ ଯାଏ ପାଟି ଫିଟାନ୍ତି ନାହିଁ ।

 

ଦୁହିଁଙ୍କ ଭିତରେ ପାଠ ପଢ଼ା ସମୟ ବାଦ୍‌ଦେଲେ ଅନ୍ୟ କୌଣସି ସମୟ ତଫାତ୍‌ ହୋଇ ରହିଲା ନାହିଁ । ଦୁହେଁ ଦୁଇ ଭିନ୍ନ ବିଷୟରେ ଶିକ୍ଷା ଲାଭ କରୁଥିବାରୁ ଅଧ୍ୟୟନ କାଳରେ ଅଲଗା ହୋଇ ରହୁଥିଲେ । କାମଦେବ ଥିଲା ମେଡ଼ିକାଲର ଛାତ୍ର ଆଉ ସୁବୋଧ, କୃଷି ମହାବିଦ୍ୟାଳୟର । ଥଟ୍ଟାରେ ଯୁକ୍ତିତର୍କ କରୁଥିବା ସମୟରେ କାମଦେବ ମଣିଷମାନଙ୍କର ଜୀବନ ଓ ଔଷଧ ସମ୍ବନ୍ଧରେ ଆଲୋଚନା କରେ । କିନ୍ତୁ ସୁବୋଧ କୃଷି ବିଜ୍ଞାନ ଉପରେ ବଡ଼ ବଡ଼ ବକ୍ତୃତା ଦିଏ ।

 

କାମଦେବ କୁହେ ସୁବୋଧ, ତୋତେ ଅନେକବାର ଆଘାତ ଦେଇ କହିଲେ ତୁ ହସୁ କାହିଁକି କହିଲୁ ? ଦୁଃଖ କଣ ତୋତେ ଛୁଇଁବାକୁ ଭୟ କରେ କି ?

 

ସୁବୋଧ କହେ, ଆଚ୍ଛା ତୁ କହିଲୁ, ଆଇନାରେ ମୁହଁ ଦେଖିଲାବେଳେ ସମସ୍ତେ କାହିଁକି ଖୁସି ହୁଅନ୍ତି ?

 

କେବଳ ସେଇ ମୁହୂର୍ତ୍ତରେ ନିଜ ମୁହଁର ଆକୃତିକୁ ସେ ଦେଖିପାରେ ବୋଲି ।

 

କାମଦେବର ଉତ୍ତର ଶୁଣି ବେଶୀ ବେଶୀ ହସିଥିଲା ସୁବୋଧ । ସେ କହିଲା, ଏଥର ବୁଝିଲୁ ତ, ମୁଁ ହେଉଛି ତୋ ମୁହଁରେ ଦର୍ପଣ । ମୁଁ ଯଦି ସ୍ୱଚ୍ଛ ନ ହୁଏ, ତୁ ସେଠାରେ ପ୍ରତିବିମ୍ବିତ ହେବୁ କେମିତି ? ତୋ ମନର ସବୁ ଛାୟା ପରା ମୋ କାୟାରେ ଧରା ଦେଇଛି । ମୁଁ ଯଦି ହସି ତୋର ଦୁଃଖ ଲାଘବ କରିପାରିଲି, ତୋ ମନରେ ଆଘାତ ନ ଦେଇ ବ୍ୟଥାକୁ ହସରେ ଉଡ଼େଇ ଦେଲି, ତାହେଲେ କ୍ଷତି କଣ ?

 

କାମଦେବର ଚକ୍ଷୁରୁ ଆନନ୍ଦାଶ୍ରୁ ବିଗଳିତ ହୋଇ ପଡ଼ିଥିଲା । ସେ ସୁବୋଧକୁ କୁଣ୍ଢେଇ ପକେଇ କହିଲା, ଭାଗ୍ୟରେ ଥିଲେ ଏମିତି ସୁନା ସାଥୀ ଜୁଟନ୍ତିରେ । ତୁ ନ ଥିଲେ ମୋର ଏ ହତଭାଗ୍ୟ ଜୀବନକୁ କିଏ ଶାନ୍ତ କରିଥାନ୍ତା କହିଲୁ !

 

ସୁବୋଧ କାମଦେବ ପିଠିରେ ହାତ ଥାପୁଡ଼ାଇ କୁହେ, ହେଉ ଆଉ ବେଶୀ କହ ନାଇଁ । ମୋ ପରି କ୍ଷୁଦ୍ର ଲୋକ ସାଙ୍ଗରେ ଏତେ ସାକୁଲେଇ ହେବା କଣ ଦରକାର ?

 

କାମଦେବ ପୁଣି ଫାଜ୍‌ଲାମି ବାହାର କରେ ।

 

ତା ପାଟିରେ ଯେବେ ବେଧୁଆମି କଥା ବାହାରେ, ତେବେ ସେ କିଛି ମାନିବ ନାହିଁ ।

 

ଅଶ୍ଳୀଳ ଭାଷା ଲଗେଇ ଏଣୁ ତେଣୁ କହିବାରେ ସେ ଭାରି ଧୁରନ୍ଦର । ତେଣୁ ତାର ପାଟି ଶକ୍ତଭାବେ ଖୋଲିଲା ।

 

ସେ କହିଲା ହଇରେ ସୁବୋଧ, ସ୍ତ୍ରୀମାନଙ୍କର ଦର୍ପଣ ହେଉଛି ପରା ସ୍ୱାମୀ । ସ୍ୱାମୀଠାରେ ସେମାନେ ଆପଣାକୁ ପ୍ରତିମ୍ବିବିତ କରାଇଥାନ୍ତି । ତାହେଲେ ତୁ କଣ ମୋର ସ୍ୱାମୀ ?

 

କାମଦେବର କଥା ଶୁଣି ସୁବୋଧ ଖେଁ କିନା ହସିଦେଇ କହିଥିଲା, ପୁରୁଷମାନେ ଯଦି ପୁରୁଷମାନଙ୍କର ସ୍ୱାମୀ ସ୍ତ୍ରୀ ଭାବେ ସୃଷ୍ଟି ହୋଇଥାନ୍ତେ, ତାହେଲେ ରୂପସୀ କୁମାରୀଙ୍କ ଲାଗି ଏତେ ଗୋଳମାଳ ସୃଷ୍ଟି ହେଉଥାନ୍ତା କାହିଁକି ? ସ୍ତ୍ରୀ ପୁରୁଷ ହୋଇ ଦୁଇଟି ଜାତି ପୃଥିବୀରେ ନ ଥିଲେ ବୋଧହୁଏ ମାନବ ଗୋଷ୍ଠୀର ବିଲୟ କେଉଁଦିନୁ ହୋଇ ସାରନ୍ତାଣି ।

 

କାମଦେବର ମନେ ଅଛି । ୧୯୬୪ ମସିହାରେ ଭୁବନେଶ୍ୱର କଂଗ୍ରେସ ଅଧିବେଶନ କଥା । କଂଗ୍ରେସ ସଭାପତି ଶ୍ରୀ କାମରାଜ ଆସୁଛନ୍ତି ବୋଲି ସମଗ୍ର ଓଡ଼ିଶାରେ ପ୍ରବଳ ପ୍ରଚାର ହୋଇଥାଏ । ଅଧିବେଶନଟି ବହୁ ଆଡ଼ମ୍ବରରେ ହେଉଥିବାରୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ସଂଖ୍ୟାରେ ଦର୍ଶକ ଆସି ପହଞ୍ଚୁଥାନ୍ତ । ଏଇ କଟକ ଭୁବନେଶ୍ୱର କଥା ପଚାରେ କିଏ !

 

ସାଧାରଣ ଦର୍ଶକ ଭାବେ କାମଦେବ ଓ ସୁବୋଧ ମଧ୍ୟ ଯାଇଥିଲେ, ଅଧିବେଶନର ଚଉପାର୍ଶ୍ୱରେ ପ୍ରଦର୍ଶନୀର ଆୟୋଜନ ଥିଲା ଅତ୍ୟନ୍ତ ଚିତ୍ତାକର୍ଷକ । ଦର୍ଶକମାନଙ୍କର ପ୍ରକୃତ ଭିଡ଼ ଜମୁଥିଲା ସେଇଠି । ସ୍ତ୍ରୀ ପୁରୁଷମାନଙ୍କର ସମାଗମରେ ଅଧିବେଶନ କ୍ଷେତ୍ରଟି ଫାଟି ପଡ଼ୁଥାଏ ।

 

ନାହିଁ ନ ଥିବା ଲୋକାରଣ୍ୟ ।

 

ଓଡ଼ିଶାର କୌଣସି ସ୍ଥାନରେ କେବେ ସେଇଭଳି ବହୁ ସଖ୍ୟକ ଦର୍ଶକ ଏକତ୍ର ଜମିଥିବାର କେହି ଦେଖିନାହିଁ । ପ୍ରଦର୍ଶନୀରେ ଅନେକ ପ୍ରକାରର ଦୋକାନ ମଧ୍ୟ ଖୋଲିଥାଏ । ସେଇ ଦୋକାନଗୁଡ଼ିକ ଯେ କେବଳ ଓଡ଼ିଶାରେ ତା’ ନୁହେଁ, ଭାରତର ବିଭିନ୍ନ ପ୍ରାନ୍ତରରୁ ମଧ୍ୟ ବ୍ୟବସାୟୀମାନେ ଆସି ଆଧୁନିକ ଧରଣର ସାଜସଜାରେ ଦୋକାନଗୁଡ଼ିକ ଖୋଲିଥାନ୍ତି । ନେତାମାନଙ୍କ ଅପେକ୍ଷା ଦର୍ଶକମାନଙ୍କର ଭିଡ଼ ସେଠାରେ ବେଶୀ ଜମିଥିଲା । ବିଶେଷତଃ ଆଜିକାଲିର ଏଇ ଉଚ୍ଛୃଙ୍ଖଳ ଯୁବକମାନେ ବେଶୀ ହୋଇ ସବୁ କ୍ଷେତ୍ରରେ ଯାଇ ଅଯଥା ରୁଣ୍ଡ ହୋଇଥିଲେ । କାମଦେବ ଓ ସୁବୋଧ ମଧ୍ୟ କେତେକ ସ୍ଥାନରେ ମଜା ଉପଭୋଗ କରିବା ଉଦ୍ଦେଶ୍ୟରେ ସେମାନଙ୍କ ସହିତ ଯୋଗ ଦେଉଥାନ୍ତି । ପୋଲିସ୍‌ର ସତର୍କ ପ୍ରହରା, ଯେମିତି ଟିକେ କେଉଁଠି ଗଣ୍ଡଗୋଳ ନ ହୁଏ ।

 

ଆଗକୁ ଆଗକୁ ପାଦ ପକାଇଲେ ହରେକ୍‌ କିସମର ଦୋକାନ, ପିଲାଙ୍କ କଣ୍ଢେଇ, ଫୁଲ, କାଚ, ମନୋହରୀ ଦ୍ରବ୍ୟରେ ସୁସଜ୍ଜିତ ସେଇ ସବୁ ଦୋକାନଗୁଡ଼ିକରେ ଗହଳି, କିଣିବାର ମନ ଅପେକ୍ଷା ଉପଭୋଗ କରିବାର ମନ ନେଇ ବେଶୀ ବିହରଣ କରୁଥାନ୍ତି । ସୁବୋଧ କହିଲା, ହଇରେ କାମଦେବ, ଆଗରେ ଯେଉଁ କାଚ ଦୋକାନ ଦେଖାଯାଉଛି ସେଠି କାହିଁକି ଲୋକ ବେଶୀ ରୁଣ୍ଡ ହୋଇଛନ୍ତି ? ପୁରୁଷମାନେ ସେଠି ଜମେଇ ଯିବାର କାରଣ କଣ ? ସାଥୀ ହୋଇ କାମଦେବ ଓ ସୁବୋଧ ଯାଇଁ ସେଠାରେ ପହଞ୍ଚି ଯାଇଥିଲେ ।

 

କ୍ରେତା ଥିଲେ ମାତ୍ର ଚାରି ଛଅଟି ଝିଅ । କାଚ କିଣିବାରେ ସେମାନେ ଅଭ୍ୟସ୍ତ ଥିଲେ । ପଛପଟୁ ଦୁଇ ତିନି ଜଣ ଲଫଙ୍ଗା ଟୋକା ଜାଣିଶୁଣି ସେମାନଙ୍କୁ ଧକ୍‌କା ଦେବାରୁ, ଗଣ୍ଡଗୋଳ ଆରମ୍ଭ ହେଲା । ଅବସ୍ଥା ଶାନ୍ତ କରିବା ପାଇଁ ପୋଲିସ ଯଥାସମୟରେ ପହଞ୍ଚି ଯାଇଥିଲେ ହେଁ ଉଚ୍ଛୃଙ୍ଖଳା ଯୁବକମାନେ ବେଶୀ ବେଶୀ ଅଥୟ ହୋଇ ଉଠୁଥିଲେ । ପୋଲିସ ପ୍ରତି ଏକ ବିଦ୍ରୋହସୂଚକ ମନୋଭାବ ରଖି କ୍ରମେ ଜନତା ଉତ୍ତ୍ୟକ୍ତ ହୁଅନ୍ତେ କାମଦେବ ମନ ମୋଟେ ତାହା ସହ୍ୟ କରି ପାରି ନ ଥିଲା । ସେ ଉଚ୍ଚ ପାଟିରେ ‘ଭାଇ ହୋ, ଭାଇ ହୋ ଶାନ୍ତ ହୁଅ,’ କହୁଥିଲା ବେଳେ ସୁବୋଧ ହାତ ଯୋଡ଼ି ପ୍ରତ୍ୟେକଙ୍କୁ ସେଇ ଗଣ୍ଡଗୋଳରୁ କ୍ଷାନ୍ତ ଦେବାକୁ ଉପଦେଶ ଦେଉଥିଲା । ପୋଲିସଙ୍କ ଲାଠି ପ୍ରହାର ଓ ଜନତାର ବିଧା ମାଡ଼ ସେ ଦୁହିଁଙ୍କ ଉପରେ ବସିଥିଲେ ସୁଦ୍ଧା ସେମାନେ ନିଜ ଲକ୍ଷ୍ୟରେ ଅଟଳ ରହି ସେଇ ଦଙ୍ଗାଗୋଳକୁ ଆପୋସ ସମାଧାନରେ ତୁଟାଇ ଦେଇଥିଲେ ।

 

ମାତ୍ର କେତେ ବର୍ଷର ଦୁଇ ଯୁବକ ସେମାନେ ସେହି ଗଣ୍ଡଗୋଳକୁ ଆୟତ୍ତ କରିନେବାର ସରକାରୀ, ବେସରକାରୀ ସବୁ ଶ୍ରେଣୀର ଜନତା ତାଙ୍କୁ ଉଚ୍ଛୃଙ୍ଖଳ ପ୍ରଶଂସା ଜ୍ଞାପନ କରିଥିଲା । ପ୍ରଦର୍ଶନୀରେ କିଛି ସମୟ ବୁଲାବୁଲି କରିବା ପରେ ଘରକୁ ଫେରି ଆସିବା ବାଟରେ ସୁବୋଧ କହିଥିଲା, ଦେଖିଲୁ ଟିକିଏ ଯୋଡ଼ ଦେଇ ଉହୁଙ୍କି ଉଠି ନ ଥିଲେ, ଉଚ୍ଛୃଙ୍ଖଳ ଟୋକାଏ କଣ କିଛି ରଖିଥାନ୍ତେ ? ରାଗରେ ତାଟିଆ କାମୁଡ଼ି କାଚ ଦୋକାନୀର ସବୁ କ୍ଷତି କରିଥାନ୍ତେ । ତା ଛଡ଼ା ଝିଅ ଚାରୋଟିଙ୍କୁ ଅନ୍ୟଆଡ଼େ ଲୁଚାଇ ନେଇ କ୍ଷତି କରିଥାନ୍ତେ । ତା ଛଡ଼ା ଝିଅ ଚାରୋଟିଙ୍କୁ ଅନ୍ୟଆଡ଼େ ଲୁଚାଇ ନେଇ ତାଙ୍କୁ ସିଧା ଅତ୍ୟାଚାର କରି ଛାଡ଼ି ଦେଇଥାନ୍ତେ ।

 

ସେମାନେ ସ୍ୱଚ୍ଛ, ଫୁଲ ପରି ପବିତ୍ର । ଦୁନିଆ ହାଟରେ ଫୁଟିବାକୁ ସେମାନଙ୍କର ଜନ୍ମଗତ ଦାବୀ ଅଛି, ବୋଲି ହେଲେ ତାଙ୍କୁ ଜବରଦସ୍ତ ଛିଣ୍ଡାଇ ଫୋପାଡ଼ି ଦେବାପାଇଁ ଏଇ ପୁରୁଷଗୁଡ଼ାଙ୍କର କି ଅଧିକାର ଅଛି ? ଫୁଲ ଫୁଟେ । ଦେବ ଅର୍ଚ୍ଚନାରେ ସାମଗ୍ରୀ ହେବାର ସୌଭାଗ୍ୟ ତାର ଅଛି କି ନାହିଁ ସେ କି ଜାଣେ । ଫୁଟିବା ତାର ଧର୍ମ । ପବନ ଦୋଳିରେ ଦୋଳୁଥାଏ । ଖରା କାକରର ଚୁମା ଖାଏ । ସକାଳ ସୂର୍ଯ୍ୟର ଆଶୀର୍ବାଦ ଘେନେ । ସୌନ୍ଦର୍ଯ୍ୟର ସରାଗ ଢାଳି ପଥର ପଥିକକୁ ଆକୃଷ୍ଟ କରିନିଏ । କେଡ଼େ ସୁନ୍ଦର, ମହନୀୟ ଅବଦାନ ନୁହେଁ ସତେ !

 

ସେଇ ଚାରୋଟି ଝିଅ କଣ କଅଁଳ ଛଳ ଛନ ଫୁଲ ନୁହଁନ୍ତି ? ଅଶ୍ଳୀଳ ଭାବେ ଭଲ ପାଇବା ବଡ଼ କଥା ନୁହେଁରେ ସୁବୋଧ । ସୁଯୋଗର ବଶବର୍ତ୍ତୀ ହେଲେ ଆମେ ଅକ୍ଳେଶରେ ପିପାସା ଚରିତାର୍ଥ କରି ବସନ୍ତେ । ଆମକୁ ଝିଅମାନେ ବାହାହେଲେ ଦେବତା କହିବେ, ଅଥଚ ଆମେ ତାଙ୍କୁ ନଷ୍ଟ ନାୟିକା କରି ଗୋଡ଼ରେ ଆଡ଼େଇ ଦେବା ।

 

ଇସ ଦେବତା !

 

ସୁବୋଧ ହସି ଦେଇ କାନ ଟାଣି ଦେଇଥିଲା କାମଦେବର ।

 

କହିଥିଲା, ହଇରେ ତୁ ପୁଣି କୋଉଦିନ ମଣିଷ ହୋଇଗଲୁଣି ବାହା ହେଇ କନିଆ ଆଡ଼ୁ ଦେବତା ଡାକ ଶୁଣିବାକୁ ?

 

ଛାଡ଼୍‌ ଛାଡ଼୍‌ ସେ ବାଜେ କଥା । ଯୁଆଡ଼ୁ ଭଲ କଥାଟାଏ ଆଲୋଚନା କରି ବସିଲେ, ତୁ ଖାଲି ଏଣୁ ତେଣୁ ଯୋଖାଯୋଖି କରି ଆଣି ଥୋଇବୁ । ବାହା ନ ହେବ କିଏ କହିଲୁ । ତୁ ଆଗ ହେଲେ ମୁଁ ପଛେ ହେବି । ତେବେ କଥାରେ କହନ୍ତି ଆଗ ସୁନା ପାଗ । ମାଇପଙ୍କ ପରି ସେଇ ଧାରଣା ନେଇ ତୁ ବିବାହ କରି ସାରିଲେ ମୁଁ ବି ସେହିପରି ଠାକୁରଙ୍କ ମୁଣ୍ତରେ ଚମ୍ପାଫୁଲ ଚଢ଼େଇ କହିବି, ଠାକୁରେ କାନ ଥିଲେ ଶୁଣୁଥାଅ, ଆଖିଥିଲେ ଦେଖୁଥାଅ ପଛକେ, ହେଲେ ମୋ ସୁନାଚାନ୍ଦ ସାଙ୍ଗ ପାଇଁ ଟିକେ ଅନ୍ତରର କରୁଣା ଦାନ କର । ବର୍ଷେ ପୂରୁ କି ନ ପୂରି ଗୋଟିଏ ପୁଅ । ବାସ୍‌ ସେତିକି ଆଉ କିଛି ନାହିଁ ।

 

କାମଦେବ ହସିଦିଏ ।

 

ତା’ ଫେଁ କିନି ହସ ଦିହରୁ ଥୁତୁକି ପଡ଼େ ପାଟିର ଛେପନିନ୍ଦୁ । କେଡ଼େ ଅଲାଜୁକ ମ, ମାଇକିନିଆ କଣ ସିଆଡ଼ୁ ପେଟ କାଢ଼ି ଆସି ମୋ ପାଖରେ ଛୁଆ ଗଳେଇ ବସିବ । ବର୍ଷକ ଭିତରେ ତୁ ଏଇ କାମନା କରୁଛୁ ?

 

ହଁରେ ଭାଇ ମୁଁ ତୋର ହିତ ଶତ୍ରୁ ହୋଇ ଏଇଆ ଦେଖିବାକୁ ଚାହୁଁଛୁ । କଅଁଳ ଛନ ଛନ ଫୁଲ ଆଗରୁ ହାତ ଧରା ହୋଇ ଆସୁ । ତା’ହେଲେ ମୁଁ ଆନନ୍ଦରେ ହାତ ମାଳି ଦେଇ ତୋ ବାହା ପରେ ପରେ କହିବି, ହିପ୍‌ ହିପ୍‌ ହୁରେ କାମଦେବ, ହିପ୍‌ ହିପ୍‌ ହୁରେ.....

 

।। ୪ ।।

 

ମନ ଉଚ୍ଛନ୍ନ ହେଲେ ସିନା ବାହା ହୋଇ ପଡ଼ନ୍ତି, କିନ୍ତୁ ତା ପରେ ଘର ସଂସାର କରିବା ଯେଉଁ କଷ୍ଟ ତାହା ପ୍ରାୟ ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଅନୁଭବ କରିଥିବେ ଆଉ କରୁଥିବେ । ଆଉ ଯିଏ ତ ଅମୂକ ବାପା କି ସମୁକ ବୋଉ ହୋଇ ସାରିଲାଣି ତାଙ୍କ କଥା ଛାଡ଼ । ଗୀତାବୋଉ ଯଦି କହିଲାଣି, ରଖ ହେ ଗୀତା ବାପା ତମ ଘର କରଣା, ମୋ ବାପ ଭାଇମାନେ ସଂସାରରେ ଘର କରୁଛନ୍ତି ମୁଁ ଖୁବ୍‌ ଦେଖିଛି । ଆଜି ମୋ ବାପଘରକୁ ମତେ ପଠେଇ ଦିଅ, ନ ହେଲେ ଦେଖିବ ତମର ଦିନେକୁ ମୋର ଦିନେ । ଗୀତାବାପା ଲେଉଟୀ ପଡ଼ି କହିଲାଣି ବୁଝିଲ ଗୀତାବୋଉ, ସେ ଧମକଗୁଡ଼ା କାହା ଆଗରେ ଦେଖାଉଛ ? ତେମେ ଆଜି ଚାଲିଗଲେ, କାଲି ପରା ଅଠର ମାଇକିନିଆ ମୋ ପଛରେ ଗୋଡ଼େଇବ । ସୁଲ ତା ଗେରସ୍ତକୁ କହୁଁଥିବ, ହଇଓ ତମ ହାତ ଧଇଲିଣି ଆସି ତିନି ବରଷ ହେଲା, କୋଉ କାଳେ ନା ବେଳେ ମୋତେ ଟିକେ ସିନେମା ନେଇଚ ? ସହରରେ ପଇଲେ କଣ ହେଲା ମୁଁ ଯେମିତି କୋଉ ଅପନ୍ତରା ଗହୀରର ଫୁଲ ? ଏତେ ଦୂରରୁ ଫୁଲ ଆଣି କେହି କଣ ଦେବ ଅର୍ଚ୍ଚନାରେ ମଣ୍ତନ କରିପାରେ ? ସୁଲ ଗେରସ୍ତ ବାବନା ସେଇ ଯୋଉ ସାବନା ବର୍ଣ୍ଣର ଟୋକା, ବରଷ ମୋଟେ ପଚିଶି ଭିତରେ, ନହକା ପାତଳା ଚେହେରା, ପିଲାଳିଆ ହସ, ଗାଲ ଦି’ଟା ଚିପିଲେ ଦୁଧ ବାହାରି ପଡ଼ିବ, ସେ ପୁଣି ସୁଲଭ ବ୍ଳାଉଜକୁ ଝିଙ୍କି ଦେଇ କହୁଥିବ, ହଇଲୋ ତୁ କଣ କହିଲୁ ? ଭଲ କରି ଟିକେ ମୋ କାନ ଭିତରେ ତୋ କଥା ପଶୁ ! ସିନିମା ? କି ସିନିମା ତେତେ ନେବି ବୋଲି କଉଚୁ ? ଏଇ ରାତିରେ ଟିକେ ତୋ ଦିହରେ ଡେରା ଦେଇ ମେସିନ୍‌ ଚଳଉଚି ବୋଲି ସେଇଥି ସକାଶେ ପାଉଣା ଦାବୀ କରୁଛୁ, ନୁହେଁ ? ମନ ମାରି ସୁଲ କର ଲେଉଟେଇ ଆଖି ମିଞ୍ଜି ମିଞ୍ଜି କରି ପକେଇବ । ଅଭିମାନ, ସତେ କି ଆଖି ଭିତର ଦେଇ ଅଭିମାନ ପଶି ଯାଉଚି ଆଉ ନିଦ୍ରା ଦେବୀଙ୍କୁ ଡାକି ଆଣି କହୁଛି, ଆଖି ଉପରେ ସେମିତି ପଡ଼ି ଖାଲି ଟିକେ ମିଛିମିଛିକା ଅଭିନୟ କରୁଥାଅ ମ । କିଏ ଆଉ ପାଟି ଫିଟଉଛି ।

 

ଗୀତା ବୋଉ ସୁଲ ପ୍ରଭୃତିଙ୍କ ଘରକରଣା ଦେଖି କାମଦେବ ଚମକି ପଡ଼ୁଥିଲା ସିନା, ହେଲେ ଆଜି ସେ ନିଜକୁ ଘର ସଂସାରର ନିଷ୍ପେଷଣ ମଧ୍ୟରେ ଦେଖି ଆବାକାବା ହୋଇଯାଉଛି । ବନ୍ଧୁ ହିସାବରେ ସୁବୋଧ ପାଖରେ ସେ ଯେଉଁ ସ୍ୱାଧୀନ ମନକୁ ଜାହିର କରି ଆସୁଥିଲା, ପତ୍ନୀର ପ୍ରାଣ ବନ୍ଧନୀ ମଧ୍ୟରେ ତାର ସେ ସ୍ୱାଧୀନତା କ୍ଷୁଣ୍ଣ ହୋଇଯାଉଛି । ମନଇଚ୍ଛା ଫୂର୍ତ୍ତି କରିବା, ଖେଳିବା କିମ୍ବା ନିର୍ଜନରେ ସଙ୍ଗୀତ ଆବୃତ୍ତି କରିବା ସେ ସବୁ ଆପେ ଆପେ ବନ୍ଦ ହୋଇ ଆସୁଛି ।

 

କାମଦେବ ଚାହୁଁଛ କାମିନୀକୁ ।

 

ଆର ଘର ଦୁଆର ମୁହଁରେ ଠିଆ ହୋଇ ସୁଜାତା ଭାଉଜ ଦେଖୁଛନ୍ତି । ହସୁଛନ୍ତି ସେମାନଙ୍କ ଦୃଷ୍ଟି ବିନିମୟ ଦେଖି । ସୁଜାତା ଇଙ୍ଗିତରେ କହୁଛନ୍ତି ହଁ ଗୋ, ହଁ, ସବୁଦିନେ ଏମିତି କିମିଆ କରି ଫାଶରେ ବାନ୍ଧ ପାରିଲେ ହେଲା । ନ ହେଲେ ଖୁଣ୍ଟରୁ ଫିଟିଯିବ ଯେ !

 

ଭାଉଜଙ୍କ ଥଟ୍ଟା ଶୁଣି କାମଦେବ ଲାଜରେ ବାହାରକୁ ଚାଲିଆସେ । ଅପେକ୍ଷା କରିଥିବ ସୁବୋଧ । ତା ସହିତ ଡାକ୍ତରଖାନାକୁ ଯିବାକୁ ହେବ ।

ଯେତେହେଲେ ସୁବୋଧକୁ ଦିନମାନରେ ଥିରେ ନ ଦେଖିଲେ ଖୁସି ନୁହଁ ବୋଲି କାମିନୀକୁ ବାରମ୍ବାର କହି ଆସିଛି ସେ, ଭାଉଜ ମଧ୍ୟ ବୁଝାଇ ଦେଇଛନ୍ତି ।

 

କିନ୍ତୁ ସୁବୋଧ କଣ କରୁଛି ?

 

ସୁବୋଧ ବନ୍ଧୁତାକୁ ଗୌଣ ଦୃଷ୍ଟିରେ ଦେଖୁଛି । ଘର ସଂସାରର ପ୍ରଶଂସା କରି ଗପୁଛି ।

 

ସେଇ ସୁବୋଧ ଇଏ ।

 

ସେଇ କୋଲିଖିଆ ଦିନର ସୁବୋଧ ।

 

କେତେ ବଦଳି ନ ଯାଇଛି ସତେ !

 

କାମଦେବ କେବେହେଲେ କାମିନୀର ଅଯଥା ପ୍ରଶଂସା ଗପି ନାହିଁ । ଯାହା କହିଛି ସାଧାସିଧା । ବନ୍ଧୁତାର ପ୍ରତିଷ୍ଠାକୁ ଦୃଢ଼ କରିବାକୁ ଯାଇ ସେ ଅନେକ ସମୟରେ ନିଜ ପରିସ୍ଥିତିକୁ ଭୃକ୍ଷେପ କରିଛି । ଆଉ ବିପଦକୁ ଡେଇଁ ପଡ଼ିବା ପାଇଁ ପଛଘୁଞ୍ଚା ଦେଇ ନାହିଁ ।

 

ସୁବୋଧ ଡାକି ଯାଇଛି ଡାକ୍ତରଖାନାକୁ ଯିବାପାଇଁ । ତା’ ସ୍ତ୍ରୀ ମିନାକ୍ଷୀର ପୁଅଟିଏ ହୋଇଛି । ମା’ ପିଲାଙ୍କର ଅବସ୍ଥା ଦେଖି ଆସିବା କଥା । କାମଦେବ ମନା କରି ନାହିଁ । କାମିନୀ ପାଖରୁ ନିବୃତ୍ତି ଆସି ସୁବୋଧ ନିକଟରେ ଉପସ୍ଥିତିର ବିବୃତ ଦାଖଲ କରିବା କଥା ଏହି ଯେ ସୁବୋଧ, ତୁ ଟିକେ ମୋ ଲାଗି ମୁହଁ ଫିଟେଇ ଶିବରାମ ବାବୁଙ୍କୁ ଆଜି ସନ୍ଧ୍ୟାବେଳେ କହିଲେ ମୋ ବାକିଆ ଟିଉସନ୍‌ଟଙ୍କା ମିଳି ଯାଆନ୍ତା । ମୁଁ ସେ ଟଙ୍କା ଆଣି ଭାଉଜଙ୍କ ଝିଅ ଦେବୀ ଓ ବାପାଙ୍କର ଔଷଧ କିଣନ୍ତି । ପାଖରେ ପଇସା ନାହିଁ, ଧାର ମାଗିଲେ ଚିହ୍ନି ଜଣା ସମସ୍ତେ ମୁହଁ ଆଡ଼େଇ ଦେଉଛନ୍ତି । କେହି କେହି ବନ୍ଧୁତା ଖାତିରିରେ ପାଖରେ ଥାଇ ମଧ୍ୟ ନାସ୍ତିବାଣୀ ଶୁଣାଉଛନ୍ତି । ପଇସାଟିଏ ପାଖରୁ ଚାଲିଯିବାକୁ ତ କେହି ସୁଖ ପାଆନ୍ତି ନାହିଁ, ବରଂ ସମସ୍ତେ ଇଚ୍ଛା କରନ୍ତି ଯେତେ ବାହାରୁ ଆସି ଅଣ୍ଟାରେ ଭରିହେଉ । ଜଡ଼ବାଦର ମଣିଷଙ୍କୁ ଟଙ୍କା ପଇସା ଯେମିତି ଦେବତାର ଶ୍ରେଷ୍ଠ ପ୍ରସାଦ ବୋଲି ଜଣାପଡ଼ୁଛି । ବନ୍ଧୁ ବାନ୍ଧବ, ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ମଧ୍ୟ ଏଇ ଅର୍ଥର ଦୂରବିସନ୍ଧି ନେଇ ମତାନ୍ତର ଘଟିଯାଉଛି ।

 

କାମଦେବ ଓ ସୁବୋଧ ଏଇ ପଇସାପତ୍ର ବିଷୟରେ ଅନେକ ଆଲୋଚନା ଆଗରୁ କରି ଯାଇଛନ୍ତି । କିନ୍ତୁ ଚାକିରୀ କଲାଦିନୁ କେହି କାହାକୁ ପରସ୍ପର ନିକଟରେ ହାତ ପତେଇ ନାହାନ୍ତି ।

 

ଅଭାବ ପଡ଼ୁଛି । ଦୁଃଖ ପଡ଼ୁଛି । ବିପଦ ଆସିବ, ବନ୍ଧୁ ଅନୁଭବ କରି ମାନସିକ କର୍ତ୍ତବ୍ୟ ପ୍ରୟୋଗ କଲେ କଣ ସେଇ ଯଥେଷ୍ଟ ନୁହେଁ ?

 

କାମଦେବ ଭାବୁଥିଲା ଯେ ସେ ସୁବୋଧକୁ ମନା କରିଦେବ । ଡାକ୍ତରଖାନାକୁ ସେ ଯାଇ ପାରିବ ନାହିଁ । କାରଣ ଶିବରାମ ବାବୁଙ୍କର ଦ୍ୱାରସ୍ଥ ହୋଇ ସେ ପୁଣି ବିନୟ ସହକାରେ କହିବ ତାକୁ ତାର ପାରିଶ୍ରମିକ ଦେଇ ଦେବା ପାଇଁ । ବାଟରେ ଅନ୍ୟମନସ୍କ ଭାବେ ସେଇ ଚିନ୍ତା କରୁଥିବା ସମୟରେ ସୁବୋଧ କହିଥିଲା, ମିନାକ୍ଷୀକୁ ଜନନୀ ଅବସ୍ଥାରେ ପ୍ରଥମ ଦର୍ଶନ କରିବୁ ବୋଲି ଲଜ୍ଜା ମାଡ଼ୁଛି କି ?

 

କାମଦେବ ଆଉ ଅନୁରୋଧ କରି ନ ଥିଲା ।

 

ମନ କଥା ମନରେ ରହିଥିଲା । ସନ୍ଧ୍ୟା ଅତିକ୍ରାନ୍ତ ପରେ ଫିକା ପଡ଼ିଆସିଲା ତା’ ହସ ଅସ୍ତର ଆନନ । ସଙ୍କୁଚିତ ହୋଇଗଲା ହୃଦୟର ପରିସର । ମିନାକ୍ଷୀର ସମ୍ମୁଖରେ ଦଣ୍ତାୟମାନ ହେବା କ୍ଷଣି କାମଦେବ କଳ୍ପନା କରିଥିଲା ଯେ କେତେ ସୁପାରିଶ ଶୁଣିବ ବନ୍ଧୁପତ୍ନୀଙ୍କଠାରୁ । ମିନାକ୍ଷୀ କହିବ ସିଆଡ଼େ କାମିନୀ ଦେବୀ ସବୁବେଳେ ବାନ୍ଧି ରଖୁଛନ୍ତି ନା କଣ ? ମୋଟେ ତ ଏଠିକି ଆପଣଙ୍କ ପାଦ ପଡ଼ୁନାହିଁ ? କାମଦେବ ମିନାକ୍ଷୀର ପାଖରେ ଥାଇ ଏଇ ଭାବନା ଖେଳାଇ ବସିବା ସମୟରେ, ସୁବୋଧ ନିଜର ବାହାଦୂରୀ ଗପି ସବୁ ପ୍ରତିହତ କରି ଦେଇଥିଲା ।

 

କାମଦେବ ମିନାକ୍ଷୀ ମୁହଁରୁ କିଛି ନ ଶୁଣିବାକୁ ପାଇ ତାର ନବଜାତକ ଶିଶୁ ସନ୍ତାନର ମୁହଁକୁ ସ୍ୱହସ୍ତରେ ଆଲିଙ୍ଗନ କରି ବସିଥିଲା । ତାପରେ ଦୁହେଁ ଫେରନ୍ତା ରାସ୍ତାରେ ମୁହଁ ବୁଲାଇଥିଲେ ।

 

ମିନାକ୍ଷୀ ଆଉ କାମିନୀ । ଦୁହେଁ ଦୁଇ ବନ୍ଧୁଙ୍କର ପତ୍ନୀ । ଦୁହେଁ ଶିକ୍ଷିତା, ଧନୀ ଘରର ଦୁଲାଳୀ । ହେଲେ କାମଦେବ ଓ ସୁବୋଧଙ୍କ ମଧ୍ୟରେ ଥିବା ବନ୍ଧୁତାକୁ ସେମାନେ କେଉଁ ଦୃଷ୍ଟିଭଙ୍ଗୀ ନେଇ ଅନୁମୋଦନ କରିଛନ୍ତି, ତାହା ଦେଖିବା କଥା ।

 

ସୁଜାତା ଭାଉଜଙ୍କ ଅସୀମ ସ୍ନେହ, ମମତାରେ ଅନୁରକ୍ତ କାମଦେବର ହୃଦୟକୁ ବହୁ ସମୟରେ ସେ ଖୋଲାଖୋଲି ଭାବେ ଘରେ ବାହାରେ ବ୍ୟକ୍ତ କରି ଆସିଛି । କାମିନୀର ହାତ ଧରି ସଂସାର କରିବାର ପ୍ରଥମ ଦିନଠାରୁ ଏ ପର୍ଯ୍ୟନ୍ତ ସେ ସବୁବେଳେ କହି ଆସୁଛି ଦେଖ କାମିନୀ, ମୁଁ କେବଳ ତୁମର ସ୍ୱାମୀ ନୁହେଁ, ଅନ୍ୟ ଜଣଙ୍କର ବନ୍ଧୁ ମଧ୍ୟ । ମୋ ମନୋବୃତ୍ତିକୁ ତୁମେ ସାହାଯ୍ୟ କର-। ଆମ ବନ୍ଧୁତାକୁ ସହାନୁଭୂତି ଦେଖାଅ ।

 

କାମିନୀ ସେଦିନ ମୁହଁ ଫିଟାଇ କହିଥିଲା ।

 

ଲାଭ ?

 

ଆହତ ପ୍ରେମିକ ଭଳି କ୍ରୋଧାନ୍ୱିତ ହୃଦୟରେ କାମଦେବ କମ୍ପି ଯାଇଥିଲା । ଅତି ଜୋରରେ ଆଘାତ ଦେଇ ସେ ଆକ୍ଷେପ କରିବାକୁ ପଛେଇ ନ ଥିଲା ।

 

ଲାଭ, କ୍ଷତିର ହିସାବ ମନେ ମନେ କରି ବସିଲେ ହୁଏ ନାହିଁ । କାର୍ଯ୍ୟରେ ସବୁ ଦେଖାଯାଏ । ସୁବୋଧ ବନ୍ଧୁ, କିନ୍ତୁ କାମିନୀ ପତ୍ନୀ ।

 

କାମିନୀ ସହିତ ଶାରୀରିକ ସମ୍ବନ୍ଧ ଯେତେ ବେଶୀ, ସୁବୋଧ ସହ ମାନସିକ ସମ୍ପର୍କ ତାଠାରୁ କୌଣସି ଗୁଣରେ କମ୍‌ ନୁହେଁ । ସ୍ୱାମୀକୁ ସ୍ୱାର୍ଥ ଦୃଷ୍ଟିରୁ ପତ୍ନୀମାନେ ଏ ଯୁଗରେ ଭଲ ପାଉଛନ୍ତି କିମ୍ବା ଭକ୍ତି କରୁଛନ୍ତି । କହିବାକୁ ଗଲେ ବନ୍ଧୁମାନେ ହେଉଛନ୍ତି ସ୍ୱାର୍ଥପର । ନିଜର ଫାଇଦା ଉଠେଇବାକୁ, ଟଙ୍କା ପାଇସାର ମନକୁ ଏପାଖ ସେପାଖ କରିବାକୁ ସେମାନେ ବନ୍ଧୁତାର ଅଭିଲିପ୍‌ସାକୁ ଅନ୍ତରରେ ଉଜ୍ଜୀବିତ କରିଥାନ୍ତି । ଆଜି ବିପଦ ପଡ଼ିଛି, ଚାଲ ବନ୍ଧୁକୁ ଟିକେ ମୁହଁରେ ସହାନୁଭୂତି ଦେଖାଇ ଆସିବା । ନ ହେଲେ କାଲି ସକାଳେ ତା’ ବିପଦ ଘୁଞ୍ଚିଯିବା ପରେ ଆମେ କେମିତି ତା’ ନିକଟରେ ସାହାଯ୍ୟ ପାଇଁ ହାତ ପତେଇବା ? ମୁହଁ ରଖିଥିଲେ ସିନା ବନ୍ଧୁତା ରହିବ, ନ ହେଲେ ତାହା ଭାଙ୍ଗିଯିବ ନାହିଁକି ?

 

କାମିନୀ କହିଥିଲା ମୁଁ ସବୁଦିନେ ଏଇ ମନକୁ ବିଶ୍ଲେଷଣ କରି ଆସୁଛି । ବାପା, ବୋଉ, ଦେଈ, ବେବୀ ସମସ୍ତେ ଅବଶ୍ୟ ସୁବୋଧ ସହିତ ତମର ବନ୍ଧୁତାକୁ ସମର୍ଥନ କରି ଆସୁଛନ୍ତି, ସୁବୋଧର ମହତ ଗୁଣକୁ ପ୍ରଶଂସା କରି ଆସୁଛନ୍ତି । ହେଲେ ମୁଁ ତୁମ ଦୁହିଁଙ୍କ ବନ୍ଧୁତାକୁ ଭାଙ୍ଗି ଦେବାକୁ ପ୍ରଶ୍ରୟ ଦେଉ ନାହିଁ ଯେ, ମୁଁ କହୁଛି ଏ ଯୁଗରେ ତୁମେ ଯେମିତି ସ୍ୱାମୀମାନଙ୍କ ହେଉଛି ବାପା ଭାବରେ । ହସି ହସି ଫାଟି ପଡ଼ୁଛି ସେ ।

 

ଓ, ବାପା ହୋଇଯାଇଛି ନା, ସେଇଲାଗି କଳରୁ ହସ ବୋହି ପଡ଼ୁଛି ।

 

କାମଦେବ ସେତେବେଳ ପର୍ଯ୍ୟନ୍ତ ବାପା ହୋଇ ନାହିଁ । ବିବାହର ତିନି ବର୍ଷ ମଧ୍ୟରେ ତା’ ଆକୁଳିତ ପିତୃତ୍ୱ ଉପରେ ଅଭିମାନର ଉଶୀର ବର୍ଷଣ କରି କାମିନୀ କହିଛି, ଛି; ତୁମେ ଏମିତି ପିଲାଙ୍କ ପରି ହେଲେ ଲୋକେ କଣ ଭାବିବେ ? ସୁବୋଧ ମିନାକ୍ଷୀଙ୍କର ପୁଅ ହେଲା । ତୁମଠାରୁ ପୁଅ ହେବାବେଳ କଣ ଖସି ଗଲାଣି ? ବେବୀକୁ ତୁମରି ସନ୍ତାନ ଭାବି ତାକୁ ନିଜ ତରଫରୁ ପିତାର ଗୌରବ ଅର୍ପଣ କଲେ ସେଇ କଣ ଯଥେଷ୍ଟ ହେବ ନାହିଁ ? ସୁନା ପିଲାଙ୍କ ପରି ଅମାନିଆ ମନଟା ତାର ଆନନ୍ଦରେ ପୂରି ଉଠିଥିଲା । ସୁବୋଧଠାରେ ଅନେକ ଟିକି ନିଖି ହାବଭାବ ବନ୍ଧୁ ହିସାବରେ ପରିଲକ୍ଷଣ କରି ଚହଲି ଯାଇଥିଲା ସେହି ଦିନଗୁଡ଼ିକ ।

 

ବେଶୀ ଅତୀତ ହୋଇ ନାହିଁ ସମୟ । ମୋଟେ ଏଇ ଆଖି ଝଲସା ଦୁଇଟା ବର୍ଷ । ତା, ମଧ୍ୟରେ ଦୁହେଁ ଦୂରକୁ ପେଟ ନିମନ୍ତେ ବିଚ୍ଛିନ୍ନ ହୋଇ ଯାଇଛନ୍ତି । ଆପଣା ଭିତରେ ଥିବା ମୌଳିକ ମନୋବୃତ୍ତିକୁ ନେଇ ଦୁହେଁ ଯେଝା ଯେଝା ଯେଝାର ସଂସାର ତରୀ ବାହୁଛନ୍ତି ।

 

ସମୟର ସୁକାନୀରେ ଯେମିତି ସମସ୍ତଙ୍କ ତରୀ ଚାଲୁଛି ସେମିତି ।

 

।। ୫ ।।

 

ନବ ବର୍ଷର ପ୍ରଥମ କେତୋଟି ଦିନ ଅତିବାହିତ ହୋଇଗଲେ ଆସ୍ତେ ଆସ୍ତେ ସବୁ ପୁରୁଣା ଲାଗେ । ଗଲା ବର୍ଷର ବୋଝ ମୁଣ୍ତରୁ ଖସି ଯାଇଁ ମନରେ ଯେଉଁ ଆଶ୍ୱସ୍ତି ଆସେ ତାହା ପୁଣି ଆଗାମୀ ବର୍ଷର ଭାଗରେ କ୍ଳାନ୍ତିର ସନ୍ଦେଶ ବହି ଆଣେ । ଅତୀତ ଯାଉଛି ଯାଉ । ଭାବିଲେ ଓ ଆଉ ବର୍ତ୍ତମାନ ସ୍ତରକୁ ସେ ଫେରି ଆସିବ ନାହିଁ ? କିନ୍ତୁ ଆଘାତ ପାଇଲେ ମଣିଟି ଭାବେ । କାମଦେବ ଭାବୁଛି, ଆଉ ତା’ପରି ଯେତେ ମଣିଷ ଦୁନିଆରେ ଅଛନ୍ତି, ସମସ୍ତେ ଭାବୁଛନ୍ତି, ଅତୀତ କେଡ଼େ ନିଷ୍ଠୁର ନୁହେଁ ସତେ ! ଛୁଇଁ ଯାଉଛି ଦେହକୁ କାଟି ଦେଉଛି ମନକୁ ।

 

ସୁବୋଧ ଥେସିସ୍‌ ଲେଖି ଡକ୍‌ଟରେଟ୍‌ ପାଇବାକୁ ଯାଉଛି । ମିନାକ୍ଷୀ ଲେଖିଛି କାମିନୀ ନିକଟ, ଉପାଧି ଲାଭ କରିବା ଉପଲକ୍ଷେ ଏକ ଭୋଜିର ଆୟୋଜନ ହେଉଛି । ତମେ ଦୁହେଁ ନିଶ୍ଚୟ ଆସିବ ।

 

କାମଦେବ ଚିଠିଟି ପଢ଼ି ସେଇ କଥା ଚିନ୍ତା କରିବାକୁ ଲାଗିଲା । ଅତୀତ ହୋଇ ଯାଇଥିବା ଦିନଗୁଡ଼ିକର ଭିର୍ତ୍ତି ଉପରେ ବର୍ତ୍ତମାନର ପାଦ ଧରି ସୁବୋଧ ଅବଶ୍ୟ ଆରୋହଣ କରିବାକୁ ଚେଷ୍ଟା କରୁଛି । ପ୍ରତ୍ୟେକ ଭୂମିକା ପାଇଲେ ସେମିତି କରନ୍ତି । ଦିଦି ତାର ଯେତେବେଳେ ଜଣେ ଗଣ୍ୟମାନ୍ୟା ନାରୀ ନେତ୍ରୀ, ସେ ତେଣୁ ପଛେଇ ଯିବ କେଉଁ ଆଶଙ୍କାରେ ?

 

ସୁବୋଧ ବାବୁ ଆଉ ମିନାକ୍ଷୀ ଦେବୀ ସମତାଳରେ ଅଗ୍ରଗତି କରି ଚାଲିଛନ୍ତି । ଆଶାର ନିଶୁଣୀରେ ନିରାଶାର ଶୂନ୍ୟତାକୁ ଉପହାସ କରି ସମୟର ନିମ୍ନନଦୀଧାର ଉପରେ ଘୃଣାର ଛେପ ପକାଇ ଯାଉଛନ୍ତି । ପଦବୀର ମୋହ ଅନ୍ଧ କରି ଦେଇଛି ସେମାନଙ୍କୁ । ବର୍ତ୍ତମାନର କାଚରେ ଅତୀତର କୁହୁଡ଼ି ଲାଗିଲେ ତାକୁ ବା ବୁଝିବାର ସମୟ କାହିଁ ? ମନ କାହିଁ ?

 

କାମଦେବ କହୁଛି କାମିନୀ, ସୁବୋଧ ଡକ୍‌ଟରେଟ ପାଉଛି ବୋଲି ବେଶୀ ଗର୍ବ ଅନୁଭବ କରୁଥିବ ମିନାକ୍ଷୀ, ନୁହେଁ ? କାମିନୀ କାମଦେବ ମନରେ ଭାଙ୍ଗ ପଡ଼ି ଯାଉଥିବା ମାନବିକ ଦର୍ଶନର ଲକ୍ଷ୍ୟରେ ବିବ୍ରତ ହୋଇ ଅତିଶୀଘ୍ର ନିଜକୁ ଆତ୍ମପ୍ରକାଶ କରି ଦେଉଛି ।

 

ତୁମେ ତଥାପି ଅବୁଝା ହେଉଛ ? ଥରେ ପରା କହିଛି ପ୍ରତ୍ୟେକ ପ୍ରତ୍ୟେକଙ୍କ ଭାଗ୍ୟ ନେଇ ସଂସାରରେ ଜନ୍ମଗ୍ରହଣ କରିଛନ୍ତି । ସାଙ୍ଗ ସୁଖ, ଆତ୍ମୀୟସ୍ୱଜନ ଯିଏ ହୁଅନ୍ତୁ ନା କାହିଁକି, ସମସ୍ତେ କେବଳ ସ୍ୱାର୍ଥର ସାଥୀ । ହୃଦୟର ନୁହନ୍ତି । ମନରେ ଅନେକ ଉପଦେଶ ଦେଇ ପାରନ୍ତି, ଦେଖେଇ ହୋଇ କେବେ କେବେ ପକେଟରେ ଜବରଦସ୍ତି ଟଙ୍କା ଭରି ଦେଇ ପାରନ୍ତି, ହେଲେ ଅନ୍ତରର ସମୁଚିତ ଯୋଗାଯୋଗ ରକ୍ଷା କରିବାକୁ ସେମାନେ କେବେହେଲେ ସ୍ୱାର୍ଥ ତ୍ୟାଗ କରନ୍ତି ନାହିଁ ।

 

ସୁବୋଧଙ୍କର ପୁଅ ହେଲା । ସେ ଡକ୍‌ଟରେଟ୍‌ ପାଇଲେ । ମିନାକ୍ଷୀ ତାଙ୍କର ସ୍ତ୍ରୀ ରୂପେ ମହିଳା ମହଲରେ ଉଚ୍ଚ ପ୍ରଶଂସିତ ହେଲା । ସେଥିରେ ଦୁନିଆରେ ଅନ୍ୟମାନଙ୍କର ଲାଭ କଣ ? ନାହିଁ ନ ଥିବାର ଭୂମିକା ନେଇ ତ ମଣିଷ ପାଦ ବଢ଼ାଇ ଚାଲୁଛି ?

 

ତୁମେ ଚାଲୁଛ, ମୁଁ ଚାଲୁଛି । ଦୁନିଆରେ ଆମମାନଙ୍କ ପରି ଯେତେ ସମସ୍ତେ ଚାଲୁଛନ୍ତି, ପୁଣି ଚାଲୁଥିବେ । ଥକି ପଡ଼ିବାର ବେଳ ଆସିଲେ ବଳେ ଥକି ପଡ଼ିବେ ଯେ ! ତାରି ଭିତରେ ଉତ୍‌ଥାନ ପତନ ଲାଗି ରହିଛି । ଆଜି ଯିଏ ଉପାଧି, ଶକ୍ତି, ଜ୍ଞାନ ଗାରିମାରେ ବଡ଼ ହୋଇ ଯାଇଛି, କାଲି ତାକୁ ଅସହାୟ ଅବସ୍ଥାରେ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳୁଛି । ତେଣୁ ଅନ୍ୟକୁ ଦେଖି ଆପଣା ମନରେ କୌଣସି ଚିନ୍ତାଧାରା ଖେଳାଇବା ଉଚିତ ନୁହେଁ । ହସି ଦେଉଛି କାମିନୀ । ପଣତର ଖିଅକୁ ଦାନ୍ତରେ ଚୋବାଇ ପିଲାଙ୍କ ଭଳି ହସୁଛି ।

 

କାମଦେବ ମନରେ ଅସଂଖ୍ୟ ନିର୍ଜନତାର ଅଭିମାନ । କେଡ଼େ ବକଟେ ପିଲା ସୁବୋଧ, କାଲି ସକାଳେ ହାଫପ୍ୟାଣ୍ଟ ପିନ୍ଧି, ଆଖିରେ କଳା ନାଇ ମାଇପଙ୍କ ଭଳି ବୁଲୁଥିଲା । ଆଜି ସେ ନିଜ ରକ୍ତକୁ ଏକ ପୁଅ ଜନ୍ମ ଦେଇ, ଡକ୍‌ଟରେଟ୍‌ ଉପାଧି ପାଇବାକୁ ବସିଲାଣି ?

 

ସୁବୋଧ ଅଭିମାନ କରୁ ନାହିଁ । କର୍ତ୍ତବ୍ୟର ଚାପାରେ କାମଦେବ ପାଖକୁ ଆସି ନ ପାରିଲେ, ଚିଠିରେ ସବୁ କଥା ଜଣାଇ ଦେଉଛି । କୋଳିଖିଆ ଦିନର ସରହଦ ଟାଣି ବାଡ଼ିରେ ଦେଖେଇ ଦେଉଥିବା ବେଳେ ଯେମିତି ଜିଗର କରି କହୁଥିଲା ଆଜି ଅବଶ୍ୟ ତାର ସେ ଢଙ୍ଗ ବଦଳି ନାହିଁ । ସେଇ ପିଲାଳିଆ ଢଙ୍ଗ, ପିଲାଳିଆ ଚେହେରା । ପୁଅକୁ କାଖେଇ ମିନାକ୍ଷୀ ପାଖରେ ଟାଣରେ ବାପା ବୋଲି ଗର୍ବ କଲେ କଣ ହେଲା, ଟିକେ ମୁଚୁକୁନ୍ଦ ହସ ହସି ଦେଲେ ସେଇଥିରେ ସବୁ ଭୁଲି ହୋଇଯାଏ । କ୍ରସ୍‌ ହୋଇଯାଏ ଅତୀତ ଆଉ ବର୍ତ୍ତମାନ ।

 

ସୁବୋଧ କାମଦେବ ନିକଟ ଆସିଲେ କହେ ତା’ ଘର ସଂସାର ମଧ୍ୟରେ ପୁଅ ଟୁକୁ କେଡ଼େ ମନୋରମ ଆକର୍ଷଣ ହୋଇଛି, ଅଝଟ କରି ସଦା ସର୍ବଦା ଖାଲି ତାରି ଆଡ଼କୁ ହାତ ବଢ଼ାଉଛି କାଖ ହେବା ଲାଗି । ତାରି ଗଜା ନିଶ କେରାକୁ ପାପୁଲି ହାତରେ ସାଉଁଳେଇ ଆଣିଲା ବେଳେ ସୁବୋଧ ହୃଦୟରେ ଯେଉଁ ସ୍ପନ୍ଦନ ଜାତ ହେଉଛି, ଆଃ, ଭାଷାରେ ତାହା ବର୍ଣ୍ଣନା କରି ହେଉ ନାହିଁ । ପୁଅ ତା’ ଦେହରେ ମୁତି ପକେଇବାରେ, ଆଉଜି ପଡ଼ିବାରେ ଯେତେ ସ୍ପର୍ଶ ଅନୁଭୂତ ହେଉଛି, ତାହା ତାକୁ ସ୍ୱତଃ କାହିଁ କେଉଁ ଆନନ୍ଦମୟୀ ପୁରକୁ ଟେକି ନେଇ ଯାଉଛି । ସୁବୋଧ ପୁଣି ନିଜର ବାହାଦୂରୀ ଗପେ ମିନାକ୍ଷୀକୁ ବିକେନ୍ଦ୍ରୀକରଣ କରି ମିନାକ୍ଷୀର ପ୍ରେମ, ସୁହାଗ ତାକୁ ଏତେ ଅଭିଭୂତ କରି ପକାଉଛି ଯେ ସେ ଦୁଃଖ ବୋଲି କିଛି ଅନୁଭବ କରି ପାରୁ ନାହିଁ । ଦୁହେଁ ଦୁହିଁଙ୍କ ପୋଷାକପତ୍ର ପିନ୍ଧେଇ ଖୋଲି ଦେବାରେ ମଧ୍ୟ ଅବହେଳା କରୁ ନାହାନ୍ତି । ଆନନ୍ଦ କୁଆଡ଼େ ସେଇ ଦୁଇଜଣଙ୍କ ମଧ୍ୟରେ ସୀମିତ ।

 

ହେଉ ।

 

ସମୟ ବହି ଚାଲୁଛି । ସୁବୋଧ ମନର ରଙ୍ଗ କେଉଁଆଡ଼େ ଗତି କରୁଛି ଦେଖାଯାଉ ।

 

କାମିନୀ ମନରେ ମୋଟେ ଦୁଃଖ ନାହିଁ, ଚିନ୍ତା ନାହିଁ, ବରଂ ଅଛି ଆଗାମୀ ଭବିଷ୍ୟତ ଲାଗି ଆଶା ଆକାଂକ୍ଷାର ଉଦ୍ଦୀପନା । କାମଦେବର ମୁହଁରେ ହସର ରେଖା ଫୁଟି ଉଠୁଛି । ଭାବନାର ଅନୁପ୍ରାସରେ ମୋଡ଼ ଦେଇ ସେ କହୁଛି, ହଁ, ସଂସାର ପାଇଁ ଏମିତି ଠିକ୍ ହେଲେ ହେଲା-। ସବୁ ସ୍ୱାମୀ ଆପଣା ସ୍ତ୍ରୀଙ୍କ ମନର ଦେବତା, ଆଉ ସ୍ତ୍ରୀମାନେ ହିଁ ସ୍ୱାମୀମାନଙ୍କର ଦେବୀ-

 

କାମିନୀ ସେଇ ଦୃଷ୍ଟିରୁ ତା’ ମନ ମନ୍ଦିରର ଦେବୀ । ମିନାକ୍ଷୀଠାରୁ ସେ ବହୁ ଉଚ୍ଚରେ । ତା’ ଆଦର୍ଶର ଜୀବନ୍ତ ପ୍ରତିଫଳନରେ ଉଦ୍‌ବୁଦ୍ଧ ହୋଇ କାମଦେବ ସମୟର କାଗଜରେ ତା’ ଆତ୍ମଜୀବନୀ ଲେଖୁଛି । ସେଇ ହିଁ ତା’ ପକ୍ଷରେ ଯଥେଷ୍ଟ ଆଶ୍ୱାସନା, ଅନେକ ଆନନ୍ଦର ଅଫୁରନ୍ତ ଗନ୍ତାଘର ।

 

କାମିନୀ ଆଶ୍ଚର୍ଯ୍ୟରେ ଚମକେଇ ଦେଲା କାମଦେବକୁ । ଶୁଣିଲଣି, ତମର....... । ଆଉ କହି ପାରିଲା ନାହିଁ ସେ । ସରମଜିଣା ହସ ମରମକୁ ଛୁଇଁ ଯାଉଛି ତାର । ସେ...ହଁ, ହଁ ସେ...ସେ ମା ହେବାକୁ ଯାଉଛି । କାମିନୀ କଳ୍ପନାର କଳ୍ପଲୋକରେ ବୁଲୁଛି ।

 

ଦେଖୁନ, ହାତ ମାରୁନ, ମୋ ଦେହରେ । ନାଇଁ, ନାଇଁ ତମେ, କିଛି ନୁହଁ । ତମେ ଅନାଡ଼ୀ । ସ୍ୱାମୀ ହୋଇ କେବଳ ଅପର ସ୍ୱାମୀର ରୂପ ଦେଖି ଜାଣିଛ । ମନ ଦେଖି ନାହଁ । ତା’ ତନୁ ଦେଖି ନାହଁ । ଆଉ ନିଜ ପତ୍ନୀର ଦେହକୁ ଦାହିକା ଶକ୍ତି ନେଇ କେବେ ଅନୁଧ୍ୟାନ କରୁଛ ? ତା ବି ନୁହେଁ ।

 

ତୁମେ ଖାଲି.....

 

ହଁ, ହଁ, ତୁମେ ଖାଲି ସ୍ୱାମୀ ରୂପେ ନିଜକୁ ଦେବତା ବୋଲି ବୁଝିଛ ନା ?

 

କାମିନୀ !

 

ହାତକୁ ଟାଣି ନେଇଥିଲା କାମିନୀ ।

 

କାମଦେବର ହାତକୁ ଟାଣି ନେଇ ନିଜ ଦେହରେ ଛୁଆଁଇ ଦେଇଥିଲା ।

 

ଦେଖୁଛ ?

 

ଉହୁଁ.......

 

କିଛି ଅନୁଭବ କରିପାରୁଛ ?

 

ହେ, ତମେ......

 

ହଁ କଣ କହିବାର ଯେବେ ଭଲ କରି କହୁନ ! ପୁରୁଷ ତମେ, ନାରୀ ଆଗରେ କଥା କହିଲା ବେଳକୁ ଏତେ ସରମ ବାହାରୁଛି ?

 

କାମଦେବ କହିଥିଲା, ନାଇଁମ, ଏଇ ପିଲା ପେଟରେ ଥିବା କଥା ପାଟିରେ କହିବାକୁ ସରମ ମାଡ଼ୁନାହିଁ ଯେ, ଭାବୁଛି ମିନାକ୍ଷୀ ଦେବୀଙ୍କର ବିପକ୍ଷ ବାଣ ଅତି ଟାଣରେ ତମଠେଇଁ ବାଜି ଯାଇଛି । ଯାହାକୁ ତମେ ସହ୍ୟ କରି ପାରିଲ ନାହିଁ ବୋଲି ସେ ପରିବର୍ତ୍ତିତ ରୂପ ଧାରଣ କରି ତମରିଠାରେ ଗର୍ଭ ଧାରଣ କରି ରହିଛି । ଋତୁର ପରିବର୍ତ୍ତନ ନେଇ କାମିନୀର ମନରେ ଯେ ଅସଂଖ୍ୟ ପରିବର୍ତ୍ତନର ଢେଉ ଖେଳି ଯାଉଥିଲା ତାହା କାମଦେବ ତା’ ମନସଚକ୍ଷୁରେ ଦେଖି ପାରୁଥିଲା । ସୁବୋଧ ବାପା ହେବାର ସୁଆଦ ଚାଖିବାରେ ସେ ଯେତେ ବିବ୍ରତ ହୋଇ ପଡ଼ୁଥିଲା, ଆଗାମୀ ଭବିଷ୍ୟତରେ ନିଜ ସଂସାରର ନିଦ୍ରିତ ଅଙ୍କ ଯେ ସେଇ ସୁଆଦର ପରଶରେ ଚେଇଁ ଉଠି ତାକୁ ମତୁଆଲ କରି ପକାଇବ, ତାହା କଳ୍ପନା କରି ସେ ବେଶ୍‌ ଆନନ୍ଦ ପାଉଥିଲା । ପିତା ହେବାର ଆନନ୍ଦ ଆଉ ଏଣିକି ସୁବୋଧର ଏକଚାଟିଆ ଅଧିକାର ନୁହେଁ । କାମଦେବର ମଧ୍ୟ ସେଥିରେ ଭାଗ ଅଛି । କାମିନୀର ଔରସ ଆକାଶରେ ଆଉ କେଇଦିନ ପରେ ମିଛ ବନ୍ଧ୍ୟାର ଅନ୍ଧକାରକୁ ବିଦୂରୀତ କରି ସେ ମଧ୍ୟ ପିତା ରୂପକ ଚନ୍ଦ୍ର ରୂପେ ପୂଜା ପାଇବ ।

 

କାମିନୀର ସନ୍ତାନ ପ୍ରସବ କରିବାର ଦିନ ଯେତିକି ପାଖେଇ ଆସୁଥିଲା, ସେତିକି ସେ ନିଜ ଗର୍ଭରେ ଯନ୍ତ୍ରଣା ଅନୁଭବ କରୁଥିଲା । କାମଦେବ ଅଫିସକୁ ଚାଲିଯିବା ପରେ ତା’ ଦେହ ମୁଣ୍ତ ଦେଖିବାକୁ ପାଖରେ କେହି ନ ଥିଲେ । ଏଇ ଚାକର ଟୋକା ଗୋପାଳ, ସେ ବା ବୁଝିଛି କଣ ? ପିଲାଟା ମୋଟେ ତେର ଚଉଦ ବର୍ଷର, ତେବେ ବି କାମିନୀ କହୁଥିଲା, କିଛି ବ୍ୟସ୍ତ ହୁଅନା । ମୁଁ ଠିକ୍‌ ଅଛି । ମେଡ଼ିକାଲରେ ଯାଇଁ ଆଡ୍‌ମିସନ୍‌ ହେବା ଦିନ ପର୍ଯ୍ୟନ୍ତ ମୁଁ କ୍ଷମତା ଅନୁଯାୟୀ ଖଟୁଥିବି-। ଘରୁ କାହାକୁ ଆଣିବା ଉଚିତ ନୁହେଁ । ବୋଉ, ବାପାଙ୍କ ସେବା ସୁଜାତା ଅପା କରୁଛନ୍ତି-। ବେବୀ ମଧ୍ୟ ତାଙ୍କୁ ଯଥେଷ୍ଟ ସାହାଯ୍ୟ କରୁଛି । ତା ଛଡ଼ା ତାର ସ୍କୁଲ ବନ୍ଦ କରି ସେ ଏଠାକୁ ଆସିଲେ କେତେ ପଢ଼ା ନଷ୍ଟ ନ ହେବ ?

 

କାମଦେବ କିନ୍ତୁ କାମିନୀର ପ୍ରସ୍ତାବରେ ମୋଟେ ରାଜି ହେଲା ନାହିଁ । ସେ ଘରକୁ ଚିଠି ଦେଇ ସୁଜାତା ଭାଉଜଙ୍କୁ ନେଇ ଆସିଲା ।

 

ସୁଜାତା ଭାଉଜଙ୍କ ପାଖରେ କାମିନୀର ଦିନଗୁଡ଼ିକ ଅବସନ୍ନ ମନରେ ଅତିବାହିତ ହେଇ ଯାଉଥିଲା । ସୁଜାତା କେଉଁ କାମରେ ତାକୁ ହାତ ଦିଆଇ ଦେଉ ନ ଥିଲେ ବୟୋଧିକ ମାନ୍ୟ ହିସାବରେ କାମଦେବ ଭାଉଜଙ୍କୁ ଯେଉଁ ଦେଉ ନ ଥିଲେ ବୟୋଧିକ ମାନ୍ୟ ହିସାବରେ କାମଦେବ ଭାଉଜଙ୍କୁ ଯେଉଁ ସମ୍ମାନ, ଭକ୍ତି ପ୍ରଦର୍ଶନ କରୁଥିଲା, କାମିନୀ ତାଙ୍କ ପାଖରେ ଥାଇ ତାହାକୁ କୌଣସି ଗୁଣରେ ନ୍ୟୂନ କରୁ ନ ଥିଲା ।

Unknown

 

ବେଳେ ବେଳେ କାମଦେବ ଅନ୍ୟ ଅର୍ଥରେ କାମିନୀର ସଂଳାପକୁ ମନେ ମନେ ଗ୍ରହଣ କରି କୁହେ, ତୁମେ ତାହେଲେ ଭାଉଜଙ୍କୁ ସନ୍ଦେହ କରୁଛ ?

 

ମାନେ ?

 

ଏଇ ତାଙ୍କ କାର୍ଯ୍ୟ କଳାପ କିମ୍ବା ଚରିତ୍ରକୁ ଦୃଷ୍ଟି ନିକ୍ଷେପ କର ।

 

ଜିଭ କାମୁଡ଼ି ପକାଏ କାମିନୀ । ଆହା, ଏତେ ବଡ଼ କଥା ସେ ତୁଣ୍ତରେ କେମିତି ଧରିବ ମ ! ନାଟକୀୟ ଭଙ୍ଗୀରେ ଟିକେ ଖୁସି କରିବାକୁ ସେମିତି କହିଦେଲା ନା । ହେଉ କାନ ମୋଡ଼ି ହେଉଛି, ଆଉ ଭାଉଜଙ୍କ ଲାଗି କେବେ କେଉଁଦିନ ଦରଦ ପ୍ରକାଶ କରିବ ନାହିଁ । କାମଦେବ ଦେଖିଲା, ସହ ଶଯ୍ୟାର ବିଳାସରେ କାମିନୀର ମନରେ କେମିତି ଏକ ଆଘାତର ଭାଙ୍ଗ ପଡ଼ି ଯାଇଛି । ତା’ ଶୀଳ ଶୀତଳ ଆଖିରେ ପାଣିର ଝରଣା ଜକେଇ ଆସୁଛି । ସେ ପ୍ରକୃତରେ ସୁଜାତାଙ୍କୁ କେବେ ସନ୍ଦେହ କରି ନ ଥିଲା କି ଆଜି କରୁ ନାହିଁ । ସୁଜାତା କଣ କେବଳ ବେବୀର ମା, ତାର ମା ହେବାର ଯୋଗ୍ୟ ନୁହନ୍ତି ? ବୈଶାଖୀ ଝଞ୍ଜାରେ ଶୁଣି ଝଡ଼ିଯାଇଥିବା ତାଙ୍କ ଦେହ ଯୌବନର ଗାଲାପକୁ ବିଲୋକନ କରି କାମିନୀ ଆଖିରେ ଦରଦର ଅଶ୍ରୁକଣା ଜମି ଆସେ । ସେ ଭାବେ ଭଗବାନ ପ୍ରକୃତରେ ନିଷ୍ଠୁର । ସୌନ୍ଦର୍ଯ୍ୟକୁ ସେ ସବୁବେଳେ ଈର୍ଷା କରଥାନ୍ତି । ନ ହେଲେ ସୁଜାତାଙ୍କ ଦେହ ଅଙ୍ଗନକୁ ଅଲଙ୍କାରଶୂନ୍ୟ କରି ସେ ପଥର ଦୃଷ୍ଟିରେ ଚାହିଁ ରହିଥାଆନ୍ତେ କାହିଁକି-?

 

କାମିନୀର କଥାରେ ମଧୁର ମିଶା ଅଲୌକିକତାକୁ ଉପଲବ୍‌ଧି କରି କାମଦେବର ମନରେ ଅନେକ ଜାଗରଣ ସୃଷ୍ଟି ହୋଇଗଲା । ସୁଜାତା ଭାଉଜଙ୍କୁ କାମିନୀ ଠିକ୍‌ ବୁଝିଛି, ଠିକ୍‌ ସମ୍ମାନ ଦେଉଛି ! ଅପବାଦ ଦେବାର ଶକ୍ତି ତାର କାହିଁ ? ଦୁର୍ବଳ ଯିଏ, ସେ ଅନ୍ୟର ଦୁର୍ବଳତା ଖୋଜେ । ରୋଗୀ ଯିଏ, ସେ ନୀରୋଗୀର ସଂସ୍ପର୍ଶରେ ଆସି ତାକୁ ରୋଗଗ୍ରସ୍ତ କରିବାକୁ ଇଚ୍ଛା କରେ । କାମିନୀ ଶକ୍ତ, ଦୃଢ଼, ବଜ୍ର ପରି କଠିନ । ଅନ୍ୟର ଧନ, ମାନ ଆଉ ଗର୍ବରେ ଚହଲି ଯିବାର ଆଶଙ୍କା ତାର ନାହିଁ । ସେ ନିଜ ଆଖିକୁ ସର୍ବୋତ୍କୃଷ୍ଟ ଚଷମା ବୋଲି ଭାବି ତାରି ମାଧ୍ୟମରେ ଅନ୍ୟମାନଙ୍କର ଗତିବିଧି ଲକ୍ଷ୍ୟ କରୁଛି । ପୁଣି ବେଳକାଳ ଦେଖି ନିଜ ସହିତ ତାହା ମିଳାଇ ବସୁଛି-

 

ଧନ୍ୟ ମନେ କରୁଛି କାମଦେବ । ତାର ସଂସାର ଛୋଟ ହେଉ, ଅଭାବ ଅନାଟନରେ ଜଡ଼ିତ ହେଉ ପଛେ, ସେ ଚାହେଁ ଘର ଭିତରେ ସମସ୍ତେ ସମସ୍ତଙ୍କୁ ଠିକ୍‌ ବୁଝି ଆଗେଇ ଚାଲନ୍ତୁ । ସେଇଥିରେ ଆନନ୍ଦ ଅଛି, ପବିତ୍ରତା ଓ ମୁକ୍ତିର ସନ୍ଧାନ ମିଳି ପାରିବ । କାମଦେବ କାମିନୀକୁ ଆଦର୍ଶ ସ୍ୱାମୀ ସ୍ତ୍ରୀର ଉଦାହରଣ ଦେବାବେଳେ ରାତିରେ ଚୁପ୍‌ ଚୁପ୍‌ କରି ବହୁ ସ୍ୱାମୀ ସ୍ତ୍ରୀଙ୍କ କଥା କହିଛି । ଯେଉଁମାନେ କି ଦୁନିଆରେ କେବଳ ଆପଣା ମନକୁ ବୁଝିଛନ୍ତି, ଅଥଚ ତାଙ୍କ ଦେହ ଅଂଶୀଦାରର ମନ ବୁଝିବାକୁ ସକ୍ଷମ ହୋଇ ନାହାନ୍ତି ।

 

ସ୍ତ୍ରୀମାନଙ୍କ କଥାରେ ଚାଲିଲେ କୁଆଡ଼େ ସ୍ୱାମୀମାନଙ୍କୁ ମାଇଚିଆ କୁହାଯାଏ । ସେଥି ସକାଶେ ଗୀତା ତା’ ସ୍ୱାମୀ ଅକ୍ଷୟକୁ ଚିଡ଼ାଉଥିବାର ସେ ଶୁଣିଛି । କିନ୍ତୁ ସମାଲୋଚନା କରୁଥିବା ଲୋକମାନଙ୍କୁ ସେ ଯେବେ ଆକ୍ଷେପ କରି ପଚାରନ୍ତା, ହଇଓ ସ୍ୱାମୀମାନେ, ତେମେମାନେ କଣ ମାଇଚିଆ ନୁହଁ ? ସଦାସର୍ବଦା ମର୍ଦ୍ଦାନି ଦେଖେଇ ସ୍ୱୀମାନଙ୍କ ମନକୁ ପାପ ତୁଳସୀରେ ସନ୍ତୁଷ୍ଟ କରି ରଖୁଛ, ତାହେଲେ ପ୍ରକୃତ ଉତ୍ତର ମିଳି ଯାଆନ୍ତା । କାମଦେବ ସ୍ୱାମୀ, ସୁବୋଧ ମଧ୍ୟ ସ୍ୱାମୀ । ହେଲେ କାମଦେବର ସ୍ୱାମୀତ୍ୱକୁ କାମିନୀ ଯେଉଁ ତୁଳୀରେ ରଙ୍ଗ ଦେଇ ଦେଖୁଛି, ମିନାକ୍ଷୀ ସେଇ ତୁଳୀରେ ସୁବୋଧକୁ ଦେଖିଲେ ସିନା, ଦୁନିଆର ସ୍ୱାମୀମାନଙ୍କଠାରେ କିଛି ସାମଞ୍ଜସ୍ୟ ରୁହନ୍ତା ନାହିଁ-! ହେଲେ କାମିନୀ, ମିନାକ୍ଷୀ କିମ୍ବା ଆଉ ଯେତେ ଯେତେ ନାରୀ ପତ୍ନୀ ରୂପେ ଦୁନିଆରେ ଆତଯାତ ହେଉଛନ୍ତି, ସେମାନେ କେମିତି ସମାନ ରଙ୍ଗ ଦେଇ ବିମୁକ୍ତ ନୟନରେ ଅପର ସ୍ୱାମୀମାନଙ୍କୁ ଚାହିଁ ପାରିବେ ? କାମିନୀ କେବେହେଲେ ସୁବୋଧକୁ ସ୍ୱାମୀ ହିସାବରେ କାମଦେବ ସମ୍ମୁଖରେ ସମାଲୋଚନା କରି ନାହିଁ । କରିଛି ବନ୍ଧୁ ହିସାବରେ । ଯୌବନ ସମୟରେ ପ୍ରତି ଯୁବକ ବନ୍ଧୁତା ପାଇଁ ଲାଳାୟିତ ହୋଇଥାନ୍ତି । ସୁବୋଧ ସହିତ କାମଦେବର ବନ୍ଧୁତା ପ୍ରାକ୍‌ଯୌବନ କାଳରେ ଆରମ୍ଭ ହୋଇଥିଲେ ହେଁ ତାହା ପରିପୁଷ୍ଟ ହୋଇଥିଲା ପୂର୍ଣ୍ଣ ଉତ୍ତୁଳା ଯୌବନ କାଳରେ ।

 

ସୁରଭି ନିମନ୍ତ୍ରଣ କରୁଥିଲା ମନକୁ । ଆଖି ଇଙ୍ଗିତ ଦେଉଥିଲା ଅଙ୍ଗର ଗୋପନ ଅଂଶକୁ-। ଏକା ଏକା, ନୀର୍ଜନ ନିଛାଟିଆ ବେଳା ଖୁବ୍‌ ଭଲ ଲାଗୁଥିଲା । ଦେହରୁ ପୋଷାକ ଖୋଲି ଖାଲି ପଳେଇବାକୁ ଇଚ୍ଛା ହେଉଥିଲା । ସରଗରମ ଆଲୋଚନା ଚାଲୁଥିଲା କେବଳ ଯୌବନର ନିଝୁମ ଗୋପନୀୟତା ଉପରେ ।

 

କାମଦେବର ପିତା ହେବାର ପ୍ରସ୍ତୁତି ପଥରେ ମଧ୍ୟ ସେଇଦିନ ପୁଣି ଆସି ପିଟି ହୋଇଯାଉଥିଲା ମନରେ । ସେ କଥା କାମିନୀକୁ କହି ହେଉ ନାହିଁ । ସ୍ୱାମୀ ହିସାବରେ ସେତକ ସେ ମନରୁ ମୁକ୍ତ କରି କହିବାର ଅଧିକାର ତାର ନାହିଁ । ପ୍ରତ୍ୟେକ ସ୍ୱାମୀ ମଧ୍ୟ ବିବାହର ପରଦିନଠାରୁ ଅତୀତର ଅଶ୍ଳୀଳ କୀର୍ତ୍ତି କଳାପକୁ ସେମାନଙ୍କ ସ୍ତ୍ରୀମାନଙ୍କ ନିକଟରେ ଲୁଚାଇ ରଖିଥାନ୍ତି ।

 

କାମଦେବ ସବୋଧ ସହିତ ବିତେଇ ଦେଇଥିବା ଅତୀତୀ ମୁହୂର୍ତ୍ତଗୁଡ଼ିକ ବର୍ତ୍ତମାନର ଗୋପନ ଲିପି ହୋଇ ତା ପାଖରେ ରହିଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧିବେଶନରେ ସେମାନଙ୍କ ମହତ୍‌ କର୍ତ୍ତବ୍ୟ ସିନା ସର୍ବଜନ ପ୍ରଶଂସିତ, ହେଲେ ପୁରୀର ସମୁଦ୍ର ବେଳା ଭୂମିରେ ଲହଡ଼ି ଭାଙ୍ଗୁଥିବା କୁମାରୀ ତରୁଣୀମାନଙ୍କର ଉଲଗ୍ନ ଅଙ୍ଗ ବିହଙ୍ଗରେ ବିଭୋର ହୋଇ ସେମାନଙ୍କ ପଶ୍ଚାତ୍‌ଧାବନ କେଉଁ ମହତ୍‌ ଉଦ୍ଦେଶ୍ୟର ପର୍ଯ୍ୟାୟଭୂକ୍ତ ବୋଲି ଗ୍ରହଣ କରାଯିବ ।

 

ପାଣିରେ ଭିଜି ଯାଇଥିବା ପାତଳା ଟୁକୁ ଟୁକୁ ଧଳା ନାଲିର ନାଇଲନ୍‌ ବସନ ତଳେ ଯେଉଁ ଅଶ୍ଳୀଳତା ଚେଇଁ ଉଠୁଥିଲା, ସେ ପରିକଳ୍ପନା ମନରେ ଆସିଲେ, ଏବେ ବି ଦେହ ଶିହରେଇ ଉଠେ । ଆଉ ପାଖରେ କାମିନୀକୁ ପାଇଲେ କୁଣ୍ଢେଇ ପକେଇ ସେ କୁହେ, ଆଃ, ଯାହା ତମେ ହୋଇଛ ନା, ଘଡ଼ିଏ ତମକୁ ଛାଡ଼ି କାହିଁ ଚାଲି ଯିବାକୁ ଇଚ୍ଛା ହେଉ ନାହିଁ ।

 

କୁରୁଲେଇ ଉଠୁଛି ମନ । ଆଉ ସମୟ ଉସୁକେଇ ଦେଉଛି ଅତୀତକୁ । ବନ୍ଧୁତା ଲାଗି ସେ ଦୁହେଁ କଣ ନ କରି ଯାଇଛନ୍ତି, ଆଉ କି ଖୁସି ନ କରିଛନ୍ତି !

 

କାମଦେବ କହୁଥିଲା, ଏତିକି ଅସଭ୍ୟ ତୁ ରେ ସୁବୋଧ । ମୁହଁରୁ ତୋର ଏକାବେଳକେ ପାଣି ଛାଡ଼ି ଗଲାଣି । ସେଦିନ ପରା ଉଦାସ ମନରେ କହି ବସୁଥିଲୁ ଯେ ପର ଝିଅ ବୋହୂ ଆମର ମା, ଭଉଣୀ ସମାନ । ଆଜି ପୁଣି କେମିତି ସାଙ୍ଗେ ସାଙ୍ଗେ ଓଲଟି ପଡ଼ି କହୁଚୁ ଯେ ସେମାନଙ୍କୁ ପ୍ରେମ କରିବୁ ବୋଲି । କାମଦେବ ସୁବୋଧର କାନ ଟାଣି ଦେଉଥିଲା ଓ ମୁରବୀ ଢଙ୍ଗରେ ବ୍ୟଙ୍ଗ କରୁଥିଲା ଯେ ପ୍ରେମ କରୁଛି କଥା କହି । ଭାରୀ କାଢ଼ୁଆ ମରଦଟାଏ ଇଏ । ନିଶ, ଦାଢ଼ି ଉଠି ନାହିଁ-। ଅକ୍ଷୟର ଗାଲ ଚିପିଲେ ଯେମିତି ଭାରୀ ଭଲ ଲାଗେ, ସେମିତି ଲାଗୁଛି ସୁବୋଧର ଗାଲ । ନରମ ନରମ ମାଉଁସ ପୁଳା । ସେଇଥିରେ ଯଉବନ ଜୁଆର ଠେଲି ମନର ଉପକୂଳକୁ ଖାଲି ଉଛୁଳି ପଡ଼ୁଛି ସିନା ! ଅକ୍ଷୟର ନିଶକୁ ଉପମା ଦେଇ କହିଲା ବେଳେ ସୁବୋଧ ପାଟିକୁ କଥା ଝାମ୍ପି ନେଇ କହୁଥିଲା, ଓଃ ଭାରି ଗୋଟାଏ କାଢ଼ୁଆ ମର୍ଦ୍ଦ ଭଳି କଥା କହୁଛି । ଅକ୍ଷୟ ମାଇଚିଆ, ତା’ ନିଶ କହରିଆ, ତା ଚେହେରାରେ ଶୁକ୍ରକ୍ଷୟର ଭାଙ୍ଗ ପଡ଼ି ନାହିଁ, ତା’ ହାତର ପାପୁଲିରେ ଆଙ୍ଗୁଠି ପୂରାଇ ସଲ ସଲ କଲେ ଭାରି ଖୁସି ଲାଗେ, ଏଭଳି ଅଭିନେତାର ସଂଳାପ ଦେଇ ସୁବୋଧର ଗାଲକୁ ଚିପି ଦେବାର ଯେ ମାନେ କଣ ହୁଏ, ତାହା ସେ ବୁଝେ ! ସେଇଭଳି ଭଲ ପାଇବାକୁ ସେ କହେ ବନ୍ଧୁତା-। ଦେହରେ ହାତ ନ ଛୁଇଁଲେ କାମଦେବ ମୁହଁ ଫିଡ଼ିକେଇ ଘୂରି ପଡ଼ୁଥିଲା । ବନ୍ଧୁତା ସେମିତି ନ ହେଲେ କଟିଯାଉ, ଦରକାର ନାହିଁ ଛଳନାର ମନକୁ ନେଇ ଏକାଠି ବସିବା କିମ୍ବା ବୁଲିବା ।

 

କାମଦେବ ରାଗ ଗର ଗର ହୋଇ ଯାଉଥିଲା । ସୁବୋଧକୁ କଥା ନ କହିଲେ ତାର ଯେମିତି ଆଉ କେହି ସାଙ୍ଗ ନାହାନ୍ତି । ଗୋଟିଏ ଝିଅକୁ ଭାଗ ଭାଗ କରି ପୁଣି ତ ଦୁନିଆରେ ଦୁଇ ଅନ୍ତରଙ୍ଗ ବନ୍ଧୁ ଭଲ ପାଉଛନ୍ତି ? ସେଠି ବନ୍ଧୁତାର ଆଭିମୁଖ୍ୟରେ ମୋଡ଼ ପଡ଼ୁନାହିଁ, ଆଉ ଏଠାରେ କଥା କଥାକେ ମୁହଁ ଫୁଲାଫୁଲି ଆଉ ଅଭିମାନ !

 

ଅକ୍ଷୟର ନଜିର ଦେଲାବେଳେ ସୁବୋଧର ହୃଦୟକୁ କେମିତି କାଟୁଥିଲା, ତାହା ସେ ପରେ ଅନୁଭବ କରୁଥିଲା । ସୁବୋଧର ମୁହଁକୁ ଚାହିଁ ଅଯାଚିତ ଦରଦର ଦୟାରେ ଅନୁପ୍ରାଣିତ ହୋଇ ଉଠୁଥିଲା ତାର ଅନ୍ତର ।

 

ସେ କହିଥିଲା, ହଇରେ ସୁବୋଧ, ଅକ୍ଷୟର ତୁଳନା ଦେଇ କହିଲେ ତୁ ଯଦି କାନ୍ଦିବୁ, ତେବେ କାନ ମୋଡ଼ି ହେଉଛି ମୁଁ ଆଉ ତୋତେ କିଛି କହିବି ନାହିଁ ।

 

ସୁବୋଧ ହସିଦିଏ । ଓଠରେ ପିଲାଳିଆ ହସର ଢେଉ ଖେଳାଇ କୁହେ, ମୁଁ କାହିଁକି କାନ୍ଦିଛି ଜାଣୁ ? ଏଇ ମାଇଚିଆ, ନିଶ ଦାଢ଼ି କଥା କହିଲେ ଅତି ଖୁସି ହୋଇଯାଏ । ସେମିତି ଚିଡ଼େଇଲେ କଣ କେହି କାନ୍ଦେ ନା ଅଭିମାନ କରେ ? ମୁଁ କାନ୍ଦୁଛି ତୋରି ପାଇଁ; ତୁ ଯେମିତି ସବୁବେଳେ ସବୁ ସମୟ ପାଇଁ ମୋଠାରୁ ଅବିଚ୍ଛିନ୍ନ ରହୁ । ଅକ୍ଷୟ କିଏ ? ସେ ଅନ୍ୟ ପରିବେଶର ମଣିଷ । ତା’ ଯୌବନ ତା’ ମନ ପାଇଁ, ତା’ ପ୍ରେମିକା ପାଇଁ, ତା’ ପତ୍ନୀର ଉପଭୋଗ ପାଇଁ । ତା’ ଦେହରେ ଭାବ, ଅଭାବର ଉପମା, ଉପମାନର ସଂଯୋଗ କରି ସୁବୋଧ, କାମଦେବର ଶରୀର ସଙ୍ଗୀତରେ ସୁରର ଝଙ୍କାର ତୋଳିଲେ ସେଇଥିରେ କଣ ନିଜ ନିଜର ପୌରୁଷ ହାତେ ଚାଖଣ୍ତେ ବଢ଼ି ଯାଉଛି ?

 

କାମଦେବ ଥଟ୍ଟା କରୁଥିଲା । ହଉ, ହଉ ବେଶୀ ଯୁକ୍ତି କର ନା, ବୁଝିଲୁ । ତୋରି ଭଳିଆ ଗୁଲଶନ୍‌ ଥିଲେ ମୋର ଆଉ ଦୁନିଆରେ କେହି ନ ଥିଲେ ଆପତ୍ତି ନାହିଁ । ଅକ୍ଷୟ ସିନା ମିଠା କଥାରେ ମନ ମୋହିନିଏ, ହେଲେ ତାଠେଇଁ ବନ୍ଧୁଭାବାପନ୍ନ ହୃଦୟର ସମାବେଶ କାହିଁ ?

 

ପରେ ଦୁଇ ବନ୍ଧୁ ଏକାଠି ନିରୋଳାରେ ବସି ଗପସପ କଲେ ସବୁକଥା ଆପଣା ଭିତରେ ସାଲିଶ୍‌ କରି ନିଅନ୍ତି । କାମଦେବ କହେ, ହଉ ତୋ ପାଟିରୁ ଆଜି ଟିକେ ମର୍ଦ୍ଦକା ବାତ୍‌ ଶୁଣିବା । ମୁଁ ତୋ କୋଳରେ ଶୋଇ ପଡ଼ୁଛି, ତୋ ପାଟିକି ଯାହା ଆସୁଛି, ତୁ ତାହା କହି ଯା ।

 

କାମଦେବ କହୁ କହୁ ଚିନ୍ତାଦୃଷ୍ଟିରେ କାମିନୀକୁ ଦେଖେ । କାମିନୀ ପରିଷ୍କାର ମନ ଏବଂ ହୃଦୟ ନେଇ କାମଦେବ ନିକଟରେ ଛିଡ଼ା ହେଉଛି । ପତି ପାଖରେ ପତ୍ନୀର ସ୍ୱାଧୀନତା ପାଇବାକୁ ଯେତିକି ସେ ହକ୍‌ଦାର, ସେତିକି ସେ ପାଉଛି ବା ପାଇବା ପାଇଁ ଲଳାୟିତ ହେଉଛି । ତା ଠାରୁ ଅଧିକ ନୁହେଁ । ସୁବୋଧକୁ ଦେଖିଲେ ଏଣିକି ବେଶୀ ଲାଜ କରୁଛି ସେ । ଅନ୍ତସତ୍ତ୍ୱା କାମିନୀ ଆଉ ଆଗଭଳି ଫ୍ରି ହୋଇ ପାରୁ ନାହିଁ ! କାମଦେବର ଯେ କୌଣସି ବନ୍ଧୁ ତା’ ଘରକୁ ଆସିଲେ ସେ ଆଢ଼ୁଆଳରେ ମୁହଁ ଲୁଚେଇ କଥାବାର୍ତ୍ତା କରୁଛି । ସୁଜାତା ଭାଉଜ ମୁରୁକେଇ ହସି କାମଦେବକୁ ଦେଖେଇ ଦେଉଛନ୍ତି ।

 

କାମିନୀ ସଂଯତ ହୋଇ ଯାଉଛି । ପରିବର୍ଦ୍ଧିତ ଗର୍ଭକୁ ଅନ୍ତରାଳରେ ଢାଙ୍କି ରଖିବାକୁ ସେ ଭଲ ମନେ କରୁଛି । କାଳେ କେହି ମନେ ଭାବିଦେବ । କାମଦେବ ତାହାହିଁ ଅନୁମାନ କରି ହସୁଥିଲା । ତା’ ମନ ଆକର୍ଷଣ କରିବାକୁ ସୁଜାତା ଓ କାମଦେବ କେବେହେଲେ ତ୍ରୁଟି କରୁ ନ ଥିଲେ ।

 

।।୬।।

 

ମିନାକ୍ଷୀ ଆନନ୍ଦରେ ଫାଟି ପଡ଼ୁଥିଲା ସେଦିନ ! କାମିନୀର ଦୁଇ ବାହାକୁ ଧରି ନାଚି ନାଚି ବୁଲେଇ ଦେବାରେ ତା’ ଅନ୍ତରରୁ ହସର ଧାରା ଉଛୁଳି ଉଠୁଥିଲା । ମା ହେବାକୁ ଯାଉଛି କାମିନୀ । କୁମାରୀର ଘଟ ପରିବର୍ତ୍ତନ ପରେ ସ୍ତ୍ରୀ ରୂପ ଧାରଣା କରିବାରେ ଯେଉଁ ଯେଉଁ ମୁଖରୁ ଛନ୍ଦ ସେ ଉପଭୋଗ କରୁଥିଲା, ଜନନୀ ହେବାର ଗ୍ୟାମଲକ୍‌ ମଧ୍ୟରେ ସେ’ ରୂପ ଯେ କିଭଳି ବିବର୍ଣ୍ଣ ଅବସ୍ଥା ଗ୍ରହଣ କରୁଛି, ତାହା ମିନାକ୍ଷୀ ସୁଜାତାଙ୍କ ଜରିଆରେ ଥଟ୍ଟା କରି ବସୁଥିଲା । କାମିନୀ ସବୁ ଶୁଣି ଶୁଣି ମନର ସ୍ୱାଦ ମେଣ୍ଟାଉଥିଲା । ମିନାକ୍ଷୀ ତା’ ଖାଇବା ପାଇଁ ଯେଉଁ ତୃପ୍ତିକର ଖାଦ୍ୟ ପଦାର୍ଥ ଆଣିଥିଲା, ସେ ସବୁଠାରୁ ତାକୁ ବେଶି ଭଲ ଲାଗିଥିଲା ସେଇ ଇଙ୍ଗିତଧର୍ମୀ ସଂଳାପ ଗୁଡ଼ିକ ।

 

ବାହାର ଘରେ କାମଦେବ ଦୃଷ୍ଟି କରୁଥିଲା ମିନାକ୍ଷୀ ଆଡ଼କୁ ।

 

ଗୋଟିଏ ସନ୍ତାନର ଜନନୀ ହୋଇ ସୁଦ୍ଧା ତା’ ଯୌବନର ସୁରଭିତ ଲାବଣ୍ୟରେ ସେଇ ଯେଉଁ ଉପଦ୍ରବ ! ଆଃ......

 

ସୁବୋଧ କହୁଥିଲା ସନ୍ତାନର ଜନନୀ ହେବା ପରେ ଆଉ ମିନାକ୍ଷୀ ତାକୁ ମୋଟେ ଭଲ ଲାଗୁ ନାହିଁ । ସହବାସ, ମିଥୁନ, ସବୁ ପୁରୁଣା ହୋଇ ସୁବୋଧ କଥାରେ କାମଦେବ ତଟସ୍ଥ ହୋଇ କହିଲା, ଏଁ କଣ କହିଲୁ ?

 

ମିଥୁନ ଆଉ ଭଲ ଲାଗୁ ନାହିଁ ? ତେବେ ଆଉ କଣ ଦରକାର ? ପରିବର୍ତ୍ତନ ।

 

ସୁବୋଧ କହୁଥିଲା, ଯେ କୌଣସି ପରିବର୍ତ୍ତନ ହେଲେ ଚଳିବ । ହାତ, ଗୋଡ଼ରେ କଳ ଚଳାଇ ମନରେ ଫର୍ମୂଲା ଧରି ଆଖିରୁ ଦୋରୁଅ ବାହାର କରିବାର ବୃଥା ଚେଷ୍ଟା କାହିଁକି ?

 

ସୁବୋଧ କହିଲା ବେଳେ କାମଦେବର କାନରେ ମୋଟେ ସେଗୁଡ଼ିକ ପଶୁ ନ ଥିଲା । ସେ ଆଖିରେ ଦେଖୁଛି ଭୁଲ୍‌ହେବ କେମିତି ? ମିନାକ୍ଷୀର ହୃଷ୍ଟପୁଷ୍ଟ ଚେହେରା ସାଙ୍ଗକୁ ଯୌବନର ଯେଉଁ ଅସୀମ ସମତାଳ ତାହା ଯଦି ପଥହୁଡ଼ା ପଥିକର ଆଖିକୁ ବଶ କରି ଦେଉଛି, ତେବେ ସୁବୋଧର ଦେହକୁ ସନ୍ତୁଷ୍ଟ କରୁ ନଥିବ କାହିଁକି ? ମାନାକ୍ଷୀର ଦେହରେ ବା କଣ ନାହିଁ ? ଉତ୍ତଳା ଯୌବନରେ ଉଦ୍‌ବେଳିତ ସମସ୍ତ ସୌଷ୍ଠବ ସୁରଭିର ଅଞ୍ଜଳିପୁଟ ହସ୍ତରେ ନୟନର ମଦାଳସୀ ଭାଷା ଦେଇ ଶୂନ୍ୟ କଣ୍ଠରେ ଯେମିତି କହୁଛି, ତୁମେ ସୁବୋଧ ଦେଖି ପାରୁ ନାହଁ, ତୁମ ଡକ୍‌ଟରେଟ ଡିଗ୍ରୀଠାରୁ ଏ ଦେହର ଫୁଲ ଉପବନ କେଡ଼େ ସୁମଧୁର, କେଡ଼େ ଆକର୍ଷଣୀୟ ? ଡକ୍‌ଟରେଟ ତୁମର ଆଭିଜାତ୍ୟ ପାଇଁ, ଗର୍ବ ପାଇଁ, ସମାଜରେ ଏକ ସୁପ୍ରତିଷ୍ଠିତ ଆସନ ଦଖଲ କରିବା ପାଇଁ । ହେଲେ ଏ ଯୌବନର ତଡ଼ିତ୍‌ କେବଳ ତୁମ ଭ୍ରମର ମନର ଉପଭୋଗ ପାଇଁ, ସନ୍ତୋଷ ପାଇଁ । ପିଲାଦିନେ ମେଘୁଆ ଆକାଶରେ ବିଜୁଳିକୁ ଦେଖି ଛୁଇଁବାର ନିଶାରେ ପରାସ୍ତ ହେବା ପରେ ତାର ସାର୍ଥକତା କଣ ଏଇ ଯୌବନର ବିଜୁଳି ପାଖରେ ଉପଲବ୍‌ଧି କରିପାରୁ ନାହିଁ ? କେଡ଼େ ସହଜରେ ସେ ତୁମ ପାଖରେ ଧରା ନ ଦେଇଛି କହନି ? ଅନ୍ଧାର ରାତିରେ ପାଖେ ପାଖେ ରହି କେତେ ଆହ୍ଲାଦରେ ତୁମ ଦେହକୁ ଚିକ୍‌ଚିକ୍‌ ନ କରୁଛି ଦେଖିଲ ?

 

ମିନାକ୍ଷୀ କହୁ ନଥିଲା ।

 

କାମଦେବ ମିନାକ୍ଷୀ କଳ୍ପନାର ଗଦ୍ୟ ଛନ୍ଦ ହୋଇ ମନେ ମନେ ସୁବୋଧ ପ୍ରତି କହି ଚାଲୁଥିଲା । ନାରୀର ଯୌବନ ପାଖରେ ପୁରୁଷର ପୌରୁଷ ସବୁବେଳେ ଦୁର୍ବଳ ହୋଇ ପଡ଼ିଛି । ବୀର ଯୋଦ୍ଧାମାନେ ଯୁଦ୍ଧଲିପ୍‌ସୁ ମନରେ ଆଗେଇ ଯାଉଥିବା ବେଳେ ରାଜନର୍ତ୍ତକୀ କିମ୍ବା ବେଶ୍ୟାମାନଙ୍କଦ୍ୱାରା ଅବରୋଧିତ ହୋଇ କାମନା ଜାଲରେ ଅବରୁଦ୍ଧ ହୋଇ ଯାଇଛନ୍ତି । ଶିଥିଳ ହୋଇ ଯାଇଛି ତାଙ୍କ ବୀରତ୍ୱ । ଆଉ ଏଇ ସୁବୋଧ ଭଳି ମଣିଷ ସେ ବା ଲାଳସାରୁ ବ୍ୟତିକ୍ରମ ହେଇ ରହି ପାରିବ କେତେକେ !

 

ତଥାପି ସୁବୋଧର ପରିବର୍ତ୍ତନ ଦରକାର ।

 

ସ୍ତ୍ରୀମାନଙ୍କୁ ଅଦଳ ବଦଳ କରିବା ପରିବର୍ତ୍ତନ, ନା ଆଉ ଥରେ ଲେଖାଏଁ ବିବାହ କରିବାର ପରିବର୍ତ୍ତନ ?

 

ସୁବୋଧର ମାନସିକ ଗତି ଦେଖି ଖୋଲାଖୋଲି କାମଦେବ କହି ଦେଇଥିଲା । ନିଜ ସ୍ତ୍ରୀମାନଙ୍କୁ ସଦାବେଳେ ଦେଖିଚାହିଁ, ଉପଭୋଗ କରି ଯଦି ମନରେ ବୀତସ୍ପୃହ ଆସିଲାଣି, ତେବେ ତାଙ୍କୁ ଅନ୍ୟ ସାଙ୍ଗରେ ବଦଳି କରି ଦେବା ଭଲ । ଯୁଗ ତ କେତେ ନୂଆ ନୂଆ ଦୃଷ୍ଟିଭଙ୍ଗୀ ଓ ପରିବର୍ତ୍ତନ ନେଇ ଆଗେଇଛି, ସେମିତି ଇଏ ବି ତା ମଧ୍ୟରେ ଏକ ନୂତନ ସଙ୍କେତ ହେଉ । ସେଥିରେ କ୍ଷତି କଣ ଅଛି ?

 

ସୁବୋଧ କାମଦେବର କଥା ଶୁଣି ଚମକି ପଡ଼ିଥିଲା । ଏଁ, ନା, ନା, ସ୍ତ୍ରୀମାନଙ୍କୁ ବଦଳି କରିବାର ଯୋଜନା ଆମ ହିନ୍ଦୁ ଧର୍ମରେ ଶୋଭା ପାଏ ନା । ଆମ ଧର୍ମ, ଆମ ସଂସ୍କୃତି ସ୍ତ୍ରୀମାନଙ୍କୁ ପ୍ରକୃତ ଦେବୀ ରୂପେ ଗଢ଼ି ପାରିଛି, ସ୍ୱାମୀଙ୍କୁ ଦେବତା କରି ଆପଣା ଜୀବନକୁ ସେମାନେ ତୁଚ୍ଛ କରି ଦେଇଛନ୍ତି । ଯଦି ଦୁନିଆ ବଜାରରେ ପ୍ରତ୍ୟେକ ସ୍ୱାମୀ ପ୍ରତ୍ୟେକ ସ୍ତ୍ରୀଙ୍କୁ ଅଦଳ ବଦଳ କରି ଚାଲନ୍ତେ, ତାହେଲେ ବ୍ୟଭିଚାରକୁ ଦୁନିଆରେ କିଏ ମାନନ୍ତା ? ଚରିତ୍ରର ଗୋଟାଏ ସୀମା ନିର୍ଦ୍ଧାରଣ କରାଯାଆନ୍ତା କାହିଁକି ?

 

ସୁବୋଧ କହିଥିଲା ଯେଉଁ ଭଲ ଲାଗୁ ନାହିଁ ବୋଲି କହିଲି ସେକଥା ତୁ ବି ବାପା ହେବା ପରେ ଠିକ୍‌ ବୁଝି ପାରିବୁରେ କାମଦେବ । ଏକା ଶଯ୍ୟାରେ ସ୍ୱାଧୀନ ମନୋବୃତ୍ତି ନେଇ ଶୟନ କରିବା ଲକ୍ଷ୍ୟର କେମିତି ବିଚ୍ୟୁତି ଘଟିଛି, ତାହା ତୁ ସେଇଦିନ ଜାଣି ପାରିବୁ । ଯେତେବେଳେ ଟୁକୁ ଜନ୍ମ ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ଆମେ ଦୁହେଁ କେଡ଼େ ମଜ୍ଜାରେ ଗୋଟିଏ ଖଟରେ ଶୋଇ ଯୌବନର ମଦିରାକୁ କିଭଳି ପାନ କରୁଥିଲୁ ତାହା ତୋତେ ଖୋଲାଖୋଲି ଭାବେ ସବୁ କହି ଦେଇଛି । କିଛି ଲୁଚେଇ ନାହିଁ ।

 

କିନ୍ତୁ ଆଜି ?

 

ଆଜି ଶୋଇଲାବେଳେ ଟୁକୁ ଆମ ଉପରକୁ ଚଢ଼ି ଆସୁଛି । ମୋ ଲାଳସାପୂର୍ଣ୍ଣ ମନକୁ ପ୍ରତିହତ କରି ସେ ତା’ ପାଟି ଆଁ କରି ଦେଉଛି । ଛୋଟ ଶିଶୁ ନା, ସେଥିଲାଗି ତାକୁ ଭୋକ ଲାଗିଲେ, ସେ କ୍ଷୀର ପାନ କରିବାକୁ ବିଳମ୍ବ ସହ୍ୟ କରି ପାରୁନାହିଁ । ମୋ ମନ କଥା ପଚାରେ କିଏ ?

 

ଜୀବନ ସୃଷ୍ଟି ହେଲାବେଳେ ଭଲା ଭଗବାନ ଏ ଯୌବନର ସମୟ ମଣିଷ ଠେଇଁ ଖଞ୍ଜିବାର ନିର୍ଦ୍ଦେଶ ଦେଇ ନଥାନ୍ତେ ! ସେଇଥିପାଇଁ ସିନା ଦାମ୍ପତ୍ୟ ଜୀବନର ଏ ଭେଳିକି ।

 

କାମଦେବ କହିଥିଲା, ତୁ ଆଉ ଗୋଟିଏ କଥା କର ସୁବୋଧ । ଆମେ ଦୁହେଁ ଯେତେବେଳେ ଏତେ ଅନ୍ତରଙ୍ଗ ବନ୍ଧୁ ହୋଇଛେ, ସେତେବେଳେ ଆମ ଭିତରେ ପାର୍ଥକ୍ୟ କେବଳ ମିନାକ୍ଷୀ ଏବଂ କାମିନୀ । ଆମେ ଯେବେ ସ୍ୱତଃପ୍ରବୃତ୍ତ ହୋଇ ଅନାବିଳ ମନୋଭାବରେ ଦୁନିଆର କୌଣସି ନୀତି, ନିୟମ, ନିନ୍ଦା ଅପମାନ ନ ମାନି ତାଙ୍କୁ ନିଜ ନିଜ ଭିତରେ ଅଦଳ ବଦଳ କରିଦେଇ ପରିବର୍ତ୍ତନର ଟେଷ୍ଟ୍‍ କରି ପାରନ୍ତେ, ତେବେ ଖରାପ କଣ ହୁଅନ୍ତା ? ବାହାର ଲୋକ କହିବେ ସୁବୋଧ ଭାର୍ଯ୍ୟାକୁ କଣ କାମଦେବ ନେଇ ପାଖରେ ରଖିଲାଣି କିମ୍ବା କାମଦେବ ଭାର୍ଯ୍ୟାକୁ କଣ ସୁବୋଧ ନେଇ ପାଖରେ ରଖିଲାଣି । କୁହନ୍ତୁ, ସେଥିରେ କଣ ଅଛି ? ଅନ୍ୟର ନିନ୍ଦା ଅପପ୍ରଚାରରେ ତ ଆମ ବନ୍ଧୁତା ଭାଙ୍ଗି ପଡ଼ୁନାହିଁ ?

 

ସୁବୋଧ କାମଦେବ କଥାକୁ ଥଟ୍ଟା ଭାବି କହିଲା, ହଁ, ତୋର ସବୁଦିନେ ଯୁକ୍ତି କରିବାର ବାହାଦୂରୀ ମୋଟେ ଛାଡ଼ି ଯିବ ନାହିଁ ଦେଖୁଛି । କିରେ, ପ୍ରେମ, ବିବାହ, ଘର ସଂସାର ଏଗୁଡ଼ାକ କଣ ପିଲା ଖେଳ ହୋଇଛି । ତୁ ପରା ଆମ ଘରର ଅତୀତ ଇତିହାସ ସବୁ ଜାଣିଛୁ । ବାପା କେମିତି ମାଙ୍କୁ ଅବହେଳା କରି ଶ୍ୱେତସ୍ୱିନୀର ନଷ୍ଟ ଶରୀର ସମୁଦ୍ରରେ ଲୀନ ହୋଇ ଯିବାକୁ ବସିଥିଲେ । ପୁଣି ଥଟ୍ଟା କରି ଅପ୍ରିୟ ସତ୍ୟ କଥାର ଅବତାରଣା କରୁଛୁ କେମିତି ?

 

କାମଦେବ ମୁହଁରେ ଆନନ୍ଦର ଭଟ୍ଟା ପଡ଼ିଗଲା ।

 

ସୁବୋଧ ସବୁ କହୁଛି । ଏଣୁ କହୁଛି, ତେଣୁ କହୁଛି, ନିଜ ସ୍ତ୍ରୀକୁ ଯଦି ବାନ୍ଧି ରଖିବାକୁ ମନ ତେବେ ପରିବର୍ତ୍ତନର ପରିସ୍ଥିତିକୁ ଆହ୍ୱାନ କରିବା କଣ ଦରକାର ? ଶ୍ୱେତସ୍ୱିନୀକୁ ତା’ ବାପା ଯେଉଁ ମନ ନେଇ ଭଲ ପାଇ ବସିଥିଲେ, ସେ ମନ ତ ସୁବୋଧର ନୁହେଁ । ସୁବୋଧର ବାପା ଥିଲେ କାମୁକ । କିନ୍ତୁ ସୁବୋଧ ଏଠି ପ୍ରେମିକ ସାଜିବ । କୃଷ୍ଣଙ୍କ ପରି ଗୋପୀମାନଙ୍କ ମନ ହରଣରେ ନିଜ ଆତ୍ମାକୁ ସନ୍ତୁଷ୍ଟ କରି ରଖିବ । କାମିନୀକୁ ସେ ଯେବେ ପ୍ରେମରେ ଆୟତ୍ତ କରି ପାରିଲା, ସେଥିରେ ନଷ୍ଟ ମନର ଆଶଙ୍କା ରହିଲା କେଉଁଠୁ ?

 

ବେଶ୍ୟା ପ୍ରେମ ହେଉଛି ଅଧୋଗତ ପ୍ରେମ । ଯାହାକି ତା’ ବାପା ତା’ ମାଙ୍କ ବିପକ୍ଷରେ ମଦ ମାତ୍ସର୍ଯ୍ୟ ଭୋଳରେ ଆୟତ୍ତ କରିବାକୁ ପାଗଳ ହୋଇ ଉଠୁଥିଲେ । ହେଲେ ପରକୀୟା ପ୍ରେମ ତ ନିକୃଷ୍ଟ ନୁହେଁ । ଅବଶ୍ୟ ନିନ୍ଦନୀୟ, ଅଶୋଭନୀୟ । ସମାଜିକ ପ୍ରତିଷ୍ଠାକୁ କ୍ଷୁଣ୍ଣ କରିବାକୁ ଏଇଭଳି ପ୍ରେମ ସମାଲୋଚନା କରିପାରେ । କିନ୍ତୁ ମଦ ମାତ୍ସର୍ଯ୍ୟକୁ ଇଙ୍ଗିତରେ ପ୍ରଶ୍ରୟ ଦେଇ ନପାରେ । କାମିନୀକୁ ସେ ସ୍ୱେଚ୍ଛାରେ ବଦଳ କରିବାକୁ କହୁଥିଲା । ଥଟ୍ଟାରେ ନୁହେଁ ।

 

ହେଲେ ମିନାକ୍ଷୀ ?

 

ସୁବୋଧ କାମଦେବର ନିର୍ଲିପ୍ତ ବନ୍ଧୁତା ଉପରେ ଖୁସିର ଚକ୍ଷୁ ଉନ୍ମିଳିତ କରିବା ସଙ୍ଗେ ମିନାକ୍ଷୀର ଅବସ୍ଥା ସମ୍ପର୍କରେ ମଧ୍ୟ କହିଥିଲା ।

 

କାମିନୀକୁ ସେ ନେଇଯିବ । ଆପତ୍ତି ନାହିଁ । ତେବେ ମିନାକ୍ଷୀକୁ ସେ କେଉଁଠି ଥୋଇବ-?

 

କାମଦେବ ମନର ଗୋପନ ଆକାଙ୍‌କ୍ଷାକୁ ବୁଝି ନ ପାରି ସେ ଏହି କଥା କହିଲାବେଳେ କିଛି ସମୟ କକ୍ଷଟି ନୀରବରେ ସ୍ତବ୍‌ଧ ହୋଇ ଯାଉଥିଲା । ଡ୍ରଇଂ ରୁମ୍‌ରୁ ବିଲକ୍ଷଣ କରି ସୁବୋଧ, କାମଦେବ ଦେଖିବାକୁ ପାଇଥିଲେ ଆପଣା ସ୍ତ୍ରୀମାନଙ୍କର ରୂପ । ସେମାନେ ଆନନ୍ଦାପ୍ଳୁତ ମନରେ ନିଜ ନିଜ ଆଭିଜାତ୍ୟର ତୁଳି ଅଙ୍କନ କରୁଥିଲେ ।

 

କାମଦେବ ମନ ନ ଥିବା ଭଳି ମୁହଁ କରି କହିଲା, ଏଇ ମିନାକ୍ଷୀ କଥା ତୁ ପୁଣି ଚିନ୍ତା କରିବସିଲୁ, ନୁହେଁ । ଯୌବନପାଇଁ ଯଦି ସେ ଏଣିକି ଖରାପ ହେଲା, ଘରସଂସାର ପାଇଁ ତାକୁ ଏତେ ଆଦର କରୁଛୁ କାହିଁକି କହିଲୁ ? ଘର ସଂସାର ଲାଗି ସେ ଯୋଗ୍ୟ, ଉପଯୁକ୍ତା, ସେ ଧାରଣା ତୋର ଭୁଲ । ମିନାକ୍ଷୀ ତୋରି ରୂପରେ ଭୁଲି ଯାଇଛି, ତୋରି ନରମ ଚେହେରାରେ ଆତ୍ମହରା ହୋଇ ପଡ଼ିଛି, ଆୁ ତୋରି ଡକ୍‌ଟରେଟ୍‌ ଉପାଧିରେ ଗର୍ବ ଅନୁଭବ କରି ତୋତେ ଦେବତାଠାରୁ ବି ବଡ଼ ମନେ କରିଛି । ଯେତିକି ଦିନ ନୂଆ ନୂଆ ବିବାହ କରି ସେ ତୋ ଯୌବନ ପ୍ରତି ଲୋଭସକ୍ତ ଅୟୂଧ ନିକ୍ଷେପ କରିଥିଲା ସେତିକି । ଆଜି ସେ ତୋତେ ଟୁକୁ ବାପାର ବନ୍ଧନୀ ମଧ୍ୟରେ ଚରିତ୍ରିଭୂତ କରିବାକୁ ଚାହେଁ ।

 

ମିନାକ୍ଷୀ କହୁଛି ଯୌବନର ସୁର ସିଂହାରରେ ସେ ଏବେ ମଧ୍ୟ ଦଗ୍‌ଧ । ତାକୁ ଫେସନ ଭଲ ଲାଗୁଛି । ବବ୍‌ କଟ୍‌ ଶୈଳୀରେ କେଶବିନ୍ୟାସ, ନୟନରେ କଜ୍ଜ୍ୱଳ ନ ହେଲେ ସୌନ୍ଦର୍ଯ୍ୟରେ ଊଣା ଦିଶୁଛି ବୋଲି ମୁହେଁ ମୁହେଁ ବହି ଦେଇଛି ସେ ।

 

କାମଦେବ ଶିଖେଇ ଦେଲା, ତୁ ଦିନେ ଖଣ୍ତେ ତା’ କଥାକୁ ମୋଟେ କାନ ଦେ ନା । ଦେଖିବୁ ସେ ଆପେ ଆପେ ତୋତେ କାକୁତି ହୋଇ କିଛି କହିବା । ଆଉ ତୁ ସେତେବେଳେ ତାକୁ ଏକ ଚେଖାଁ ଦେବା ପାଇଁ କହିବୁ, ଫେସନ୍‌ ନ ହେଲେ ଅଭିସାର ନଷ୍ଟ ହୋଇଯିବ ପରା ! ସୁବୋଧ କିନ୍ତୁ ଏଣିକି କାମଦେବର ସଜେସନ୍‌ରେ ବିବ୍ରତ ହୋଇ କହିଥିଲା, ଆଚ୍ଛା ହେଉ; ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି କହିଲୁ । ତୋର ଯଦି ଇଚ୍ଛା ଅଛି, କାମିନୀ ସ୍ଥାନରେ ମିନାକ୍ଷୀକୁ ନେଇ ତୁ ରହ । ମୁଁ କାମିନୀକୁ ସାଙ୍ଗରେ ନେଇ ଚୁଲିଲି ।

 

କାମଦେବ ସେଥିରେ ସମ୍ମତ ହୁଅନ୍ତେ ସୁବୋଧ ପଚାରିଲା ଅଦଳ ବଦଳ କରିବାର ପ୍ରଣାଳୀ କଣ ?

 

କାମଦେବ ବୁଝାଇ କହିଥିଲା, କାମିନୀ ଓ ମିନାକ୍ଷୀଙ୍କୁ ଆମେ ଆମର ଭଉଣୀ ବୋଲି ପରିଚୟ ଦେଇ ପାଖରେ ରଖିଲେ ପଡ଼ୋଶୀମାନଙ୍କ ମନରେ ମୋଟେ ସନ୍ଦେହ ହେବ ନାହିଁ । ତା ଛଡ଼ା ଏହା କାର୍ଯ୍ୟକାରୀ କରିବା ପୂର୍ବରୁ ସେ ଦୁହିଁଙ୍କ ମନରେ ଆମ ବନ୍ଧୁତା ସପକ୍ଷରେ ପ୍ରଗାଢ଼ ଅନ୍ତର୍ଦୃଷ୍ଟି ନିକ୍ଷେପ କରିବାକୁ ବାଧ୍ୟ କରାଯିବ । ତାପରେ ସେମାନେ ବଶ ହେଲେ ପରିବର୍ତ୍ତନ ଲାଗି ପ୍ରାଥମିକ ସୁବିଧା ମିଳିଯିବ । ସୁବୋଧ, କାମଦେବର ବୁଦ୍ଧିକୁ ପ୍ରଶଂସା କରି ଖୁସିରେ କରମର୍ଦ୍ଦନ କରିଥିଲା । କାମଦେବ ଦୁନିଆର ପତ୍ନୀ ଇତିହାସରେ ଏକ ନୂଆ ରେକର୍ଡ଼ ସ୍ଥାପନ କରିବାକୁ ଯାଉଛି-। ଗତାନୁଗତିକ ସ୍ୱାମୀ ସ୍ତ୍ରୀର ପନ୍ଥା ଭଗ୍ନ କରି ଦାମ୍ପତ୍ୟ ଜୀବନର ଶୈଳୀ ସର୍ଜନା କରିବାକୁ ଯାଉଛି-। ବନ୍ଧୁତାର ନୂତନ ଅବଦାନ ।

 

ଚମକପ୍ରଦ ଚିତ୍ରଣ ।

 

ସୁବୋଧ କହିଥିଲା, ହଇରେଁ କାମଦେବ, ଆମେ ଯାହା କରିବା ପାଇଁ ଯାଉଛେ ତାହା ଏକ ସଜୀବ ନାଟକ ନୁହେଁ ତ ?

 

କାମଦେବ ହାତ ଆଙ୍ଗୁଠିରେ ତା ଗାଲର ମାଂସରୁ ପୁଳାଏ ଝିଙ୍କି ଦେଇ କହିଥିଲା, ତୋର ସେ ଗୁଲୁଗୁଲିଆ କଥା ମୋଟେ ଛାଡ଼ ଯିବ ନାହିଁରେ ସୁବୋଧ । ଘର ସଂସାର କରି ପିଲାଛୁଆର ବାପା ହେଲୁଣି, ତଥାପି ପିଲାଳିଆ ଢଙ୍ଗ ଗଲା ନାହିଁ ।

 

ଜୀବନ ପରା ଏକ ନାଟକ । ଆଉ ତୁ, ମୁଁ ଆମେ ସମସ୍ତେ ଅଭିନେତା ସାଜି ସେହି ନାଟକର ଅଭିନୟକୁ ମୃତ୍ୟୁ ପର୍ଯ୍ୟନ୍ତ ଯବନିକା ଟାଣି ବସୁଛେ । ଏଇ ଯେଉଁ ପତ୍ନୀ ପରିବର୍ତ୍ତନ କରିବାର ଯୋଜନା ଆମେ କାର୍ଯ୍ୟକାରୀ କରିବାକୁ ଯାଉଛେ ତାହା ପ୍ରକୃତରେ ନାଟକ ନୁହେଁ, ନାଟକର ଚରମ ସ୍ଥିତି ହେବ ।

 

ସୁବୋଧ ଆବାକାବା ହୋଇ ଚାହୁଁଥିଲା । କାମଦେବ ଅର୍ଥକୁ ଅତୀବ ଜଟିଳ କରି ଦେଉଛି । କାମିନୀକୁ ସେ ଉପଭୋଗ କରିବ । ମିନାକ୍ଷୀକୁ ସେ ମଧ୍ୟ ଅଙ୍କଶାୟିନୀର ମର୍ଯ୍ୟାଦା ଦେବ । ଆଉ ଅନ୍ୟ ଅବସ୍ଥା କଣ ରହୁଛି ?

 

ସେଇ ବିବର୍ତ୍ତନବାଦ ।

 

ସୁବୋଧ ଡକ୍‌ଟରେଟ ପାଇଛି । ସମାଜରେ ତାକୁ ଆଉ ଗୁଲୁଗୁଲିଆ ମାଇଚିଆ ସୁବୋଧ ବୋଲି କିଏ କାହିଁକି ଥଟ୍ଟା କରିବ ବା ସମାଲୋଚନା କରିବ । ସମସ୍ତେ କହୁଛନ୍ତି ଡକ୍‌ଟର ସୁବୋଧ କୁମାର ରାୟ । ଗର୍ବ, ଆନନ୍ଦରେ ମନ ଉଚ୍ଚକିତ ହୋଇ ଉଠୁଛି ମିନାକ୍ଷୀର । ତା’ ମହିଳା ସାଥିମାନଙ୍କ ସମ୍ମୁଖରେ ଛାତି ଫୁଲେଇ ଆତ୍ମବଡ଼ିମାରେ ସୁବୋଧର ଅଜସ୍ର ପ୍ରଶଂସା କରିଯାଉଛି ସେ ।

 

ମୋ ସ୍ୱାମୀ ଡକ୍‌ଟର ।

 

ମୋ ସ୍ୱାମୀ ସମାଜରେ ଉଚ୍ଚ ପ୍ରତିଷ୍ଠିତ ପୁରୁଷ ।

 

ମୋ ସ୍ୱାମୀଙ୍କର ବିଦେଶ ଯିବାର ଚାନ୍‌ସ ଅଛି ।

 

ଏମିତି କେତେ କଣ ସେ ତୋ’ ସାଥୀ ମହଲରେ ଗପି ଚାଲୁଛି । ସ୍ୱାମୀକୁ ବଡ଼ କରିବା ପତ୍ନୀର ଧର୍ମ । କୁଜା, କେମ୍ପା, କଣା, କେମ୍ପା, କଣା, କିରାଣୀ, ଅଫିସର, ଲେଖକ ଯାହା ହୁଅନ୍ତୁ ନା କାହିଁକି ସ୍ତ୍ରୀ ଯେ ତା’ ସ୍ୱାମୀକୁ ନିଜ ମନରେ ବଡ଼ ବଡ଼ କରୁଥାଏ, ତାହା କେହି ଅସ୍ୱୀକାର କରିବେ ନାହିଁ । ହେଲେ ଆଭିଜାତ୍ୟର ଅଳଙ୍କାର ମଧ୍ୟରେ ସ୍ୱାମୀକୁ ବାନ୍ଧି ରଖିବାର ମର୍ମ କଣ ?

 

ଅକ୍ଷୟ ଗୀତାକୁ କରିବା ପରେ ସ୍ୱାମୀ ସ୍ତ୍ରୀର ଗୁଣ ଧର୍ମ କଣ ହେବା ଉଚିତ, ତାହା ସେ ଅନୁଭବ କରିପାରିଛି । ସେଇ ଦୃଷ୍ଟିରୁ ମଧ୍ୟ ଗୀତାକୁ ଦାମ୍ପତ୍ୟ ଜୀବନର ମର୍ମାଭୂତି ସ୍ପର୍ଶ କରାଇବାକୁ ଯାଇ କହିଛି, ଦେଖୁଛ ଗୀତା, ଯେତେ ଦୂରରେ ରହିଲେ ବି ମୁଁ ତୁମର । କୌଣସି ମୁହୂର୍ତ୍ତ, କୌଣସି ଅକ୍ଷର କିମ୍ୱା ମୋତେ ତୁମଠାରୁ ବିଚ୍ଛିନ୍ନ କରିପାରିବ ନାହିଁ ।

 

ଗୀତା ନିରାଡ଼ମ୍ବର ମନରେ ଭଲ ପାଇଛି ଅକ୍ଷୟକୁ । ହୃଦୟର ନିବିଡ଼ ଛନ୍ଦରେ ବସନ୍ତର ସୁବର୍ଣ୍ଣ ସୁରଭି ଆଣି ମାଖି ଦେଇଛି ଅକ୍ଷୟର କୋମଳାଙ୍ଗରେ । ଆଖିର ଭାଷାରେ ଦରଦର ଚାହାଣୀ ନେଇ ଅକ୍ଷୟର ପ୍ରତୀକ୍ଷାକୁ ଜୀବନର ଚରମ ଆନନ୍ଦ ବୋଲି ଭାବିଛି । ବିବାହ ନ କରିଥିଲେ ପ୍ରତୀକ୍ଷା ଥାଆନ୍ତା କେଉଁଠୁ ? ସ୍ୱାମୀକୁ ଦେବତା ରୂପେ ମନ୍ଦିରର ପୂଜାରିଣୀ ଭାବେ ପୂଜା କରୁଥାନ୍ତା କେଉଁଠୁ ?

 

ଗୀତା ଅକ୍ଷୟଙ୍କ ପକ୍ଷରେ ସବୁ ସମ୍ଭବ ହୋଇଛି ପ୍ରେମ ଯୋଗୁ । ଧନ ମାନର ଆଭିଜାତ୍ୟକୁ ମନରୁ ଦୂର କରି ପ୍ରେମାଭିଜାତ୍ୟକୁ ବଡ଼ କରିଛି ଗୀତା । ଅକ୍ଷୟର ପତ୍ନୀ ରୂପା ସେ କେବଳ ସେତିକିରେ ହିଁ ସନ୍ତୁଷ୍ଟ ହୋଇଛି ।

 

ଗୀତା ପତ୍ନୀ ।

 

କାମିନୀ ପତ୍ନୀ ।

 

ମିନାକ୍ଷୀ ମଧ୍ୟ ପତ୍ନୀ ।

 

କିନ୍ତୁ ଗୀତା ପାଖରେ ଯାହା ଅଛି, କାମିନୀ ଓ ମିନାକ୍ଷୀଙ୍କ ପାଖରେ ତାହା ନାହିଁ । ବିଶେଷ କରି ମିନାକ୍ଷୀ ନିକଟରେ ସେ ଅଭାବ ପରିଲକ୍ଷିତ ହୋଇଛି ।

 

ପ୍ରେମ

 

ମିନାକ୍ଷୀଠାରେ ପତ୍ନୀର ନିରାଜନା କରି ସୁବୋଧ କଣ ପ୍ରକୃତରେ ପ୍ରେମର ସଫଳତା ହାସଲ କରି ପାରିଛି ?

 

ସୁବୋଧ କହୁଛି ଏଣିକି ପରିବର୍ତ୍ତନ ଦରକାର । ବାତାବରଣର ଓଲଟ ପାଲଟ ଦରକାର-। ଦେହ ପାଇଁ ସେଇ ବିବର୍ତ୍ତନର ଆସର ଲୋଡ଼ା । ହେଲେ ମନ ପାଇଁ ?

 

ମିନାକ୍ଷୀ ଦେହ ଚିହ୍ନୁ ନାହିଁ, କି ମନ ଚିହ୍ନୁ ନାହିଁ । ଖାଲି ବଡ଼ କରୁଛି ମାନକୁ । ଖ୍ୟାତି, ପ୍ରତିଷ୍ଠାର ମୋହ ତା ପୂର୍ଣ୍ଣେନ୍ଦୁ ଆକାଶରେ ମନଟାକୁ ସବୁବେଳେ ମଦାଳସୀ କରି ରଖୁଛି । ଫେସନ ହେଉଛି ସେଇ ଆଭିଜାତ୍ୟ ଲାଗି । ପ୍ରେମ ପାଇଁ ନୁହେଁ । ପ୍ରଣୟର ପଶାପାଲିରେ ସ୍ୱାମୀର ଉଷ୍ଣତାକୁ ଖେଳିବାର ପ୍ରୟାସ ତା ମନରୁ ହ୍ରାସ ପାଇଯାଇଛି ।

 

ପ୍ରେମାଭିଜାତ୍ୟର କ୍ଷୁଣ୍ଣ ମନକୁ ନେଇ ସୁବୋଗ ବା କେତେ ଶିଳେଇ ହେବ ମିନାକ୍ଷୀ ସାଙ୍ଗରେ । ମିନାକ୍ଷୀର ଫେସନ, ଆଭିଜାତ୍ୟ ଓ ଗର୍ବରେ ସୀମିତ । ପ୍ରେମର ପରିସର ମଧ୍ୟରେ ନୁହେଁ । ସେଥିଲାଗି କାମଦେବ କହୁଛି ପତ୍ନୀମାନଙ୍କର ସ୍ଥିତି ପରିବର୍ତ୍ତନ କରିବାରେ ସେମାନଙ୍କ ମାନସିକ ପ୍ରବୃତ୍ତିର ଗତି ମଧ୍ୟ ବଦଳିଯିବ । କାମଦେବ ପାଖରେ ମିନାକ୍ଷୀ ରହିଲେ ଡକ୍‌ଟରେଟର ଗୁଣ ଆଉ ସୁମରିବ ନାହିଁ ।

 

ହୁଏତ ମନେ ମନେ ସେ ଚିନ୍ତା କରୁଥିଲା କାମିନୀ ପାଇଁ । ଅନ୍ଧକାରର ଆଶ୍ଚର୍ଯ୍ୟ ଉଦ୍ୟାନରେ କାମିନୀ ଫୁଟିଛି !

 

ସେ ଚାହେଁ ପ୍ରଣତି ।

 

ଆଶୀର୍ବାଦର ଆଲୋକ୍ୟରେ ଉଦ୍ଭାସିତ ହୋଇ ସେ ତାଙ୍କର ଆଗରେ ଆଖି ବୁଜୁ ।

 

ସ୍ୱାମୀହିଁ ତାର ବୈକୁଣ୍ଠ । ଆଦର୍ଶ, ଆଉ ସତ ମିଛର ସମୀକ୍ଷା, ଯାହାକୁ ପିଲାଖେଳ ଭଳି ମିଛିମିଛିକା ଦାହରେ ଦଗ୍‌ଧ ହୋଇଯିବାକୁ ସେ ଚାହେଁ ନାହିଁ । ଅନ୍ତସତ୍ତ୍ୱା କାମିନୀ ମନରେ ଯେଉଁ ସନ୍ତାନ ପ୍ରସବନ କାମନା ତରଙ୍ଗାୟିତ ହୋଇ ଉଠୁଥିଲା, ତାହା ନିଜ ମନର କାମନା ଦୃଷ୍ଟିରୁ ନୁହେଁ, କାମଦେବର ଆକୁଳିତ ପିତୃତ୍ୱ ପକ୍ଷରୁ ।

ବୈକୃଣ୍ଠର ଦେବତା ସେ । ବିପକ୍ଷ କରି ତାଙ୍କୁ ଚାଲିଗଲେ ଅପସାରଣର ଭୂମି ଉପରେ ପଦ ଥୋଇ ସେ କେମିତି ଚାଲିବ ? ମିନାକ୍ଷୀର ମନକୁ ସଂସ୍କାରର ଜଳରେ ଧୋଇ ଦେବାକୁ ଯାଇ କାମିନୀର ହୃଦୟରେ ଯଦି ତରଙ୍ଗର ଫେଣ ଲାଖି ରୁହେ ?

ଏଇ ଯେ କାମିନୀ ବୁଝୁ ନାହିଁ । ଦିଗ ନିର୍ଣ୍ଣୟର କଣ୍ଟା ଧରି ଯେତେ ଅନୁପାତ କରି ବସିଲେ ବି କାମିନୀ ଅଭିମାନ କରୁଛି ।

ମୋଟେ ବୁଝୁ ନ ଥିଲା କାମିନୀ ।

ପାଠ ପଢ଼ି ଚାକିରୀ କରି ତୁମର ଶେଷରେ ଏଇ ବୁଦ୍ଧି ହେଲା ଯେ ତୁମେ ପରୀକ୍ଷା ପାଇଁ ଆମକୁ ବଦଳ କରିବାକୁ ବସୁଛ ?

କାମଦେବ ମୁକ୍ତ ହୃଦୟରେ ମୁହଁ ଫେଡ଼ି ଜଣେଇ ଦେଇଥିଲା । ସୁବୋଧ, ମିନାକ୍ଷୀ ସେତେବେଳେକୁ ତାଙ୍କର ଘର ପରିତ୍ୟାଗ କରି ଚାଲି ଯାଇଥିଲେ । ସୁଜାତା ଅନ୍ୟ ଆଡ଼େ କାମରେ ବ୍ୟସ୍ତ ଥିଲେ ।

ଗର୍ଭଧାରଣର କ୍ଳାନ୍ତିକୁ ଅପନୋଦନ କରି ବସୁଥିବା ସମୟରେ କାମଦେବ ଯେ ଏଭଳି ଏକ ପ୍ରସ୍ତାବ କରିବ, ତାହା କାମିନୀ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲା । ଏକାନ୍ତରେ ସେ ତୀବ୍ର ଆଘାତ ପାଇ ଅଭିମାନରେ ସାରା ରାତି ବିତେଇ ଦେଲା ।

ଆଖି ଆଗରେ ଦୁନିଆରେ ଚିହ୍ନା ଅଚିହ୍ନା ଅସଂଖ୍ୟ ପତ୍ନୀଙ୍କର ଛବି ଭାସି ଉଠୁଥିଲା ।

ସମସ୍ତଙ୍କ ପାଇଁ ସ୍ୱାମୀମାନେ କଣ ଏମିତି !

 

।। ୭ ।।

 

ଶପଥ କରି ସାରିଛି ଯେତେବେଳେ କାମିନୀ ତା’ ମନକୁ କୌଣସି ଉପାୟରେ ନିବୃତ୍ତାଇ ପାରିବ ନାହିଁ । କାମଦେବ ଆପଣା ମନର ବହି ପୃଷ୍ଠା ଭିତରେ ସାଇତି ରଖିଛି ଆକାଙ୍‌କ୍ଷାର ଅପମାରଙ୍ଗ ପତ୍ର । କାମିନୀ ପରେ ମିନାକ୍ଷୀ ମଧ୍ୟ ଆସିଲେ ସେଠି ସେ ଚେର ମେଲିବ । ଜୀଇବ । ଊର୍ଦ୍ଧ୍ୱ ଆକାଶକୁ ହାଇ ମାରି ଯୌବନର ଅଫୁରନ୍ତ ବାସନାକୁ ସ୍ୱାଗତ କରି ଆଣିବ । ବିଶେଷ ସମ୍ଭାଷଣ ଦରକାର ନାହିଁ ।

 

ଆସ ନା, ଆସ ।

 

ଉତ୍ତେଜିତ ହୋଇ ଉଠୁଛି କାମଦେବ ।

 

ସ୍ୱପ୍ନର ଚଷମାରେ ସତ୍ୟର ଭବିଷ୍ୟତକୁ ଲକ୍ଷ୍ୟ କରୁଛି ସେ । ପରିବର୍ତ୍ତନର ସମୟ ଆସି ନିକଟ ହୋଇ ଯାଉଛି । କାମିନୀର ପୁଅ ହେବା ପରେ ସେ ନିଜକୁ ମାତୃତ୍ୱର ଗୌରବରେ ଗୌରବାନ୍ୱିତ କରୁଛି । ଆଉ ଅବଶୋଷ କଣ ? ଚିନ୍ତା କଣ ? କାମଦେବର ବିବାହ ସାର୍ଥକ ହୋଇଛି । ଦାମ୍ପତ୍ୟ ଜୀବନର ଘନଘଟା ମଧ୍ୟରେ ସନ୍ତାନର ସମ୍ଭାବ୍ୟ ସାମର୍ଥ୍ୟ ପ୍ରତି ଆସ୍ଥା ପୋଷଣ କରି କାମିନୀ ଚରଣ ରେଣୁ ସ୍ପର୍ଶ କାମଦେବର ।

 

ଜାୟାର ପରିବର୍ତ୍ତିତ ରୂପ ତାର ହସି ଉଠିଲା । କାମଦେବ ଅପଲକ ନୟନରେ ଦୃଷ୍ଟି ନିକ୍ଷେପ କରି କହିଲା, କାମିନୀ, ତୁମେ ମୋ ଉପରେ ରାଗିଛ, ନୁହେଁ ?

 

କାମିନୀ ମୁହଁ ଶୁଖେଇ କାମଦେବର କୋଳକୁ ଆଉଜି ଆସିଥିଲା ।

 

ସ୍ୱାମୀର ସାନ୍ନିଧ୍ୟରୁ ଅପସରି ଯିବାକୁ ଦୁନିଆରେ କଣ କୌଣସି ପତ୍ନୀ ଚାହିଁଥାନ୍ତି ? ପରିସ୍ଥିତି ବାଧ୍ୟରେ ଯେଉଁ ବିଚ୍ଛିନ୍ନତା ଆସେ, ତାହା ନାରୀର ଦୁର୍ବଳ ମନକୁ ବହୁ ଆଘାତ ଦିଏ । କାଟେ । ସ୍ୱାମୀ ତାର ଦୁଃଖୀ, ଦରିଦ୍ର, ହେଲେ ବି ସେ ତାଙ୍କୁ ଈଶ୍ୱରଙ୍କ ଅମୃତ ଭାବି ସଦା ସର୍ବଦା ତାଙ୍କ ସ୍ଥିତିରେଣୁ ଆହରଣ କରିବାରେ ଗର୍ବ ଅନୁଭବ କରୁଥାଏ ।

 

କାମିନୀ ଜାଣି ଜାଣି ଦୂରେଇ ଯିବ । ବନ୍ଧୁ ହେଲେ ଓ ପରପୁରୁଷ ସୁବୋଧ ପାଖରେ ତାର ପରିଚୟ କଣ ରହିବ ? ଆତ୍ମବିଜ୍ଞପ୍ତି କଣ ଦେବ ସେ । ଭାଇ ଭଉଣୀର ଅଭିନୟ କରି ସେ ଦୁହେଁ ଚହଲି ଯାଆନ୍ତି !

 

କାମଦେବ ଅନ୍ତରକୁ ସଙ୍ଗୀତର କରୁଣ ମୂର୍ଚ୍ଛନା ନିର୍ଗତ ହେବାକୁ ଲାଗିଥିଲା ।

 

ମିନାକ୍ଷୀକୁ ବିଚ୍ୟୁତ କରିଦେଲେ ସେ ଆତ୍ମତୃପ୍ତି ପାଇ ପାରିବ ସିନା, ହେଲେ କାମିନୀ ଦେହରେ ସୁବୋଧ ଯୌବନର ଅଶୌଚତା ଲାଗିଲେ ସେ ସହ୍ୟ କରିପାରିବ କେମିତି ? ସେ ବନ୍ଧୁ ହିସାବରେ ଏତେଟା ସ୍ୱାର୍ଥତ୍ୟାଗୀ ହୋଇପାରିବ ନାହିଁ । କାମିନୀ ଯୌବନର କୋମଳଲତା ଉପରେ ସୁବୋଧର ଉପଦ୍ରବକୁ ସେ ଜାଣୁ ଜାଣୁ ପ୍ରଶ୍ରୟ ଦେବ ନାହିଁ ।

 

କିନ୍ତୁ.....

 

କାମଦେବ ଶେଷ ସିଦ୍ଧାନ୍ତ କରି ସୁବୋଧ ପାଖୁ ଜଣାଇ ଦେଇ ସାରିଛି ଯେତେବେଳେ ଆଉ ବ୍ୟବସ୍ଥାର ରୂପରେଖ ବଦଳେଇ ଦେବ କେଉଁ ମନରେ ?

 

ସେଦିନ ପୁଅ ଏକୋଇଶିଆ ଉତ୍ସବ ଉପଲକ୍ଷେ ମିନାକ୍ଷୀ ସହ ଏକାନ୍ତ ସାକ୍ଷାତ କରିବାର ଅଭିଳାଷ ପୋଷଣ କରିଥିଲା କାମଦେବ । ସୁସଜ୍ଜିତ ବିଦ୍ୟୁତ୍‌ ଆଲୋକମାଳାରେ ଉଦ୍ଭାସିତ ଉତ୍ସବର ପରିବେଶ ମଧ୍ୟରେ କାମଦେବ ଅନ୍ଧକାରର ଗୋପନ ରାସ୍ତା ଖୋଜୁଥିଲା । ଯେଉଁଠି ପୁଳାଏ ଅନ୍ଧାରର ନିର୍ଜନତା ଦେଖୁଥିଲା, ସେଠି ହୁଏତ ମିନାକ୍ଷୀର ଅନୁପସ୍ଥିତି ଦେଖି ସେ ବିଶେଷ ମର୍ମାହତ ହୋଇ ପଡ଼ୁଥିଲା । ହୁଏତ ତାକୁ ଅନେକ ଇଙ୍ଗିତ ଦେଇଥିଲା କାମଦେବ ।

 

ତମେ କ୍ଳାନ୍ତ ମିନାକ୍ଷୀ । ଅନ୍ଧକାରର ଶଯ୍ୟାରେ କିଛି ସମୟ ବିଶ୍ରାମ ନିଅ । ଅନ୍ୟମାନେ ଅଛନ୍ତି, ସବୁ କାମ ତୁଲାଇ ନେବେ ନାହିଁ ?

 

ମିନାକ୍ଷୀ ଆଖିରେ ଥିଲା ଶତ ଆଳସ୍ୟର ସ୍ୱାକ୍ଷର । କାଗଜର ପୃଷ୍ଠାରେ ଅନ୍ଧର ଲେଖିବା, ମନର ଭାବନାରେ ସଂଳାପ ଭାବିବା, ମୁହଁ ଖୋଲି କହି ଆନନ୍ଦ ଲାଭ କରିବା; ପିପାସାର ଶକ୍ତି ନିକଟରେ ଯେ କେତେ ନିମ୍ବରେ, ତାହା ସମସ୍ତେ ବୁଝି ପାରିବେ କୁଆଡ଼ୁ ! କାମଦେବର ଆଖିର ଅକ୍ଷରରେ ଦେହ ମଧ୍ୟରେ ଉତ୍ତେଜନାର ବିଦ୍ୟୁତ କ୍ଷିପ୍ର ହୋଇ ଉଠୁଥିଲା । ସେ ବାପା ହୋଇଛି । ବନ୍ଧୁବାନ୍ଧବଙ୍କର ମଙ୍ଗଳ କାମନା ନେଇ ତା’ ସଂସାର ଆଗେଇ ଚାଲିବାକୁ ସେ ପ୍ରେରଣା, ଉଦ୍ଦୀପନା ଲାଭ କରୁଛି । ହେଲେ ଯେଉଁ ଅନ୍ଧାର ସ୍ଥାନକୁ ଆଶ୍ରା କରି ମନର ଜାଲ ପକାଇବାକୁ ଯାଉଛି, ସେଠି ସେ ଦେଖୁଛି ଭରା ଆତଙ୍କ ।

 

ଯୌବନର ଦୁର୍ବଳତା......

 

ମିନାକ୍ଷୀ ହୁଏତ ପଦକ୍ଷେପ ନେବାକୁ ମନରେ ସନ୍ଦେହ କରୁଛି । ଆଲୋକର ବିପକ୍ଷରେ ରହିବା ଲାଗି ପ୍ରମାଦ ଗଣୁଛି । ଡକ୍‌ଟରେଟ୍‌ ଉପାଧିପ୍ରାପ୍ତ ସୁବୋଧ ରାୟର ସ୍ତ୍ରୀ କି ନା, ସେଇଲାଗି ପାଦ ଥରି ଉଠୁଥିବ ନିଶ୍ଚୟ ।

 

ସେଦିନଠାରୁ ମିନାକ୍ଷୀ ଅତ୍ୟନ୍ତ ଚମତ୍କାର ଦିଶୁଥିଲା ଉତ୍ସବ ଉପଲକ୍ଷେ । ଆଲୋକରେ ଉପବିଷ୍ଟା ତା’ ତନୁ ତିନିମାରୁ ସମସ୍ତ ଅଶ୍ଳୀଳତା ବାହାରକୁ ସ୍ପଷ୍ଟ ପ୍ରକାଶ ପାଉଥିଲା । ସେଇ କୁଞ୍ଚ କମନୀୟ ଅଙ୍ଗ, ପ୍ରତ୍ୟଙ୍ଗ.....

 

ଆଃ.....

 

ଆଖିରେ ଦେଖିଲା ମାତ୍ରେ ଯଦି ଦେହରେ ଉପଲବ୍‌ଧ କରି ହେଉଥାନ୍ତା, ତାହେଲେ ଏତେ ଚିନ୍ତାର ଯନ୍ତ୍ରଣା କାହିଁକି ଥାଆନ୍ତା ?

 

ଛଟପଟ ହେଉଥିଲା କାମଦେବ । ସୁବୋଧ ଚକ୍ଷୁର ଅନ୍ତରାଳରେ ନିଜକୁ ଉତ୍ସବର ଅଭ୍ୟସ୍ତ କର୍ତ୍ତା ରୂପେ ଛଳନାର ରୂପ ବଦଳେଇବାକୁ ଭୁଲି ନଥିଲା ସେ ।

 

ଉତ୍ସବ ଶେଷରେ ରାଜଧାନୀକୁ ଫେରିବା ସମୟରେ ସୁବୋଧ ମିନାକ୍ଷୀ ନିକଟରେ ଥାଇ ମଧ୍ୟ କାମଦେବକୁ ନିର୍ଦ୍ଦେଶ ଦେଇ ଯାଇଥିଲା, ଏଥର ପରୀକ୍ଷା ଚାଲିବ ତ ?

 

ହସି ହସି କାମଦେବ ହଁ ଭରିଥିଲା ।

 

ପ୍ରାଣରେ ଉତ୍ତର ଫାଲ୍‌ଗୁନୀର ଧ୍ୱନି ।

 

ମନରେ ଆଶା ଆଷାଢ଼ର ଧାରା । ପୁରୁଷମାନଙ୍କର ବହୁ ନାରୀ ପ୍ରୀତିଲାଳସାକୁ ଖୁବ୍‌ ନିକଟରେ ପୂର୍ଣ୍ଣ କରିବାକୁ କାମଦେବ ପଦକ୍ଷେପ ନେଉଛି । ସୁବୋଧ ଡକ୍‌ଟରେଟ୍‌ ପାଇଛି, ସନ୍ତାନର ପିତା ହୋଇଛି, ସ୍ୱନାମଧନ୍ୟ ବ୍ୟକ୍ତି ରୂପେ ସମାଜରେ ପ୍ରଶସ୍ତି ତାର ବଢ଼ି ଯାଇଛି । ହେଲେ ବଢ଼ି ନାହିଁ ତାର ସେଇ ଗୋଟିଏ ଜିନିଷ ।

 

ମନ....

 

ମନ ତାର ଯେମିତି ଇନିଇଲାଷ୍ଟିକ୍‌ ଥିଲା, ସେମିତି ରହିଛି । ମିନାକ୍ଷୀ ସେଥିରେ ଯେତେ ସ୍ପ୍ରିଙ୍ଗ ଦେଇ ଯୋଗ କଲେ, ତାହା ଇଲାଷ୍ଟିକ୍‌ ପରି ସଂପ୍ରସାରିତ ହେବ କୁଆଡ଼ୁ ? କାମଦେବ ସୁବୋଧ ଦେହରେ ହାର୍ଟ ବିଟ୍‌ର ପରୀକ୍ଷା କରୁଥିଲା । ଅନାଡ଼ୀ ନୁହେଁ କି ଦୁର୍ବଳ ନୁହେଁ । ଏକ ଅଭୁତ ଜୀବ ସୁବୋଧ । ଯୌବନର ଉତ୍ତାପକୁ କେଉଁ ଦୃଷ୍ଟିରୁ ଅନୁଭବ କରୁଛି କେଜାଣି । ଦେହ ପାଇଁ ସେ ପରିବର୍ତ୍ତନର ଯୋଜନା କରିଗଲା ସିନା, ହେଲେ ମନ ପାଇଁ ତ କିଛି କହିଯାଇ ନାହିଁ ?

 

ମିନାକ୍ଷୀକୁ ନେଇ ସେ ଯେଉଁ ମନର ଅକ୍ଷରଗୁଡ଼ିକ ଡାଏରୀ କରି ରଖିବ, କାମିନୀକୁ ପାଇବା ପରେ ସୁବୋଧ କଣ ସେଇ ମନର ଗବେଷଣା କରି ପାରିବ ?

 

ସୁବୋଧ ବିବର୍ତ୍ତନବାଦର ବ୍ୟର୍ଥ ବିପକ୍ଷତାର ଶିକାର ହୋଇଗଲେ କ୍ଷତି କାମଦେବର ହେବ ନାହିଁ । କାରଣ କାମଦେବ ତା’ ସ୍ତ୍ରୀର ପରିବର୍ତ୍ତିତ ମନ କଣ ହେବ, ତାହା ଆଗରୁ ଜାଣି ପାରୁଛି । ସତୀତ୍ୱର ପରୀକ୍ଷାରେ ହାରି ଯିବାର ଦୁର୍ବଳତା କାମିନୀଠାରେ ସେ ଅନୁଭବ କରୁନାହିଁ । କାରଣ ସେ ସବୁବେଳେ ତା’ ସ୍ଥିତିକୁ ନେଇ ସୁଖୀ ହୋଇ ଆସିଛି । କାମଦେବର ହସ, ଅଶ୍ରୁର ସଂସାର ମଧ୍ୟରେ ଉଚ୍ଚାଭିଳାଷକୁ ସେ ମୋଟେ ପରିକଳ୍ପନା କରିନାହିଁ ! ପରିସ୍ଥିତିର ଭୁଲ୍‌ରେ ଯାହାକୁ ଭୁଲ୍‌ ବୁଝିଛି, ସଂଶୟ ଦୂର ହୋଇଗଲେ ତାକୁ ସେ ଠିକ୍‌ ବୋଲି ଆଦର କରିଛି ।

 

କାମିନୀ ମିନାକ୍ଷୀର ପ୍ରତିକୂଳ ।

 

ବିଚିତ୍ରବର୍ଣ୍ଣା ପରି ରୂପ ବଦଳେଇବାର ଢଙ୍ଗକୁ ସେ ଆଦୌ ଜୀବନର ମନ୍ତ୍ର ବୋଲି ସ୍ୱୀକାର କରିନାହିଁ । ଜୀବନର ଏଇ ମନ୍ତ୍ର ସ୍ୱାମୀ ବୋଲି ସେ ବୁଝି ଆସିଛି । ଯାହାଙ୍କ ଜ୍ୟୋତି ନିକଟରେ ସେ ନିଜ ପତ୍ନୀତ୍ୱକୁ ସପର୍ପି ନାରୀ ଜନ୍ମର ସାର୍ଥକତା ଉପଲବ୍‌ଧ କରୁଛି । ଆଉ ଅନେକ ବାର ସକରୁଣ ଦୃଷ୍ଟିରେ କାମଦେବକୁ ଆଙ୍ଗୁଠି ନିର୍ଦ୍ଦେଶ କରି ଦେଖାଇ ଦେଇଛି, ଦେଖୁଛ ସୁଜାତା ଭାଉଜଙ୍କ ବିକଳ୍ପ ନାରୀର ବର୍ଣ୍ଣ ବିଭାସ ! ସ୍ୱାମୀ ସେବାରୁ ଦୈବଦୁର୍ବିପାକରେ ବ୍ୟାହତ ହୋଇ ସେ କେମିତି ସ୍ୱାମୀ ସମ୍ପ୍ରଦାୟଙ୍କ ପ୍ରତି ନିଷ୍କରୁଣତାର ଅଶ୍ରୁ ମୁଞ୍ଚନ କରୁଛନ୍ତି ?

 

କାମଦେବ ସେଦିନ ନିର୍ଦ୍ଦିଷ୍ଟ ନୟନରେ ଏକଆଡ଼େ ସୁଜାତା ଅନ୍ୟ ଆଡ଼େ କାମିନୀ ପ୍ରତି ବିଶେଷ ଭାବରେ ଦୃଷ୍ଟି ନିକ୍ଷେପ କରିଥିଲା । ଏଇ ହେଉଛି ତା’ ସଂସାରରେ ଦୁଇ ନାରୀଙ୍କ ଅନୁଶୀଳନୀ । ଯାହାକି, ମିନାକ୍ଷୀର ମନ ଧାରରେ କେବେହେଲେ ସୁବୋଧ ତା’ ସଂସାରରେ ଦେଖିବାକୁ ପାଉନଥିବ । କିନ୍ତୁ ମିନାକ୍ଷୀ ଗର୍ବ କରୁଛି ସୁବୋଧର ଆଭିଜାତ୍ୟ ନେଇ । ସୁବୋଧର ଦିଦି ଆଜି ରାଜନୀତି କ୍ଷେତ୍ରରେ କେତେ ବଡ଼ ନାରୀ ନେତ୍ରେ ଭାବେ ପ୍ରଶଂସା ଅର୍ଜନ କରୁଛି, ତାହା ସେ ଶ୍ରବଣ କରି ଆନନ୍ଦରେ ଫାଟି ପଡ଼ୁଛି । ଅନ୍ଧ ଅନ୍ଧାରର ଆଭିଜାତ୍ୟରେ ବିମୁଗ୍‌ଧ ହୋଇ ସେ ଅନ୍ୟମାନଙ୍କୁ ତୁଚ୍ଛ କରି ଦେଉଛି । ହୁଏତ ସୁବୋଧ ଯଦି ଦୀନ, ହୀନ ପରି ଅଭାବରେ ସମୟ ବିତାଉ ଥାନ୍ତା, ତେବେ ମିନାକ୍ଷୀ କେଉଁ ଦିନରୁ ମ୍ରିୟମାଣ ହୋଇ ପଡ଼ନ୍ତାଣି । ସେଥିଲାଗି ଏକ ତୀବ୍ର ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବା ପାଇଁ କାମଦେବ ଯୌବନର ଯଜ୍ଞ ଆୟୋଜନ କରିଛି । ସେଥିରେ ମିନାକ୍ଷୀର ସତୀଙ୍କ ଦଶା ଘଟିପାରେ, ନତୁବା ସେ ଜଣେ ସୁଲଭ ନାରୀ ରୂପେ ଉତ୍ତୀର୍ଣ୍ଣ ହୋଇଯାଇପାରେ ।

 

ଏକୋଇଶିଆ ଉତ୍ସବ ସମାପନ ହେବା ବେଳେ ସ୍ୱତଃପ୍ରବୃତ୍ତ ହୋଇ ସୁବୋଧ କହିଛି ଏଣିକି ପୂର୍ବ ପ୍ରସ୍ତାବ ଯେମିତି କାର୍ଯ୍ୟକାରୀ କରିବା । ବିଳମ୍ବ ହେଲେ ମନର ଉତ୍ସାହ ହ୍ରାସ ପାଇଯିବ-

 

କାମଦେବ ସୁବୋଧର ସରଳ ମନ ଉପରେ ସୁଯୋଗର ନୂତନ ଉପତ୍ୟକା ସୃଷ୍ଟି କରୁଥିଲା ।

 

କାମିନୀ ବୁଝି ଯାଇଛି । ସେ ଯିବ । ଦୁଇ ମାସର ସନ୍ତାନକୁ କୋଳରେ ଧରି କିଛି ଦିନ ଲାଗି ସେ ସୁବୋଧର ସଂସାରରେ ପ୍ରବେଶ କରିବ । କାମଦେବ ଚିଠିଦ୍ୱାରା ସୁବୋଧ ନିକଟ ଜଣାଇ ଦେବାରେ ହେଳା କରି ନାହିଁ । ପରିଣତି ପ୍ରତି ଭୃକ୍ଷେପ କରି ବନ୍ଧୁତାର ପରିବହନ କ୍ଷେତ୍ରରେ ନୂତନ ଯାତ୍ରା ରୂପେ ଦୁହେଁ ଆଗେଇ ଯିବେ ।

 

ଇତିହାସ ଚମକି ଉଠିବ । ଶତାବ୍ଦୀ ଥରି ଉଠିବ । ଆଉ ସମାଜ କାଳକୁ ନିନ୍ଦା କରି ଅପଗାଉଣା ଗାଇବ । କିନ୍ତୁ ସୁବୋଧ କାମଦେବ ପରି ଏତେ ଦର୍ଶନରେ ଚିନ୍ତା ମୁଣ୍ତରେ ପୂରାଉ ନଥିଲା । ମିନାକ୍ଷୀକୁ ସେ ବାଧ୍ୟରେ ରାଜି କରାଇଛି । କାଳେ ସେ ପ୍ରେମାଙ୍ଗିନୀ ଭଳି ନିଜକୁ କାମଦେବର ପାର୍ଶ୍ୱବର୍ତ୍ତୀ ନ କରାଇବ, ସେଇ ଦୃଷ୍ଟିରୁ ସୁବୋଧ ତା’ କାନରେ କୁସମ୍ବାଦ ପରିବେଷଣ କରାଇଛି ।

 

ମିନାକ୍ଷୀ ଆପଣା ଦେହ ଓ ମନରେ ନାଗକନ୍ୟାର ଚରିତ୍ରକୁ ଉଜ୍ଜୀବିତ କରାଇ କାମଦେବର ଶରୀରକୁ ଦଂଶନ କରୁ । ଖୁସି ହୋଇଯାଇଛି ମିନାକ୍ଷୀ ।

 

ଅଧ୍ୟାପକଙ୍କ ଉର୍ବର ମସ୍ତିଷ୍କରୁ ଏଭଳି ବୁଦ୍ଧିର ନିର୍ଗମ ନ ହେଲେ ଜିତିବାର ଆଶା ଉଜ୍ୱଳି ଉଠିବ କୁଆଡ଼ୁ ? ସେ ଅସ୍ଥାୟୀ ଭାବେ ଟୁକୁକୁ ନେଇ କାମଦେବକୁ ବିଭ୍ରାନ୍ତ କରି ପକାଇଲେ, କାମିନୀ ହୃଦୟରୁ ସ୍ୱାମୀ ଭକ୍ତିର ଉତ୍ସ କମି ଆସିବ ସିନା ! ମିନାକ୍ଷୀ ମୁହଁରେ ହସର ରେଖା ଫୁଟି ଉଠୁଥିଲା । କାମଦେବର ସ୍ୱାମୀପ୍ରାଣତା ଉପରେ କାମିନୀ ଅଖଣ୍ତ ବିଶ୍ୱାସ ରଖି ସେଦିନ ମିନାକ୍ଷୀ ସମ୍ମୁଖରେ ଯେଉଁଭଳି ବଡ଼ ବଡ଼ କଥା କହିଗଲା ତାହା ତାକୁ ବିଶେଷ ଭାବେ କାଟିଛି । ବିଶେଷ ଉଦ୍‌ବିଗ୍ନ କରି ପକାଇଛି ତାର ସମ୍ମାନକୁ ।

 

ଯାହାର ସ୍ୱାମୀ ପିଅନ, କୁଲି, ମଜୁରୀଆ ହେଲେ ବି ଦେବତା । ସେ ତାଙ୍କୁ ମନର ଫୁଲ, ଚନ୍ଦନ ଦେଇ ନିତିପ୍ରତି ଆରାଧନା କରେ । ସେଥିରେ ଆଇ.ଏ.ଏସ. କିମ୍ବା ଡକ୍‌ଟରେଟ୍‌ ଉପାଧିଧାରୀ ପତ୍ନୀଙ୍କର ଆକ୍ଷେପ କରିବାର କଣ ଅଛି ?

 

କାମିନୀର ନାଟକୀୟ ସଂଳାପ ମିନାକ୍ଷୀର ଅଭିଜାତ ମନକୁ ବିଦାରଣ କରି ପକାଇଥିଲା ସେଦିନ । ସେଥିଲାଗି ସେ ପ୍ରତିହିଂସାମୁଖର ହୋଇ ଉଠିଛି । ଆଉ ଏକାନ୍ତାରେ ରାଜଧାନୀକୁ ଫେରି ଆସି ସୁବୋଧକୁ କହିଛି, ହଇଓ, ଏଇଥି ପାଇଁ ବନ୍ଧୁ ଲାଗି ତୁମ ଅନ୍ତର କାନ୍ଦି ଉଠେ, ନୁହେଁ ? ତୁମ ବନ୍ଧୁପତ୍ନୀ ଆମ ଦୁହିଁଙ୍କ ପ୍ରତି କିଭଳି ଧାରଣା ମନରେ ପୋଷଣା କରିଛନ୍ତି, ଅନୁମାନ କରି ପାରିଛ ?

 

ନା ।

 

ଆଉ ତୁଚ୍ଛାଟାରେ କାମଦେବ, କାମିନୀ ହୋଇ ରାତିରେ ନିଦ ନ ଥିବ । ପାଟିକୁ ଭାତ ଯାଉ ନ ଥିବ । ତୁମ ଡକ୍‌ଟରେଟ୍‌ ପଦବୀକୁ ସଂଳାପର ଇଙ୍ଗିତ ଦେଇ କାମିନୀ ପଦାଘାତ କରିଛି, କହିଲେ ବାହୁଲ୍ୟ ହେବ ନାହିଁ ।

 

ହସି ଦେଇଥିଲା ସୁବୋଧ । ମିନାକ୍ଷୀ କେବଳ ଧନ, ମାନରେ ଅନୁପ୍ରାଣିତ ହୋଇ ଉଚ୍ଚାଭିଳାଷକୁ ଖିଆଲର ପୋତ କରି ଚାଲୁଛି ! ସେ ଜାଣୁ ନାହିଁ କିମ୍ବା ଅନୁଭବ କରୁ ନାହିଁ ଯେ ଜୀବନରେ ଧନ ହେଉଛି ମାୟା । ପବିତ୍ର ତଥା ମୁକ୍ତିର ମାର୍ଗ ହେଉଛି ମାନବିକତା । ତା’ ଅଜ୍ଞାତରେ ଭାବି ଯାଉଥିଲା ସେ । ବନ୍ଧୁତା କିପରି ସାମଗ୍ରୀ ତାହା ସେ ମିନାକ୍ଷୀ ବିପକ୍ଷରେ ଜାଣି ସାରିଛି । ବନ୍ଧୁ ପାଖରେ ସଚ୍ଚୋଟ ବନ୍ଧୁତା ହୀରାଠାରୁ ବି ମୂଲ୍ୟବାନ୍‌, ଆକାଶଠାରୁ ବି ଅଧିକ ଉଚ୍ଚ, ପୁଣି ସମୁଦ୍ରଠାରୁ ଆହୁରି ଗଭୀର । ବାନ୍ଧବୀର ଦୁର୍ବଳତା ବନ୍ଧୁପାଖରେ ଜୀବନ ଭରି ଅଭିମାନ କରୁଥାଏ ସିନା, ହେଲେ ଏ ସବୁର ମୂଲ୍ୟ କଳନା କରିପାରେ ନାହିଁ ।

 

ସେଥିଲାଗି ଏକାନ୍ତ ଗୋପନୀୟ ହୃଦୟରେ କାମଦେବ ପାଇଁ ଦରଦ ପ୍ରକାଶିତ ହେଉଥିଲା ସୁବୋଧଠାରେ । ଅବିବାହିତ ଜୀବନରେ ସ୍ମୃତି ଗୁଡ଼ିକ ଚେଇଁ ଉଠି ଦେହ, ମନକୁ ଭିଣି ବିଦାରି ପକାଉଥିଲେ ।

 

କାମଦେବର ଚିଠି ପାଇ ସେ ପ୍ରତ୍ୟେକ କଥା ଚିନ୍ତା କରି ଦେଖୁଛି । ନାରୀ ଚରିତ୍ରର ବିଶୃଙ୍ଖଳା ପାଇଁ ତାଙ୍କ ବନ୍ଧୁତା ଯଦି ସନ୍ଦେହର ଅଗ୍ନିରେ ଜଳି ପୋଡ଼ି ଛାରଖାର ହୋଇଯାଏ, ତେବେ ଅତୀତରେ ଏତେ ପ୍ରତିଜ୍ଞା କରି ଅନ୍ତରଙ୍ଗତାର ଦ୍ୱାହି ଦେବାର ମୂଲ୍ୟ ଆଉ ରହିଲା କେଉଁଠୁ-? ସୁବୋଧ କାମଦେବଠାରେ ଅବିଶ୍ୱାସର ଅନ୍ଧକାରକୁ ଆଚ୍ଛାଦନ କରିପାରିବ ନାହିଁ । ତା’ ଦେହ ବିଦେହରେ ଗଣି ଆସିଥିବା ଯୌବନର ପ୍ରତ୍ୟେକ ଢେଉକୁ ନିସ୍ତେଜ ଉପକଣ୍ଠରେ ଅକାରଣେ ପିଟି ହୋଇ ଲୀନ ହେବାକୁ ସେ ଦେବ ନାହିଁ । ମିନାକ୍ଷୀ ନ ବୁଝୁ ସେମାନେ କଣ ଥିଲେ ଆଉ କଣ ହେବାକୁ ଯାଉଛନ୍ତି । ସେଥିରେ ତା ହୃଦୟ ତ ବିକ୍ଷୋଭ ପ୍ରଦର୍ଶନ କରୁନାହିଁ ? ମିନାକ୍ଷୀ ମଧ୍ୟ ଭ୍ରମରେ ପଡ଼ି କାମଦେବ ସଂସାରର ଗୃହିଣୀ ବୋଲି ଅଭିନୟ କରିବାକୁ ରାଜି ହୋଇଯାଇଛି । ତେଣୁ ଅତ୍ୟନ୍ତ ଖୁସି ମନରେ ଜାଗି ଉଠୁଥିଲା ସୁବୋଧ । କାମଦେବ ଲାଗି ସେ ମୋଟେ ଆତ୍ମପ୍ରତାରଣା କରିପାରିବ ନାହିଁ । ସେ ସ୍ୱାମୀ ହେଲେ ମଧ୍ୟ ଜୀବନ ଭରି ବନ୍ଧୁତାର ଉତ୍କର୍ଷତାକୁ ନିମ୍ନଗାମୀ କରିବାକୁ ଚାହେଁ ନା । ତା’ ଡକ୍‌ଟରେଟ୍‌ ଉପାଧିର ସୃଷ୍ଟି କେବଳ ତାକୁ ବିଶେଷଣ ଦେଇ ବିଭୂଷିତ କରିବା ପାଇଁ । ମନର ସେଥିରେ ବା ଭାଗ କେତେ ?

 

ମିନାକ୍ଷୀ ବିପକ୍ଷରେ ବନ୍ଧୁତାର ପ୍ରଶଂସା କରୁଥିଲା ସୁବୋଧ । ରାତି ସେତେବେଳକୁ ବାରଟା । ଟୁକୁ ତା’ ଛାତି ଉପରେ କେତେବେଳୁ ଶୋଇ ପଡ଼ିଛି । କିନ୍ତୁ ତା ଆଖିକୁ ମୋଟେ ନିଦ ଆସୁ ନ ଥିଲା ।

 

।। ୮ ।।

 

ପରସ୍ପରର ରାଜିନାମାରେ ସୁବୋଧ ଓ କାମଦେବ ଦୁହେଁ ଦୁହିଁଙ୍କ ଧର୍ମପତ୍ନୀଙ୍କୁ ଅଦଳ ବଦଳ କରି ବସିଲେ । କାମିନୀ ଆସିଲା ସୁବୋଧ ପାଖକୁ, ମିନାକ୍ଷୀ ଗଲା କାମଦେବ ପାଖକୁ, ଦୁଇ ବନ୍ଧୁ ନିଜ ନିଜ ଆତ୍ମସମ୍ମାନକୁ ଅକ୍ଷୁଣ୍ଣ ରଖିବା ଲାଗି ସ୍ଥିତିର ମଧ୍ୟ ପରବର୍ତ୍ତନ କଲେ । ଦୁହିଁଙ୍କ ସହରର ଶେଷପ୍ରାନ୍ତମାନଙ୍କରେ ବସା ପରିବର୍ତ୍ତନ କରି ରହିବାକୁ ପଡ଼ିଲା । ସୁବୋଧ ରାଜଧାନୀରେ ଯେଉଁଠି କ୍ୱାର୍ଟର ନେଲା, ତାହା ଏକରକମ ନିର୍ଜନ ସ୍ଥାନ କହିଲେ ଚଳେ । କେବଳ କାମଦେବ ଟିକେ ଅସୁବିଧାରେ ପଡ଼ିଗଲା । ସେ ନିରାପଦରେ ରହିବାକୁ ଇଚ୍ଛା କରି ଜଙ୍ଗଲର ଏକପାର୍ଶ୍ୱରେ ଥିବା ଡାକବଙ୍ଗଳା ସଂଲଗ୍ନ କୋଠରୀ ଦ୍ୱୟରେ ଆଶ୍ରୟ ନେଲା । କାମଦେବ ସେଇ ସହରର ଜଙ୍ଗଲ ବିଭାଗର ସ୍ଥାୟୀ ସୁପର୍‌ଭାଇଜର୍‌ ହେତୁ ସେଠାରେ ବସା ବଦଳେଇବାରେ ସରକାରଙ୍କ ତରଫରୁ କୌଣସି ଆପତ୍ତି, ଅଭିଯୋଗ ଉଠି ନ ଥିଲା । ବରଂ ଜଙ୍ଗଲର ଅଧିବାସୀମାନେ ଅତ୍ୟନ୍ତ ପ୍ରୀତି ହୋଇ ପଡ଼ିଲେ । କାମଦେବର ନୂତନ ପ୍ରବେଶକୁ ସମସ୍ୱରରେ ବଧାଇ ଜଣାଇବା ସଙ୍ଗେ ସଙ୍ଗେ ଗୋଟିଏ ବଡ଼ ଉତ୍ସବର ଆୟୋଜନ କରିଥିଲେ । ମିନାକ୍ଷୀ ସହ କାମଦେବ ଆସିଲା ସେଇ ଡାକବଙ୍ଗଳା ନିକଟ । ହୃଦୟରେ ଦୁର୍ବଳତା, ଭୟ, ବ୍ୟଥା ଜମାଟ ବାନ୍ଧିଥିଲେ ସୁଦ୍ଧା ମନରେ ବିଷକନ୍ୟାର ରୂପ ବହି ସେ ପାଦ ଦେଇଥିଲା ଜଙ୍ଗଲରେ ।

 

କାମଦେବ ପରିବେଶର ଶାନ୍ତ, ସରଳ ଅଧିବାସୀଙ୍କୁ ଇଙ୍ଗିତ କରି ମିନାକ୍ଷୀ ମନର ଧାରଣାକୁ ଅବଗତ ହେବା ନିମନ୍ତେ ପଚାରିଲା, କୁହ ମିନାକ୍ଷୀ, ଏଇ ଅନ୍ୟ ରଙ୍ଗର ପରିସ୍ଥିତି ତୁମକୁ ଆନନ୍ଦ ଦେଉଛି କି ନାହିଁ । ଏତେ ବନ୍ୟ ସବୁଜିମା, ପଶୁ, ପକ୍ଷୀ, କାକଳୀଙ୍କର କଣ୍ଠସ୍ୱର, ହିଂସ୍ରଜନ୍ତୁଙ୍କ ସମନ୍ୱୟ, ସମ୍ମିଶ୍ରଣରେ ଅଧିବାସୀଙ୍କର ନିରାଡ଼ମ୍ବର, ନିର୍ଭର ଜୀବନ ଯାପନପ୍ରଣାଳୀ, ପାର୍ଶ୍ୱବର୍ତ୍ତୀ ଝରଣାର କୁଳୁକୁଳୁ ନାଦ, ପୁଣି ଅଦୂର ପାହାଡ଼ର ମନୋରମ ଦୃଶ୍ୟ, ଏସବୁ ତୁମକୁ ନିଶ୍ଚୟ ଭଲ ଲାଗୁଥିବ । ସୁବୋଧ ମଧ୍ୟ ତୁମ ପାଇଁ ଏମିତି ପରିବେଶର ସୂଚନା ଅନେକ ଦିନ ଆଗରୁ ମୋତେ ପ୍ରଦାନ କରୁଥିଲା ।

 

ମିନାକ୍ଷୀ କାମଦେବର କାବ୍ୟିକ ଅଭିବ୍ୟକ୍ତି ଶ୍ରବଣ କରି ମନେ ମନେ ହସିବାକୁ ବାଧ୍ୟ ହେଉଥିଲା ।

 

ସୁବୋଧ ଅଧ୍ୟାପକ ହେଲେହେଁ ସେତ କିଛି ନୁହେଁ, ସେ କାହିଁକି ପ୍ରକୃତିର ଶୋଭା, ସମ୍ପଦରେ ବିଭୋର ହୋଇ ଆକୃଷ୍ଟ ହୋଇ ପଡ଼ିବ ? କବିମାନେ ଭାବନାର ମରୀଚିକା ପଛରେ ଅନୁଧାବନ କରି ଶେଷରେ ନିରାଶାର ଯବନିକା ଟାଣିଥାନ୍ତି । ଜଙ୍ଗଲ ବିଭାଗର ସୁପରଭାଇଜର ହୋଇ କାମଦେବ କବିତା ଲେଖିବାରେ ପାରଦର୍ଶିତା ଅର୍ଜନ କରିଛି । ଜଙ୍ଗଲର ଭରା ରହସ୍ୟକୁ ଅନ୍ତର ଭିତରେ ଛାପି ମନରେ କୋମଳ ରସ ଉଦ୍‌ଗାରଣ କରୁଛି । ମିନାକ୍ଷୀ କାମଦେବକୁ ଲୁଚି ଛପି ଚାହୁଁଥିଲା । ତା’ କଥାର ମାଧୁରିମାକୁ ଅଲକ୍ଷ୍ୟରେ ଉପଲବ୍‌ଧି କରୁଥିଲା । ପଥଛାୟାର ପରିଶ୍ରାନ୍ତ ପଥିକ ମୁହଁରେ ଆଶ୍ରୟର ଆଶା ଉଜ୍ଜଳି ଉଠିଲେ ଯେମିତି ଦେଖାଯାଏ, ସେମିତି ଦେଖା ଯାଉଥିଲା କାମଦେବ । କାମନାର ଆତୁରରେ ସେ ଥିଲା କ୍ଳାନ୍ତ । ସେଥିପାଇଁ ଯୌବନର ଛାୟା ତାର ଦରକାର । ଉତ୍ତେଜନାର ଘର୍ମାକ୍ତ ଶରୀରରେ ଧାଇଁଲେ କେଉଁ ନାରୀ ତାକୁ ସାହଯ୍ୟ କରିଥାନ୍ତା ? ସୁମଧୁର କଣ୍ଠରେ ଭାଷା ଦେଇ ଆହ୍ୱାନ କରିବାର ମନକୁ ପଛରୁ ଯେମିତି କେହି ପ୍ରତିହତ କରୁଥିଲା ।

 

କାମିନୀ !

 

ଓଃ.....

 

ତୁମେ ପୁଣି ଉଲଗ୍ନ ହୋଇ ମୋ ଆଗରେ ଆସି ଠିଆ ହେଲ ?

 

ସ୍ୱପ୍ନେ, ଜାଗରଣେ ଯେତେବେଳେ ମିନାକ୍ଷୀକୁ ପ୍ରତ୍ୟକ୍ଷରେ ଧରିବାର ଚେଷ୍ଟା କରିଛି କାମଦେବ, ସେତେବେଳେ ମିନାକ୍ଷୀର ସତୀ ହୃଦୟ ତାକୁ ଛାୟା ଛନ୍ଦରେ ବାନ୍ଧି ପକାଇଛି । ଆଉ ଶୂନ୍ୟ ଧ୍ୱନି ଦେଇ କହିଛି ତୁମେ ସତରେ ବିପଥଗାମୀ ହେବାକୁ ଯାଉଛ ! ଏତେ ପରା ତୁମକୁ ବୁଝେଇ ଆସିଥିଲି କହିଥିଲି ମୋ ରାଣ, ମିଛରେ ମିଛରେ ମନ ନେଉ ନେଉ ସତରେ ଯଦି ଦେହ ହରଣ କରି ନେଇ ଯାଅ, ତେବେ ପୁରୁଷ ଜନ୍ମର ଧର୍ମ ଏକାବେଳେକେ ସବୁଦିନ ପାଇଁ ନଷ୍ଟ ହୋଇଯିବ । ମୋତେ ଆଉ ସମାଜରେ ମୁହଁ ଦେଖେଇ ବାଟ ଚାଲିବାକୁ ସାହସ ଦେଖାଯିବ ନାହିଁ-। ମୁଁ ସୁବୋଧ ବାବୁଙ୍କ ପାଖରେ ନିଜକୁ ସଂଯତ କରି ପରିଚାଳନା କରିବି । ଖାଲି ତୁମରି ଚିନ୍ତା, ଉନ୍ମିଦ୍ର ରଜନୀରେ ତୁମ ମନର ମୂର୍ତ୍ତି ନେଇ ମୁଁ କେମିତି ଅଗ୍ନି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୁଏ, ସେଇ ଆଶୀର୍ବାଦ କରୁଥାଅ । ଆଉ ବେଳେ ବେଳେ ସମୟ ହେଲେ ନିଲୁ କଥା ଭାବିବାକୁ ଭୁଲିବ ନାହିଁ-

 

ମୋଟେ ଦୁଇ ତିନିଦିନ ବ୍ୟବଧାନରେ କାମଦେବର ମନେ ପଡ଼ି ଯାଉଛି କାମିନୀର ଶେଷ ସଂଳାପ । ନିଲୁକୁ କୋଳରେ ଧରି ଛଳ ଛଳ ନେତ୍ରରେ ସୁବୋଧ ସାଙ୍ଗରେ ବିଦାୟ ନେଉଥିବାର ଦୃଶ୍ୟ ହୃଦୟ ଇଲେକ୍‌ଟ୍ରିକ୍‌ କରେଣ୍ଟରେ ଚିକ୍‌ଚିକ୍‌ କରୁଛି । ନିଲୁର କପାଳରେ ସସ୍ନେହ ଚୁମା ଆଙ୍କିଦେଇ କାମିନୀର ପ୍ରଣତିକୁ ସାଦରରେ ଗ୍ରହଣ କରି ନେଇଥିଲା କାମଦେବ । ସୁବୋଧର ହାତ ଧରି ଦୁର୍ବଳ ହୃଦୟରେ ସଂକ୍ଷେପ ସଂଳାପ ଦେଇ କହିଥିଲା, ପ୍ରଣୟର ପ୍ରଜାପତି ଯଦି ତାର ସ୍ଥିର ପରିବର୍ତ୍ତନ କରେ, ତେବେ ଆଶା, ବିଶ୍ୱାସ ହରାଇ ବଞ୍ଚିପାରେ କି ? ଆମେ ଦୁହେଁ ବୁଭୁକ୍ଷିତ ବନ୍ଧୁ । ଅନ୍ତରଙ୍ଗତାର ଆଲୋକରେ ଉଦ୍ଭାସିତ ହୋଇ ପଶ୍ଚିମର ପ୍ରଜାପତି ରୂପେ ନାରୀର ପୂର୍ବସ୍ଥିତ ସତୀତ୍ୱକୁ କେତେଦୂର ଅକ୍ଷୁଣ୍ଣ ରଖିପାରିବ, ତାହାହିଁ ଦେଖିବା କଥା । କାମିନୀ ପାଇଁ କାମଦେବର ଅନ୍ତରରେ ଯେଉଁ ଭାବାନ୍ତରର ଦ୍ୱିରୁକ୍ତି ଘଟିଥିଲା, ମିନାକ୍ଷୀ ଲାଗି କ୍ଷଣକ ପାଇଁ ସୁଦ୍ଧା ସେହି ଭାବନାର ଉଦ୍ରେକ ହେଲା ନାହିଁ । କାମିନୀ ତାର ଧର୍ମପତ୍ନୀ ହିସାବରେ ଯେଉଁ ମନର ମୁକ୍ତ, ପବିତ୍ର ଶୈଳୀର ପ୍ରବର୍ତ୍ତନ କରି ଆଣିଛି, ମିନାକ୍ଷୀ କଣ ସୁବୋଧଠାରେ କିଛିଟା ସେହି ବ୍ୟବହାର ଦେଖାଇବାକୁ ବିମୁଖ ହୋଇଛି ?

 

ମିନାକ୍ଷୀ ପାଖରେ ଟୁକୁ । ତିନି ବର୍ଷର ପୁଅ ଟୁକୁ ବାପା ବୋଉ ଡାକିବା ଛଡ଼ା ଦୁନିଆରେ କଥା କହିବାର ଭାଷା ଅନେକ ଶିଖି ପାରିଛି । ଅଧ୍ୟାପକଙ୍କ ସନ୍ତାନ ହିସାବରେ ଜ୍ଞାନକୁ ମାଡ଼ିମକଚି ପିଆଇ ଦେବାରେ ସୁବୋଧ ଯେମିତି ଅକ୍ଳାନ୍ତ ଚେଷ୍ଟା କରିଛି ବୋଲି ଅନୁମିତ ହେଉଛି-। କାମଦେବ ଆଖି ପୂରାଇ ଦେଖୁଛି ମିନାକ୍ଷୀର ସେଇ ତିନି ବର୍ଷର ସନ୍ତାନକୁ । ମାତୃତ୍ୱର ଗାର ଅଙ୍କନ କରି ଛୋଟ ଶିଶୁଟି ମିନାକ୍ଷୀ ଶରୀରରେ ନାରୀ ଜନ୍ମର ଚରମ ସାର୍ଥକତା ଆଣି ନାହିଁକି-?

 

ଟୁକୁ ଅମାନିଆ ଧରିଛି । ଦୁଷ୍ଟାମି ନ କରି ସୁଦ୍ଧା ବେଳେ ବେଳେ ଝଗଡ଼ା ସୁର୍‌ କରି ଦେଉଛି । ମିନାକ୍ଷୀ କହୁଛି, ଦେଖନ୍ତୁ ମୁଁ ଆଉ କରବି କଣ ? ଆପଣ ଜଙ୍ଗଲରେ କାମ କରୁଥିବା ସମୟରେ ମୁଁ ଯେତେ ଭୁଲାଇଲେ ମାମୁଁ ତୋ ପାଇଁ ଆଜି ଭଲ ଚଢ଼େଇଟିଏ ଆଣିବେ, ତୁ ଖେଳିବୁ-। ଟୁକୁ ମୋଟେ ଭୁଲୁ ନାହିଁ । ଖାଲି କହୁଛି, ବାପା । ମୋତେ ବାପା ପାଖରେ ଛାଡ଼ି ଦେଇ ଆ ।

 

କାମଦେବ ମିନାକ୍ଷୀର ମୁହଁରୁ ଟୁକୁର ଅଭିଯୋଗ ଶୁଣି ସ୍ୱଳ୍ପ ବ୍ୟଙ୍ଗୋକ୍ତି ଛଳରେ କହି ଉଠିଥିଲା, ତାକୁ ତୁମେ ଅନ୍ୟ ରକମ କଥା କହି ଭୁଲାଇ ଦିଅ । ଏଇ ଜଙ୍ଗଲର ସବୁଜିମା, ଆରକ୍ତ ଅନ୍ଧକାର, କୁଳୁ କୁଳୁ ନାଦିନୀ ବନ୍ୟ ଝରଣା, ସେ ସବୁ ସିନା ତୁମ ମୋ ଆଖିର ଅଞ୍ଜନ ସୃଷ୍ଟି କରୁଛି, ରାତିରେ ପୁଲକର ଶିହରଣ ଜଗାଉଛି । ହେଲେ ଟୁକୁ ମନରେ ?

 

ଟୁକୁ ପାଇଁ ଜଙ୍ଗଲ ହେଉଛି ଆତଙ୍କର ଆଶ୍ରୟ । ଏଠାରେ ହିଂସ୍ରଜନ୍ତୁମାନେ ତା’ କୋମଳ ଶରୀରକୁ ଆଁ କରି ଚାହିଁଛନ୍ତି । ଟିକିଏ ସୁବିଧା ପାଇଲେ ତାକୁ ଟାକ୍‌କିନା ପାଟିରେ ପକେଇ ଦେବାକୁ ପଛେଇବେ ନାହିଁ ।

 

ମିନାକ୍ଷୀ ଆଖି ଢିମା ଢିମା କରି କହିଲା, ଏଁ କଣ କହିଲେ ? ଟୁକୁକୁ ଆପଣ....

 

ମିନାକ୍ଷୀ ।

 

ନା, ନା, ମୁଁ କିଛି ଶୁଣିବି ନାହିଁ । ଆପଣ ସୁବୋଧ ବାବୁଙ୍କ ବନ୍ଧୁ ହେଲେହେଁ ମୁଁ ତାଙ୍କ ପତ୍ନୀ । ସେ ମୋ ମନ ଯଥେଷ୍ଟ ବୁଝିଛନ୍ତି । ସେ ଅଧ୍ୟାପକ, ସେ ଡକ୍ଟରେଟ ପାଇଁ.....

 

ଥାଉ ମିନାକ୍ଷୀ । ଜଙ୍ଗଲ ଭିତରେ ଏତେଟା ଆତ୍ମ ଚିତ୍କାର କଲେ ତାର ପ୍ରତିଧ୍ୱନି କେହି ଶୁଣି କିଛି ଲାଭ ନାହିଁ । ଶୂନ୍ୟ କଳସୀର ଆତ୍ମଧ୍ୱନି ଚତୁର୍ଦ୍ଦିଗ କନ୍ଦାଇ ଦେଲେ ତାର ବା ମୂଲ୍ୟ କଣ ଅଛି ! କାମଦେବ ନିଜ ମନର ଗୋପନୀୟତାକୁ ଢାଙ୍କି ରଖି ମିନାକ୍ଷୀର ଉଦ୍ଧତ ପ୍ରକୃତି ବିରୁଦ୍ଧରେ ରୀତିମତ ଯୁଦ୍ଧ ଘୋଷଣା କରିଦେଇ ବସିଲା ।

 

ସେ ଅଧ୍ୟାପକଙ୍କର ପତ୍ନୀ, ଟୁକୁର ଜନନୀ । ହେଲେ ତାପାଇଁ ସେ କଣ ? କେଉଁ ପ୍ରଶ୍ନବାଚୀର ପିପାସା ନେଇ ସେ ଯୌନ ଜୀବନର ହୃଦୟକୁ ସନ୍ତୁଷ୍ଟ କରି ପାରିବ ? କାମିନୀ ବିପକ୍ଷରେ ମିନାକ୍ଷୀ କଣ ଯଥେଷ୍ଟ ନୁହେଁ ? ନିଲୁର ସେମିକୋଲନ ସାଙ୍ଗରେ ଟୁକୁତ ପର୍ଯ୍ୟାୟ କଣ ସମାନ ନୁହେଁ ?

ତେବେ ?

ମିନାକ୍ଷୀ ରୁକ୍ଷ ନୟନରେ କଟାକ୍ଷପାତ କରୁଛି । ଟୁକୁକୁ କୋଳରେ ଜାକି କହୁଛି, ଏଇ ମାମୁଁ ତୋର ଭଲ ମଣିଷ ନୁହନ୍ତି । ବାପା ଆସିଲେ ତାଙ୍କୁ ଆମ ପାଖରୁ ବାହାର କରିଦେବେ ।

ନୃଶଂସ, ପୁଣି ଭ୍ରଷ୍ଟ ।

କାମଦେବକୁ ସୁବୋଧ ମନର ପରିପୂରକ ରୂପେ ସମ୍ମାନ ଦେବା ଅପେକ୍ଷା ମିନାକ୍ଷୀ ଯେଉଁଭଳି ବ୍ୟବହାର ଦେଖାଉଛି ତାହା ପ୍ରକୃତରେ ପ୍ରତାରଣାପୂର୍ଣ୍ଣ । ଟୁକୁକୁ ଯେ ସେ ହତାଦର କରୁଛି ତାହା ମିଛ । ବରଂ ବେଳେ ବେଳେ କୌତୂହଳୀ ହୋଇ ତାକୁ ବୁଝାଇବାକୁ ଯାଇ କହୁଛି, ମୁଁ ତୋ ମାମୁଁ ନୁହେଁରେ ଟୁକୁ, ମୁଁ ହେଉଛି ତୋର ନୂଆ ବାପା । ତୋତେ ଏଇ ଜଙ୍ଗଲରେ ହାତୀ ପିଠିରେ ବସେଇ ବୁଲେଇବି । ଦୂରରୁ ବାଘ ଦେଖେଇବି । ସୁନ୍ଦର ସୁନ୍ଦର ଚଢ଼େଇ ଆଣି ଖେଳିବାକୁ ଦେବି ।

ଟୁକୁ ଅବଶ୍ୟ କାମଦେବ ସହିତ ଖେଳିବା ସମୟରେ ସୁବୋଧକୁ ଭୁଲି ଯାଉଛି । କାମଦେବକୁ ବାପା ବୋଲି ନ ବୁଝିଲେ ସୁଦ୍ଧା ତାର କାହାଣୀ ଶୁଣି ସେ ଅନ୍ୟ ମନ ଧରୁଛି । ହେଲେ ମିନାକ୍ଷୀ ନିକଟରେ ସେ ଅନେକ ଅଝଟ କରୁଛି । ଅଭିଯୋଗରେ ବ୍ୟସ୍ତ କରି ପକାଉଛି ।

ପାଞ୍ଚଟା ବାଜିଲାଣି ବାପା କଣ କଲେଜରୁ ମୋଟେ ଏତେ ଦିନ ହେଲା ଆସୁ ନାହାନ୍ତି ? ତାଙ୍କୁ କଣ ବାଘ ନେଇଗଲା ? ଟୁକୁର ଏହିପରି କଥାରେ ଚେଇଁଉଠି ମିନାକ୍ଷୀ କହୁଚି ଟୁକୁ ! ଛି ଛି, ବାପାଙ୍କୁ କଣ ଏମିତି କହନ୍ତି ? ତାଙ୍କୁ କେହି ନେଇ ଯିବା ନାହିଁ, କେହି ଖାଇ ଯିବେ ନାହିଁ । ମିନାକ୍ଷୀ ଆଖିରେ ସେ ଦେବତା । ଡକ୍‌ଟର ସୁବୋଧ କୁମାର ରାୟ । ଅଧ୍ୟାପକ ଇତିହାସରେ ଡକ୍‌ଟରେଟ୍‌ ତାଙ୍କୁ ଚିର ଜୀବନ୍ତ ତଥା ଜାଜ୍ୱଲ୍ୟମାନ କରି ରଖିବ । ଦେବତାଙ୍କ ପରି ଅମର ଲଡ଼ୁ ଖାଇ ସେ ମର୍ତ୍ତ୍ୟକୁ ଓହ୍ଲାଇ ଆସିଛନ୍ତି ।

 

କାମଦେବ ମିନାକ୍ଷୀ ଓ ଟୁକୁର କଥା ଶୁଣି ହସିଦିଏ । ସୁବୋଧର ପ୍ରତିଷ୍ଠା ତାହେଲେ ମିନାକ୍ଷୀର ମନ, ପ୍ରାଣକୁ ଏତେ ଆସକ୍ତ କରି ନେଇଛି, ଏତେ ମୋହାନ୍ଧ କରି ପକାଇଛି । ଜୀବନର ଗୌରବକୁ ପତ୍ନୀ ରୂପେ, ଜନନୀ ରୂପେ ସେ ତାହେଲେ ଏଇ ଦୃଷ୍ଟିରୁ ଅକ୍ଷୁଣ୍ଣ ରଖିବାକୁ ଚାହୁଁଛି, ନା-। ଚନ୍ଦ୍ରର ମସୃଣ ଶରୀରକୁ ରାହୁର ଛାୟା ଆଚ୍ଛନ୍ନ କରି ରଖିବା ପ୍ରସାରି ଆକ୍ରମଣ କରିଛି । ତାହା ସୁବୋଧ ବୁଝିବାକୁ ଅକ୍ଷମ । ବିଶ୍ଳେଷଣ କରିବାର ସୁବିଧା ମଧ୍ୟ ସେ ପାଇ ନାହିଁ । କେବଳ କାମିନୀଠାରେ ସେ ମିନାକ୍ଷୀକୁ ଖୋଜି ବସେ, ତେବେ ସେ ସେଠାରେ ହତାଶା ହେବ, ଏଥିରେ କୌଣସି ସନ୍ଦେହ ନାହିଁ । କାମିନୀ ନିଲୁ ପାଇଁ ଯେତେ ବ୍ୟସ୍ତ ନୁହଁ, ବେଶୀ ବିଚଳିତ ସୁବୋଧ ପାଇଁ-। ନିଲୁକୁ ଯେ କୌଣସି ପ୍ରକାରରେ ନିଜ ସ୍ତନରୁ କ୍ଷୀର ଟିକେ ଦେଇ ଶୁଆଇ ପକାଇଲେ ହେଲା । ସୁବୋଧ ଆଣି ଅମୁଲ, ବେବି ଫୁଡ଼୍‌ ପ୍ରଭୃତି ରଖି ଦେଇଛି । ସେଥିପ୍ରତି କାମିନୀର ଲୋଭ ନାହିଁ । କାମିନୀ କୁହେ ଆପଣ ଏତେ ଖର୍ଚ୍ଚାନ୍ତ ହୋଇ ସେ ସବୁ କାହିଁକି କିଣି ଆଣୁଛନ୍ତି କହିଲେ ?

 

କାମିନୀ ମନେ ପକାଏ ତା’ ପୁଅ ନିଲୁ କଥା ।

 

ନିଲୁ ଜନ୍ମ ହେବା ପରେ ସେ କାମଦେବକୁ କଣେଇ ଦେଇଥିଲା ଯେ ନିଲୁ ପାଇଁ ମା କ୍ଷୀର ହିଁ ସବୁ । ସୁବୋଧ ଚୁପ୍‌ ରୁହେ ।

 

ନିଲ୍‌କୁ ବିଶ୍ରାମରେ ଛାଡ଼ିଯିବା ପରେ କାମିନୀ ବୁଝେ ସୁବୋଧ ଖବର । ସ୍ୱାମୀ ହିସାବରେ ମିନାକ୍ଷୀ ନିକଟରେ ତା’ ମନର ଖୁସି, ସମ୍ଭୋଗ ଯେ ଅବ୍ୟାହତ ରହୁ, ସେଥିପ୍ରତି ସତର୍କ ଦୃଷ୍ଟି ଦେଉଥିଲା କାମିନୀ । ଖାଇବା, ପିଇବା, ସାଙ୍ଗ ସୁଖଙ୍କୁ ଉଚିତ ଆତିଥ୍ୟରେ ଆପ୍ୟାୟିତ କରିବା, କେଉଁଥିରେ ମୁହୂର୍ତ୍ତେ ହେଲେ ସେ ତ୍ରୁଟି କରିନାହିଁ । ନିଜକୁ ସମୟର ମେସିନ୍‌ରେ ତିଳ ତିଳ କରି ଦଗ୍‌ଧ କରି ଦେଇଛି । ଯାହା ଦେଖି ଚାକର ଟୋକା ମହିଆ କହିଛି ଦେଈ, ଆପଣ ଯେଉଁଭଳି ବାବୁଙ୍କର ସେବା କରୁଛନ୍ତି ନା, ଏମିତି ମା ମଧ୍ୟ କରି ନାହାନ୍ତି । ମା’ଙ୍କ ଖଟଣୀ ଟିକେ ଦେଖିଲେ, ବାବୁଙ୍କ ମନ ଭାରି କଷ୍ଟ ହୋଇଯାଏ । ସେ କୁହନ୍ତି ଯେ ଖାଇ ପିଇ ଶୋଇ ରହିବାକୁ ।

 

ମହୀ !

 

କାମିନୀର କରୁଣ ଆବେଦନରେ ମହିଆ ପାଟିରୁ ବାକ୍ୟ ସ୍ଫୁରେ ନାହିଁ । ସେ ନୀରବରେ ଥକ୍‌କା ହୋଇଯିବାର ଦେଖି କାମିନୀ କୁହେ, ଆପଣା ଦେହକୁ କାଟିଲେ ସମସ୍ତେ ଦୁଃଖ କରିଥାନ୍ତି-। ପତ୍ନୀ ହେଉଛି ସ୍ୱାମୀର ଅର୍ଦ୍ଧାଙ୍ଗିନୀ । ସ୍ୱାମୀ ଯଦି ତାକୁ ଦେବୀର ଆସନରେ ସମ୍ମାନ ଦିଏ, ତେବେ ସ୍ତ୍ରୀଠାରୁ ସେ ଦେବତା ପରି ପୂଜା ପାଇବେ । ଦୁନିଆ’ର ପ୍ରତ୍ୟେକ ସ୍ୱାମୀ ତାହାହିଁ କରିଥାନ୍ତି । ହେଲେ ମହୀ, ତୁ ମୋଟେ ମୋ ଖଟଣୀ କଥା ବାବୁଙ୍କ ଆଗରେ କହିବୁ ନାହିଁ । ଯଦି କେବେ ସେ ସନ୍ଦେହ କରନ୍ତି, ତେବେ ତୁ ନିଜେ କରୁଛୁ ବୋଲି କହିଦେବୁ ।

 

କାମଦେବର ବନ୍ଧୁତା ଉପରେ ଥିବା ନିର୍ଭରଶୀଳ ଆତ୍ମବିଶ୍ୱାସ କାମିନୀକୁ ପୂର୍ଣ୍ଣ ପଦକ୍ଷେପରେ ଆଗେଇ ଯିବା ଲାଗି ଦେଉଥିଲା ପ୍ରେରଣା ଆଉ ଉତ୍ସାହ । ସେ ମା ହୋଇଛି, ସ୍ୱାମୀଠାରୁ ଦୂରେଇ ରହି ବନ୍ଧୁ ପତ୍ନୀ ରୂପେ ଅଭିନୟ କରୁ କ୍ଷତି କଣ ?

 

ଅସୁବିଧା କିଛି ଭୋଗ କରୁନାହିଁ କାମିନୀ । ସ୍ୱାମୀ ଛନ୍ଦର ଅଭାବ ଅନୁଭୂତି ହୋଇ ହୃଦୟକୁ କାଟିଲେ ସେ ନିଲୁକୁ କୋଳେଇ ଆଣି ଆତ୍ମତୃପ୍ତି ଉପଲବ୍‌ଧି କରୁଛି ।

 

କିନ୍ତୁ......

 

ସକାଳୁ ଉଠିଲେ ସୁବୋଧର ଶୁଖିଲା ମୁହଁଟି ଦେଖି ପକାଇ ସେ ଯେମିତି ନିଜକୁ ଅପ୍ରତିଭ ମନେ କରୁଛି । ଫୁଲରୁ ଗଛ ଦେହରୁ ଛିଣ୍ତାଇ ନେଇଗଲେ, ଗଛର ରୂପ ଯେମିତି ଦେଖାଯାଏ, ଯେମିତି ଦେଖାଯାଉଛି ସୁବୋଧ । ମିନାକ୍ଷୀର ବିଚ୍ଛିନ୍ନତାରେ ବୋଧହୁଏ ସକାଳ ଶରୀରର ଏ ରୂପ ! ମୁହଁ ଫିଟାଇ କହିଦେବ ବୋଲି ଭାବିଲେ ସୁଦ୍ଧା କହି ହେଉ ନାହିଁ । କେମିତି କହିବ ? ସେ ପରା ପରକୀୟା । ପର ଉଦ୍ୟାନରେ ପ୍ରସ୍ଫୁଟିତ ହୋଇଛି ବୋଲି ତାର ଓ ପୁଣି ନିଜର ଗୁଣ, ଧର୍ମ ଅଛି ! ସେଠି ଶୀତ, କାକର ଖାଇ ପଡ଼ି ରହିଲେ ଯେତେ ଗୌରବ ଅଛି, ଏଠି ସକାଳ ସୂର୍ଯ୍ୟର ଚୁମା ଖାଇଲେ ସେତେ ସମ୍ମାନ କାହିଁ ?

 

କାମିନୀ ସ୍ୱପ୍ନେ ଜାଗରଣେ କାମଦେବର ପରିକଳ୍ପନା କରି ସୁବୋଧ ଘରେ ବନ୍ଧୁତାର ବ୍ରତ ପୂଜା କରୁଛି ମାତ୍ର । ସେ ଖେଳନା ନୁହେଁ, କି ଖେଳ ଦେଖାଇବାକୁ ଆସି ନାହିଁ । ସେ ମାନବିକତାର ସିଡ଼ି ଉପରେ ଆରୋହଣ କରି ଅବରୋହଣରେ ଟଳି ପଡ଼ୁଥିବା ମଣିଷର ମର୍ମ ନିର୍ଣ୍ଣୟ କରିବାକୁ ଆସିଛି । ଡକ୍‌ଟରେଟ୍‌ ପାଇଛି ସୁବୋଧ । ଅଧ୍ୟାପକ ହୋଇଛି । ବନ୍ଧୁ ଭାବେ କାମଦେବ ଅନ୍ତରକୁ କିଣିଛି । ହେଲେ ଯୌବନର ବୃତ୍ତ ମଧ୍ୟରେ ଘୁରି ଘୁରି ସେ ଅନ୍ତରାତ୍ମାରେ କ୍ଳାନ୍ତ କିମ୍ବା ଉତ୍‌ଫୁଲ, ତାହା ପରିଲକ୍ଷଣ କରିବା କଥା । ବ୍ୟୁତ୍ପତ୍ତି କରୁଛି କାମିନୀ । ଅନ୍ୱୟ କରି ସାରିବା ପରେ ମନର ଅକ୍ଷରେ ସମାଲୋଚନା ଲେଖୁଛି । ହୁଏତ କାମଦେବ ବିପକ୍ଷରେ ସୁବୋଧର ଉଲଗ୍ନ ମନ ସ୍ୱଚ୍ଛ ପବିତ୍ର ହୋଇପାରେ ।

 

କିନ୍ତୁ ସୁବୋଧ ଜାଣୁଛି କ’ଣ ?

 

ସୁବୋଧର ଅନୁଭବୀ ଅନ୍ତରଟା ଏବେ ଭାରୀ ଭାରୀ ଭାରୀ ଜଣାଯାଉଛି । ମିନାକ୍ଷୀ ପରିବର୍ତ୍ତେ କାମିନୀର ସ୍ଥିତି ଦର୍ପଣରେ ପ୍ରତିବିମ୍ବିତ ହୋଇ ଉଠୁଛି ତାର ବିକ୍ଷୁବ୍‌ଧ ସ୍ୱାମୀ ଅନ୍ତର । ପ୍ରତିସ୍ୱାମୀମାନେ ଏଇଥି ସକାଶେ କଣ ଦାମ୍ପତ୍ୟ ଅରଣ୍ୟର କଣ୍ଟା ମାଡ଼ି ଝୁଣ୍ଟି ପଡ଼ିଥାନ୍ତି । ମିନାକ୍ଷୀ କେବେ ଦିନକ ପାଇଁ ସୁଦ୍ଧା ସ୍ୱାମୀ ସେବା କରି ନାହିଁ । ଖାଲି ମୁହଁରେ ବଡ଼ ବଡ଼ କଥା କହି ସୁବୋଧକୁ ବାନ୍ଧି ରଖିଛି । ମନର ଖିଆଲରେ ବହି ପଢ଼ା ଆଦର୍ଶକୁ ନିୟୋଗ କରି କହିଛି ତୁମେ ଦେବତା ସୁବୋଧ । ଡକ୍‌ଟରେଟ୍‌ ପାଇବା ଦିନଠାରୁ ତୁମ ଦେବତ୍ୱ ଅନେକାଂଶରେ ପରିବର୍ଦ୍ଧିତ ହୋଇଯାଇଛି । ତୁମକ ଛାଡ଼ି ମୁଁ କଣ କେବେ ଆଉ କାହାକୁ ଆରାଧନା କରିପାରେ ?

 

ସୁବୋଧର ଉପାଧିକୁ ସର୍ବୋଚ୍ଚ ଦୃଷ୍ଟିରେ ଆକୃଷ୍ଟ କରି ମିନାକ୍ଷୀ ଯେଉଁ ଗୀତି କାବ୍ୟର ନାରୀ ରୂପେ ତା’ ଦାମ୍ପତ୍ୟ ଜୀବନରେ ଦେଖାଯାଇଛି, ତାକୁ ପଢ଼ି ବସିଲେ ସୁବୋଧକୁ ଯେମିତି ଛନ୍ଦର ବ୍ୟାହତ ଘଟିଲା ପରି ଅନୁମିତ ହେଉଛି । ପତି ଲାଗି ପତ୍ନୀ, ଏମିତି ହେବା ମୋଟେ ଉଚିତ ନୁହେଁ । କାମିନୀର କର୍ତ୍ତବ୍ୟକୁ ଦୃଷ୍ଟି ସମକ୍ଷରେ ସମୀକ୍ଷଣ କରି ମିନାକ୍ଷୀର ମାନସ ଜାଲକୁ ଛିନ୍ନ ଭିନ୍ନ କରି ବସୁଛି ସେ । କେବଳ ଅଭାବ ଯାହା ରହି ଯାଉଛି ସେତିକି ।

 

ମିଥୁନ ବିଳାସ ।

 

ଦେହ ଦେହର ସମୀକରଣ ।

 

ଶୃଙ୍ଗାର ଅପନୋଦନରେ ମନ ମନର ବିନିମୟ । ସେଇଥିପାଇଁ ବିବାହର ନୂତନ ସରଣୀକୁ ସମସ୍ତେ ଝୁରୁଥାନ୍ତି । ଆଉ ଟୁକୁ ବାପାରୂପେ କାମିନୀ ଭଳି ରୂପଝଳା ତରୁଣୀ ନିକଟରେ ମନ ମାଡ଼ି ଚାଲିବା ତାକୁ ବାସ୍ତବିକ୍‌ ବ୍ୟସ୍ତ, ବିବ୍ରତର ଅପମାନ ଆଣି ଦେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାମିନୀ କିମ୍ବା ସୁବୋଧ ନୀରବରେ, ଗୋପନରେ ଭୀଷଣ ଭାବେ ଅନୁଭବ କରୁଥିଲେ ସେଇ ଅଭାବ । ସଙ୍ଗମକୁ ଦୂରେଇ ଦେଇ ଯୌବନର ବା ମୂଲ୍ୟ କଣ ! ପିପାସାରେ ଖାଲି ଛଟ୍‌ପଟ୍‌ ହେବା ସାର ହେବ ସିନା !

 

କାମିନୀ ନିଜ ମନକୁ ଚାପି ଦେଉଛି । ନିଲୁକୁ କୋଳରେ ଜାକି ଯୌନ ଉଚ୍ଛୃଙ୍ଖଳତା ପ୍ରତି ବିକ୍ଷୋଭ ପ୍ରଦର୍ଶନ କରୁଛି । ସୁବୋଧକୁ ପ୍ରକୃତରେ ଭ୍ରାତୃ ତୁଲ୍ୟ ସସ୍ନେହ ବଦନରେ ଭକ୍ତି କରୁଛି । ଆଉ ପରିବର୍ତ୍ତନର ଆନୁକୂଲ୍ୟରେ ସେ କିନ୍ତୁ କାମଦେବର ପତ୍ନୀ ରୂପେ ଯେମିତି ଥିଲା ସେମିତି ଅଛି । ସୂର୍ଯ୍ୟମୁଖୀର ନିଷ୍ଠା ନେଇ ସେଇ ଆଡ଼କୁ ଢଳୁଛି । ସେଇ କାନ୍ତ କୌମାର୍ଯ୍ୟର ଶୋଭା ନେଇ ପୁଷ୍ପାଞ୍ଜଳି କରରେ ଭକ୍ତି ନିବେଦନ କରିଛି ସୁଦୂରସ୍ଥ କାମଦେବର ପଦରେଣୁ ପାଖରେ ।

 

ତୁମେ ମୋର ପ୍ରଭୁ । ତୁମେ ମୋର ଚଳନ୍ତି ବିଭାସ । ତୁମରି ଭାସ୍ୱରରେ ମୋ ସତୀତ୍ୱ ଚିର ନଶ୍ୱର ହୋଇଥାଉ । କାମିନୀ ପୂଜା କରେ, ଅର୍ଘ୍ୟ ଢାଳେ । ପଥରର ମୂର୍ତ୍ତି ପାଖରେ ମନାସି ଯାଏ ନିଲୁ, କାମଦେବଙ୍କ ପାଇଁ । ଉପାସନାରେ ଅପସ୍ୱର୍ଗକୁ ଘୃଣା କରି ମୁଣ୍ତ ନୁଆଁଏ ତାଙ୍କରି ପାଖରେ ।

 

ସ୍ୱାମୀ ତାର ସବୁ । ପରିବର୍ତ୍ତନର ସ୍ୱାଦ ମଧ୍ୟରେ ସେ ବିଚଳିତ ହୋଇ ପଡ଼ିବ କାହିଁକି ? ତେବେ ସୁବୋଧର ଅବସନ୍ନ ମନକୁ ନିରୀକ୍ଷଣ କରି ତାର ଭାବନା କାହିଁ କେତେଦୂର ଲମ୍ବିଯାଏ । ମିନାକ୍ଷୀ ପାଖରେ କାମଦେବର ଠିକ୍‌ ଏଇ ଦଶା ଘଟୁଥିବ ବୋଲି ତା ଆଖିରେ ପରିକଳ୍ପନାର ଚଳଚ୍ଚିତ୍ର ଭାସି ଉଠେ ।

 

ହେଲେ ମନ ମଧ୍ୟରେ ଯେଉଁ ତାରତମ୍ୟ ରହିଛି ତାହା ସମସ୍ତେ ବୁଝି ପାରିବେ କୁଆଡ଼ୁ ! କାମିନୀ କାମଦେବକୁ କର୍ତ୍ତବ୍ୟପରାୟଣ ସ୍ୱାମୀ ରୂପେ ଦେଖି ଆସିଛି ସିନା, ହେଲେ ମନର ମଣିଷ ରୂପେ ଦେଖିବାକୁ ଚେଷ୍ଟା କରି ନାହିଁ । ସେଥିଲାଗି ସେ ବିଫଳମନା ହେବାକୁ ଯାଉଛି । କାମଦେବ କସ୍ତୁରୀ ମୃଗ ପରି ନ ହୋଇ ମିନାକ୍ଷୀ ହୃଦୟର ଚତୁଃପାର୍ଶ୍ୱରେ ବୁଲୁଥିଲେ । କାମିନୀର କୌଣସି ଚିନ୍ତା ନାହିଁ । କାରଣ ସୁବୋଧର ଅବସ୍ଥା ସେ ଦେଖୁଛି କଥା ଅନୁଭବ କରୁଛି । ସୁବୋଧ ଏକାକୀ ଶକ୍ଷ୍ୟାରେ ପଡ଼ି ଛଟ୍‌ପଟ୍‌ ହେଉଛି ପଛେ ମନରେ ଯୌବନର କ୍ଷୋଭ ମୋଟେ ପ୍ରକାଶ କରୁନାହିଁ । କାମିନୀ ନିକଟରେ ଜାଣି ଜାଣି ନିସ୍ତେଜ କରି ଦେଇଛି ତାର ଯୁବ ଉଦ୍ଦୀପନାକୁ ।

 

କାମଦେବ ମିନାକ୍ଷୀ ପାଖରେ କିନ୍ତୁ ଓଲଟି ଯାଉଛି । କଥା କଥାକେ ଟୁକୁକୁ ଅବଲମ୍ବନ କରି ଆପଣା ହୃଦୟର ଉଗ୍ର ଉତ୍ସାହକୁ ଇଙ୍ଗିତ କରି ଦେଉଛି । ଶେଯରେ ପଡ଼ି ଏପାଖ ହେଲେ ଲାଭ କଣ !

 

ଟୁକୁ ?

 

ଡାକିଦେବା ମାତ୍ରେ ଟୁକୁ ଚାଲି ଆସୁଛି । ଦୁଷ୍ଟାମିର ହସ ମୁହଁରେ ଖେଳାଇ କହୁଛି, ଅଙ୍କଲ୍‌ (Uncle), ବୋଉର ଦୁଧ ଖାଇଲା ବେଳକୁ ବୋଉଟା ମାରୁଛି । କହୁଛି, ଆହୁରି ବୁଢ଼ା ହୋଇ ଯାଉନୁ, ଦୁଧ ଖାଉଥିବୁ ।

 

ଅଙ୍କଲ୍‌ ?

 

ଟୁକୁର ଦରୋଟି ଡାକରେ କାମଦେବର ଉତ୍ତେଜିତ ହୃଦୟ ଅତ୍ୟଧିକ ଚହଲି ଯାଉଛି । ସେ ମଧ୍ୟ ପିଲାଙ୍କ ପରି ଆଖି ନଚାଇ ହସି ଦେଇ ‘ଓ’ କରୁଛି । ଆଉ ଆଗ୍ରହାନ୍ୱିତ ମନରେ ଟୁକୁର କଥାକୁ କାନ ଡେରି ଶୁଣୁଛି ।

 

ଟୁକୁ କହୁଛି, ବୋଉଟା ଭାରୀ ଧରିଗଲାଣି, ଅଙ୍କଲ୍‌ ? ମୁଁ ତା’ ଦୁଧ ନ ଖାଉଥିଲେ, ବାପା ଖାଉଥିଲେ । ଏବେ ବୋଉ ମତେ ମାରୁଚି କାହିଁକି ? କାମଦେବ ଟୁକୁ କଥାରେ ହସି ଦିଅନ୍ତି-। ତା’ ଅନ୍ତରରେ ଉଦ୍‌ବୁଦ୍ଧ ହୋଇ ଉଠୁଥିବା ଫଗୁଳ ଊର୍ମି କୂଳ ଲଙ୍ଘି ପିଟି ହେବାକୁ ବସେ ।

 

ଓଃ କି କଷ୍ଟ !

 

ମିନାକ୍ଷୀ ଲାଗି ସିନା ଏତେ ପରିବର୍ତ୍ତନ ଘଟିଲା । ଦାମ୍ପତ୍ୟ ଜୀବନର ଇତିହାସରେ ଏକ ନୂତନ ଅପକୀର୍ତ୍ତି ସ୍ଥାପନ କରାଗଲା । କେଉଁଠି କୁହନି, କେଉଁ ଯୁଗରେ, କେଉଁ ସମୟରେ ଆନ୍ତରିକ ମନୋଭାବ ରଖି ଦୁଇ ବନ୍ଧୁ ପରସ୍ପରର ଧର୍ମପତ୍ନୀକୁ ଆପଣା ଭିତରେ ଅଦଳ ବଦଳ କରି ବସିଛନ୍ତି ?

 

କାମଦେବ ରେକର୍ଡ଼ ସୃଷ୍ଟି କରିଗଲା । ସୁବୋଧକୁ ସମୁଜ୍ୱଳ ବନ୍ଧୁ ରୂପେ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରି ଦେହ ବିଳାସୀ ନାଗରିକଙ୍କ ନିକଟରେ ଭବିଷ୍ୟତ ପାଇଁ ଦିଗ ନିର୍ଣ୍ଣୟ କରି ଦେଇଗଲା-। ଓ୍ୱାସିଙ୍ଗଟନ, ଲଣ୍ତନରେ ଯାହା ସମ୍ଭବ ହେଉଛି, ଆମ ଦେଶରେ ତାହା ନ ହେବ କାହିଁକି ? ଆମେ ତ ତାଙ୍କରି ଭଳି ମଣିଷ : ଆଖି, କାନ, ନାକ ପାଟି ସବୁ ଅଛି ।

 

ତେବେ ?

 

ମନକୁ ମନ କହି ଆତ୍ମହରା ହେବା କେବଳ ଯୌବନର ଉଦ୍ଦାମତା ପାଇଁ ଏକ ସାନ୍ତ୍ୱନା-। ଟୁକୁ ବା ବୁଝିବ କଣ ? ଅବୁଝା ହୃଦୟ ନେଇ ମନର ମେସିନ୍‌ରେ ସେ ଯେତିକି ପେଷି ହୋଇ ଜାଣିଛି ସେତିକି । ବାପା, ବୋଉ ଆଉ ସେ । ବାପା ବୋଉଙ୍କ ସମ୍ବନ୍ଧ, ପିଲା ଆଖି ହେଲେ ସୁଦ୍ଧା ସ୍ମରଣ ଶକ୍ତି ବଳରେ ସେ କଣ ତାହା କହି ଦେବ ନାହିଁ । ଟୁକୁ କହୁଛି, ଡାଡ଼ି ମୋ ହାତକୁ ଛିଞ୍ଚାଡ଼ି ଦେଉଛି ଶୋଇବା ବେଳେ । ଖାଲି ତାଙ୍କରି ଯେମିତି ବୋଉ ସବୁ ।

 

ଆଉ ସେ ?

 

କାମଦେବ ଜିଜ୍ଞାସୁ ନେତ୍ରରେ ଉତ୍ତର ଶୁଣିବାକୁ ଚାହିଁ ରହେ । ହୃଦୟରେ କୌତୂହଳର ଢେଉ ଫୁଲି ଫୁଲି ଉଠୁଛି । ଭୁଲି ହୋଇ ଯାଉଛି କାମିନୀ । ଭୁଲି ହୋଇ ଯାଇଛି ସେ ବିବାହିତ ବୋଲି । ସେ ପ୍ରେମ କରିବାକୁ ଆସିଛି । ଶୃଙ୍ଗାର ରଚନା କରିବାକୁ ଯାଉଚି । ମତ୍ତ ଭ୍ରମର ପରି ପର ଅପର କିଛି ମାନିବାକୁ ରାଜି ନୁହଁ ସେ । ଫୁଲର କେଶର ଚୁମିବାକୁ ଅଥୟ ହୋଇ ଉଠୁଛି ମନ-। ଉଦ୍ୟାନରୁ ସ୍ଥାନାନ୍ତରିତ ଏଇଭଳି ପୁଷ୍ପର ରେଣୁ ତାର ଦରକାର । ଦେବତା ଶିରରେ ମଣ୍ତିତ ହେବାକୁ ଉଦ୍ୟାନରୁ ଫୁଲ ନେଇ ମାଳି ଦେଉଳର ପୂଜକ ହାତରେ ଟେକି ଦେଉଛି । ଯଦି ପୂଜକ ତାକୁ ପଥରର ଶିରରେ ମଣ୍ତନ କରିବାକୁ ନ ଦିଏ.....

 

ଦିନେ ଅଧେ ନିଜ ଶିରରେ ମଣ୍ତନ କରି ସେ ଦେବତା ସାଜୁ । ଜବରଦସ୍ତ ଭକ୍ତଠାରୁ ପୂଜା ଆରାଧନା ଗ୍ରହଣ କରୁ । ସୁବୋଧ ଏତେଦିନ ଧରି ମିନାକ୍ଷୀକୁ ଦେହ ଦେଉଳରେ ସ୍ପର୍ଶ କରି ଆନନ୍ଦ ପାଇ ଆସିଛି ଯେତେବେଳେ, ବନ୍ଧୁତାର ରୂପେ ସ୍ତାବକ ମିନାକ୍ଷୀ କିଛିଦିନ ତାକୁ ସନ୍ତୁଷ୍ଟ କରିଗଲେ, କ୍ଷତି କଣ ହୁଅନ୍ତା ?

 

ପୂଜକ ନିଜକୁ ଦେବତା ନାମରେ ନାମିତ କରି ଦେଖେଇ ହେଲେ ସମାଜରେ ଅବଶ୍ୟ ଉପହାସିତ ହେବ । ଘୃଣିତ ହେବ । ତାକୁ ତୁଳନା କରି ଲୋକ କହିବେ ଛି, ଛି, ସୁପରଭାଇଜର କାମଦେବ ବାବୁ ସ୍ତ୍ରୀକୁ ପ୍ରତ୍ୟାଖ୍ୟାନ କରି ପରକୀୟା ସାଙ୍ଗରେ ସମ୍ପର୍କ ଲଗେଇଛନ୍ତି ? ଲଜ୍ଜ୍ୟା ନାହିଁ ଧରମ ଭଉଣୀ କହି ପ୍ରେମ କରିବାକୁ । କାମଦେବ ଦୁର୍ବଳ ହୋଇ ପଡ଼ୁଛି । ଏକାନ୍ତରେ ସାହସ ବାନ୍ଧି ମିନାକ୍ଷୀକୁ ଛୁଇଁବାକୁ ଯିବାବେଳେ ଗୋଡ଼ ହାତ କେଉଁ ଅଶରୀରୀ ଆକ୍ରମଣ ଆଶଙ୍କାରେ ଥରି ଉଠୁଛି । ପାରୁ ନାହିଁ କାମଦେବ । ମନର ତୃଷ୍ଣା ମେଣ୍ଟାଇବାକୁ ଲକ୍ଷ୍ୟ କରି ନିଷିଦ୍ଧ ଚୁକ୍ତି ନିକଟରେ ସେ କେମିତି ଏକ ଅସହାୟତାର ବିବର୍ଣ୍ଣ ଅବରୋଧ ଅନୁଭବ କରୁଛି ।

 

କାହିଁକି ?

 

ମିନାକ୍ଷୀ ତାର କିଏ ? ସେ ତ ପରକୀୟା । ସେ ତ ଅନ୍ୟ ଉଦ୍ୟାନର ଫୁଲ; ତେବେ ?

 

ମିନାକ୍ଷୀର ମରୁଭୂମିରେ ଓଏସିସ୍‌ର ଝରଣା ଫିଟାଇବାକୁ ହେଲେ ସୁବୋଧ ସିନା ପାଖରେ ଥିଲେ ହୁଅନ୍ତା !

 

ସୁବୋଧ ଦୂରରେ ଥିଲେ ବି ମିନାକ୍ଷୀର ସୁରକ୍ଷା ପାଇଁ ବାରମ୍ବାର ସେ ଯେତେବେଳେ ଅନୁରୋଧ କରି ଯାଇଛି, ତାହା ସେ ଅମାନ୍ୟ କରି ତାକୁ ଓଲଟି ଆକ୍ରମଣ କରିବ କେଉଁ ବିବେକ ନେଇ !

 

ସୌନ୍ଦର୍ଯ୍ୟର ଆକର୍ଷଣରେ ମନକୁମନ ଭ୍ରମର ହେବାକୁ କହୁଛି । ନିର୍ଜନରେ ଚୁପି ଚୁପି ଗୁଞ୍ଜନର ବାଦନ କରୁଛି । ଯୌବନର ଅଞ୍ଜଳି ଧରି ଚିତ୍ତ ପଟ୍ଟରେ ମନର ଆକାଙକ୍ଷା ପରଶି ଯିବାକୁ ଚାହୁଁଛି । ଏ ସବୁ ଘଟୁଛି ସୁବୋଧ କାମିନୀଙ୍କ ଅଜ୍ଞାତରେ, ଅଲକ୍ଷ୍ୟରେ । ସେମାନେ ଯଦି ତା’ ମନ କଥା କୌଣସି ଉପାୟରେ ଅବଗତ ହୁଅନ୍ତେ, ତେବେ ତା’ ସ୍ୱପ୍ନର ନିଶିଥ କେତେ ବିପର୍ଯ୍ୟସ୍ତ ନ ହୁଅନ୍ତା ଭଲା !

 

କାମଦେବ ପିପାସାର ପକ୍ଷାଘାତରେ ଦଗ୍‌ଧବିଦଗ୍‌ଧ ହୋଇ ଅସ୍ଥାୟୀ ଭାବେ ଶୋଷ ମେଣ୍ଟାଇ ନେବାକୁ ଚାହୁଁଛି । କାମିନୀର ବିପକ୍ଷରେ, ଗତାନୁଗତିକ ବିଳମ୍ବିତ ଲୟର ମାର୍ଜନା କରିବାକୁ ସେ ଇଚ୍ଛା କରୁଛି ମିନାକ୍ଷୀର ବିଦେହ । ମିନାକ୍ଷୀର ପରଶରେ ବ୍ୟବଧାନର ବିଦ୍ରୋହ ବରଂ ବନ୍ଦ ହୋଇ ଯାଉ । ତା ମନର ସହରରେ ଶାନ୍ତି ଭଙ୍ଗ ହୋଇଛି । ସେ ଆଇନ କାନୁନ୍‌ର ଅବଲମ୍ବନ ମୋଟେ ଆବଶ୍ୟକ ନାହିଁ । ସେଠି ଖିଆଲର ଆସର ହିଁ ପୁଞ୍ଜିଭୂତ ଅବଶୋଷକୁ ସମାଧାନ କରିବା ପାଇଁ ଏକମାତ୍ର ପନ୍ଥା । ସୁବୋଧ କାମିନୀ ନିକଟରେ ଏହି ମନୋଭାବ ପୋଷଣ କରିବାକୁ ସେ ବାରଣ କରିଥିଲେ ସୁଦ୍ଧା ଦୃଷ୍ଟି ଅଗୋଚରରେ ସୁବୋଧ ସେଇ ଚୁକ୍ତି ଭଗ୍ନ କରି ବସିଲେ, ସେ ବା କଣ କରି ପାରିବ ? ଦୁହେଁ ହାତଛଡ଼ା କରିଛନ୍ତି । ଜାଣୁ ଜାଣୁ ବିଭୀଷିକା ସହିତ ଖେଳ ବସିଛନ୍ତି । ଆଦର୍ଶ ନୀତି, ନିୟମର ବ୍ୟତିକ୍ରମ କରିଛନ୍ତି । କେହି ପାରି ନାହାନ୍ତି କିମ୍ବା ପାରି ନ ଥିଲେ ଯେଉଁ କଥାକୁ ଏମାନେ ତାହା ଖିଆଲି ! ମନୋବୃତ୍ତିରେ କରି ପକାଇଲେ କାହିଁକି ? କେଉଁ ସୁସ୍ଥ ଦାମ୍ପତ୍ୟ ଜୀବନର ପ୍ରତିଷ୍ଠା କରି ପାରିବେ ବୋଲି !

କାମଦେବ ଗୁରୁତର ହୋଇ ଉଠୁଛି । ହୁଏତ ସୁବୋଧ ଯେମିତି ସରଳ ଥିଲା ସେମିତି ଅଛି । ସେ କହୁଛି ବନ୍ଧୁତା ବଡ଼ । ପ୍ରେମ, ପ୍ରଣୟ କିଛି ନୁହେଁ । ବନ୍ଧୁତା ଖାତରରେ ଦୁହେଁ ଦୁହିଁଙ୍କ ସ୍ତ୍ରୀଙ୍କୁ ପରସ୍ପର ନିକଟରେ ଅଦଳ ବଦଳ କରି ପକାଇଛନ୍ତି । ଯୁଗର ବିଭ୍ରାନ୍ତିରେ ନିୟମ ବହିର୍ଭୂତ ହୋଇ ଅସାମାର୍ଜିକ ଆଇନ ବହିର ରଚୟିତା ଯେମିତି ନିଜେ ସେମାନେ ବୋଲି ପ୍ରମାଣିତ ହେଉଛି-

ତଥାପି.....

ପରିବର୍ତ୍ତନର ମୃଦୁ ସମୀରଣରେ ଆକୃଷ୍ଟ ହେବା ପରେ ପୁନଶ୍ଚ ପ୍ରଣୟର ପ୍ରସଙ୍ଗ ପରକୀୟାର ପଣତ ଉନ୍ମୁକ୍ତ କରି ପରିପୂରକ କରି ନେଲେ କଥା ସରିଯାଆନ୍ତି ! ଏତେ ଏଣୁ ତେଣୁ ଚିନ୍ତା କଲେ ମୁଣ୍ତ ଖରାପ ହୋଇ ଯାଉଛି ସିନା ! ମିନାକ୍ଷୀ ଲାଗି କାମଦେବ କଣ ନ କରିଛି ! ପ୍ରାଣରୁ ବଳି ସୁଜାତା ଭାଉଜଙ୍କୁ ଦୂରେଇ ଦେଇଛି । ତାଙ୍କଠାରୁ କାମିନୀ ନାଁରେ ଚିଠି ଖଣ୍ତିଏ କ୍ୟାରଫ୍‌ ହୋଇ ଆସିଲେ ସେ ନିଜେ ଚିରି ଫୋପାଡ଼ି ଦେଇଛନ୍ତି । କେବଳ ମିନାକ୍ଷୀର ମନକୁ ଅସନ୍ତୁଷ୍ଟ ନ କରିବା ଲାଗି । ସୁଜାତା ପ୍ରତି ଚିଠିରେ କାମିନୀର ଭଲ ମନ୍ଦ ବିଷୟ ବର୍ଣ୍ଣନା କରୁଛନ୍ତି । ବେବି କେମିତି ସେମାନଙ୍କ ନିକଟ ଆସିବା ପାଇଁ ବ୍ୟଗ୍ର ହେଉଛି, ତାହା ମଧ୍ୟ ସେ ଜଣାଇବାକୁ ଭୁଲୁ ନାହାନ୍ତି । ହେଲେ ବେବି କାହିଁକି ଆସିବ ? ଅଯଥାରେ ସେ ଆସିଲେ କାମଦେବର ସମସ୍ତ ପରିକଳ୍ପନା ପଣ୍ତ ହୋଇଯିବ ଆଉ, ମିନାକ୍ଷୀର ସ୍ଥିତି ସ୍ଥାନାନ୍ତରିତ ହୋଇଯିବ ସିନା । କାମିନୀ ଓ ନିଲୁ ଫେରି ଆସି ପାରିବାରିକ ସମ୍ବନ୍ଧ ପୁଣି ଯୋଡ଼ି ବସିବେ । ତେଣୁ କାମଦେବ ଅନିଶ୍ଚିତ ଭବିଷ୍ୟତ ଉପରେ ଆସ୍ଥା ରଖିପାରୁ ନାହିଁ । ତା’ ଉଦ୍‌ଭ୍ରାନ୍ତ ମନରେ କ୍ଷୋଭ ଜାତ ହେଉଛି । ପାଶବିକ ପ୍ରକୃତି ଦେହ ଭିତରେ ଏକାକାର ହୋଇ ତା’ ପୌରୁଷକୁ ଉପହାସ କରୁଛନ୍ତି ।

ସ୍ୱାମୀର ପଦଚ୍ୟୁତି ପରେ ସେ ନିଜକୁ ନିଜେ ଠିକ୍ କରି ପାରୁନାହିଁ । କାମିନୀ ଚିଠି ଦେଉଛି । ସମୟେ ସମୟେ ସୁଜାତା ଭାଉଜଙ୍କ ଚିଠି ପହଞ୍ଚିବା ଦିନ ତା’ ଚିଠି ଆସି ହସ୍ତଗତ ହେଉଛି । ସେ ଲେଖୁଛି ନିଲୁ ବିଷୟ ନିଲୁ ପାଇଁ କେମିତି ସୁବୋଧ ସଦା ସର୍ବଦା ବ୍ୟସ୍ତ, ସେ କଥା ପ୍ରତ୍ୟେକ ପତ୍ରରେ ସେ ବର୍ଣ୍ଣନା କରି ଚାଲିଛି । ଖେଳନାଠାରୁ ଆରମ୍ଭ କରି ସାର୍ଟ ପ୍ୟାଣ୍ଟ ପର୍ଯ୍ୟନ୍ତ ସବୁ ଆଣି ସୁବୋଧ ତା ନିକଟରେ ଠୁଳ କରି ଦେଉଛି । ତା’ ପାଇଁ ଶାଢ଼ୀ ଶଙ୍ଖାର ପ୍ରୟୋଜନ ଥାଉ ନ ଥାଉ ସୁବୋଧ ତାକୁ ଭେଟି ଦେଲେ, କେମିତି ଏକ ଲଜ୍ଜା ସରୋବରରେ ସନ୍ତରଣ କଲା ପରି ସେ ମନେ କରୁଛି । କେଡ଼େ ଅପ୍ରାସଙ୍ଗିକ କଥା କୁହନି ?

ସ୍ୱାମୀ ସିନା ସ୍ତ୍ରୀକୁ ଉପହାର ଦିଏ କିମ୍ବା ପ୍ରେମିକ ପ୍ରେମିକାକୁ ଉପହାର ପ୍ରଦାନ କରେ; ହେଲେ ଜାଣି ଶୁଣି ଅପର ସ୍ୱାମୀ କଣ କୌଣସି ମୁହୂର୍ତ୍ତରେ ପରକୀୟାକୁ ଏ ସବୁ ଭେଟି ଦେବା ସାମାଜିକ ସଂସ୍କାରର ନୀତି ଦୃଷ୍ଟିରୁ ସମୀଚୀନ ?

କାମିନୀ ଲେଖୁଛି ସବୁ କୁଆଡ଼େ ତାରି ଦୋଷ । ଘରେ ଥିବା ସମୟରେ ସୁବୋଧ ସହିତ ବନ୍ଧୁତାକୁ ଆକ୍ଷେପ କରି ସେ କେତେବାର ପ୍ରତିବାଦ ଜଣାଇ ନ ଆସିଛି । ଅଭିମାନ କରି ମଧ୍ୟ କିଛି ଫଳ ହୋଇ ନାହିଁ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେତେବେଳେ ବଦଳ କରିବାର ସ୍ଥିର ସିଦ୍ଧାନ୍ତରେ ଦୁଇ ବନ୍ଧୁ ଉପନୀତ ହୋଇଥିଲେ, ସେତେବେଳେ ମଧ୍ୟ କାମିନୀ ଏକାନ୍ତରେ ଅଶ୍ରୁଳ ନେତ୍ରରେ ଅନୁନୟ କରି ଆସିଛି । କହିଛି, ବନ୍ଧୁ ହୋଇ ପଛେ ସବୁ କର, ହେଲେ ଏମିତି ପାଗଳାମି ବାହାର କର ନାହିଁ । ବଦଳ ଗୋଟାଏ କଣ ହେବ ? ମଣିଷ କଣ ଏକ ପଣ୍ୟ ଦ୍ରବ୍ୟ ହୋଇଛି ?

କାମଦେବ କାମିନୀର କୌଣସି ଯୁକ୍ତିକୁ କର୍ଣ୍ଣପାତ୍‌ କରି ନ ଥିଲା । ବନ୍ଧୁତାର ଚରମ ସୀମାରେ ଉପନୀତ ହେବା ସମୟ ହେଲେ ଗତାନୁଗତିକ, ଜରାଜୀର୍ଣ୍ଣ ମନ ନେଇ ବଞ୍ଚିବାରେ ସ୍ୱାଦୁ ନଥାଏ ବୋଲି ସେ କହିଥିଲା । ସେମିତି ଜୀବନକୁ ଉପଭୋଗ କରିବାର ହୋଇଥିଲେ କୋଳିଖିଆ ଦିନକୁ ଫେରିଯାଇ କଣ ମଜ୍ଜା କରି ହୁଅନ୍ତା ନାହିଁ ? ବୟସ ମଣିଷକୁ ପଛରେ ପକେଇ ଚାଲି ଯାଉଛି ବୋଲି ନା, ନ ହେଲେ ମାନବିକ ଦର୍ଶନର କେନ୍ଦ୍ରବିନ୍ଦୁରେ ଥାଇ ଅସମ୍ଭବର ପାଗଳାମି ମଧ୍ୟରେ ସେ ଘୁରୁଥାନ୍ତା କାହିଁକି ?

 

ଦାମ୍ଭିକ ପୁରୁଷ ହୋଇ ସୁଦ୍ଧା ସୁବୋଧ ପାଇଁ ସେଦିନ ସେ କାନ୍ଦି ପକାଇଥିଲା । କାମିନୀର ଆଖି କୋଣରୁ ସମୟର ଆଗ୍ନେୟଗିରି ଯେଉଁ ସବୁ ଉତ୍ତପ୍ତ ଲାର୍ଭା ନିର୍ଗତ କରୁଥିଲେ, ତାହା ହଠାତ୍‌ ଶୀତଳ ହୋଇ ଯାଇଥିଲା । କେଡ଼େ ଶକ୍ତିମାନ୍‌ ସେଇ କ୍ରନ୍ଦନର ବିନ୍ଦୁ ! ହୁ ହୁ ଜଳୁଥିବା ଅନ୍ୟ ଆଖିର ଲାର୍ଭାକୁ ଆର୍ଦ୍ରତାରେ ଥଣ୍ଡା କରିଦେଲା !

 

ହେଉ ।

 

ନୀରବ ରହି ଯାଇଥିଲା କାମିନୀ । ନିର୍ବାକରେ ତା ସ୍ପନ୍ଦିତ ହୃଦୟର ଟେଥିସ୍‌ସ୍କୋପ୍‌ଟା ଅଚଳ ହୋଇ ଖସି ପଡ଼ିଥିଲା । ବୋଧହୁଏ ତା’ ପାଇଁ ସେ ଅକାମୀ ହୋଇଗଲା । ସ୍ୱାମୀ ସିନା ସ୍ତ୍ରୀ ହୃଦୟର ଟେଥିସ୍‌ସ୍କୋପ । କିନ୍ତୁ ଯାହାର ସ୍ୱାମୀ ନାହିଁ....

 

ଅଇନାକୁ ଚାହିଁଥିଲା କାମିନୀ । ଦାଉ ଦାଉ ହୋଇ ସିନ୍ଦୁର ଟୋପାଟା ତା କପାଳରେ ଜଳି ଉଠୁଛି । ସ୍ୱାମୀଙ୍କର ପ୍ରତୀକ ସେ । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ବି ସେଇ ସିନ୍ଦୁର ଟୋପା ସହିତ ସମାନ ହୋଇ ନ ପାରେ । ତାକୁ ଯେ ହରାଇଛି ସେ ଦୁନିଆରେ ସବୁ କିଛି ହରାଇଛି । ସବୁ ଆୟୋଜନ ଆଶା, ଆକାଙ୍‌କ୍ଷା ତାର ବୃଥା ହୋଇଛି । ତେଣୁ ଆଖି ଆଗରେ ସେଇ ଦୁର୍ଲ୍ଳଭ ଧନରେ କଳଙ୍କ ଲାଗିଲେ ସେ ଦେଖି ସହି ପାରିବ କେମିତି ?

 

ମନେ ମନେ ଏଇ କଥା ଚିନ୍ତା କରିଥିଲା ସେଦିନ । ହେଲେ ମୁହଁ ଫିଟାଇ କହିବାର ଜୁ ତାର ନଥିଲା । କାମଦେବ ବନ୍ଧୁତାର ମୋହରେ ଅନ୍ଧ ହୋଇ କ୍ଷଣକେ କୋପରେ ଜର୍ଜ୍ଜରିତ ହୋଇ ଉଠୁଥିଲା ତ, କ୍ଷଣକେ ଶୋକରେ ଅଭିଭୁତ ହୋଇ ପଡ଼ୁଥିଲା । ଗରଜିଲା ମେଘ ନ ବରଷୁ ପଛେ, ତାକୁ ଦେଖି ତ ଲୋକେ ଆଶଙ୍କା ପ୍ରକାଶ କରିଥାନ୍ତି !

 

କାମିନୀ ଦାମ୍ପତ୍ୟ ଜୀବନର ରାଗ ବିଭାବରୀରେ ଉଦ୍‌ବୁଦ୍ଧ ହୋଇ ଭବିଷ୍ୟତର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରୁଥିଲା । ନିଜକୁ ଦଳି ମନ୍ଥି ସେ ଯେବେ ସୁଖୀ ରହି ପାରିଲେ, ଆଶାର ଆକାଶରୁ କୁସୁମ ତୋଳି ପାରିଲେ, ତେବେ ତା’ ପାଇଁ ଯେ କୌଣସି ଅନ୍ଧାରର ଜ୍ୱାଳା ଆସୁ, କିଛି ଆପତ୍ତି ନାହିଁ, ଦୁଃଖ ନାହିଁ । ସେଇ ଲାଗି ସେ ଫେରି ଫେରି ଯୌବନରେ ଆଗାମୀ ଜୀବନର କଳା ଅଙ୍କନ କରି ମାତୃତ୍ୱର ଛଳନାକୁ ସୁବୋଧ ସମକ୍ଷରେ ଅଜାଡ଼ି ଦେଇଛି । କାମଦେବର ପତ୍ନୀ ରୂପେ ସେ ନିଜକୁ ଯେତେ ଦେଖେଇ ଦନ ହେଉଛି, ବେଶୀ ଦେଖେଇ ହେଉଛି ଜନନୀ ରୂପେ । ଜନନୀର ରାସ୍ତା କେଡ଼େ ପିଛିଳ ତାହା ସୁବୋଧକୁ ଇଙ୍ଗିତରେ ଜଣେଇ ଦେଉଛି ସେ । ନିଲୁ ପାଇଁ ବ୍ୟସ୍ତ ନ ହେଲେ ସୁଦ୍ଧା ଅନ୍ତରରେ କେବେହେଲେ ତାକୁ ଉପେକ୍ଷା କରି ନାହିଁ । ତାଙ୍କୁ ହିଁ ସଜୀବ ମୂର୍ତ୍ତି ବୋଲି କଳନା କରି ପ୍ରତିବିମ୍ବ ଛଳରେ ନିଲୁଠାରେ ଦେଖିଛି । ଜଳ ଜଳ ନେତ୍ର କରି ନିଲୁ ତାରି ଆଡ଼କୁ ଚାହିଁଲେ ସବୁ କ୍ଷୁଧା, ତୃଷ୍ଣା ଭୁଲି ହୋଇଯାଏ କାମିନୀର ।

 

ତୁମେ ଦେବତାଙ୍କ ପରି ପଥର ନୁହଁ, ମୂକ ନୁହଁ, ଶୂନ୍ୟ ନୁହଁ । ତୁମେ ଏକାଧାରରେ ସଜୀବ, ବାଗ୍ମୀ ଆଉ ସ୍ଥିତିବାନ୍‌ । ତୁମକୁ ମନରୁ ସ୍ଥାନାନ୍ତରିତ କରି ମୁଁ କଣ କେବେହେଲେ ବଞ୍ଚିପାରେ ? କେବେହେଲେ ସ୍ଥିର ରହି ପାରେ ? ଦେବତାଙ୍କୁ ଫୁଲ ଦେଇ ମନାସୁଛି କେବଳ ତୁମରି ପାଇଁ । କିନ୍ତୁ ତୁମକୁ ମନ ଦେଇ ଯେ ଦିନ ରାତି ମୁଁ କେତେ ଉପାସନା କରୁଛି ତାହା ତୁମେ ବୁଝିବ କୁଆଡ଼ୁ ? ପ୍ରେମିକାକୁ ପ୍ରେମିକ ପାଇଁ ଦୂର ଅଡ଼ୁଆ ହେଲା ପରି ମୋତେ ସେମିତି ଏତେ ଦୂରର ବ୍ୟବଧାନ ଭାରୀ ବ୍ୟଥା ଲାଗୁଛି । ଖାଲି ତୁମ ଛାଇ ଟିକେ ମୋ ଦିହରେ କେମିତି ପଡ଼ନ୍ତା କି ? ମୁଁ ସେଥିରେ ସ୍ୱର୍ଗ ସୁଖ ଅନୁଭବ କରନ୍ତି ।

 

କାମିନୀ ମନ କଥା ଖୋଲି ଭଳି ଭଳିକେ ଚିଠି ଦେଉଛି କାମଦେବ ପାଖକୁ । କିଛି ଲୁଚାଉ ନାହିଁ । ସେଥି ସକାଶେ କାମଦେବ ବେଶୀ ବେଶୀ ଦୁର୍ବଳ ହୋଇ ପଡ଼ୁଛି ମିନାକ୍ଷୀର ଯୌବନ ନିକଟରେ । ତା କାମନା ଶିଥିଳ ହୋଇ ପଡ଼ୁଛି । ମନ ଦବି ଯାଉଛି ।

 

କାମିନୀ ପାଖରୁ ଯେଉଁ ଶେଷ ଚିଠି ଆସିଥିଲା, ତାହା ସଯତ୍ନରେ କାମଦେବ ନିଜ ପାଖରେ ସାଇତି ରଖିଛି । ସେଥିରେ ବେଶୀ ଲେଖା ଅଛି ସୁବୋଧ ବିଷୟ । ସୁବୋଧର ଡକ୍‌ଟରେଟ୍‌ ଡିଗ୍ରୀ କେବଳ ତାକୁ ହିଁ ଶୋଭା ପାଉଛି ସିନା, ହେଲେ ଅନ୍ୟମାନଙ୍କ ନିକଟରେ ତାର ପ୍ରଭାବ କଣ ଅଛି ? ସୁବୋଧ ଆତ୍ମଗାମ୍ଭୀର୍ଯ୍ୟ ହରାଇବା ସଙ୍ଗେ ସଙ୍ଗେ ଆତ୍ମସମ୍ମାନ ମଧ୍ୟ ହରାଇ ବସିଛି । ଡକ୍‌ଟର ସୁବୋଧଚନ୍ଦ୍ର ରାୟ ବୋଲି ତାକୁ କେହି ସମ୍ମାନ ସହକାରେ ଆହ୍ୱାନ ଦେଉ ନାହାନ୍ତି । ସମସ୍ତେ ତୁ ତା, ରେ ରା, ବେ ବା କରି ତା ସହିତ ବ୍ୟବହାର କରୁଛନ୍ତି । ଅବଶ୍ୟ ସେମାନେ ନୂଆ ପୁରୁଣା ହୋଇ ତାର ନିଶ୍ଚୟ ସାଙ୍ଗ ହୋଇଥିବେ । ତା ବୋଲି ସବୁ ସମୟରେ, ସବୁ କ୍ଷେତ୍ରରେ ପରିହାସ କରି ସମ୍ମାନକୁ କ୍ଷୁର୍ଣ୍ଣ କରାଗଲେ, କେଡ଼େ ଦୁଃଖ ନ ଲାଗିବ ?

 

ସୁବୋଧ ଘରେ ପଶା ପାଲି ପଡ଼ୁଛି । ସିନେମା ଗୀତର ଆବୃତ୍ତି କରି ଭଣ୍ଡାମୀର ଶେଷ ସୀମା ପର୍ଯ୍ୟନ୍ତ ମଧ୍ୟ କେହି କେହି ସାଙ୍ଗ ଅତିକ୍ରମ କରି ଚାଲି ଯାଉଛନ୍ତି । ମିନାକ୍ଷୀ କଥା ବାରମ୍ବାର ପ୍ରସ୍ତାବିତ କରି ସୁବୋଧକୁ ଥଟ୍ଟା କରିବାରେ ଲାଗିଛନ୍ତି । ବେଳେ ବେଳେ ମଧ୍ୟ ସେମାନେ କହି ଉଠୁଛନ୍ତି ତୁ ଯଦି ମିନାକ୍ଷୀକୁ ନ ରଖି ପାରିବୁ, ତେବେ ଆମକୁ ଅସ୍ଥାୟୀ ଭାବେ ଦେଇ ଦେଉ ନାହୁଁ-?’ କାଳେ ମୁଁ ଶୁଣି ପକେଇବି, ସେଇ ଆଶଙ୍କାରେ ଅନ୍ୟ ଜଣେ ମଧ୍ୟ ସହୃଦୟତା ପ୍ରକାଶ କରି କହି ଉଠେ, ଭାଣ୍ଡାମିର ଗୋଟାଏ ସୀମା ଅଛି । ଏତେ ଦୂର ମୁହଁ ହରାଇ ଉଚ୍ଛୃଙ୍ଖଳ ହେଲେ ସେ ଘରେ ସୁବୋଧର ଭଉଣୀ କାମିନୀ କଣ ମନେ କରିବ ?

 

ସେମାନେ ଏତେ ଉତ୍ତେଜିତ ହୋଇ ଯାଇଥାନ୍ତି ଯେ ସେମାନଙ୍କର ହିତାହିତ ଜ୍ଞାନ ରହେ ନାହିଁ । ତେଣୁ କହନ୍ତି, ଯା ଯା ରେ ସାଙ୍ଗ, କଥା କହି ଆଉ ଏତେ ଦବା ନା । ସ୍ତ୍ରୀ ପୁରୁଷ ହୋଇ ଯୌବନର ବୀଣା କାହା ଦେହରେ ନ ବାଜୁଛି କହିଲୁ ! କାମିନୀ ସୁବୋଧର ଧରମ ଭଉଣୀ, ପୁଣି ବିବାହିତା । ସେ କଣ ଖାଲି ସଦା ସର୍ବଦା ତା ସ୍ୱାମୀ କଥା ଭାବୁଛି ଅଥଚ ଆଉ କେଉଁ ପୁରୁଷ କଥା ଭାବୁ ନାହିଁ ? ଆମେ ସବୁ ପିଲା ଛୁଆର ବାପା ହେଲେ ସୁଦ୍ଧା ଆମ ସ୍ତ୍ରୀମାନେ କଣ ପରପୁରୁଷର ରୂପ ଦେଖିଲେ ଆଖି ବୁଜି ଦେଉଛନ୍ତି ? ସ୍ତ୍ରୀମାନଙ୍କ ଅନ୍ତର ପରା ଅନ୍ଧକାରର କାବ୍ୟ-। ତାକୁ କେବଳ ପଢ଼ି ହୁଏ ସିନା, ହେଲେ ବୁଝି ହୁଏ ନାହିଁ । ଗହନ ବନ କାନ୍ତାର ହେଉଛି ସେମାନଙ୍କ ହୃଦୟ । ତା’ଭିତରେ ଗଳି ସେଇ ଚାଖଣ୍ଡେ ଜାଗାରେ ସବୁବେଳେ ଲାଖି ରହିଛୁ ବୋଲି କଥା କହୁଛୁ ?

 

ଚୁପ୍‌ ହୋଇଯାଏ ସେଇ ନରମା ସାଙ୍ଗଟି । ପାଟିରେ ତାର ତାଲା ପଡ଼ିଯାଏ । ଆଉ ମୁଁ ସେମାନଙ୍କ ଅନ୍ତରାଳରେ ନିଲୁକୁ ଚାହିଁ ଆଖିରୁ ଥପ୍‌ଥପ୍‌ ଲୁହ ଢାଳେ । ମନେ ମନେ କହେ, ନିଲୁରେ, ବାପା ତୋର କେମିତିକା ସାଙ୍ଗ କରିଛନ୍ତି ଦେଖି ପାରୁଛୁ ଟି । ତାଙ୍କ ପାଖକୁ ଫେରିଗଲେ ମୁଁ ଯାହା କହିବି । ତୁ ସେଥିରେ ସତ ମଣି ଖାଲି ମୁଣ୍ଡ ଟୁଙ୍ଗାରିବୁ । ସେ ବୁଝିବେ, ତାଙ୍କ ବନ୍ଧୁତା ଏମିତି ଆଉ ତାଙ୍କ ସଂସାର ଏମିତି ।

 

ସେଦିନ ଡକ୍‌ଟରେଟ୍‌ ପ୍ରତି ମିନାକ୍ଷୀର ମନୋଭାବ ତାଙ୍କ ହୃଦୟରେ ଆନ୍ଦୋଳନ ସୃଷ୍ଟି କରିଥିଲା । କିନ୍ତୁ ଆଜି ଏ ଚିଠିରୁ ଯଦି ବିଶ୍ୱାସ ନ ହେଉଛି, ତାହେଲେ ସେ ସ୍ୱ ଚକ୍ଷୁରେ ଦେଖି ଯାଆନ୍ତୁ । ବଡ଼ଲୋକି, ଆଭିଜାତ୍ୟ ଦୁନିଆରେ କେମିତି, ଅନ୍ୟ ମୁଖରେ ବିଶେଷଣ ଛଡ଼ା ଆଉ କିଛି ହୁଏନା । ଫମ୍ପା ଆବାଜ୍‌ । କହି ବୁଲିଲେ, ଗାଇ ଜାଣିଲେ ତାହା ସୁନ୍ଦର ଶୁଣା ଯାଉଛି ସିନା, ହେଲେ ଜିନିଷ ପ୍ରକୃତରେ ଯାହା, ପରିକଳ୍ପନା କଲେ ସେ ତାହା ନୁହେଁ ।

 

ଚିଠିଟି ତନ୍ମ ତନ୍ମ କରି ପଢ଼ି ସେଇ ଦିନସାରା କାମଦେବ ମିନାକ୍ଷୀର ମୁହଁକୁ ବାରମ୍ବାର ଚାହିଁଥିଲା । କାମିନୀର ଲମ୍ବା ମୁହଁ ସହିତ ମିନାକ୍ଷୀର ଗୋଲ ମୁହଁକୁ ପରିକଳ୍ପନାରେ ଯୋଡ଼ି ବସିଲା ବେଳେ, ତାକୁ ଏକ ଅସ୍ୱାଭାବିକ ଧାରଣା ଆସି ଧକ୍‌କା ଦେଲା । ଲମ୍ବା ମୁହଁରେ ଯେଉଁ ଗୁଣ ଅଛି, ଗୋଲ ମୁହଁରେ ତ ତାହା ନାହିଁ । ଗୋଲ ମୁହଁ ଚିକ୍‌କଣ । ଗାଲ ଦୁଇଟା ପୁଚୁକା, ଆଖି ଢିମା ଢିମା-। ସେଇଥିରେ ପୁଣି ଆପଣା ବଡ଼ତି ଗାଇବାର ଏତେ ଭଙ୍ଗୀ ଦେଖେଇ ଆସେ ! ମିନାକ୍ଷୀର ଆଭିଜାତ୍ୟକୁ ପ୍ରତିହତ କରିବାକୁ ଯାଇ କାମଦେବ ଭାବୁଥିଲା, ସୁବୋଧର ଅଧିକାର କ୍ଷୁର୍ଣ୍ଣ ହୋଇଯାଉ, କଳଙ୍କିତ ହୋଇଯାଉ ସେଇ ସୁବର୍ଣ୍ଣପୁର । ସେ ଆଉ ଆଶଙ୍କା କରିବ କାହିଁକି ? କାମିନୀ ଶୁଣିଲେ ସେ ତାକୁ ବରଂ ଖୁସି କରାଇବା ପାଇଁ କହିବ, ଦେଖ କାମିନୀ ତୁମେ ଯେଉଁ ସତୀତ୍ୱର ବିଶ୍ୱାସ ରଖି ମୋ ପାଖରୁ ଚାଲିଯାଇଥିଲ, ସେଇ ବିଶ୍ୱାସ ନେଇ ତୁମେ ଫେରିବ ବୋଲି ମୁଁ ଠିକ୍‌ ଜାଣିଥିଲି । କିନ୍ତୁ ଫେରି ଯାଇ ନାହିଁ ସେଇ ଗର୍ବିତ ନାରୀ ।

 

ମିନାକ୍ଷୀ ।

 

ସୁବୋଧର ସ୍ତ୍ରୀ ମିନାକ୍ଷୀର ଗର୍ବ ତା’ ଚରିତ୍ରକୁ ଅପବିତ୍ର କରି ଭାଙ୍ଗି ଦେଇଛି ବୋଲି କାମଦେବ ଖୋଲାଖୋଲି କାମିନୀକୁ କହିଦେବ । ଫଳରେ ଗୋଟିଏ ତୀରରେ ଦୁଇଟି ପକ୍ଷୀ ମରି ପାରିବେ । ଏକଆଡ଼େ କାମଦେବର ବହୁ ଦିନରୁ ରହି ଆସିଥିବା ଆକାଙ୍‌କ୍ଷା, ଅନ୍ୟଆଡ଼େ ମିନାକ୍ଷୀର ଅଭିଜାତ ମନୋବୃତ୍ତିର ବିଲୋପ ସାଧନ; ଦୁଇଟି ଜିନିଷ ଏକାବେଳକେ ପୁରଣ ହୋଇଯିବ । କାମଦେବ କାମିନୀଠାରୁ ପତ୍ର ପାଇବା ପରେ ପୁଣି ସେଇ ଚିନ୍ତାରେ ମନୋନିବେଶ କରାଇଥିଲା । ଆହାର ପାଖରେ ପାଇ ଛାଡ଼ିଦେଲେ ମନ କଷ୍ଟ ହୁଏ । ସେମିତି ମିନାକ୍ଷୀର ଦେହ ଉପତ୍ୟକାରେ କୃଷ୍ଣ କାର୍ପାସ ମୃତ୍ତିକାର ଯେଉଁ ଆହାର !

 

ଆଃ.....

 

ଭାରୀ ନରମ ହୋଇଥିବ ଚାଷ କରିବାକୁ । ସୁବୋଧର ଶ୍ରମରେ ପାଗ ଯୋଗ ହୋଇ ସାରିଛି ଯେତେବେଳେ, କାମଦେବର କାମନା ଅସ୍ତ୍ରରେ ଭିଣିବା ପାଇଁ ଯେ ଆଉ କେତେ ପରିଶ୍ରମ-! ଟୁକୁର ଅନୁପସ୍ଥିତିରେ ମିନାକ୍ଷୀକୁ କବଳିତ କରିବାକୁ ଉପାୟ ସ୍ଥିର କଲା ଯେ ! ଏଇ କେତେଦିନ ହେଲା ଫେସନଦ୍ୱାରା ତା ମନକୁ ସେ ଆକୃଷ୍ଣ କରି ନେଇଛି । ତା’ ଆବୃତ ଯୌବନକୁ ତାରି ସପକ୍ଷରେ ଢଳିବାକୁ ବହୁବିଧ ଇଶରା ଦେଇ ଆସୁଛି ।

 

ହେଲେ ମିନାକ୍ଷୀ କଣ ସେ ସବୁ ବୁଝି ପାରୁ ନାହିଁ ? ଜାଣି ଜାଣି ତାରି ବାଙ୍କ ଚାହାଣୀ ଆଗରେ କେବେ କେବେ ଅସଂଯତ ହୋଇ ପଡ଼ିଲେ, ଲାଜେଇ ଯାଇ ମିନାକ୍ଷୀ ମଧ୍ୟ ଏଣିକି କହି ଦେଉଛି ଯେ, ଆପଣଙ୍କ ଭଳି ରସିକ ପୁରୁଷ ଆପଣଙ୍କ ସାଙ୍ଗ ସୁବୋଧ ବାବୁ ନୁହଁନ୍ତି । ସେ ଖାଲି ଥେସିସ୍‌ ଲେଖିବେ, ଗବେଷଣା କରିବେ ଆଉ ଡକ୍‌ଟରେଟ୍‌ ଉପାଧିରେ ଭୂଷିତ ହୋଇ ପୌରୁଷକୁ ଦେଖେଇ ହେବେ । ତା ଛଡ଼ା ତାଙ୍କ କହରିଆ ନିଶକୁ ଆଙ୍ଗୁଠି ମାରି ଖାଲି ସାଉଁଳଉ ଥିବେ । ଆଉ କିଛି ଜାଣନ୍ତି ନାହିଁ ସେ । ମନ ପାଇଁ ଯେ ଯୌବନର ଉପଯୋଗିତା କଣ, ତାହା ଟୁକୁ ଜନ୍ମ ପରେ ବି ସେ ବୁଝି ନାହାନ୍ତି ।

 

କାମଦେବ ମିନାକ୍ଷୀର ଯୌନ ଉଦ୍‌ବେଳିତ ହୃଦୟର ମର୍ମ ବୁଝିପାରି ତା’ ପାଖକୁ ଲାଗି ଆସିଥିଲା ।

 

ସୁବୋଧ ପରିବର୍ତ୍ତେ ମୁଁ ସେ ସ୍ଥାନର କର୍ତ୍ତା ହେଲେ କଣ ତୁମେ ଅସନ୍ତୁଷ୍ଟ ରହି ଯାଆନ୍ତ-?

 

ଏହା କହି କାମଦେବ ନିଜ ବାହୁ ଫାଶରେ ଅସମ୍ଭାଳ ହୋଇ ମିନାକ୍ଷୀକୁ ଛନ୍ଦି ଆଣିଥିଲା-। ମିନାକ୍ଷୀ ମୁହଁରେ ଅନିଚ୍ଛା ଅଥଚ ଭିତରେ ଇଚ୍ଛା ପ୍ରକାଶ କରି କାମଦେବ କୋଳକୁ ଆଉଜି ଆସିଲା !

 

ଘରେ କେହି ନାହାନ୍ତି । ବାହାର ଦରଜା ଦିଆ ହୋଇଛି । ଟୁକୁକୁ ଚାକର ଟୋକା ଖେଳିବା ପାଇଁ ବାହାରକୁ ନେଇ ଯାଇଛି । ପରିବେଶ ପୁରାପୁରି ନିର୍ଜନ ଆଉ ଉତ୍ତେଜକ ଥିବା ସମୟରେ କାମଦେବ ମିନାକ୍ଷୀର କକ୍ଷ ମଣ୍ଡନ କଲା । ଦୁହେଁ ଥିଲେ କାମାତୁର । ଦୁହିଁଙ୍କ ଯୌନ ବିଭାସ ଦେହ ଶଯ୍ୟାର ଆକାଶରେ ଉଦ୍ଭାସିତ ହୋଇ ଉଠୁଥାଏ ।

 

କାମଦେବ କହିଲା, ସ୍ୱାମୀ ସ୍ତ୍ରୀର ପ୍ରେମ ବ୍ୟତୀତ ଏ ପ୍ରେମ କେମିତି ଲାଗୁଛି ?

 

ମିନାକ୍ଷୀ ହସି କହିଲା, ସ୍ୱାମୀ ସାଙ୍ଗରେ ସ୍ତ୍ରୀ ଖାଲି ବାନ୍ଧି ହେବ, ନ ହେଲେ ନାହିଁ । ପୁରାଣ କହୁଛି, ନାରୀ ପାଇଁ ସେଇ କେବଳ ଗୋଟିଏ ପୁରୁଷ ଲୋଡ଼ା ।

 

ସ୍ୱାମୀ ।

 

କାହିଁକି ମ, ଯୌବନକୁ ବାଣ୍ଟି ବାଣ୍ଟି ସବୁ ପୁରୁଷ ଭାଗ କରି ଉପଭୋଗ କଲେ, ନାରୀ କେତେ ଆନନ୍ଦ ନ ପାଆନ୍ତା, ନିଜକୁ କେତେ ମୁକ୍ତ ବୋଲି ନ ଭାବନ୍ତା ! ସ୍ୱାମୀ ଛନ୍ଦରେ ବାନ୍ଧି ହୋଇଛି ବୋଲି ସିନା ଚରିତ୍ର ତା ପାଖରେ ବଡ଼ । ପୁରାଣ ତା’ ନିକଟରେ ସବୁ କିଛି । ନ ହେଲେ......

 

ନ ହେଲେ ମିନାକ୍ଷୀ ଏବେ ତା ସଂସ୍ପର୍ଶରୁ ଯେଉଁ ନୂତନ ଅଭିଜ୍ଞତା ହାସଲ କଲା, ତାହା ସମସ୍ତେ କରି ପାରନ୍ତେ ।

 

କାମଦେବ ତାହାହିଁ ଭାବିଲା ବେଳକୁ ମିନାକ୍ଷୀ କାମଦେବଠାରୁ ଦୂରେଇ ଆସି ଆଳସ୍ୟର ଆନୁଗତ୍ୟ ଅନୁଭବ କରୁଥିଲା । ହାଇ ଉପରେ ହାଇ ଆସୁଛି, ତନୁ ହାଇର କି ଅପୂର୍ବ ମାଦକତା ! ମନଭରି ପିଇ ସୁଦ୍ଧା ପିଇ ହେଉ ନାହିଁ । ନିଶା ଲାଗୁଛି । ଘାବରେଇ ଯାଉଛି ତନୁ ମନ-। ଶୂନ୍ୟେ ଶୂନ୍ୟେ ଯେମିତି ଅଦୃଶ୍ୟ ଶିହରଣ ଉପରକୁ ଟେକି ନେଇ ଯାଉଛି । ମିନାକ୍ଷୀ ସୁବୋଧର ବ୍ୟକ୍ତିତ୍ୱ ପ୍ରତି ପ୍ରଗାଢ଼ ପ୍ରୀତି ଜନ୍ମାଇଥିଲେ । ତେଣୁ ସ୍ୱାମୀତ୍ୱକୁ ସେଠି ବଡ଼ କରି ଆସିଥିଲା । ଆଜି କାମଦେବର ପାଦଦେଶରେ ପଦାଚାରଣ କରି ସେ ଦେଖୁଛି ଯେ ବୟସର ଶିଖରୀରେ ଦେହବାଦର ଅଧୀନ ହେଉଛି ମନ । ଦେହ ନ ଥିଲେ ମନ ଥାଆନ୍ତା କେଉଁଠୁ ! ଯୌବନ କାଳରେ ଯେଉଁ ଦେହରେ ଉତ୍ସବ ଲାଗି ରହିବା କଥା, ତାକୁ ଏଣୁ ତେଣୁ ମନ ନେଇ ଉଦ୍‌ଯାପନ କରି ବସିଲେ କେମିତି ହେବ !

 

ପ୍ରକୃତରେ କହିବାକୁ ଗଲେ ସୁବୋଧ କିମ୍ବା ମିନାକ୍ଷୀ ନୁହେଁ ଦୁହିଁଙ୍କୁ ସ୍ୱାମୀ ସ୍ତ୍ରୀର ଗୌଣ ଦୃଷ୍ଟିଭଙ୍ଗୀ ନେଇ ଚାହିଁଛନ୍ତି । ପ୍ରତିପତ୍ତିର ମନ ନେଇ ବିଶ୍ଳେଷଣ କରିଛନ୍ତି । କିନ୍ତୁ ପ୍ରେମର ଅନ୍ତର୍ଦୃଷ୍ଟି ପକାଇ କେହି କାହାକୁ ଦେଖି ନାହାନ୍ତି ।

 

ମିନାକ୍ଷୀ ସୁବୋଧ ନିକଟରୁ ଯେଉଁ ପତ୍ର ପାଉଛି ସେଥିରେ କାମିନୀ ବିଷୟ ବିଶଦଭାବେ ଅବଗତ ହେଉଛି । କାମିନୀର ବ୍ୟବହାର କେଉଁଭଳି ସୁବୋଧ ହୃଦୟକୁ ଆକୃଷ୍ଣ କରି ନେଇଛି ତାହା ସେ ଚିଠିରୁ ପଢି କ୍ଷୁବ୍‌ଧ ହୋଇ ଉଠୁଛି । ଖାଲି ଚରିତ୍ର ! ଚରିତ୍ର ! ଅଧ୍ୟାପକ ହିସାବରେ ସେ ଖାଲି ସେତିକି ଦିନରାତି ଘୋଷି ଆସିଛନ୍ତି ସିନା, ନ ହେଲେ ଆଉ ନାରୀ ଚରିତ୍ର ସମ୍ବନ୍ଧରେ ତାଙ୍କର ଅଧିକା ଧାରଣା କଣ ଅଛି ?

 

ସେ ଆକ୍ଷେପ କରି ଲେଖିଛନ୍ତି ଯେ ମିନାକ୍ଷୀ ତୁମେ ପ୍ରକୃତରେ ଜଣେ ରହସ୍ୟମୟୀ ନାରୀ । ତୁମ ଓଠର ହସ ଉପକୂଳରେ ବୁଡ଼ି ରହିଲେ, ଦୁନିଆଟା ଦିଗ୍‌ବଳୟର ନୀଳ ଲହରୀରେ ଅର୍ଣ୍ଣବ ଆଚ୍ଛାଦିତ ବୋଲି ଜଣାପଡ଼େ । ଯେଉଁଠି କି ଲହଡ଼ିର ସମସ୍ତ ବେଗ ଥିବା ଭଳି ଅନୁମିତ ହୁଏ । ଆଉ ଜଣାଯାଏ ତୁମେ ହସ ଛଳରେ ତାକୁ ଯେମିତି ନିଜ ଆବରଣ ଭିତରେ ଚୋରାଇ ରଖିଛ ! ଏଡ଼ିକି ରହସ୍ୟ, ଏଡ଼ିକି କପଟ ! ଟୁକୁର ମା ହୋଇ ସୁଦ୍ଧା ତୁମର ସେ ଢଙ୍ଗ ବଦଳି ନାହିଁ । ଅଥଚ ନିଲୁର ମା ହୋଇ କାମିନୀ କିଭଳି ଦୟାବତୀ ସରଳହୃଦୟା ନାରୀ, ତାହା ସଂସ୍ପର୍ଶରେ ଆସି ଅନୁଧ୍ୟାନ ନ କଲେ ତୁମେ ମୋଟେ ଜାଣି ପାରିବ ନାହିଁ ।

 

ସୁବୋଧ ଚିଠିରେ ଲେଖୁଛି ।

 

ଅତି ନିର୍ଲ୍ଳଜ ଭାବେ ମନକୁ ଯାହା ଆସୁଛି ତାହା ସେ ଲେଖିଯାଉଛି । ନାରୀକୁ ବିଚିତ୍ରବର୍ଣ୍ଣା ବୋଲି ଆକ୍ଷେପ କରି ପୁରୁଷର ଚରିତ୍ରକୁ ଅତି ଉଚ୍ଚକୁ ଟେକି ପ୍ରବନ୍ଧ କିମ୍ବା କାହାଣୀ ଲେଖି ଥୋଇ ଦେଉଛି ସେ । ହୁଏତ କାମିନୀ ଯେତେବେଳେ କାମଦେବ ନିକଟ ଫେରି ଆସିବ, ସେତେବେଳେ ସେ ସେଇ କାହାଣୀ, କବିତାମାନ ତାକୁ ଦେଖେଇ କହିବ, ଦେଖୁଛ ବନ୍ଧୁ, ପରିବର୍ତ୍ତନର ସ୍ୱାଦୁ ଚାଖିବା ଭିତରେ ମୁଁ କେମିତି କବି ହେବାକୁ ଚେଷ୍ଟା କରୁଥିଲି !

 

ସତକୁ ସତ ସୁବୋଧ ଏକରକମ କବି ହୋଇ ଯାଉଛି । କାମଦେବ ନିକଟ ଚିଠି ଦେବାରେ ଅନେକ ସମୟ ବିନିଯୋଗ କରୁଛି । ଲମ୍ବା ଲମ୍ବା କାଗଜ ବହୁ ପୃଷ୍ଠା ଖର୍ଚ୍ଚ କରି ସେ ପ୍ରତି ମୁହୂର୍ତ୍ତର ଦରଦମାନ ଚିତ୍ରଣ କରି ଥୋଇ ଦେଉଛି । ମିନାକ୍ଷୀ ତା’ ପାର୍ଶ୍ୱରୁ ପତ୍ନୀ ଭୂମିକାକୁ ଅପସାରିତ ହୋଇ ଆସିବା ପରେ ଏକରକମ କବି ପାଲଟି ଯାଉଛି । କାହିଁକି ଏଭଳି ପରିବର୍ତ୍ତନ ଘଟୁଛି ସେ ଜାଣି ପାରୁ ନାହିଁ । ଶୂନ୍ୟର କାଗଜରେ ଯଦି ପୁଳା ପୁଳା ଅକ୍ଷର ଛାପି ଏ ଯୁଗର ମଣିଷ କବି ହେଉ ଥାଆନ୍ତା.....

 

ଆଃ....

 

କାମିନୀ ସେଇ ପରିବର୍ତ୍ତନ ଆଣି ଦେଇଛି । ତା’ କମ୍ର, ନମ୍ର ବିନୟ ଚାହାଣୀରେ ଯେ କଣ ନାହିଁ, ତାହା ଭାଷାରେ ସହଜରେ କହି ହେବ ନାହିଁ । ମାମୁଲି ଧରଣର ଜୁଡ଼ା ବନ୍ଧା, ମୁହଁରେ ସ୍ନୋ ପାଉଡ଼ର ମଖା ହୁଏ ନାହିଁ । ଶାଢୀ ସେଇ ପନ୍ଦର ଟଙ୍କା ଦାମ୍‌ର ସୂତାରେ ତିଆରି । ଆଉ ପାଣି କାଚ କେଇ ପଟିରେ ତା’ ଶୁଭ୍ର ହସ୍ତ ଆବୃତ । ସେଥିପ୍ରତି ଆକ୍ଷେପ କରିବାର ସାହସ ଆସେ ନାହିଁ ସୁବୋଧର । କାରଣ କାମିନୀ ସ୍ୱଚ୍ଛ......

 

କାମିନୀ ସରଳ.....

 

କାମିନୀଠାରେ ଆଦର୍ଶବାଦର ଜୁଆର ସବୁବେଳେ ଖେଳୁଛି । ଯୌବନର ଉଚ୍ଛୃଙ୍ଖଳତାକୁ ସେଇ ଆଦର୍ଶ ଚପେଇ ତା’ ସୌନ୍ଦର୍ଯ୍ୟକୁ ଅଧିକ ମସୃଣ କରି ପାରିଛି । ନବନୀତ ଭଙ୍ଗୀରେ ପ୍ରଗାଢ଼ ପ୍ରଭେଦର ଚିତ୍ର ଅଙ୍କନ କରିଛି ତା ମନରେ ।

 

କାମଦେବ ସୁବୋଧର ଚିଠି ପଢ଼ି ସାରିବା ପରେ କାମିନୀର ନିର୍ଜନ ମନ ଭିତରେ ଯେମିତି ଖେଦି ବୁଲୁଛି ସେଇ ପ୍ରଭେଦର ପ୍ରାଚୀର ଭାଙ୍ଗି ଦେବା ପାଇଁ । ଆଉ ସେ ଇଚ୍ଛା କରୁଛି ବିଦ୍ରୋହ ଘୋଷଣା କରି କହି ପକାନ୍ତା ଯେ କାମିନୀ, ତୁମେ ଏ ପର୍ଯ୍ୟନ୍ତ ଅଗ୍ନିର ବଶବର୍ତ୍ତୀ ହୋଇ ଘନୀଭୂତ ଘୃତର ତାରଲ୍ୟ ବରଣ କରି ନାହିଁ, କାହିଁକି ? ମୋ ନିକଟରେ ସତୀତ୍ୱର ସନ୍ଦେହ ପ୍ରଶ୍ନ ଆଉ ଉଠିବ କେଉଁଠୁ ? ମୁଁ ପରା ପରକୀୟା ମିନାକ୍ଷୀର ସର୍ବସ୍ୱ ଲୁଣ୍ଠନ କରି ନେଇଛି !

 

କାମଦେବ ସ୍ପଷ୍ଟବାଦୀଙ୍କ ପରି ଆହୁରି କହି ପକାନ୍ତା, ହଇଓ ନିଲୁ ବୋଉ, ତମେ ଏଇ ଯେଉଁ ସତୀତ୍ୱ କଥା କହୁଚ, ସିଏ ତମର ମାଟି ଘରେ ଗୋବର ପାଣି ଛିଞ୍ଚି ଲିପିବା କଥା ଭଳି ନୁହେଁ ତ ? ପବିତ୍ର ଉଦ୍ଦେଶ୍ୟରେ ସବୁ ଅପବିତ୍ରତାକୁ ଧୋଇ ମଣିଷ ଯେତେବେଳେ ଉଚ୍ଚ ସ୍ୱରରେ ଆହ୍ୱାନ ଦେଇ କହୁଛି, ତାଠାରୁ ବଡ଼ ଭକ୍ତି ଦୁନିଆରେ କେହି ନାହିଁ, ସେମିତି କଣ ଶାଢ଼ୀର ଆବରଣ ତଳେ ଅସତୀର ପାପକୁ ଘୋଡ଼ାଇ ତାକୁ ପୁଣ୍ୟବତୀ ନାରୀ ବୋଲି ଆଖ୍ୟା ଦିଆଯାଇ ପାରିବ ନାହିଁ-! ତା ନ ହେଲେ ତ ପାପ ପୁରୁଷମାନେ ସତୀ ନାରୀଙ୍କ ଦେହ ସ୍ପର୍ଶ କରିବା ପରେ ସେମାନଙ୍କ ସତୀତ୍ୱ ଭ୍ରଷ୍ଟ ହୋଇ ଯାଆନ୍ତା ! ସ୍ୱାମୀର ନାଁକୁ ଅକାରଣେ ସେ କ୍ଷେତ୍ରରେ ଉପାସନା କରି, ବଡ଼ ବୋଲାଇବାର ଲାଭ କଣ ।

 

ଆଜି ମିନାକ୍ଷୀ ଭ୍ରଷ୍ଟା ହୋଇଗଲା । ସୁବୋଧ ତାକୁ କାମଦେବ ସପକ୍ଷରେ ତାହାହିଁ ଅନୁମାନ କରୁଥିବ । ହେଲେ ଦୁନିଆ ଆଖିରେ ଦୃଢ଼ ଦାବୀ କରି ସୁବୋଧ ସ୍ୱାମୀ ହିସାବରେ, ଆତ୍ମପ୍ରତିଷ୍ଠା ଦୃଷ୍ଟିରୁ କଣ କହିବ ? ମିନାକ୍ଷୀ ଅସତୀ, କୁଳଟା କହିବାକୁ ତା’ ଜିଭ ଲେଉଟିବ କି ? ତା ହୃଦୟର ମାଂସ ଥରି ଉଠିବ କି ? ସବୁ ସ୍ୱାମୀମାନେ ରାତ୍ରିର ପରଶ ଲାଭ ପରେ ସ୍ତ୍ରୀମାନଙ୍କୁ ଯେମିତି ଟେକି ଆସୁଛନ୍ତି, ସୁବୋଧ ସେମିତି କହିବ, ନା, ନା; ତା’ ମିନାକ୍ଷୀ ମୋଟେ କୁଳଟା ନୁହେଁ, ବ୍ୟଭିଚାରିଣୀ ନୁହେଁ । ବନ୍ଧୁ କାମଦେବ ଉପରେ ଆତ୍ମବିଶ୍ୱାସ ରଖି ସେ ତା’ ସ୍ତ୍ରୀକୁ ତା’ ପାଖରେ ଛାଡ଼ି ଥିଲା । ସେଥିରେ ଦୋଷ କଣ ଅଛି ! ସେ ତ ପିଶାଚ ରାବଣ ନୁହେଁ । ବିଶ୍ୱାସଘାତକ ରାବଣର ରୂପକଳ୍ପ ମନରେ ବହି ସେ ତ ମିନାକ୍ଷୀକୁ ତା’ ଘରୁ ଚୋରାଇ ନେଇ ନାହିଁ ? ଅଶୋକ ବନରେ ଦୀର୍ଘ ଦିନ ଧରି ରାବଣ ନିଶ୍ୱାସର ବନ୍ଦିନୀ ରୂପେ କାଳ ଅତିବାହିତ କରି ଆସିଥିଲେ ହେଁ, ସୀତାଙ୍କୁ ଯେବେ ଅସତୀ କହିବାକୁ ରାମଚନ୍ଦ୍ର କୁଣ୍ଠିତ ହେଉଥିଲେ, ସେଇ ଦୃଷ୍ଟିରୁ ଏଇ ମିଛ ଦେବତାର ବିଶେଷଣ ଅର୍ଜନ କରି ସୁବୋଧ କେଉଁଥିପାଇଁ ଆପଣ ସ୍ୱାମୀ ଜୀବନକୁ ଅପଗୌରବରେ ମଣ୍ଡନ କରିବାକୁ କହିହେବ ଯେ ତା’ ସ୍ତ୍ରୀ ଅସତୀ । ଅଗ୍ନି ପରୀକ୍ଷାରେ ତାର ପୁନର୍ଜୀବନ ଲାଭ ବା ଦେହାନ୍ତ ନ ଘଟିଲେ ସେ ତାକୁ ନିର୍ମୂଳି ଲତାକୁ ଦେହରେ ଘୋଡ଼େଇ ହୋଇ ଡକ୍‌ଟରେଟ୍‌ର ବିଶେଷଣକୁ ସେ ନାମର ବାଚ୍ୟ ପରିବର୍ତ୍ତନବେଳେ ମୋଟେ ବ୍ୟବହାର କରିପାରିବ ନାହିଁ । ଶୃଙ୍ଗାରର ବିଫଳ କାମନା ନଦୀରେ ସ୍ରୋତସ୍ୱିନୀ ମିନାକ୍ଷୀର ଉଲଗ୍ନ ଢେଉଗୁଡ଼ାକୁ ହାତରେ ମୁଠେଇ ଖୋଲିଦେବା ପରେ ସେ ଦେଖି ଦେଖି ସଦା ସର୍ବଦା ଖାଲି କହିଦେବ ଯେ ଏଇ ତରଳ ଜଳର ଅଠାରେ ମଧ୍ୟ କିଛି ପ୍ରୀତି ନାହିଁ, ସୁଗନ୍ଧ ନାହିଁ । ବାସନା ତାର ଶୂନ୍ୟ ସ୍ୱର୍ଗରେ ପରାହତ । ହେ ଦୁନିଆର ବଣିକ ସ୍ୱାମୀମାନେ; ସ୍ତ୍ରୀ ଦେହର ସଉଦା କଲାବେଳେ ଦେଖି ପାରୁଛ, ସେଠି କିଭଳି ଆଳସ୍ୟର ପ୍ରତାରଣା; ଆଉ ବଞ୍ଚି ରହିବାର ଯନ୍ତ୍ରଣା ! କାମଦେବ ସୁବୋଧର ଚିଠି ପଢ଼ି କାବା ହୋଇ ଯାଉଛି । କେଡ଼େ ସରଳ, କେଡ଼େ ମୁକ୍ତ ହୃଦୟର ସାଙ୍ଗ ସେ । ମିନାକ୍ଷୀ ତାକୁ ପ୍ରକୃତ ସ୍ୱାମୀ ରୂପେ ଗଢ଼ିବାକୁ ଯାଇ ଗଢ଼ି ପାରି ନାହିଁ । ତା’ ଆଭିଜାତ୍ୟର ଅନ୍ଧକାର ମଧ୍ୟରେ ପ୍ରବେଶ କରି ତାକୁ ପ୍ରେମର ଆଲୋକ ଦେଖାଇବାରେ ବିଫଳ ହୋଇଯାଇଛି ସେ । ହୁଏତ ସୁବୋଧ ସ୍ଥାନରେ ସବୁଦିନ ପାଇଁ ଯଦି କାମଦେବ ରୁହନ୍ତା.....

 

ଏଇତ କାମିନୀର ଦୁଇଦିନ ତଳର ଚିଠିରୁ ଗୋଟିଏ ଗୁଢ଼ କଥା ଯାହା ସେ ପଢ଼ି ଥିଲା, ତାହା ସୁବୋଧ ପତ୍ର ସହିତ ଠିକ୍ ମେଳ ଖାଇ ଯାଉଛି ।

 

କାମିନୀର ଗୋପନ ସ୍ଥାନରେ ଏକ ବଡ଼ ବଥ ହୋଇଛି । ଯାହାକି ଏତେ ଯନ୍ତ୍ରଣାଦାୟକ ଯେ ସେ ମୋଟେ ସମ୍ଭାଳି ପାରୁ ନାହିଁ । ଏପରିକି ତାର ଉପଶମ ଲାଗି ଔଷଧ ପତ୍ରର ବ୍ୟବସ୍ଥା କରିବାକୁ ସୁବୋଧ ଆଗରେ ପ୍ରକାଶ କରି ପାରୁ ନାହିଁ ।

 

ଏ ଦୁର୍ଘଟଣା ବା ସେ କହିବ କାହାକୁ ! ସରମ କଥା ପର ପୁରୁଷ ଆଗରେ ମୁହଁ ଟେକି କହିବା କାମଦେବ ପକ୍ଷେ ଯେତିକି ଲଜ୍ଜାକର ସେତିକି ମଧ୍ୟ ଅପମାନଜନକ ।

 

ସୁବୋଧ ଆତ୍ମା ଫାଡି ବନ୍ଧୁ ହୋଇଛି ଯେତେବେଳେ ତା’ ମନ ନିଶ୍ଚୟ ବିଚଳିତ ହେବା କଥା । ସେ ଆଖିରେ ଦେଖି ତଟସ୍ଥ ହୋଇ ଯାଇଛି । କାମିନୀ ତାକୁ ନ ଦେଖି ଗାଧୁଆ ଘରେ ଥିବାବେଳେ ସୁବୋଧର ପୂରା ଆଖି ପଡ଼ି ଯାଇଥିଲା ତାର ନଗ୍ନ ଶରୀର ପ୍ରତି । ସେଥିରେ ସୁବୋଧ ଯେ କେବଳ ଚହଲି ଯାଇଥିଲା ତା ନୁହେଁ, ରାତିଯାକ ବିଛଣାରେ ପଡ଼ି ତାକୁ ମୋଟେ ନିଦ ହେଲା ନାହିଁ । ସେ ପାଖ ଘରେ କାମିନୀ, ଶୀତଳ ନିଦ୍ରାରେ ଶାୟିତା । ଆଉ ଏପାଖ ଘରେ ସେ, ଉତ୍ତପ୍ତ ଉଚ୍ଛୃଙ୍ଗଳତାରେ ଦଗ୍ଧ । ଛଟପଟ ହୋଇ ରାତି ପାହିଗଲା । ଦୁର୍ବଳତା ଆସୁଥିଲେ ହେଁ କାମିନୀର ଦୁରବସ୍ଥା ବେଳେ ବେଳେ ତା’ କାମାକାଂକ୍ଷାକୁ ଦୟାରେ ଦ୍ରବୀଭୁତ କରି ଦେଉଥିଲା ।

 

ବଥ ।

 

ଅଦେଖା ଜାଗାରେ ବଥଟାଏ ଉଠିଛି, କାମଦେବ ସିନା ପାଖରେ ଥିଲେ ହୋଇଥାନ୍ତା । ତା ବିନା ସେଇ ନିଷିଦ୍ଧାଞ୍ଚଳକୁ ଛୁଇଁବାର ଅଧିକାର କାହାର ଅଛି ? ସୁବୋଧ ଲେଖିଛି ଯେ ସେ ରାତିକି ପାଇଁ ଆସି କାମିନୀର ଅବସ୍ଥା ବୁଝିଯାଉ । ତାକୁ କାମିନୀ ପାଇଁ କଣ କରିବାକୁ ହେବ, ସେ ନିର୍ଦ୍ଦେଶ ଦେଇଯାଉ । ନ ହେଲେ ନିର୍ଜନରେ କାମିନୀର ବେଦନା କେଡ଼େ ତୀବ୍ରତାର ହୋଇ ନ ଉଠିବ କହନି ?

 

ସୁବୋଧ ଡରି ଯାଉଛି । ଡକ୍‌ଟରେଟ୍ ଉପାଧିରେ ଭୂଷିତ ହେଲେ ସୁଦ୍ଧା ତା’ ପୌରୁଷ ଭୀରୁତାର ପରଶରେ ଶିଥିଳ ହୋଇ ଯାଉଛି । ତା ଯୌବନ, ମଳୟେ ବାତାବରଣ ମଧ୍ୟରେ ଥିଲେ ବି ମନ୍ଦ ମରୁତର ସ୍ପର୍ଶ ପାଇ ପାରୁ ନାହିଁ ।

 

ସୁବୋଧ କାମିନୀର କାମାନଳ ପାଇଁ ବ୍ୟାକୁଳ ନୁହେଁ । ସେ ବ୍ୟାକୁଳତା ପ୍ରକାଶ କରୁଛି ବନ୍ଧୁତା ପାଇଁ, ଆଦର୍ଶ ବନ୍ଧୁ ରୂପେ ଇତିହାସର ପୃଷ୍ଠା ଉଜ୍ଜଳ କରିବା ପାଇଁ । ସେଥିଲାଗି ବଥର ବ୍ୟଥାକୁ କାମିନୀ ଯେଉଁ ପରିମାଣରେ ଅସହ୍ୟ ବୋଧ କରୁଛି ବୋଲି ଲେଖିଛି, ସୁବୋଧ ସେଇଭଳି ଅନୁଭବ କରିଥିବାର ଧାରଣା କାମଦେବ ମନରେ ଉପୁଜୁଛି ।

 

ଯେତେ ମନକୁ ଏପାଖ ସେପାଖ କରି ସାହାସ ବାନ୍ଧିଲେ ହେ ସୁବୋଧ ଯେ sentimental, ଏହା ନିଶ୍ଚିନ୍ତ ଭାବେ କାମଦେବ ସ୍ୱୀକାର କରିବାକୁ ବାଧ୍ୟ ହେଉଛି । କାରଣ ସେଇ ଦଶା ଯଦି ସେ ମିନାକ୍ଷୀଠାରେ ଦେଖନ୍ତା, ତେବେ ଚିଠି ଲେଖି କେବେହେଲେ ଅପେକ୍ଷା କରିବାକୁ ଆଖି ଖୋଲି ବସନ୍ତା ନାହିଁ । ସେ ନିଜେ ତାର ପ୍ରତିକାର କରି ପକାନ୍ତା । ମିନାକ୍ଷୀ ନିକଟରେ ତା ପୌରୁଷକୁ ଜାହିର କରିବା ଲାଗି ସମସ୍ତ ଦୁର୍ବଳତାକୁ ଏଡି ଆଗେଇ ଯାଆନ୍ତା ତା’ ଯନ୍ତ୍ରଣା ଉପଶମ ଉଦ୍ଦେଶ୍ୟରେ ।

 

ସୁବୋଧ ମାଇଚିଆ । ବୟସର ସବୁଜିମାରେ ସେଦିନର କଅଁଳ ଛନ ଛନ ମୁହଁକୁ ଦୈନନ୍ଦିନ ଦାଢ଼ି କାଟି କାଟି ବ୍ୟକ୍ତିତ୍ୱର ବହଳ ଅଠାରେ ଘୋଡ଼େଇ ପକେଇଛି । ମୁଣ୍ଡ ବାଳକୁ କପାଳ ଉପରେ ଝୁଲେଇ ସଜାଡ଼ିବାର ଦିନ ଆଉ ନାହିଁ । ଚାଲି ଯାଉଥିବା ସମୟ ନଈର ସୁଅରେ ସେଣ୍ଟି ମେଣ୍ଟ ଧରି ସେ ଯାହା ଭାସି ଚାଲୁଛି ।

 

ହଁ, ମନେ ପଡ଼ିଲା । ପତ୍ନୀ ଅଦଳ ବଦଳ ପୂର୍ବରୁ ଯୌବନର ପରିବର୍ତ୍ତିତ ସ୍ୱାଦ ଚାଖିବାର ଯେଉଁ ଲକ୍ଷ୍ୟ ସୁବୋଧ ମନରେ ଖେଳି ବୁଲୁଥିଲା, କାମିନୀକୁ ପାଇବା ପରେ ସେ କଣ ତାହା ଏତେ ଶୀଘ୍ର ଭୁଲିଗଲା ? କହି ବୁଲିବାର ବାହାଦୁରୀ କାମରେ ଦେଖେଇ ହେବାରେ ଶିଥିଳ ହୋଇ ଯାଉଛି ସିନା ! ସୁବୋଧ ଯାହା ପାରୁ ନାହିଁ, କାମଦେବ ତାହା ପାରୁଛି । କୋଳି ଗଛ ମୂଳେ ଠିଆ ହୋଇ ସରହତ୍ ଟାଣିବାର ବଳ ବା ସାହାସ ମନକୁ କେଉଆଡ଼େ ଆଜି ଉଭେଇ ଗଲାଣି ।

 

ସେ ନେମିସସ୍‌ର ଦେବତା । ମିନାକ୍ଷୀର ମନକୁ ଅନିବାର୍ଯ୍ୟ କରି ତା ଯୌନକାମୀ ହୃଦୟରେ ଗତାନୁଗତିକ ସ୍ପନ୍ଦନ ଜଗାଇବାରେ ସେ ଯେଉଁ ସ୍ୱଳ୍ପ ପରିଶ୍ରମ କରି ଆସିଛି, ସେଥିରେ ସେ ପୁରସ୍କାର ସ୍ୱରୁପ ପାଇଛି ଟୁକୁକୁ । ଟୁକୁର କଅଁଳ ଚେହେରା, ଜାଗୁଲୁ ଜାଗୁଲୁ କଥା, ହସ କାନ୍ଦର ଚାହାଣୀ ତା’ ପିଲାଦିନର ସ୍ମୃତିକୁ ଚହଲାଇ, ତାକୁ ପିତୃତ୍ୱର ଗୌରବରେ ମଣ୍ତନ କରିଛି । ଆଉ ମିନାକ୍ଷୀ କରରେ ମିଷ୍ଟ୍ରେସ୍ ରାୟର ଅଭିନନ୍ଦନ ତା ବ୍ୟକ୍ତିତ୍ୱକୁ ଆହୁରି ଦ୍ୱିଗୁଣିତ କରିପାରିଛି । ମିନାକ୍ଷୀ ମନା କରିପାରିବ ନାହିଁ । କଣ ଦେଖି ସୁବୋଧର ପାର୍ଶ୍ୱ ଚାରିଣୀ ରୂପେ ନିଜକୁ ଭୁଲାଇ ଦେଇ ଆସୁଥିଲା, ସେ ଯୁକ୍ତି ଯଦି କାମଦେବ କରି ବସେ, ତେବେ ମିନାକ୍ଷୀଠାରୁ ଏଇ ଉତ୍ତର ପାଇବ ସେ ।

 

କାମଦେବ କାମିନୀଠାରେ ବଥର ବ୍ୟଥା ଶୁଣି ସୁବୋଧର ଦୃଷ୍ଟିଭଙ୍ଗୀକୁ ବିଶ୍ଳେଷଣ କରୁଥିଲା । କାମିନୀକୁ ଆରୋଗ୍ୟ କରିବା ଉଦ୍ଦେଶ୍ୟ ନେଇ ଜବରଦସ୍ତ ଆୟତ୍ତ କରିନେଲେ କଣ ହୋଇ ନ ଥାନ୍ତା ? ସେ ଏବେ କୋଉ ଦେଖି ପକାଉଛି ? ସୁଦୂର ଅନ୍ତରାଳରେ ସେ ତ ପୁଣି ମିନାକ୍ଷୀର ଯୌବନକୁ କ୍ଷତବିକ୍ଷତ କରି ପକାଇଲା ? ସେମିତି ପ୍ରେରଣା ଜନ୍ମେଇ କାମିନୀକୁ ଆୟତ୍ତ କରିବା ଉଚିତ । କାମିନୀର ଯୌନ ସୌଷ୍ଠବ ଦେଖି ସେ ଯେଉଁପରି ବିହ୍ୱଳିତ ହୋଇ ଉଠିଥିଲା, ସେଇପରି ପରିବେଶ ନିଜ ତରଫରୁ ତାକୁ ଦେଖାଇ ଦେବା ପ୍ରାରମ୍ଭିକ ସଫଳତାର ପଦକ୍ଷେପ ହେବ ।

 

କାମଦେବ ସ୍ୱାମୀ ହୋଇ ସ୍ତ୍ରୀର ସତୀତ୍ୱକୁ ଅନ୍ୟ ହାତରେ ଜାଣୁ ଜାଣୁ ନଷ୍ଟ କରିଦେବାକୁ ସୁବୋଧକୁ ଶିଖାଇ ଦେବ କାହିଁକି ? ବନ୍ଧୁ ହିସାବରେ କେବଳ ତା ମନକୁ ସନ୍ତୁଷ୍ଟ କରିବା ଲାଗି ସେ ଯେବେ ଜୀବନ ରାସ୍ତାରେ ଏତେଦୂର ଅଗ୍ରସର ହୋଇ ପାରିଲା, ଦୁଇ ମାସରେ ସନ୍ତାନକୁ ଆଖି ଆଗରୁ ଦୂର କରି ପାରିଲା, ତେବେ ଆଉ ଅଧିକା କଣ କରିବା ପାଇଁ ସୁବୋଧର ଲକ୍ଷ୍ୟ ନିକଟରେ ଅଭାବ ରହିଯାଉଛି, ତାହା ସ୍ପଷ୍ଟ ଅବଗତ ହୋଇ ପାରୁନାହିଁ ସେ ।

 

କାମିନୀ ଦେହର ଅସୁସ୍ଥତା ସମ୍ୱନ୍ଧୀୟ ଆଳ ଦେଖାଇ କାମଦେବ ସୁବୋଧ ପାଖକୁ ଦିନେ ଦୁଇଦିନ ପାଇଁ ଯାଇ ପାରନ୍ତା ! ହେଲେ ତା’ ଅନୁପସ୍ଥିତିରେ ମିନାକ୍ଷୀ ଯଦି ଅନ୍ୟ କିଛି ଭୁଲ୍ କରି ବସେ.....

 

ଅବଶ୍ୟ ମନରେ ପୂରାପୂରି ଭୟର ଭବିଷ୍ୟତ ବୋଝ ହୋଇଅଛି । କେତେବେଳେ ଯେ ତା’ ପ୍ରାଣରେ ଛିଡ଼ି ପଡ଼ିବ, ତାହା ସେ ଠିକ୍ କରି ପାରୁ ନାହିଁ । ତେବେ କାମଦେବକୁ ଜଣେଇ ଦେଇଛି ସେ । ନିରୋଳାରେ ଆଶ୍ୱାସନାର ଆଶା ନେଇ ତା କୋଳରେ ଆଶ୍ରୟ ନେଉଥିବା ସମୟରେ ସେ ଥରିଲା ଥରିଲା କଣ୍ଠରେ କହିଛି, କାମଦେବ ବାବୁ, ଆପଣଙ୍କ ବିନା ମୋ ଅସତୀ ଦେହର ଚାବିକାଠି ଆଉ କୌଣସି ସ୍ଥାନରେ ଥୁଆ ହେବାର କେହି ଦେଖି ନାହାନ୍ତି । ଆପଣଙ୍କୁ ମୋ ରାଣ, ଧର୍ମତଃ ଆପଣ ମୋର ସ୍ୱାମୀ ନ ହେଲେହେଁ, ଆପଣଙ୍କୁ ଦେହବାହୀ ହିସାବରେ ଅନୁନୟ କରି କହୁଛି ଯେ, ସୁବୋଧ ବାବୁ ମୋ ଚରିତ୍ର ସମ୍ୱନ୍ଧରେ କୌଣସି ସମ୍ୱାଦ ପାଇଲେ ମୁଁ ବିଷ ଖାଇ ଆତ୍ମହତ୍ୟା କରିବ । କାରଣ ଅପବାଦ ସହ୍ୟ କରି ବଞ୍ଚି ରହିବା ମୋ ପକ୍ଷରେ ସମ୍ଭବ ହେବ ନାହିଁ ।

 

କାମଦେବ ମିନାକ୍ଷୀର ମନୋଭାବକୁ ବଦଳେଇ ଦେବା ପାଇଁ ପ୍ରତୀକ ଆଶ୍ୱାସନା ମଧ୍ୟ ପ୍ରଦାନ କରିଥିଲା । କହିଥିଲା, ମିନାକ୍ଷୀ; ସୁବୋଧକୁ ମୁଁ ନିଜଠାରେ ଯେମିତି ଅବିଚ୍ଛିନ୍ନ ଆତ୍ମାରୂପେ ଦେଖି ଆସିଛି, ତୁମକୁ ମଧ୍ୟ ସେମିତି ଦେଖିଛି । ତୁମେ ତାର ଅର୍ଦ୍ଧାଙ୍ଗ, ତା ମନ ଉପବନର ଫଗୁଣ । ତୁମ ନିଶ୍ୱାସରେ ମଳୟ ବହିଲେ ତାକୁ ସିନା ସ୍ଫର୍ଶ ଦେଇ ପୁଲକିତ କରି ପାରିଲା ନାହିଁ. ହେଲେ ମୋତେ ?

 

ମୁଁ ତୁମ କୋକିଳ କଣ୍ଠରୁ ମଧୁଝରା ସଙ୍ଗୀତ ଶୁଣି ମିଥୁନର ବେଳା ଭୂମିରେ ବାସ୍ତବିକ ଆତ୍ମହରା ହୋଇ ପଡ଼ିଛି । କାମିନୀର ତଟ ପ୍ରଦେଶରେ ନାରଙ୍ଗୀର ଶୋଭା ସନ୍ଦର୍ଶନପୂର୍ବକ ଯେଉଁ ଆଖି ଦୁଇଟା ମୋର ରସଝଳା କଳାରେ କଜ୍ୱଳିତ ହୋଇ ସଦାସର୍ବଦା ମନୋଟନସ୍ ଦୃଶ୍ୟର ଅବତାରଣା କରୁଥିଲା, ତାହା ଆଜି ତୁମ ଦେହ ଦାହରେ ନିମଜ୍ଜିତ ରହି ଅପୂର୍ବ ଛନ୍ଦର ପରିପ୍ରକାଶ କରିଛି । ମୁଁ ପ୍ରକୃତରେ ତୁମ ଦେହ ଭିତରେ ସବୁ କିଛି ହଜେଇ ଦେଇଛି । ମନ, ପ୍ରାଣ, ସ୍ନେହ ଶ୍ରଦ୍ଧା ସବୁଦିନ ପାଇଁ ତୁମ ଅନ୍ତରରେ ହଜାଇ ଦେଇ ବସିଲି । ତୁମକୁ କେବେ ଯଦି ସୁବୋଧ ସନ୍ଦେହ କରି ଗ୍ରହଣ ନ କରେ, ତାହେଲେ ମୁଁ ପ୍ରତିଶ୍ରୁତି ଦେଉଛି ଯେ ବନ୍ଧୁ ତାର ମାନ ରକ୍ଷା କରିବାକୁ ମୁଁ ତୁମକୁ ଅନ୍ତରରେ ପୁନରାୟ ସ୍ଥାନ ଦେବି । କାମିନୀକୁ ସୁବୋଧର ଦାୟରେ ଚିର ଜୀବନ ଲାଗି ବହିଷ୍କାର କରିଦେବି ମୋ ପରିସର ମଧ୍ୟରୁ । କାମଦେବ ମିନାକ୍ଷୀ ମୁହଁରେ ମଧୁ ଚନ୍ଦ୍ରିକାର ବାଣୀ ବର୍ଷଣ କରି ତୃପ୍ତିର ହସ ଖେଳାଇ ଦେଇଥିଲା । ହାତରେ କୁତୁକୁତୁ କରି, ସଲସଲ କରିବାକୁ ମନକୁ ସେଠାରେ ନିବେଶ କରିଥିଲା ଅନେକାଂଶରେ ।

 

ଦ୍ୱନ୍ଦ୍ୱ ବିଧୂର ପରିସ୍ଥିତିରେ ଦୋଳାୟିତ କାମଦେବର ମନ ଏବେ ମଧ୍ୟ ଅଶାନ୍ତ, ଅସ୍ଥିର । କାମନାର ମୁହ୍ୟମାନ ଶରୀରକୁ କେତେ ବା ହସେଇ, ରସେଇ, ଛଳେଇ ରଖିବ ସେ । ସେଥିଲାଗି ମୁହୂର୍ତ୍ତକ ପାଇଁ ସୁଦ୍ଧା ମିନାକ୍ଷୀକୁ ଜଙ୍ଗଲର ବାତାବରଣ ମଧ୍ୟରୁ ବାହାରକୁ ଛାଡ଼ି ସେ କେଉଁଆଡ଼େ ଯାଇ ପାରୁ ନାହିଁ । ସେ ତା’ କବି ଭାଷାରେ ମିନାକ୍ଷୀକୁ ଅନ୍ଧକାରର କାବ୍ୟ ରୁପେ ଚିତ୍ରଣ କରି ସମ୍ପୂର୍ଣ୍ଣ ଭବିଷ୍ୟତକୁ ଆୟତ୍ତ କରି ବସିଲାଣି ।

 

କାମିନୀକୁ କ୍ରମେ ଭୁଲି ଯିବାକୁ କ୍ରମଅନ୍ୱୟ କରୁଥିଲା ସେ ମନେ ମନେ । ପରିବର୍ତ୍ତନର ପ୍ରତିଷ୍ଠା ନେଇ ବ୍ୟବଧାନକୁ ମଧ୍ୟ ସ୍ୱାଗତ କରୁଥିଲା । ହେଲେ ସେଇ ଯେଉଁ ଅଜାଗା ବଥ ବିଷୟରେ ସୁବୋଧ ଚିଠି ଦେଲା, ତାହା ପୁଣି ତାର ମାନସ ପ୍ରବୃତ୍ତିକୁ ଚହଲାଇ ବସିଲା । କାମିନୀକୁ ଦେଖିବାକୁ କାମଦେବ ଯିବ; ନ ହେଲେ ସୁବୋଧ ମନରେ ବହୁତ ରାଗ କରିବ । ମିନାକ୍ଷୀ ସମ୍ୱନ୍ଧରେ ତା ବ୍ୟକ୍ତିତ୍ୱକୁ ଜାହିର କରି ଚିଠି ଲେଖିବ, ତୁ ମୋ ସ୍ତ୍ରୀକୁ ଫେରେଇ ଦେ କାମଦେବ । ମୋର ବନ୍ଧୁତା ବଡ଼ ନୁହେଁ । ପତ୍ନୀ ବଡ଼ । ପୁତ୍ର ବଡ଼ । ତାଙ୍କରି ଘରସଂସାର ମଧ୍ୟରେ ମୁଁ ମୋ ମନକୁ ପରଶି ଯେମିତି ସିଖରେ ଥିଲି, ସେମିତି ରହିବି । ମଲାବେଳେ ମୋ ପାଟିରେ ପୁଅ, ସ୍ତ୍ରୀ ହେଲେ ପାଣି ଟୋପାଏ ଦେବେ । ଆଖିରୁ ଲୁହ ବୁନ୍ଦାଏ ତାଳିବେ । ସେତିକିରେ କଣ ମୋ ଆଖି ତୃପ୍ତିରେ ବୁଜି ହୋଇଯିବ ନାହିଁ ?

 

କାମଦେବ ମନେ ମନେ ଚମକି ପଡ଼ୁଥିଲା । ଏଁ, ସୁବୋଧ ଏକଥା କହିବ ? ତା ନିୟମରୁ ବହିର୍ଭୂତ ହୋଇ ସେ ପୁଣି ଓଲଟିପଡ଼ି ବନ୍ଧୁତାକୁ ନ୍ୟୂନ କରିଦେବ ?

 

କେମିତି ?

 

କେଉଁ ଫର୍ମୁଲାରେ !

 

ମାଇଚିଆ ସ୍ୱାମୀମାନେ ସେମାନଙ୍କ ସ୍ତ୍ରୀଙ୍କୁ ଦୁନିଆରେ ଟେକି ଥାନ୍ତି । ତାଙ୍କର ପ୍ରଶଂସା ଗାନ କରୁଥାନ୍ତି । ତାଙ୍କରି ଚାଲି ସୁନ୍ଦର, କଥା ସୁନ୍ଦର ନାଲି ସୁନ୍ଦର ପୁଣି ଫୁଲି ସୁନ୍ଦର । ପଣତ କାନି ଟେକି ପଛେ ପଛେ ଚାଲୁଥିବା ବେଳେ ଯେଉଁ ଛାତିଫୁଲା ଆନନ୍ଦ !

 

ଆଃ......

 

ଛି କହିବାକୁ ଇଚ୍ଛା ହୁଏ । ମାଇଚିଆଙ୍କର ମୋଟେ ବ୍ୟକ୍ତିତ୍ୱ ନାହିଁ । ଦମ୍ଭ ନାହିଁ ମନରେ କିମ୍ୱା ସ୍ଥିରତା ନାହିଁ ଦର୍ଶନରେ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ କାମଦେବ ସୁବୋଧକୁ ନିଜ ସଂସ୍ପର୍ଶରେ ଆଣି ଅନେକ ଦୂର ବଦଳେଇ ଦେଇଛି । ତା’ କଥା କହିବା ଶୈଳୀରେ ଗାମ୍ଭୀର୍ଯ୍ୟର ଧାରା କାମଦେବର କର୍ଣ୍ଣକୁ ଆଶ୍ଚମ୍ୱିତ କରି ଦେଉଛି । ତେଣୁ ସେ କେବେହେଲେ ମାଇଚିଆଙ୍କ ପରି ଦୁର୍ବଳ ହେବ ନାହିଁ । ତା କରଡ଼ା ଦାଢ଼ିରେ ହାତ ବୁଲାଇ ବୁଲାଇ କାମଦେବକୁ ଦେଖି ପକେଇଲେ ନିଶ ଫୁଲେଇ କହିବ, ହଇରେ ତୁ ମତେ ମର୍ଦ୍ଦାନି ଶିଖେଇବୁ, ନୁହେଁ ? କୋଉଦିନ ସିନା ତୁ ମୋର ଗୁରୁ ଥିଲୁ, ବାଙ୍କା ଚାଲ୍ ଦେଖେଇ ମତେ ଚିଡ଼ିଥିଲୁ, ଆଜି ପରା ମୁଁ ତୋ ଭଳିଆ କେତେ ଟୋକାଙ୍କୁ କଥାରେ ବୁଲେଇ ନାତ୍ ମାରି ଛାଡ଼ୁଛି ।

 

ସୁବୋଧ ଏମିତି କହିନାହିଁ ଯଦିଓ, ଆଗକୁ ବେଳ ଆସୁଛି ସେ ନିଶ୍ଚୟ କହିବ । କାମିନୀ ସମ୍ମୁଖରେ ତାକୁ ଅପମାନ ଦେବାକୁ ସେ ଶୁଣେଇବ ଅନେକ ଶୈଳୀର ଭାଗବତ । ସେଥିଲାଗି ସେ ସେଠାକୁ ଯିବ । କାମିନୀର ବଥ ଦେଖିବ ବାହାନାରେ ଆଖି ବୁଲେଇ ପରିସ୍ଥିତି ଚେକ୍‍ କରି ଆସିବ ।

 

ମିନାକ୍ଷୀ ଶୁଣୁ ।

 

ସେଥିପାଇଁ ସେ ଆତ୍ମାବୀକ୍ଷ୍ୟ ଅନ୍ଧକାରକୁ ଭାଷାର ଆଲୋକ ଦେଇ ଚିକ୍ ଚିକ୍ କରୁଛି । ବର୍ତ୍ତମାନରେ ଯାହା ଘଟିଯିବାର ଯାଉ । ଭବିଷ୍ୟତ କଥା ପଚାରେ କିଏ ! ମିନାକ୍ଷୀ ମୁହଁ ଫିଟାଇ କହିଲା, ଆପଣଙ୍କର ଧର୍ମ ହେଉଚି ଦର୍ଶନ; କିନ୍ତୁ ତାଙ୍କ ଧର୍ମ ହେଉଛି ଆଦର୍ଶ । ଅତୀତରେ କି କୋଳି ଖାଇ ସାଙ୍ଗ ହେଲେ ଯେ, ସେ ମୋଟେ ମୁହୂର୍ତ୍ତକ ପାଇଁ ସୁଦ୍ଧା ତାହା ମନରୁ ଭୁଲି ପାରୁ ନାହାନ୍ତି ।

 

ବନ୍ଧୁତା ମଣିଷ ଜୀବନରେ ଶ୍ରେଷ୍ଠ ସମ୍ପଦ । ସେଥିପାଇଁ ପତ୍ନୀର ଅବଦାନ ପତି ନିକଟରେ ତୁଚ୍ଛ, ନ୍ୟୁନ ଆଉ ଗୌଣ । ସ୍ତ୍ରୀ ଲାଗି ସିନା ସ୍ୱାମୀ ସ୍ୱାର୍ଥପର ହୁଏ, ହେଲେ ବନ୍ଧୁ ପାଇଁ ସେ ସୁଦାମା, ଶ୍ରୀକୃଷ୍ଣ, ନ ହେଲେ ଅର୍ଜ୍ଜୁନ ।

 

ମନ ଉଚ୍ଛନ୍ନ ହେଉଛି ସେଠାକୁ ଯିବା ପାଇଁ, ନୁହେଁ ?

 

ହସି ଦେଇଥିଲା କାମଦେବ । ମିନାକ୍ଷୀଠାରୁ ସେ ଏକରକମ ଅନୁମତି ପାଇଯାଇଛି । ତେଣୁ ତାକୁ ବେଶୀ ଖୁସି କରିବାକୁ ଯାଇ ସେ କହିଲା, ମୁଁ ଯାଉଛି; ଫେରିବା ପର୍ଯ୍ୟନ୍ତ ଟୁକୁକୁ ବାହାରକୁ ଛାଡ଼ିବ ନାହିଁ କି ତୁମେ ପଦାକୁ ଗୋଡ଼ କାଢ଼ିବ ନାହିଁ । ବରଂ ଘର ଭିତରେ ରହି ମନେ ମନେ ଆଶୀର୍ବାଦ କରୁଥିବ, କାମଦେବ may miss his mistress, but not the Mr. ଅତୀତ କଥା ମନେପଡ଼ି, ହୃଦୟ ଭିତରେ ଶିହରଣ ଖେଳିଗଲା । ପୁରୁଷ ପୁରୁଷ ସହିତ ବିଳାସ, କେଡ଼େ ମଜ୍ଜା ନୁହେଁ ସତେ ! ହୁଏତ ସୁବୋଧ ସହିତ ଏକାନ୍ତରେ ସେଇ ଦିନକୁ ଦୋହରାଇଲେ ଭାରି ଲାଗିନ୍ତା !

 

ସେ ବି ଏକପ୍ରକାର ପରିବର୍ତ୍ତନ ।

Unknown

 

କିଛି ବ୍ୟକ୍ତ ନକରି କାମଦେବ ଯେମିତି ହସି ଉଠିଲା କିଛି ବୁଝି ନପାରି ମିନାକ୍ଷୀ ସେଇ ହସରେ ସେମିତି ସହଯୋଗ କରି ବସିଲା ।

 

ଖୁବ୍ ଜୋରରେ ହସର ଫୁଆରା ଛୁଟି ଚାଲୁଥିଲା । ଟୁକୁ ଆବାକାବା ହୋଇ ଦୁହିଁଙ୍କ ମୁହଁକୁ ଚାହିଁ ଅବୁଝା ରହି ଯାଉଥିଲା ମାତ୍ର ।

 

।। ୯ ।।

 

ଗଳି ରାସ୍ତାରେ ଚାଲିଲାବେଳେ ପଥିକର ମନରେ ସ୍ୱତଃ ସଙ୍କୋଚନର ଭାବ ସୃଷ୍ଟି ହୋଇଥାଏ । କେଉଁଠି କାଳେ ବିପଦ ଆପଦ ପଡ଼ିବ, ଏଇ ଭୟ ସବୁବେଳେ ଲାଖି ରହିଥାଏ । ଦପ୍ ଦପ୍ ପଡ଼େ ଛାତି । ଗଳି ରାସ୍ତା, ପୁଣି କିଟିକିଟି ଅନ୍ଧାର । ଚୋର, ଖଣ୍ଟ, ମଦୁଆମାନଙ୍କର ଲୁଚକାଳି ଖେଳ ଗଳି ରାସ୍ତା କଡ଼ରେ ସବୁଦିନେ ରାତିରେ ଆରମ୍ଭ ହୋଇଥାଏ । ପଥଚଲା ପଥିକର କାଳ ସେମାନେ । ତା’ ସୁଗମ ପଥଚଲାକୁ ପ୍ରତିହତ କରି ସବୁ ଧନ ନଷ୍ଟ କରି ଦେଇଥାନ୍ତି ଅକାଳରେ । ଆହା, ବିଚାର ନିରୀହ ପଥିକ.....

 

ଅସହାୟ, ଦୁର୍ବଳ ହୋଇପଡ଼େ ।

 

କ୍ଷତିଗ୍ରସ୍ତ ମନରେ ପରାଡ୍‌ମୁଖ ହୋଇ ସେ ଫେରେ ।

 

କାମଦେବ ସେମିତି ଫେରୁଛି ।

 

ପରାହତ ପଥିକ ପରି ସୁବୋଧ ଘରୁ ଫେରି ଆସିଛି ସେ ।

 

ମନା କରୁଥିଲା ସୁବୋଧ । ଏଇଠି କିଛି ଦିନ ଲମ୍ୱା ଛୁଟି ନେଇ ରହି ଯା । ମିନାକ୍ଷୀକୁ ମଧ୍ୟ ନେଇ ଆସିବା । କାମିନୀ ଭଲ ନ ହେଲେ କେମିତି ତୁ ଚାଲିଯିବୁ !

 

କାମଦେବ ଜୋର୍ ଦେଇ ନାହିଁ କରିଥିଲା । ତାର ଅଭିମାନ ଯେ ସେ ସୁବୋଧଠାରୁ ବିଶ୍ୱାସଘାତକତାର ପୁରସ୍କାର ଲାଭ କରିଛି ଯେତେବେଳେ, ଆଉ ବନ୍ଧୁତାର ଗଳି ରାସ୍ତାରେ ଲୁଚି ଲୁଚି ସ୍ୱାର୍ଥ ତ୍ୟାଗ କରିବ କେଉଁ ଆଶାରେ ?

 

ଅନ୍ତରଙ୍ଗତା ତଳେ ଏତେ ବିଷ ! ଏତେ କପଟତା ! ବନ୍ଧୁ ତାକୁ ଈଶ୍ୱରଙ୍କର ଅମୃତ ଭାବି ବଡ଼ ଖୁସିରେ ସେ ଆହରଣ କରି ଆସୁଥିଲା ସିନା !

 

କାମଦେବ ସୁବୋଧ ଚକ୍ଷୁର ଅନ୍ତରାଳରେ ତା’ ବାଧ୍ୟ ବାଧକତାକୁ ଏଡ଼ାଇ ଫେରି ଆସିବା ମୁହୂର୍ତ୍ତରେ କାମିନୀର ଅଧରକୁ ଟେକି ଦେଇ କହିଥିଲା, ତୁମେ କେବଳ ନିଲୁ ବୋଉ ନୁହଁ କାମିନୀ, ତୁମେ ମହାମାନବୀ । ଦୟାଶୀଳ ମମତା ଦାୟିନୀର ସ୍ୱଚ୍ଛ ପ୍ରତିମୂର୍ତ୍ତି । ତୁମ ଭଳି ନାରୀ ଯାହା କରରେ ମଣ୍ତିତ ହେଉଛି, ସେ କେଡ଼େ ଖୁସି ନୁହେଁ କହିଲ ?

 

କାମିନୀ କାମଦେବର ପାଟିରେ ହାତ ଚପେଇ ଦେଇ କହିଥିଲା ଆହା, କେଡ଼େ ବଡ଼ କଥା ଏ ଛୋଟ ମଣିଷକୁ କହି ପକେଇଲ କହନି । ତମେ ମହାମାନବ, ଦେବତା । ପଥର ଠାକୁରଙ୍କୁ ପୂଜା କରି ମୁଁ ଯେତେ ତୃପ୍ତି ନ ହେଉଛି, ସ୍ୱପ୍ନେ, ଜାଗରଣେ ତୁମକୁ ପୂଜା କରି, ଭକ୍ତି କରି ମୁଁ ସେତେ ସନ୍ତୁଷ୍ଟ ହେଉଛି । ତୁମ ଲାଗି ସିନା ମୋ ଦୁନିଆ । ମୁଁ ବଞ୍ଚିଛି । ଅଭିମାନ କଲେ କରିବି ତୁମରି ଉପରେ । ନିଜ ଉପରେ ନୁହେଁ । ନିଲୁକୁ ବଡ଼ତି କରିବ କେବଳ ଜନନୀ ହୋଇଛି ବୋଲି । ସେଥିରେ ମୋ ଶଙ୍ଖା, ସିନ୍ଦୂରର ମୂଲ୍ୟ କଣ ବଢ଼ିବ ନାହିଁ ? କିନ୍ତୁ ସନ୍ତାନର ମାୟା ନେଇ ନାରୀ ଜନନୀର ସମ୍ମାନ ଉପଭୋଗ କରିପାରେ, ହେଲେ ଜାୟାର ଗୌରବ ନୁହେଁ ।

 

କାମିନୀ କହୁଛି ଯେତେ ଦୂରକୁ ଠେଲିଦେଲେ ବି ମୁଁ ତମର ସ୍ମୃତି ନେଇ ତମରି ଆଗରେ ଅଇସୁଲକ୍ଷଣୀ ହୋଇ ଆଖି ବୁଜିବି । ମୋର ଆଉ କିଛି ଦରକାର ନାହିଁ । ଏ ସଂସାର, ଏ ଭେଳିକି ତୁମେ ମୁଣ୍ତେଇ ଜଣେ ଦରଜୀ କବି ରୂପେ ସଂସାରରେ ଅମର ରହିଯାଅ । ମୋ ମୃତ୍ୟୁରେ ଯେଉଁ ସମାଧି ତିଆରି ହେବ ତାର ଯଦି ତୁମ ଛାୟା ପ୍ରଭାବରେ ସ୍ୱପ୍ନ ସୃଷ୍ଟି କରିବାର ପ୍ରବୃତ୍ତି ଜନ୍ନିବ, ତେବେ ସେ କହିଚ, କାମିନୀ ମରି ନାହିଁ ନିଲୁ ବାପା । ଶୂନ୍ୟ ରାସ୍ତା କଡ଼ରେ ତୁମରି ଆଗମନୀକୁ ପ୍ରତୀକ୍ଷା କରି ସେ ଚାହିଁଛି । ଦେଖ ହାତରେ କେଡ଼େ ସୁନ୍ଦର ଅଭିନନ୍ଦନର ମାଲ୍ୟ । କବି କିନା, ଭୋଗ ବିଳାସ ସଂସାରରୁ ବିଦାୟ ନେଇ ମୁକ୍ତି ପ୍ରଦେଶକୁ ବିଶ୍ରାମ ନେବାକୁ ଆସୁଛନ୍ତି । ତେଣୁ ପାଛୋଟି ନେବାକୁ ପଡ଼ିବ । ଭକ୍ତି ସହକାରେ ।

 

ବିଦାୟ ଅଶ୍ରୁ ନୟନରେ ସଞ୍ଚିତ ଅଭିମାନକୁ ମନ ମଧ୍ୟରୁ ନିଗାରି ଅନର୍ଗଳ ଗପି ଚାଲିଗଲା କାମିନୀ । ସାହିତ୍ୟର ସଂଳାପ ଏଡ଼େ ସୁଶ୍ରାବ୍ୟ ଲାଗିଲା ଯେ କାମଦେବର କବିପ୍ରାଣ ଖୁବ୍ କମ୍ ସମୟରେ ତରଳି ଉଠିଥିଲା । ସେ ପୁନଶ୍ଚ ନିଜକୁ ଗୋପନ ରଖିବାକୁ ବାଧ୍ୟ ହୋଇଥିଲା-। ନାରୀର ଅଭିମାନ ପାଖରେ ସୁଦୃଢ଼ ହୃଦୟବତ୍ତା ପ୍ରକାଶ କରିବାକୁ ଧୈର୍ଯ୍ୟର ମାପକାଠିରେ ମନକୁ ମାପି ସାରିଥିଲା ।

 

ଏଇ ନିଲୁଟା ଅବୁଝା । କିନ୍ତୁ କାମିନୀ ତ ନିଲୁ ପରି ପିଲା ନୁହେଁ । ସେ ନିଶ୍ଚୟ ଆଘାତ ପାଇଛି । ଦୁଇଦିନ ପାଇଁ ଦୂରରୁ ଆସି ଅନ୍ତତଃ ଦୁଇ ରାତି ଯାକ କର୍ତ୍ତବ୍ୟ ଦୃଷ୍ଟିରୁ ତା’ ପାଖରେ ତାଙ୍କର ଶୋଇବା ଉଚିତ ନ ଥିଲା କି ? ତେବେ ବଂଧୂତା ଦୃଷ୍ଟିରୁ ସୁବୋଧ ପାଖରେ ଗୋଟିଏ ରାତି ତାକୁ ଏକାକିନୀ ଛଟପଟ୍ କରାଇ ବିତେଇ ଦେବାର ଅଭିପ୍ରାୟ କଣ ?

 

କାମିନୀ ସେଇଲାଗି ମୁହଁ ଫୁଲାଇ ଭାବିଥିଲା ଯେ, କାମଦେବ ପୂର୍ବ ପରି ହସ ହସ ମୁଖରେ ତାକୁ ଭଳେଇ ଦେଇଯିବ । କିନ୍ତୁ ଏ କଣ ? ଓଲଟି ସେ ଅଭିମାନ ବହି ଯାଉଛନ୍ତି ?

 

ମୁହଁ ଉପରେ ବହଳେ ଶୋକ ନେସି ହୋଇ ଯାଇଛି । ଧରି ପାରିଲା ନାହିଁ କାମିନୀ । ସୁବୋଧର ଅନୁପସ୍ଥିତରେ କିଛି ସେ ଅନୁଭବ କଲା ବୋଲି ତାର ସୂକ୍ଷ୍ମ ଧାରଣା ଜନ୍ମିଥିଲା ।

 

ହେଲେ କାମଦେବର ମନରେ ମରୁ ମରୀଚିକାର ଚଳ ଚଞ୍ଚଳ ପ୍ରହସନ ଲାଗିଥିଲା । ମନ ମଧ୍ୟରେ ସେଇ ତୀବ୍ର ଅବିଶ୍ୱାସର ଛାପ ସାମ୍ପ୍ରତିକ ଦର୍ଶନକୁ କ୍ଷୁବ୍ଧ କରି ପକାଉଥିଲା ।

 

ସହରର ଗଳି ରାସ୍ତା ଏଡ଼େ କଦର୍ଯ୍ୟ, ଏଡ଼େ ବିଶ୍ୱାସହୀନ ! ଏ ପାଖରେ ମଧୁ ଝରାଇ କଣ୍ଠରୁ ଲାଳିତ୍ୟ ବାହାର କରୁଛି, ପୁଣି ସେ ପାଖରେ ଛୁରୀ ଧରି ବିଦ୍ଧ କରିବାକୁ ତିଆର । ଯେଉଁ ମନରେ ଗୀତାପାଠ କଲ ସେଇ ମନରେ ବ୍ୟଭିଚାର କରି ବସିଲେ ଭକ୍ତର ପରିଚୟ ଆଉ ରହିଲା କେଉଁଠୁ ? କାମିନୀ ବୁଝି ପାରି ନ ଥିଲା କାମଦେବ ହୃଦୟର ଅଭିପ୍ରାୟ । ସେ କେବଳ ପୂର୍ବ–ରାତିରେ ସୁବୋଧ ସହିତ ତାର ଏକତ୍ର ଶୟନକୁ ଅନ୍ୟ ଅର୍ଥରେ ମନରେ ଧରି ରଖିଥିବାର କାମଦେବ ଅନୁମାନ କରୁଥିଲା ।

 

ହେଲେ କାମଦେବ ଯେଉଁ ଖୁସି ମନରେ ସୁବୋଧ ସାଙ୍ଗରେ ଶଯ୍ୟା ଅଧିକାର କରି ବସିଥିଲା, ନିମିଷକେ ସେ ଖୁସି କେଉଁଆଡ଼େ ଉଭେଇ ଯିବ ବୋଲି ସେ ତ ମୋଟେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲା !

 

ସୁବୋଧ ବଡ଼ ହୋଇ ଯାଇଛି । ମୁରବୀ ଢଙ୍ଗରେ କଥା କହିବାର ଛାଞ୍ଚ ବାକ୍‌ଶକ୍ତି ମଧ୍ୟରେ ସଜାଇ ରଖିଛି । ତାହା ଲକ୍ଷ୍ୟ କରି କାମଦେବ, ଭାବୁଥିଲା ଅତୀତ କଥା । ସୁବୋଧ ସକାଶେ ବାସ୍ତବିକ୍ ସେ କାମିନୀକୁ ତୁଚ୍ଛ କରି ଦେଇଛି, ଖୋଲାଖୋଲି ଭାବେ ମଧ୍ୟ ତାକୁ କହି ଆସିଛି, ତମେ କାମିନୀ ସତୀ, ସାଧ୍ୱୀ । ପୁଣି ଉତ୍କୃଷ୍ଟ ଗୃହଣୀ ହୋଇପାର, ହେଲେ ସୁବୋଧ ପରି ଜଣେ ଆନନ୍ଦମନା ବନ୍ଧୁ ହୋଇ ପାରିବ ନାହିଁ ।

 

ସୁବୋଧ ମୋର କେତେ ଉଚ୍ଚରେ । ମୋ ପାଟିରେ ଆଗେ ଖୁଆଇ ନ ଦେଲେ, ସେ ଖାଏ ନାହିଁ । ମୋ ପିଠିକୁ ପିଲାଙ୍କ ଭଳି ଥାପୁଡ଼େଇ ନ ଦେଲେ ସେ ଆଗରୁ ଶୁଏ ନାହିଁ । ସେ ସବୁବେଳେ ମୋ କଥା ଭାବିଲେ, ମୁଁ ବି ତା କଥା ନ ଭାବି ସ୍ଥିର ରହି ପାରେ ନାହିଁ ।

 

ସେଦିନ ସେ ଦୁହିଁଙ୍କ ଦେହ ମନରେ କିଛି ତାରତମ୍ୟ ନ ଥିଲା କିମ୍ୱା ଏବେ ଘଟିଛି ବୋଲି ସେ ଦୁଃଖ କରୁନାହିଁ । ବରଂ ସେ ସୁବୋଧ ନିକଟରେ ବିବାହିତ ଜୀବନରେ ଭିନ୍ନ ସ୍ୱାଦର ଆଭିମୁଖ୍ୟକୁ ଅନୁଭବ କରୁଛି ।

 

ସୁବୋଧ କହିଛି ମିନାକ୍ଷୀ ଦେହରୁ ତୁ କିଛି ଦେଖିନାହୁଁ ?

 

କେମିତି ଆଉ ଦେଖିଲି । ଥରେ ଦେଖିବାର ସୁଯୋଗ ପାଇଥିଲି, ହେଲେ ତୋ ପୁଅ ଟୁକୁଟା ମଝିରେ ପଶି ଆଖିକୁ ଲକ୍ଷ୍ୟଭ୍ରଷ୍ଟ କରାଇ ଦେଲା ।

 

କାମଦେବର ମିଥ୍ୟା କଥାକୁ ସୁବୋଧ ବିଶ୍ୱାସ କରି ଯାଇଥିଲା ।

 

ଅନେକ ମିଛ କଥା । ମିଞ୍ଜି ମିଞ୍ଜି ତାରାରେ ଆଖି ସଦୃଶ୍ୟ ସେଇ ମିଛ କଥାକୁ ସହଜରେ ବିଶ୍ୱାସ କରି ଯାଉଥିଲା ସୁବୋଧ ।

 

ତୋ ପୁଅ ଟୁକୁ, ଆଜହୁଁ ଏଡ଼େ ଦୁଷ୍ଟ ହେଲାଣି । ମୁଁ ହସି ହସି ମିନାକ୍ଷୀକୁ କେତେବେଳେ ଖୁସିରେ କଣ କହି ଦେଉଥିବା ବେଳେ ଟୁକୁ ପ୍ରତିବାଦ କରି କହିଉଠେ, ତୁମେ କଣ ମୋ ବାପା ହେଇଚ, ମୋ ବୋଉ ସାଙ୍ଗରେ ହସି ହସି କଥା କହିବ ? ମୁଁ କିଛି କୁହେ ନାହିଁ । ଛୋଟ ପିଲାଟା କହିଦେଲା ବୋଲି ମନରେ କୌଣସି ଗୁରୁତ୍ୱ ଆରୋପ କରେ ନାହିଁ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ମନ ମୋର ଖଟା ହୋଇଯାଏ । ଭାବେ, ସତେ ତ, ମୁଁ ଟୁକୁ ବାପା ନୁହେଁ । ମୁଁ ନିଲୁ ବାପା, କାମିନୀର ସ୍ୱାମୀ । ବନ୍ଧୁ ହୋଇଛି ବୋଲି ସୁବୋଧର ସମ୍ପତ୍ତିକୁ କାହିଁକି ଆବୋରି ବସିଛି ।

 

ନିଲୁର ଛାଇ ଆଖିରେ ନାଚି ଉଠେ । ତେଣୁ ଟୁକୁକୁ କୋଳେଇ ନେଇ କୁହେ, ମୁଁ ତୋ ବାପା ନୁହେଁରେ ଟୁକୁ, ମୁଁ ତୋ ମାମୁଁ । ତୋତେ ପିଠିରେ ବସେଇ ଘୋଡ଼ା ଭଳି ବୁଲେଇବି । ଜଙ୍ଗଲର ହାତୀ, ବାଘ ଦେଖେଇବି । ଶୁଆ, ସାରୀ ଆଣି ଦେବି । ଯାହା ହେଉ ସେ ବୁଝି ଯାଇ ତୁନି ପଡ଼େ । ତା’ ଅଲକ୍ଷ୍ୟରେ ମିନାକ୍ଷୀ ମୋତେ ଚାହିଁ ମୁରୁକେଇ ହସି ମୁହଁ ଫେରାଇ ନିଏ ।

 

ମିନାକ୍ଷୀ ମୁଁ ଏକାଠି ରହିଲା ଦିନଠାରୁ ଭାବିଥିଲି ଯେ କିଛି ଗୋଟିଏ ରୋମାନସ୍ ଘଟିଯିବ । କିନ୍ତୁ କାହିଁ ? ଏ ପର୍ଯ୍ୟନ୍ତ ତ କିଛି ଘଟି ନାହିଁ ।

 

ହୁଏତ ତୁ ଭାବୁଥିବୁ ଯେ ମୋ କହିବା କଥା ହୃଦୟର ନୁହେଁ । ଆପଣା ଆଖିର କାଚ ସିନା, ଆପଣା ହୃଦୟରେ ଚିକ୍ ଚିକ୍ କରୁଛି, ହେଲେ ଅନ୍ୟ ଆଖିରେ ତାହା ଅବିଶ୍ୱାସର କୁହୁଡ଼ି ସୃଷ୍ଟି କରୁ ନାହିଁକି ? ତୋ କହିବାର ମର୍ମ ନିଶ୍ଚୟ ଏଇଭଳି । ଯେତେ ଏକ ବୋଲି କହିହେଲେ, ଦ୍ୱାହି ଦେଲେ ସୁଦ୍ଧା ମନ ମୋଟେ ବୁଝୁ ନ ଥିବ । ହେଲେ ପ୍ରମାଣ ଦେବାକୁ ହେଲେ ମୁଁ କି ପ୍ରମାଣ ଦେବି ତାହା ଭାବି ପାରୁନାହିଁ । ଠାକୁରଙ୍କ ଦେହ ଛୁଇଁ କହିବାକୁ ତୁ ମୋ କଥାଠାରୁ ବଡ଼ ବୋଲି ଆସି ନାହୁଁ ।

 

ତେବେ ?

 

ହଁ, ଗୋଟିଏ ସାମାନ୍ୟ କଥା କହିବାକୁ ମୁଁ ଭୁଲି ଯାଉଛି । ତୁ ସିନା କାମିନୀର କଳା ସନ୍ଦର୍ଶନ କରି ପାରିଲୁ ! ହେଲେ ମୁଁ ତାକୁ ଆଖିର ପଲକ ବାସ୍ ସେତିକି ।

 

ତାପରେ ସୁବୋଧ ଚାକିରୀ ସଂକ୍ରାନ୍ତରେ କଥାବାର୍ତ୍ତା କରିଥିଲା । କାମିନୀର ବଥ ଲାଗି ଛୁଟି ନେଇ ରହିବାକୁ ଉଚିତ ମନେ କରୁଥିଲେ ହେଁ, କାମଦେବ ଉପର ହାକିମଙ୍କର ଗ୍ରସ୍ତ କଥା ମନେ ପକାଇ ରହଣୀ ଯୋଜନାକୁ ରଦ୍ଦ କରି ଦେଇଥିଲା ।

 

ଦେହ ଲାଗି ସବୁ ନାଟ ଲାଗିଛି ସତ, ହେଲେ କର୍ତ୍ତବ୍ୟ ଯାକ ସବୁ ଘଟୁଛି ବାହାରେ । ଏଇ ଜଡ଼ ଜଗତରେ । ବାହାନାର ମନ ନେଇ କେତେ ବା ମନକୁ ଭୁଲାଇ ଦେଇ ହେବ । ସୁବୋଧ କହୁଛି ଜଙ୍ଗଲରେ କାମଟାଏ ପାଇ ତୁ ଖୁବ୍ ଆରାମରେ ଅଛୁରେ ଭାଇ । ଏଇ ଅଧ୍ୟାପକ ଚାକିରୀ, ବଡ଼ ଝିନ୍‌ଝଟିଆ ଏକା । ଗଧ ଭଳିଆ ରୁଟିନ୍ ଦେଖି ହାଉଁ ହାଉଁ ପାଟି କରି ଖାଲି ଗପି ଚାଲୁଥିବ । ଭୁଲ୍ ହେଲେ ସେଇଥିରେ, ଠିକ୍ ହେଲେ ସେଇଥିରେ, ହାପିଁ ହେଲେ ମହାଦୋଷ । ପିଲାଏ କହିବେ, ସାର୍‍ଙ୍କୁ ମୋଟେ ଲେକ୍‌ଚର ଦେଇ ଆସେ ନାହିଁ । କଥା କଥାକେ ଢୋକୁଛନ୍ତି, ସିଏ କଣ ପଢ଼େଇବେ । କଲେଜ ଚାକିରୀ ଭିତରେ ଆଜିକାଲି ଯେଉଁ ଛାତ୍ର ଅସନ୍ତୋଷ ତଥା ବିଶୃଙ୍ଖଳାର ଆନ୍ଦୋଳନମାନ ଲାଗି ରହୁଛି, ସେ ପୁଣି ମହା ଝମେଲା କଥା । ଯେଉଁ ଅଧ୍ୟାପକମାନେ ଟିକେ ଉପରକୁ ଉଠିଗଲେଣି, ଅଧ୍ୟକ୍ଷଙ୍କର ତାଙ୍କରି ଉପରେ ବେଶୀ ବେଢ଼ି ଉପରେ କୋରଡ଼ା ଲଦା ହେଉଛି । ସେମାନେ କୁଆଡ଼େ ଦାୟିତ୍ୱବାନ୍ ବୋଲି ହୁଗୁଳା ହେବାର ବାଟ ନାହିଁ ।

 

ତୋର ଜଙ୍ଗଲ ଚାକିରୀରେ କେତେବେଳେ କେମିତି କାଁ ଭାଁ ପଦସ୍ଥ କର୍ମଚାରୀ ଆସି ନଜର ପକେଇ ଯାଉଛନ୍ତି, ଉପଦେଶ ଦେଇ ଯାଉଛନ୍ତି । ସେଇ ଜଙ୍ଗଲ ଅଧିବାସୀମାନଙ୍କୁ ହାତରେ ରଖିଥିଲେ ହେଲା । ସେମାନେ ତୋରି ପ୍ରଶଂସା କରି ସାହେବଙ୍କ ଆଗରେ ତୋ ବଡ଼ତି ଗାନ କରୁଥିବେ । ସେଇଥିରେ ତୋ character role ରେ କେତେ କଣ ସୁପାରିଶ୍ ଲେଖା ହୋଇ ଚାଲିଯିବ । ଆଜି ସୁପର୍‌ଭାଇଜର ହୋଇଛୁ । କାଲି ରେଞ୍ଜ୍‌ର ହୋଇ ଆହୁରି ସମ୍ମାନାସ୍ପଦ ଆସନ ଗ୍ରହଣ କରିବୁ । କଣ ମୋ କଥା ମିଛ ?

 

ସୁବୋଧର ବିସ୍ତୁତ ବକ୍ତୃତା ଶ୍ରବଣ କରି କାମଦେବ ନ ହସି ରହି ପାରି ନ ଥିଲା । ଜଙ୍ଗଲ ଚାକିରୀ । ଜୀବନଟା ଦୁକ୍ ଦୁକ୍ ପଡ଼ୁଛି ସେଠି । ବାଘ, ଭାଲୁଙ୍କ ଜାଗାରେ ଘର । ଆଜି ସିନା ଟୁକୁ, ମିନାକ୍ଷୀ ଅଛନ୍ତି ବୋଲି ଆଦିବାସୀମାନଙ୍କୁ ବର୍ଚ୍ଛା, ଅସ୍ତ୍ରଦ୍ୱାରା କ୍ୱାଟର ପାଖରେ ଜଗାଇ ଦିଆ ହୋଇଛି, କାଲି ସେମାନେ ଫେରି ଆସିଲେ, ତା ପାଖେ ପାଖେ କେତେ ଜଗୁଆଳୀ ରହି ବୁଲିବେ ! ଜୀବନ ଅକାରଣେ ଅକାଳରେ ହିଂସ୍ରଜନ୍ତୁଙ୍କ ପାଟିରେ ଯେ ନଷ୍ଟ ହୋଇଯିବ, ତାହା କଣ ମନା କରିପାରିବେ ।

 

କାମଦେବ ସୁବୋଧକୁ ସେଦିନ ରାତିରେ ଯେତେ କଥା କହିଥିଲା, ସବୁ ମିଛ ହେଲେହେଁ ଏଇ ଚାକିରୀ ଘଟଣା ଠିକ୍ ସତ । ଜଙ୍ଗଲ ଭୟଙ୍କର । ଅବିଶ୍ୱାସୀ । ତା’ ସବୁଜିମାରେ ମୁଗ୍ଧ ହୋଇ ଆଗେଇ ଯାଉଥିବାବେଳେ କେତେବେଳେ ଯେ ପଛରୁ ବାଘ ଆସି ମାଡ଼ିବସିବ ତାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ହେଲେ ଅଧ୍ୟାପକ ଚାକିରୀରେ ଜୀବନ ପ୍ରତି ଭୟ ଆସିବ କୁଆଡ଼ୁ-? ଯୌବନ ସେଠି ଚିକ୍ ଚିକ୍ କରୁଛି । ହୋଲିର ରଙ୍ଗ ବେରଙ୍ଗୀ ସ୍ପର୍ଶରେ ମନ ଉପରକୁ ଉଠୁଛି-। ପଡ଼ିବାର ମୋଟେ ଆଶଙ୍କା ନାହିଁ ।

 

କାଚ କାଞ୍ଚନର ଭେଳିକିରେ ଜୀବନ ଭୁଲୁଛି ଯେଉଁଠି ସେଇଠି ଆନନ୍ଦ ଆରାମ । ପୁଣି ଯୌବନର ସରଗରମରେ ମିଥୁନକାମି ମନ ଉତ୍ତାପର ଆସରରେ ଅତ୍ୟଧିକ ବଂଧନର ସେତୁ ଖୋଜୁଛି । ଆଲୁରା କଳାସୂତାରେ ସଦାବେଳେ ବାନ୍ଧି ହୋଇ ଯାଆନ୍ତା କି, ଆଉ କେବେ ଫିଟି ପାରନ୍ତା ନାହିଁ ।

 

ସୁବୋଧ କହିଲା, ହଇରେ ଚାକିରୀ କଥାରୁ ପୁଣି ଏଇ ଯୌବନ ଆଡ଼କୁ ଫେରି ଆସିଲୁଣି, ନୁହେଁ ? କାଲି ଯେତେବେଳେ ଏତେ କଷ୍ଟ କଲୁ, ଯେତେବେଳେ ମାନୀ ଦେବୀଙ୍କୁ ପୁରସ୍କାର ମାଗିଲୁ ନାହିଁ ? କରପତ୍ର ଯୋଡ଼ି ସିନା କହିଥାନ୍ତୁ, ହେ ଆତ୍ମନ,ଫେଡ଼ି ଯନ୍ତ୍ରଣାର ମନ, ଥରେ ମୋତେ ଚାଖିବାକୁ ଦିଅ, ତୁମ ଯନ୍ତ୍ର ଆସ୍ୱାଦନ । ବହୁଦୂର ପଥ ଭ୍ରମି ଆସିଅଛି ଆକୁଳ ପରାଣେ । ଦେହ ଫେଇ ଆହରଣ କରିବାକୁ ସେଇତକ ଦୁର୍ଲଭ ଜିନିଷ !

 

ହାୟେ, ହାୟେ, ତୋବା ତୋବା । କ୍ୟା କମାଲ୍ କିୟା ତୁମ୍ । କଥା କହୁ କହୁ ଉଷ୍ଣତା ନିକିଲଗୟା । ଆଚ୍ଛା, ଜରା ସମ୍ଭାଲକେ ରହୋ । ମୁଁ ପହଞ୍ଚି ମିନାକ୍ଷୀ ନିକଟ ତୋତେ କେଇଦିନ ପାଇଁ ନେଇଯିବି ।

 

ସୁବୋଧ ହୃଦୟରୁ ସଂଯମତାର ସ୍ଖଳନ ଘଟିବା ପରେ ପରେ କାମଦେବ ଦେହରୁ ମଧ୍ୟ ସଂଯମତାର ମୃଦୁ ଉଷ୍ଣତା ନିର୍ଗତ ହୋଇଯାଇଥିଲା ।

 

ସେ ରାତିଟା ଥିଲା ଅଟୋମେଟିକ୍‌ର ରାତି । ଚିନ୍ତା, ଆଲୋଚନା ଆଉ ଶିହରଣ ମଧ୍ୟରେ ଯାହା ଘଟିବାର ଘଟି ଯାଇଥିଲା । ଦୁହେଁ ସମାନଭାବରେ ରାତିଟିକୁ ଆନନ୍ଦରେ ବିତାଇ ଦେଇଥିଲେ ।

 

ସୁବୋଧର ଘରେ ରହିବା ଦୁଇଦିନ ମଧ୍ୟରେ କାମଦେବ ପୂର୍ବ ପ୍ରସ୍ତାବ ଅନୁସାରେ ଗୋଟିଏ ରାତି କାମିନୀ ପାଖରେ ଓ ଶେଷ ରାତି ସୁବୋଧ ପାଖରେ ଶୋଇ ଅତିବାହିତ କରିଥିଲା-। କାମିନୀ କହିଥିଲା, ତୁମେ ଏମିତି ଆସି ଏମିତି ଅଯଥାରେ ଫେରିଗଲ ସିନା, ହେଲେ ଏଇ ଅଭାଗିନୀଠାରୁ କୋଉ ସୁଖ ପାଇଲେ ନା ଆନନ୍ଦ ପାଇଲ । ବିଦେଶରେ ବହୁଦିନ ପଡ଼ି ରହିଥିଲେ, ସ୍ୱାମୀମାନେ ସ୍ତ୍ରୀମାନଙ୍କ ନିକଟ ଛୁଟିରେ ଫେରିଆସି ଯେତେ ଖୁସି ଆନନ୍ଦ କରି ଯାଆନ୍ତି, ସେତକ କଣ ତୁମ ଭାଗ୍ୟରେ ଘଟିଲା ? ଏଇ ହତଭାଗୀ ହେଲେ ତମ ପାଦ ତଳେ ଆଖି ବୁଜନ୍ତା କି, ତୁମେ ଆଉ ଗୋଟିଏ ବିବାହ କରି ଦେହ ସୁଖ ଲାଭ କରନ୍ତ । କୋଉ ସହଜରେ ମରି ପାରୁଛ ମୁଁ । ଯମ ପାଞ୍ଜି ପରା ମୋ ପାଇଁ କେଉଁଠି ହଜି ଯାଇଛି ।

 

କାମଦେବ କାମିନୀ ପାଟିରେ ହାତଦେଇ କହିଥିଲା, ଏମିତି କୁହ ନାହିଁ କାମିନୀ । ତୁମ ମୋର ସର୍ବସ୍ୱ । ବିଷ୍ଣୁ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କୁ ଲାଭ କଲା ପରି ମୁଁ ମନ ମନ୍ଥରରୁ ସେମିତି ତୁମକୁ ପାଇଛି । ତୁମ ଯନ୍ତ୍ରଣା କଣ ମୋର ନୁହେଁ ? ତୁମ ଦେହ କଣ ମୋର ନୁହେଁ ! ଅର୍ଦ୍ଧାଙ୍ଗର ସୀମା ନିର୍ଦ୍ଧାରଣ କଲାବେଳେ ପରା ସୃଷ୍ଟିକର୍ତ୍ତା ବ୍ରହ୍ମା ଦେହ ମନ ମଧ୍ୟରେ ନକ୍‌ସା ପକାଇ ଏଇ ଦର୍ଶନ ନିକ୍ଷେପ କରି ଯାଇଛନ୍ତି । ସ୍ୱାମୀବିନା ସ୍ତ୍ରୀ ଦେହରେ ସରଜମିନ୍‌ର ଯାଞ୍ଚ ଆଉ କିଏ କରି ପାରିବ ? ବନ୍ଧୁ ହେଲେ ବି ତାହା କରିବାକୁ ଅକ୍ଷମ । ସୁବୋଧ ପାଖରୁ ସବୁ ପରୀକ୍ଷା ହୋଇ ଯାଇଛି । ସ୍ୱାମୀ, ତା’ ସ୍ତ୍ରୀ ପାଖରେ ଯେତେ ସବଳ, ପରପୁରୁଷ ସେତେ ନୁହେଁ । ବନ୍ଧୁ ହେଲେ ବି ସେ ସେଇଆ । ବନ୍ଧୁପତ୍ନୀ ନିକଟରେ ତାର ଦୁର୍ବଳତା ବେଶୀ ପ୍ରକଟିତ ହୋଇଥାଏ । ଅବଶ୍ୟ କାମିନୀ ପଚାରିଥିଲା, ମିନାକ୍ଷୀ ପାଖରେ ତୁମେ କେମିତି ଚଳୁଚ ? ସେ ତମ ଖାଇବା, ପିଇବା, ଦେହ ମୁଣ୍ତ କଥା ସବୁ ଭଲ ଭାବରେ ବୁଝୁଛି ତ ।

 

କାମଦେବ ହିଁ ଭରିଥିଲା । ଆଉ ତତ୍‌କ୍ଷାଣାତ୍ କାମିନୀର ମନ ଅନୁଧ୍ୟାନ କରି ଭାବିଥିଲା, କାମିନୀ ମିନାକ୍ଷୀ ଭଳି କାମଦାବାନଳରେ ଦଗ୍‌ଧୀଭୂତା ନୁହେଁ । ସେ କେବଳ ସ୍ୱାମୀର ପୂଜାରିଣୀ ରୂପେ ବଞ୍ଚିବାକୁ ଚାହେଁ । ଜୀବନ ଧାରଣର ମାନ ନିର୍ଣ୍ଣୟ କରିବାକୁ ଇଚ୍ଛା କରେ ।

 

ବିଦାୟବେଳେ ଅଭିମାନର ବିମୂର୍ତ୍ତ ବଦନ ନେଇ ସେ ଯେଉଁଭଳି ଫେରି ଆସିଲା, ସେ ମନୋଭାବ ଅଦ୍ୟାପି ମଧ୍ୟ ତା’ ନିକଟରେ ଗୋପନୀୟ ହୋଇ ରହଛି । କାମିନୀ ଓ ସୁବୋଧ ବୁଝିଥିଲେ ଯେ ସହବାସ ମଜ୍ଜାରୁ ବଞ୍ଚିତ ହୋଇ ସେ ଅଭିମାନ ବହି ଏଠାରେ ରହିଲା ନାହିଁ । ହେଲେ ସେ ସବୁ ଜାଣି ପାରିଲା । ଅବିଶ୍ୱାସର ଅନ୍ଧକାର ତା ଆଖିରୁ ପରତ କାଢ଼ି ଦେଇ ଆଲୋକରେ ସମସ୍ତ ସନ୍ଧାନକୁ ଉଦ୍ଭାସିତ କରାଇ ଦେଲା । ନିଲୁର କଅଁଳ ଗାଲର ଚୁମା ଆଙ୍କି ପିତୃତ୍ୱର ସ୍ପନ୍ଦନ ନେଇ ବନ୍ଧୁତାର ଗଳି ରାସ୍ତାରୁ ଜୀବନର ଲକ୍ଷ୍ୟ ଚଉଡ଼ା ରାସ୍ତାରେ ଚାଲିବାକୁ ଶିଖୁଥିଲା ସେ ।

 

ପାଟି କରୁ ନାହିଁ, ହସୁ ନାହିଁ । ଯାହା ପାଇଲେ ଖାଇ ଦେଇ କାମକୁ ଚାଲି ଯାଉଛି । ଟୁକୁ ପଛରୁ ମାମୁଁ ମାମୁଁ ଡାକ ଛାଡ଼ିଲେ ନ ଶୁଭିଲା ପରି କାମ କରି ଅନ୍ଧାରିଆ ଜଙ୍ଗଲ ଭିତରକୁ ପଶିଯାଉଛି ସେ ।

 

ମିନାକ୍ଷୀ ତ୍ରସ୍ତା ।

 

ଅରଣ୍ୟର ଅନ୍ଧକାର ମଧ୍ୟରେ ଏ ଖୁସିକୁ ଅବରୋଧ କଲା କିଏ ?

 

ସେ ପ୍ରଶ୍ନବାଚିନୀ ।

 

ମନକୁ ମନ ଡରି ଡରି ପ୍ରଶ୍ନ କରି ଯାଉଥିଲେ ହେ କିଛି ଉତ୍ତର ନ ପାଇ ଅଡୁଆରେ ପଡ଼ିଯାଉଛି । କଣ କହିବ ଭାବି କିଛି କହି ପାରୁ ନାହିଁ ।

 

।। ୧୦ ।।

 

ଆଜିକାଲି ଆପଣ ଭାରି ବଦଳି ଯାଇଛନ୍ତି । ଯାହା କହିଲେ ସବୁଥିରେ ହଁ ମାରୁଛନ୍ତି । ଭୁଲ, ଠିକ୍ ବାଛୁ ନାହାନ୍ତି କିମ୍ୱା ହସି ହସି କଥା କହୁ ନାହାନ୍ତି । କଣ ଯେ ଆପଣଙ୍କର ଘଟିଛି........

 

ସାହାସ ବାନ୍ଧି ମିନାକ୍ଷୀ ଏତିକି କହି ଦେଇ ଭାବିଥିଲା ଯେ, କାମଦେବ ଆଉଜି ପଡ଼ିବ ତା’ ଆଡ଼କୁ । ତାକୁ ପୂର୍ବ ପରି କୋଳେଇ ନେଇ ମନରେ ବହି ଥିବା ଅଭିମାନକୁ ପ୍ରକାଶ କରିଦେବ-। ହେଲେ ସେ ଏତେ ଶୀଘ୍ର ଦୁର୍ବଳତାକୁ ବରଣ କରି ଆଣି ପାରିଲା ନାହିଁ । ସେ କହିଲା, ମୁଁ ଠିକ୍ ଅଛି ମିନାକ୍ଷୀ । ହସିବାର ବେଳ ପଡ଼ିଲେ ହସିବ । ତୁମେ ଏତେ ବ୍ୟସ୍ତ ହୋଇ ପଡ଼ୁଛ କାହିଁକି ?

 

ମିନାକ୍ଷୀର ମନରେ କିନ୍ତୁ ଅନେକ ସନ୍ଦେହର ପ୍ରଶ୍ନ ଉଙ୍କି ମାରୁଥିଲା । ସୁବୋଧ ଓ କାମିନୀର ସଂସ୍ପର୍ଶରେ ଦୁଇଦିନ ଖଣ୍ତେ ରହିବା ସମୟରେ କିଛି ଅପ୍ରୀତିକର ଘଟଣା ଘଟିଛି ବୋଲି ମିନାକ୍ଷୀ ମନେ ମନେ ସମ୍ପୂର୍ଣ୍ଣ ଧାରଣା କରି ନେଲା । ସେ କାମଦେବଠାରୁ କଥା ନେବା ଛଳରେ ଅନେକ ଅସଂଯତ ଭାବରେ ନିଜକୁ ତା ଆଡ଼କୁ ପ୍ରଦର୍ଶିତ କରି ରଖୁଥିଲା । କାଳେ ସେ ଆକୃଷ୍ଟ ହୋଇଗଲେ ମିନାକ୍ଷୀ ତା’ ମନୋଭାବ ଜାଣି ପାରିବ । ହେଲେ ସବୁ ବୃଥା ହୋଇଗଲା । କାମଦେବ ଓଲଟି ମନକୁ ତାର ବହୁତ ସଂଯତ କରି ରଖିଲା । ସେ ଆଉ ଉଚ୍ଛୃଙ୍ଖଳ ହେବ କାହିଁକି-? କେଉଁ ମନର ସରାଗ ପାଇଁ ? ସୁବୋଧ ତାକୁ ଧୋକ୍‌କା ଦେଇଛି । ତା’ ବନ୍ଧୁତା ଉପରେ ଅପମାନର କାଳିମା ଲେପନ କରିଛି । ଏଇଥିପାଇଁ ସେ କଣ ପତ୍ନୀ ଅଦଳ ବଦଳ କରୁଥିଲା ?

 

କାମଦେବ ଆଖିକୁ ରାତିରେ ଭଲ ନିଦ ଆସୁନାହିଁ । କୋଳିଖିଆ ଅତୀତଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧୁତାର ସମସ୍ତ ଘଟଣାବଳୀ ସ୍ମୃତିପଟରେ ଉଙ୍କି ମାରି ତାକୁ ଶିଥିଳ କରି ଦେଉଛି । ମନେ ହେଉଛି ଯେମିତି ପୃଥିବୀର କୌଣସି ବନ୍ଧୁତା ଆଦର୍ଶବାଦୀ କିମ୍ୱା ମହନୀୟ ନୁହେଁ । ହଁ, ସେ ମାନୁଛି ଯେ ନିଜେ ସ୍ୱାର୍ଥପର, ଲାଳସାଗ୍ରସ୍ତ ହୋଇ ମିନାକ୍ଷୀଠାରୁ ସେ ନାରୀର ଶୃଙ୍ଗାର ଶୈଳୀ ଉପଲବ୍‍ଧି କରିଛି । ଆଉ କୃତ ପାପକୁ ଗୋପନ ରଖି ସୁବୋଧ ନିକଟରେ ନିଜକୁ ସେ ଏକ ଚରିତ୍ରବାନ୍ ଯୁବକ ରୂପେ ଉପସ୍ଥାପିତ କରିଛି । ଅନେକ ବର୍ଣ୍ଣ ଦେଇ ମିନାକ୍ଷୀ ଓ ତାର ସାକ୍ଷାତକୁ ମଧ୍ୟ ତା ପାଖରେ ବୁଦ୍ଧିମାନ୍ ବ୍ୟକ୍ତି ଭଳି ବର୍ଣ୍ଣନା କରିଛି । କିନ୍ତୁ ସେ ଯେବେ ଜାଣିଥାନ୍ତା ଯେ ସୁବୋଧ ବନ୍ଧୁ ଭାବରେ ଆଦର୍ଶ, ତ୍ୟାଗର ମହିମା ବ୍ୟକ୍ତ କରିବାକୁ ଯାଇଁ ପତ୍ନୀ ବଦଳ କରି ନାହିଁ, ତେବେ ସେ ନିଶ୍ଚୟ ଜଣେ ସାଧାରଣ ବନ୍ଧୁ ରୂପେ ତା’ଠାରେ ଚିରଦିନ ଧରାଦେଇ ଆସିଥାନ୍ତା । ସେ ଜୀବନର ଲମ୍ୱା ରାସ୍ତାକୁ ଫେରି ଆସି ଏମିତି ଅତି ଅସହାୟ ଭାବେ ଠକି ଯାଇ ନ ଥାନ୍ତା ।

 

ବନ୍ଧୁତାକୁ ଅତି କରିବାକୁ କିଏ ଚାହୁଁଥିଲା ?

 

ଏଇ ଆମ ହିନ୍ଦୁ ସମାଜରେ ଏଭଳି ଜଣେ ବ୍ୟକ୍ତି ନାହାନ୍ତି, ଯେ କି ଦିନକ ପାଇଁ ତା’ ପତ୍ନୀକୁ ଉପଭୋଗ କରିବାକୁ ବନ୍ଧୁ ହାତରେ ଟେକି ଦେଇଛନ୍ତି ?

 

ଏସବୁ ଭାଣ୍ତାମି ଘଟିଲା କାହା ପାଇଁ ? କେଉଁ ମନର ଅବସାଦ ମେଣ୍ଟିବା ପାଇଁ ?

 

ପୁରାଣ ଶାସ୍ତ୍ରଠାରୁ ଆରମ୍ଭ କରି ନିଜ ଆଖିଦେଖା ପ୍ରମାଣ ପର୍ଯ୍ୟନ୍ତ ସବୁ ଆଡ଼େ ଆଖି ବୁଲାଇଲେ ଦେଖିବାକୁ ମିଳେ ଯେ ନାରୀ ପାଇଁ ସୃଷ୍ଟି ଭାଙ୍ଗି ଯାଇଛି, ତାର କଟାକ୍ଷ ଚାହାଣୀ, କପଟ ଭାଷା ଆଉ ବିଷ ହସରେ ପୁରୁଷର ସମସ୍ତ ଗୌରବ ଆଉ ପ୍ରତିଷ୍ଠା ଲୋପ ପାଇ ଯାଇଛି । ମହା ଲେଲିହାନ୍ ଅଗ୍ନି ତାର ସର୍ବାଙ୍ଗସାରା ପ୍ରଜ୍ଜଳନର ଧର୍ମ ବହନ କରିଛି । ତାକୁ ନିର୍ବାପିତ କରିବାର ଶକ୍ତି କାହାର ନାହିଁ । ସେ ଜଳୁଛି । ଜଳିବ । ଅଖଣ୍ତ ମନ ରାଜ୍ୟରେ ଜଳୁଥିବା ଅବସ୍ଥାରେ ପୁରୁଷକୁ ଦହନ ନ କରି ଛାଡ଼ି ଦେବ ନାହିଁ ।

 

ନାରୀ ଅଭିନୟ କରୁଛି ।

 

କାମଦେବ ଭାବୁଛି, ମିନାକ୍ଷୀଠାରେ ବିଷ ପ୍ରୀତିର ସମ୍ଭାର କଣ ବହୁ ପୂର୍ବ ପରିକଳ୍ପିତ ନୁହେଁ ?

 

ଭାବନାରେ ଟିକେ ଅନ୍ୟମନସ୍ଥ ହୋଇଗଲା କାମଦେବ । ଖରାଦିନର ସୁଲୁସୁଲିଆ ବାଆ ଝରକା ଦେଇ ଜଙ୍ଗଲରୁ ବହି ଆସୁଛି । ଭିତର ପଟ କବାଟ ଖୋଲା ଅଛି ।

 

ମିନାକ୍ଷୀ ଦଣ୍ତାୟମାନା ।

 

ଆଖିରେ ତାର ଲୁହ । ଇଲେକ୍‌ଟ୍ରିକ୍ ଆଲୁଅରେ ଚିକ୍ ଚିକ୍ କରୁଥିଲା ସେଇ ଲୁହବୁନ୍ଦା ।

 

ତଥାପି କାମଦେବ ତରଳିଲା ନାହିଁ । ସେ ପଥର ହୋଇ ଯାଇଛି । ସୁବୋଧ ପାଖରୁ ଫେରିଲା ପରେ ସେ ଯେପରି ନିର୍ଜୀବ ପଥରଠାରୁ ଆହୁରି କଠିନ ହୋଇଯିବାକୁ ଚାହୁଁଛି । ସେ ଭଗବାନଙ୍କୁ ଡାକୁଚି, ହେ ଚକ୍ରୀ; ତୁମେ କେତେ ଚକ୍ରାନ୍ତ କରି ଏ ଦେଶରୁ ଅନ୍ୟାୟ ଅତ୍ୟାଚାର ଲୋପ କରିଛ । ଏତିକି କଣ ଏଇ ପାପୀଠାରେ ଶାସ୍ତି ଦେଇ ପାରିବ ନାହିଁ ! ତାଠାରୁ ପ୍ରହସନର ବାଗ୍ମୀତା ଟିକିକ କାଢ଼ି ନେଲେ କ୍ଷତି କଣ ହୁଅନ୍ତା ?

ନାରୀର ଆବେଦନ ପୁରୁଷ ପାଖରେ ସିନା ବ୍ୟର୍ଥ ହୁଏନା, ହେଲେ ସେ ଯେ ପଥରର ମଣିଷ । ମିନତି କରୁଛି ତାର ବାକ୍‍ଶକ୍ତି ଲୋପ ହେବା ପାଇଁ । ଖାଲି ମରିବା ପର୍ଯ୍ୟନ୍ତ ଆଖି ଦୁଇଟା ଥିଲେ, ହାତରେ କବିତା ଲେଖି, କାହାଣୀ ବା ଆତ୍ମଜୀବନୀ ଲେଖି ଶେଷ ଜୀବନରେ ସମୟକୁ ପୁଷ୍ପାଞ୍ଜଳୀ ଦେଇଯାଆନ୍ତା ।

କଥା କହିବ ନାହିଁ ପରା । ତେବେ ମିନାକ୍ଷୀ ଅଭିନୟର ଅଶ୍ରୁ ମୁଞ୍ଚନ କରୁଛି କାହିଁକି ?

ଓଃ........

ମିନାକ୍ଷୀ ତଥାପି ଠିଆ ହୋଇଛି ।

ଡାକି ପାରୁ ନାହିଁ । କଣ୍ଠ ତାର ଥରି ଉଠୁଛି । ସେ କାମଦେବର କଠିନ ବ୍ୟକ୍ତିତ୍ୱ ଆଗରେ ଜୀବନର ସଂଜ୍ଞା ହରେଇ ବସିବ ନା କଣ ?

କାମଦେବ ମିନାକ୍ଷୀର ଅଲକ୍ଷ୍ୟରେ ନିଜକୁ ଶୋଇବାର ଛଳନା ଭିତରେ ଘୋଡ଼ାଇ ରଖିଲା । ମିନାକ୍ଷୀ କାନ୍ଦୁ, ଆହ୍ୱାନ ଦେଉ । ତେବେ ବି ସେ ଉଠିବ ନାହିଁ । ନିଶ୍ଚଳ ହୋଇ ପଡ଼ି ରହିବ !

ମିନାକ୍ଷୀ ଫେରି ପାରୁ ନାହିଁ । ପ୍ରତୀକ୍ଷା କରୁଛି, କାମଦେବ କର ନେଉଟାଇଲେ ସେ ମନକୁ ଦୃଢ଼ କରି ଡାକିବ । ସେ ଆସିଲେ, ତାଙ୍କୁ ସିଧା ପଚାରିବ ଯେ ସେ କେଉଁଥିପାଇଁ ଅଭିମାନ କରିଛନ୍ତି । ମିନାକ୍ଷୀ ଆଡୁ କିଛି ଦୋଷ ହୋଇଛି କି ?

ମିନାକ୍ଷୀ ସ୍ରୋତର ଅନୁକୂଳରେ ଯାହା ବିଶ୍ଳେଷଣ କରି ଯାଉଥିଲା, କାମଦେବ ପ୍ରତିକୂଳରେ ତାର ସମୀକ୍ଷା କରିବାକୁ ବାଧ୍ୟ ହେଉଥିଲା । କାରଣ ନାରୀମାନେ ରହସ୍ୟମୟୀ । ପୁଣି ମିନାକ୍ଷୀ ପ୍ରତି ପୂର୍ବରୁ ଯେଉଁ ଧାରଣା ଥିଲା ଯେ ସେ ଗର୍ବିତା ନାରୀ, ଆସ୍ପର୍ଦ୍ଧାର ଆକାଶରେ ଉଡ଼ି ସୁବୋଧର ଡକ୍‌ଟରେଟ୍‌କୁ ସମାଜରେ ପରିପ୍ରଚାର କରି ଚାଲୁଛି, ତାହା ପ୍ରକୃତର ଠିକ୍ । ମିନାକ୍ଷୀ ପ୍ରୀତିର ଜାଲ ଫାନ୍ଦିଛି ।

 

ପ୍ରକୃତିର ବିପକ୍ଷରେ ଜାୟା ଜନନୀର କ୍ଲିଷ୍ଟ ରୂପ ନେଇ ସେ ବିହରଣ କରୁଛି । ସୁବୋଧ ସେଥିରେ ଜାଣିଶୁଣି ଇନ୍ଧନ ଯୋଗାଇଛି ମାତ୍ର ।

 

କାମଦେବ ସତ୍ୟର ଉପସଂହାରରେ ଉପନୀତ ହେଉଥିଲା । କାମିନୀ ନିଲୁ ଜନ୍ମର କେତେ ମାସ ପୂର୍ବରୁ ତାକୁ ଆକ୍ଷେପ କରି କହିଥିଲେ ଯେ ବନ୍ଧୁତା ଏକ ଔଚିତ୍ୟର ସୀମା ମଧ୍ୟରେ ରହିବା ଉଚିତ, ତାହା ଏବେ ହୃଦୟଙ୍ଗମ କଲା ସେ । ସୁବୋଧ ମନରେ ଯଦି ଏତେ କୁଅଭିଳାଷ ଥିଲା, ତେବେ ସେ ଆଦର୍ଶର ଦ୍ୱାହି ଦେଇ ଏତେ ବଡ଼ ଆୟୋଜନ କରୁଥିଲା କାହିଁକି ?

 

ତ୍ୟାଗ ପାଇଁ ।

 

ହୁଁ ।

 

ମିନାକ୍ଷୀର ଅଶ୍ରୁ ମଧ୍ୟରେ ସେଇ ତ୍ୟାଗ ପ୍ରତି ସେ ଘୃଣାର ଦୃଷ୍ଟି ନିକ୍ଷେପ କରୁଛି । ଡକ୍‌ଟରେଟ୍ ଉପାଧିକୁ ମନରେ ଖେଳାଇବା ଯାହାର ଧର୍ମ, ସେ ଜଙ୍ଗଲ ଭିତରେ ପଡ଼ି ଛଟ୍‌ପଟ୍ ହେବା କି ଦରକାର !

 

ସୁଲୁସୁଲିଆ ବାଆ ପରଶରେ ଭାବନାଗୁଡ଼ିକ ବେଶୀ ବେଶୀ ଶିହରେଇ ଉଠୁଥିଲେ ।

 

କର ନେଉଟାଇଲା କାମଦେବ ।

ମିଛରେ ଆଖି ବୁଜି କର ନେଉଟେଇବା ସମୟରେ ମିନାକ୍ଷୀ ଥର ଥର କଣ୍ଠରେ କହିଥିଲା, ଟୁକୁକୁ ଆଣି ଆପଣଙ୍କ ପାଖରେ ଶୁଆଇବି ?

 

କାମଦେବ ଅଧା ଶୁଣିଲା ଭଳି ଉତ୍ତର ଦେଇଥିଲା, କିଏ ?

 

କଣ କହିଲ ?

 

ମିନାକ୍ଷୀ ପୁଣି ଥରେ ଆବୃତ୍ତି କରିଥିଲା ।

 

ଟୁକୁ ଆପଣଙ୍କ ପାଖରେ ଶୋଇବାକୁ ଯେତେବେଳେ ପସନ୍ଦ କରି ଆସିଛି, ଆଜି ରାତିରେ ମୋ କୋଳରୁ ଉଠି ପଡ଼ିଲେ କାଳେ ଅଝଟ କରିବ, ସେଇ କଥା କହୁଥିଲି ।

 

କାମଦେବ ସଂକ୍ଷେପରେ କହିଥିଲା, ହେଉ ମୋ ପାଖରେ ଛାଡ଼ିଦେଇ ଯାଅ ।

 

ମିନାକ୍ଷୀ ଟୁକୁକୁ ଛାଡ଼ିଦେଇ ଯାଇଥିଲା । ଆଉ ଜାଣି କରି ଟୁକୁକୁ ଶୁଆଇଲାବେଳେ କାମଦେବ ଦେହରେ ହାତ ବଜେଇ ଦେଉଥିଲା । ଉଦ୍ଦେଶ୍ୟ ଯେ ସେ କାଳେ ମନକୁ ଭୁଲାଇ ଦେଇ ତାକୁ ଉପଭୋଗ କରିବା ଲକ୍ଷ୍ୟରେ ଟାଣିବ । କିନ୍ତୁ କାମଦେବ ସେମିତି ହେଲା ନାହିଁ । ସେ କାଉଁରିଆ କାଠି ଭାଙ୍ଗିବ ପଛେ ଓହରିବ ନାହିଁ । ତେଣୁ ସେ ଚୁପ୍ ରହି ଯାଆନ୍ତେ ମିନାକ୍ଷୀ ନିରାଶାରେ ଆର ଘରକୁ ଶୋଇବା ପାଇଁ ଚାଲିଗଲା ।

 

ନିଦ ଆସୁନାହିଁ ଆଖିକୁ । ମିନାକ୍ଷୀ ଆଖିରେ ଅସରନ୍ତି ସନ୍ଦେହର ଢେଉ । ପିଟି ହୋଇ ଯାଉଛି ମନରେ । ହାବୁକା ଖାଉଛି ଅନ୍ତରରେ । ଟୁକୁ କାଶି ଉଠିଲା । କାମଦେବ ତା ଜାଗ୍ରତ ହୃଦୟରେ ଟୁକୁକୁ କୋଳେଇ ମନକୁ ଭୁଲେଇ ଦେବାକୁ କହିଥିଲା, ‘ବା’ ରେ, ତୋତେ କଣ ଆଜି ନିଦ ମାଡ଼ୁ ନାହିଁ କିରେ ?

 

କାଶି କାଶି ନିଦ ଭାଙ୍ଗି ଯାଇଥିଲା ଟୁକୁର । ସେ କହିଥିଲା, ନାଇ Uncle ! ନିଦ ଠିକ୍ ହଉଛି । ତେବେ ରାତି ହେଲେ ବାଘ ଭାଲୁ କଥା ମନେ ପଡ଼ି ଯାଉଛି । ବୋଉର ଆଉ ତମର ଏଇ ବାଘ ଭାଲୁ କଥା ମନେ ପଡ଼ି ନିଦ ଆସୁନାହିଁ କି ?

 

କାମଦେବ ଚମକି ପଡ଼ିଥିଲା ।

 

ନା, ନା, ଟୁକୁ ଛୋଟ ପିଲା । ତା ଭାବନା ଉପରେ ଆକ୍ଷେପ କରି ସେ କହିବାକୁ କିଏ-?

 

କାମଦେବକୁ ନିଦ ଲାଗୁ ନାହିଁ । ସେ ଘରେ ମିନାକ୍ଷୀକୁ ମଧ୍ୟ ନିଦ ଲାଗୁ ନ ଥିବ । ଦୁହେଁ ଅନିଦ୍ରାରେ ଘାରି ହେଉଛନ୍ତି । ତେବେ ତାଙ୍କ ଅନିଦ୍ରାର ରୋଗ କଣ ବାଘ ଭାଲୁ ?

 

ମିଛ ।

 

ପିଲା ଭଣ୍ତେଇବା ମନକୁ ନେଇ ଟୁକୁର ପର୍ଯ୍ୟାୟଭୁକ୍ତ ଯେଉଁଥିପାଇଁ କରାହେଉଛି, ସେଇଥିରେ କାମଦେବ କିମ୍ୱା ମିନାକ୍ଷୀକୁ ଅନ୍ତର୍ଗତ କରାଯାଇପାରେ ନା । କାମଦେବ ବାଘ ଭାଲୁଙ୍କୁ ଡରିବ କାହିଁକି ? ବରଂ ଡରୁଛି ଏଇ ବିଶ୍ୱାସ–ହୀନ ଜାତିକୁ । ପ୍ରେମ ଯାହାଠାରେ ବିଷର ଆଧାର, ସେଇ ମଣିଷକୁ ଦୂରେଇ ଦେଇ ଇଚ୍ଛା ହେଉଛି ତାର ଜଙ୍ଗଲର ଆଦିବାସୀଙ୍କ ସହ ମିଶି ଯିବାକୁ ।

 

ଟୁକୁ କହୁଥିଲା, Uncle, ତୁମେ ମୋଟେ ବାଘ, ଭାଲୁଙ୍କୁ ଡର ନା ?

 

ନା ।

 

ବୋଉ ଡରେ । ଆଉ ତେମେ ଯୋଉ ଦି’ଦିନ କାଳ ରାଜଧାନୀକୁ ଚାଲି ଯାଇଥିଲ, ବୋଉ ପରା ସେଇ ବର୍ଚ୍ଛାବାଲା ବୁଢ଼ାକୁ ଆଣି ଦୁଆର ମୁହଁରେ ଶୁଆଉଥିଲା ।

 

ସତେ ?

 

ହଁ ।

 

ହେଉ । ତୋତେ ଯଦି ଡର ମାଡ଼ୁଛି, ତାହାହେଲେ କାଲି ସେଇ ବୁଢ଼ାକୁ କହିଦେବା ସେ ଆସି ଶୋଇବ । ଟୁକୁ ହସିଦେଇ କହିଥିଲା, Uncle, ବୋଉ ସେ ଘରେ ସବୁଦିନେ ଏକୁଟିଆ ଶୋଉଛି । ବାପା କଣ ଆଉ ଜମା ତା ପାଖରେ ଶୋଇବେ ନାହିଁ ?

 

କାମଦେବ ଟୁକୁର ତର୍କବାଦୀ ଆଳାପକୁ ଏଣୁ ତେଣୁ କହି ଭୁଲେଇ ଦେବାପାଇଁ ବସିଲାବେଳେ ସେ ମୋଟେ ସନ୍ତୁଷ୍ଟ ହେଉ ନ ଥିଲା । ସେ ବଡ଼ ମଣିଷଙ୍କ ଭଳି ସବୁ ଶୁଣିବାକୁ ଚାହେଁ । ରାତି ବେଶୀ ହୋଇ ଯାଉଛି ଶୋଇପଡ଼ ବୋଲି ପିଠିରେ ହାତ ଥାପୁଡ଼େଇଲେ ସୁଦ୍ଧା ସେ ଯାହା କରୁଛି ତାର ଉତ୍ତର ନ ଶୁଣିଲେ ଶୋଇବ ନାହିଁ ।

 

ଜିଦିଖୋର ପିଲା । ଯାହା ଜିଦି କରିଥିବ ସେଇଆ । ଟୁକୁ ଅଜବ କଥା କହୁଛି ।

 

ବାପା ବୋଉ ପାଖରେ ଶୁଏ । ସେ ଦେଖୁଛି । କେବଳ ସେତିକି ଦେଖି ନ ଥିବ । ବାପା ବୋଉ କେମିତି ସଙ୍ଗମ କ୍ରିୟାରେ ନିମଜ୍ଜିତ ରହିଥାନ୍ତି ତାହା ମଧ୍ୟ ଚେଇଁ ଚେଇଁ ସେ ଦେଖିଥିବ । ଯଦି ପାଟି ଲେଉଟାଇ ସେ ସମ୍ୱନ୍ଧରେ କିଛି ପଚାରି ବସେ......

 

ଟୁକୁ କହୁଛି Uncle, ଭାବି ଭାବି ମିଛରେ କହିଲେ କଣ ମୁଁ ସତ ବୁଝିବି । ବାପା ବୋଉ ପାଖରେ ନିତିଦିନ ଲାଗି ଶୋଇଥାଏ । କେବେ ଥରେ ଅଧେ ନ ଶୋଇଥିଲେ ମୁଁ ଭାରୀ ରାଗିଯାଏ ବାପାଙ୍କ ଉପରେ । କହେ, ବୋଉକୁ ମୋର ଡର ମାଡ଼ିବ । ତୁମେ ତାକୁ ଏକୁଟିଆ ଛାଡ଼ି ଶୋଇଲେ ମୁଁ ମୋଟେ ତୁମକୁ କଥା କହିବି ନାହିଁ ।

 

ବାପା ମୋର ପଦେ କଥାରେ ଡରିଯାଇ ସୁନା ପିଲାଙ୍କ ଭଳି ବୋଉର ଗୋଟିଏ ପାଖରେ ଶୁଅନ୍ତି । ଆଉ ମୋତେ ଜାଗା ଦେଖେଇ ଦିଅନ୍ତି ସେମାନଙ୍କ ମଝିରେ । ଏଠି ତମ ଘରକୁ ଆସିଲା ଦିନୁ ବୋଉ ସବୁବେଳେ ମୋତେ କହୁଛି ବାପା ଆଜି ଆସିବେ । ନ ହେଲେ କାଲି ନିଶ୍ଚୟ ଆସିବେ । ହେଲେ କାହାନ୍ତି ? ଚାହିଁ ଚାହିଁ ଆଖିରୁ ପାଣି ମଲାଣି । ବୋଉ ବେଳେ ବେଳେ ତକିଆ ଦିହରେ ମୁହଁ ମାଡ଼ି ଶୋଇ କାନ୍ଦୁଛି । ହେଲେ ବାପାଙ୍କର ଦେଖା ନାହିଁ ।

 

କାମଦେବ ଟୁକୁର କଥାରେ ବିଶ୍ୱାସ କରୁ ବା ନ କରୁ, ସୁବୋଧର ବ୍ୟବଧାନରେ ମିନାକ୍ଷୀ ନିଶ୍ଚୟ ଦୁଃଖ କରୁଥିବ ତାହା ସେ ଅନୁଭବ କରି ବସୁଥିଲା । କାରଣ ସେ ଯେତେବେଳେ ଅଭିନୟର ପୋଷାକୀ ମନ ନେଇ କାମଦେବ ପାଖରେ ଅଭିନୟ କରି ଯାଉଛି, ସେତେବେଳେ ଅବିଶ୍ୱାସ କରିବାର ଆଉ କିଛି ନ ଥିଲା ।

 

ଟୁକୁକୁ ସୁବୋଧ ଆଗମନୀର ଆଶ୍ୱାସନା ଦେଇ ନୀରବ ରୁହନ୍ତେ, ପୁଣି ସେ କହି ଉଠିଥିଲା, Uncle, ବାପା ବୋଉ ସାଙ୍ଗ ହୋଇ ଶୋଇଲା ବେଳେ ବଡ଼ ତକିଆ ମୁଣ୍ତ ତଳେ ଦେଇଥାନ୍ତି । ଆଉ ମୋ ପାଇଁ ଗୋଟାଏ ଛୋଟ ନାଲି ତକିଆ ଥାଏ ।

 

ହଉ ତୋ ପାଇଁ ମୁଁ ଗୋଟିଏ ବଡ଼ ନାଲି ତକିଆ ଆଣିବି ତୁ ତାକୁ ମୁଣ୍ତ ତଳେ ଦେଇ ଏକାଟିଆ ଶୋଇବୁ ।

 

ଆଚ୍ଛା Uncle, ବୋଉ କହୁଥିଲା ଯେ ତମର କୁଆଡ଼େ ଗୋଟିଏ ଛୋଟ ପୁଅ ହୋଇଛି ?

 

ହଁ ।

 

ତମେ ତାକୁ କୋଉଠି ରଖିଛ ?

 

ତା’ ବୋଉ ପାଖରେ । ତୁ ଯେମିତି ଏଠି ତୋ ବୋଉ ପାଖରେ ନାହୁଁ, ସେ ସେମିତି ଅଛି ।

 

ଏଠି ତ ତେମେ ଆମକୁ ଜଗିଛ । ଆମ ସାଙ୍ଗରେ ଗେଲ ହେଉଛ । ତେମେ ଘୋଡା ହୋଇ ମତେ ପିଠିରେ ବସେଇ ବୁଲଉଛ । ସେଠି ସେଇ ଛୁଆ ପୁଅକୁ କିଏ ଘୋଡା କରୁଥିବ ?

 

କାମଦେବ ଟୁକୁର ବୁଦ୍ଧିରେ ଏତେ ଆତ୍ମହରା ହୋଇପଡ଼େ ଯେ ମିଛ କହିବ କି ସତ କହିବ କିଛି ଚିନ୍ତା କରି ହଠାତ୍ ଜାଣିପାରେ ନାହିଁ । ତଥାପି ସେ ତା’ ମନ ପାଇଲା ଭଳି କଥାରେ ତାକୁ ଭୁଲାଇ ଦେଇଥିଲା ।

 

ଟୁକୁର ଇଚ୍ଛା, ନିଲୁ ଯଦି ଏଇଠି ଆସି ରୁହନ୍ତା, ତାହେଲେ ଦୁହେଁ ମଜ୍ଜା କରି ଖେଳନ୍ତେ । ବର୍ଚ୍ଛାବାଲା ବୁଢ଼ା ଆସି ବାଘ ଭାଲୁ ଗପ କହିଯାଆନ୍ତା । ପିଞ୍ଜୁରୀରେ ଟଙ୍ଗା ହୋଇଥିବା ଶୁଆ ସାରୀଙ୍କୁ ନିତି ସକାଳୁ ଉଠିଲେ ଟୁକୁ ଆଗ ଆବୋରି ବସି କୁହନ୍ତା, ଏ ଶୁଆ ସାରୀ ମୋର । Uncle ମୋରି ଲାଗି ଆଣିଥିଲେ । ଏଥିରେ ଛୁଆ ପୁଅର ମୋଟେ ଭାଗ ନାହିଁ ।

 

ଏଡ଼େ ବକଟେ ପିଲା ଟୁକୁର ଇଚ୍ଛା ଶୁଣିଲେ କାମଦେବର ଶୋକାର୍ତ୍ତ ମୁହଁରେ ହାସ୍ୟ ରେଖା ଫୁଟି ଉଠେ । ସେ ପଞ୍ଜୁରୀକୁ ଚାହିଁ ଆବଦ୍ଧ ଶୂକ ସାରୀଙ୍କୁ ଦୃଷ୍ଟି ନିକ୍ଷେପ କରେ । କଇଦୀରେ ବନ୍ଦୀ ହୋଇ ରହିବା ଭଳି ପଞ୍ଜୁରୀର ଲୁହା ବାଡ଼ ମଧ୍ୟରେ ସଦାବେଳେ ରହିଥିଲେ ହେଁ ସେ ଦୁହେଁ ସୁଖୀ । କାରଣ ସେମାନେ ବନ୍ଧନର ସମସ୍ତ ସୁଖ ବନ୍ଦୀ ହୋଇ ସୁଦ୍ଧା ଉପଭୋଗ କରୁଛନ୍ତି । ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟ ଜଣଙ୍କ ମୁହଁକୁ ଚାହିଁ ସେଇଠି ସ୍ୱର୍ଗସୁଖ ଲାଭ କରୁଛନ୍ତି । ଦୁହିଁଙ୍କୁ ଦୁହେଁ ମନ କଥା ଖୋଲି କହିବାରେ ବାଧା ନାହିଁ କିମ୍ୱା ବିଘ୍ନ ନାହିଁ । ସ୍ୱାଧୀନ ମନରେ ପରଶ ବିନିମୟ କରି ପ୍ରେମ କରୁଛନ୍ତି ଅତି ଆନନ୍ଦରେ ।

 

ଶୁଆ ସାରୀ ।

 

କଥା କହି ଶିଖେଇଲାରୁ ଏବେ କହି ଜାଣିଲେଣି । ସକାଳୁ କୁହାଟ ଦେଇ ବିଛଣାରୁ ସମସ୍ତଙ୍କୁ ଉଠେଇ ଦେଉଛନ୍ତି । ଭୋକ ଲାଗିଲେ ଖାଇବାକୁ ମାଗୁଛନ୍ତି । କିନ୍ତୁ ପ୍ରେମ କଲାବେଳେ କିଛି କାହାକୁ କହୁ ନାହାନ୍ତି । ସମସ୍ତେ ଚାହୁଁଥିବା ସମୟରେ ମଧ୍ୟ ଦୁହେଁ ପରସ୍ପରଙ୍କୁ ଥଣ୍ଟଦ୍ୱାରା ଖୁମ୍ପି ଚୁମ୍ୱନ ଆଦାନ ପ୍ରଦାନରେ ଲାଗିଛନ୍ତି । ବିଳମ୍ୱ ନାହିଁ, ଭୟ ନାହିଁ, ଲୁଚିବା ଦରକାର ନାହିଁ । ପରଶରେ ଉନ୍ନତ୍ତ ଉତ୍ତେଜିତ ହୋଇ ଉଠିଲେ ପ୍ରଣୟ ସୃଷ୍ଟି ହେଉଛି ସେମାନଙ୍କଠାରେ ।

 

କିନ୍ତୁ କାମଦେବର ସାମ୍ପ୍ରତିକ ପରିସ୍ଥିତିରେ କଣ ସେ ସୁଯୋଗ, ସୁବିଧା ଅଛି ? ସେ ସ୍ୱାଧୀନତା ଅଛି ? ସେ ବନ୍ଦୀ ।

 

ସୁବୋଧ, ମିନାକ୍ଷୀଙ୍କ କପଟ ଫାଶରେ କାମିନୀ ଓ ସେ ଦୁହେଁ ପରାଧୀନ ମନରେ ବନ୍ଦୀ ହୋଇ ପଡ଼ିଛନ୍ତି । ସେ ମିନାକ୍ଷୀର ପ୍ରଣୟ ନଦୀରେ ଅବଗାହନ କରି ଏପର୍ଯ୍ୟନ୍ତ ବି ଅତୃପ୍ତତାର ନିଶ୍ୱାସ ଛାଡ଼ୁଛି । ଝୁରି ହେଉଛି ପୂର୍ବ ପରିସ୍ଥିତିକୁ, କାମିନୀ ସହିତ ମିଥୁନ ବିଳାସରେ ଗତାନୁଗତିକ ମନ ନେଇ ବରଂ ନିମଜ୍ଜିତ ହୋଇ ରହିବା ଭଲ, ହେଲେ ଗୋପନରେ ଭୟାତୁର ମନରେ ବନ୍ଧୁ ପତ୍ନୀର ଯୌବନକୁ ସ୍ପର୍ଶ କରିବା ଆଦୌ ସୁଖକର ନୁହେଁ ।

 

ଟୁକୁ ଶୁଆ ସାରୀଙ୍କୁ ଦେଖି ଏଭଳି ଚିନ୍ତା କରୁ ନାହିଁ । କାରଣ ସେ ପିଲା । ଖେଳିବାର ଢଙ୍ଗ ତାର ଛାଡ଼ି ଯାଇ ନାହିଁ । ସେ ବଡ଼ ବଡ଼ କଥା ଭାବିବ କାହିଁକି ? ଶୁଆ ସାରୀଙ୍କୁ ଦେଖି ସେ ଆନନ୍ଦ ପାଉଥିବା ସ୍ଥଳେ କାମଦେବ ଦୁଃଖ ଅନୁଭବ କରୁଛି । ତାକୁ ଯେମିତି ପଞ୍ଜୁରୀବିଦ୍ଧ ହୋଇ ବି ସେମାନେ ଇଙ୍ଗିତରେ କହୁଛନ୍ତି, ସବୁଦିନେ ଦେଖି ଦେଖି ତଥାପି ଅବୁଝା ହେଉଛ କାମଦେବ ? ଆମେ ହସୁଛୁ, ଖେଳୁଛୁ, କାନ୍ଦୁଛୁ । କାନ୍ଦିବାରେ ବି ଆମେ ଖୁସି ଅଛୁ । କାରଣ ଆମେ ଦୁହେଁ ପରସ୍ପରର ଅବସ୍ଥା ଆଖିରେ ଦେଖୁଛୁ, ହାତରେ ଛୁଉଁଛୁ । କାନରେ ଶୁଣିବାକୁ ଅପେକ୍ଷା କରିବା ଦରକାର ପଡ଼ୁନାହିଁ । କିନ୍ତୁ ତୁମେ ଆପଣା ସ୍ତ୍ରୀକୁ ପର ପୁରୁଷ ହାତରେ ଟେକିଦେଇ ସ୍ୱାଧୀନ ମନକୁ କେମିତି ପରାହତ କରିଛ, ଦେଖିପାରୁ ନାହଁ ?

 

ସେ ପରାଧୀନ । ମିନାକ୍ଷୀ ଓ ଟୁକୁଙ୍କ ବନ୍ଧନୀ ମଧ୍ୟରେ ସେ ଚାପି ହୋଇ ଯାଉଛି । ସଙ୍କୋଚିତ ହୋଇ ସଂପ୍ରସାରଣରେ ସିଡିକୁ ହରାଇ ବସିଛି । ତେଣୁ ଆରୋହଣ କରିବା ମନ ତାର ନିମ୍ନଗାମୀ ହୋଇ ଯାଇଛି ।

 

ଟୁକୁ ଏକ ଅନ୍ତଃସଲୀଳା ଫୁଲ୍‌ଗୁ । ମିନାକ୍ଷୀର ପାର୍ଶ୍ୱସ୍ଥିତ ହେବାକୁ ତାକୁ ଟାଣି ନେଉଛି କାହିଁକି !

 

ଟୁକୁ କାମଦେବର ହାତଧରି ନେଇ ଯାଉଛି ମିନାକ୍ଷୀ ନିକଟ । ଅନିଚ୍ଛା ସତ୍ତ୍ୱେ ସେ ଯାଇଁ ଦେଖୁଛି ।

 

ଠିଆ ହୋଇ ଚାହୁଁଚ କଣ ଯେ । ବୋଉ ତକିଆରେ ମୁହଁ ମାଡ଼ି କାନ୍ଦୁଛି ପରା ! ତୁମକୁ କଣ ଦେଖା ଯାଉନାହିଁ ? ଓ, ବୁଝିଲି, ତୁମେ ବି ବାପାଙ୍କ ପରି ବୋଉ ଉପରେ ମୋର ଅଭିମାନ କରିଛ ! ବୋଉ କହୁଥିଲା, Uncle କୁଆଡ଼େ ବାପାଙ୍କଠଉଁ ଭାରୀ ଭଲ । ଏଇଥିରୁ ସବୁ ଜଣା ପଡ଼ୁ ନାହିଁ କି ?

 

ଟୁକୁ !

 

ଏକ ଆହତ ପକ୍ଷିଣୀର ରାବ ପରି କଣ୍ଠସ୍ୱରରେ ଚିତ୍କାର କରିଥିଲା ମିନାକ୍ଷୀ । ମୁହଁ ଟେକିବାର ସାହସ ତାର ନାହିଁ । ସେ ଚରିତ୍ରହୀନା, କଳଙ୍କିନୀ । ସ୍ୱାମୀ ପାଖରୁ ଦୂରେଇ ଯାଇ ଦେହକୁ ପାପ ପଥରେ ନଷ୍ଟ କରି ଦେବାକୁ ସେ କଣ କାମଦେବର ପଥଛାୟାରେ ଆଶ୍ରୟ ନେଇଥିଲା ?

 

ମିନାକ୍ଷୀର ମନ ସନ୍ଦେହର ଛୁରୀରେ କାଟି ହୋଇ ଯାଉଛି । କାମଦେବ ପ୍ରତି ସେ ଅବିଶ୍ୱାସ କରୁଛି । ବୋଧହୁଏ ତା’ ଚରିତ୍ର ସମ୍ୱନ୍ଧରେ ସୁବୋଧ ଘରେ ସରଗରମ ଆଲୋଚନା ହୋଇ କିଛି ବିପରୀତ ପରିଣାମ ଘଟିଛି । ନ ହେଲେ ସେ କଥା କହୁ ନାହାନ୍ତି କାହିଁକି ? ଫାଙ୍କ୍ ରହୁଛନ୍ତି କେଉଁଥିପାଇଁ ?

 

ମିନାକ୍ଷୀ ଜୀବନର ସର୍ବନାଶ ଘଟିବାକୁ ଯାଉଛି । କାମିନୀ ତା ପରି ସୁବୋଧ ବାବୁଙ୍କୁ ସହଜରେ ଦେହ ଦାନ କରି ନଥିବ । ସୁବୋଧ ମଧ୍ୟ ନିଜକୁ ସ୍ଖଳନ ଦିଗରେ ଆଗେଇ ନେଇ ନ ଥିବାର ଦୃଢ଼ ବିଶ୍ୱାସ ମିନାକ୍ଷୀ ମନରେ ଉପୁଜୁଛି । ହେଲେ ସେ କଣ କଲା ?

 

ତା ଦେହରେ ଘଟିଯାଇଥିବା ପାପର ସଂସ୍କରଣ ଯଦି ଅପବାଦର ଭାଷାରେ ବହି ହୋଇ ସମାଜରେ ପ୍ରଚାରିତ ହୁଏ, ତେବେ ସେ ମୁହଁ ଦେଖାଇ ବାହାରେ ଚାଲି ପାରିବ କେମିତି ? କାମଦେବ ପୁରୁଷ । ସେ ବରଂ କାମିନୀର ଆଖି ଲୁହ ପାଖରେ କ୍ଷମା ପାଇଯିବ । ହେଲେ ସେ ନାରୀ । ସୁବୋଧ ତାକୁ ସେଇ ଦୃଷ୍ଟିରୁ କ୍ଷମା ଦେଇ କୋଳେଇ ନେବ ବୋଲି କେଉଁ ବିଶ୍ୱାସ ଅଛି ? ସେମିତି କଇଁ କଇଁ କରି କାନ୍ଦୁଛି ମିନାକ୍ଷୀ । ତା ଆଖି ଲୁହରେ ଯଦି ସନ୍ଦେହର ମଇଳା ଅନ୍ତରରୁ ସଫା ହୋଇ ଯାଆନ୍ତା....

 

ଟୁକୁ ବ୍ୟସ୍ତ କରି ପକାଇଲାଣି । Uncle, କିଛି କହୁ ନାହାନ୍ତି କାହଁକି ?

 

ବୋଉ ଉପରେ ରାଗିଛ Uncle ?

 

କାମଦେବ ମୁକ ଭଳି ଆଉ ଥୟ ରହି ପାରିଲା ନାହିଁ । ପାଦଠାରୁ କଣ୍ଠ ପର୍ଯ୍ୟନ୍ତ କଥା କହିବାର ସ୍ପନ୍ଦନ ତା’ ଦେହକୁ ଥରେଇ ଦେଇ ସାରିଲାଣି । ଖାଲି ପାଟିରୁ ଫିଟିବାକୁ ଯାହା ବାକୀ ଅଛି । ଟୁକୁ ମଧ୍ୟ କାନ୍ଦ କାନ୍ଦ ମୁହଁରେ ବ୍ୟାକୁଳତା ପ୍ରକାଶ କଲାଣି । କିଛି ହେଲେ Uncle କହୁ । ବୋଉକୁ ତାର ଦୁଃଖ ପଡ଼ିଛି ଯେତେବେଳେ ତାଙ୍କ ବିନା ପାଖରେ ଆଉ କିଏ ଅଛି ଯେ ତାକୁ ଆଶ୍ୱାସନା ଦେବ ।

 

ଟୁକୁ ସନ୍ତାନ ବୋଲି ମାରି ଶୋକ ସହ୍ୟ କରି ପାରୁ ନାହିଁ । ସୁବୋଧ ଯଦି ପାଖରେ ଥାଆନ୍ତା, ସେ ମଧ୍ୟ ପତି ହିସାବରେ ତା ପତ୍ନୀର ଦୁର୍ଦ୍ଦଶା ପ୍ରତି ସମବେଦନା ଜ୍ଞାପନ କରି ବସନ୍ତା ।

 

ହେଲେ ସେ ?

 

ନିଲୁର ବାପା, କାମିନୀର ସ୍ୱାମୀ ବୋଲି ହୃଦୟରେ ଷ୍ଟାମ୍ପ୍ ମାରି ସାରିଛି ଯେହେତୁ, ସେ କାହିଁକି ପରକୀୟାର ଭଗ୍ନ ମାନସ ପରିଣତ ପାଇଁ ସାନ୍ତ୍ୱନାର ଅମୃତ ବାରୀ ବର୍ଷଣ କରିବ ?

 

ସେ ଥରୁଛି ।

 

କଣ୍ଠ ଥରାଇ ଭାବୁଛି ।

 

ମିନାକ୍ଷୀର ବିଲପିତ କଣ୍ଠଧ୍ୱନି ସାଙ୍ଗରେ ତାଳ ଦେଇ ତା’ ଅନୁମାନର ବ୍ୟୁତ୍ପତ୍ତି କରୁଛି ।

 

କାମିନୀକୁ ବଥର ଯନ୍ତ୍ରଣା ବ୍ୟତିବ୍ୟସ୍ତ କରି ପକାଉଥିବା ବେଳେ କେତେ ସୁବୋଧ ତା’ ଭଳି ଦର୍ଶନର ପ୍ରତିବନ୍ଧକରେ ଧକ୍‌କା ଖାଉଥିଲା ? କାମିନୀର ବଥ ଲାଗି ସେ ହସୁଥିଲା । ଯୌନଜ୍ୟୋତ୍ସାରେ ମୁଖମଣ୍ତଳକୁ ଉଦ୍ଭାସିତ କରି ସେ କାମଦେବ ପାଖରେ ରାତିରେ ଶୋଇଥିବା ବେଳେ ବାରମ୍ୱାର ସେଇ ଗୋଟିଏ କଥା ପଚାରି ହେଉଥିଲା ।

 

ସେ ତୋ ପାଖରେ ଆଶ୍ୱସ୍ତି ଅନୁଭବ କରି କଣ କହିଲା, କହ ?

 

ହସି ହସି ବେଦମ୍ ହୋଇ ଯାଉଥିଲା ସୁବୋଧ ।

 

ହୁଏତ ବର୍ତ୍ତମାନ ସେ ଯଦି ଲେଉଟିପଡ଼ି ତା’ ସ୍ତ୍ରୀର ଅବସ୍ଥା ଦେଖନ୍ତା, ତାହେଲେ ଜାଣି ପାରନ୍ତା ମିନାକ୍ଷୀ କାହିଁକି କାନ୍ଦୁଛି ଆଉ ବ୍ୟସ୍ତ ହେଉଛି ।

 

ମିନାକ୍ଷୀର ଚରିତ୍ର-ନଦୀର ବନ୍ଧ ଭାଙ୍ଗି ବାହାର ପାଣିର ଗୋଳିଆ ରଙ୍ଗ ମିଶି ତାକୁ ଯେଉଁଭଳି ଭାବେ ଦୂଷିତ ପୁତିଗନ୍ଧମୟ ଫେନରାଜି ଦ୍ୱାରା ଆକ୍ରମଣ କରିଛି, ସେଥିରୁ ସେ ଯେ ମୁକ୍ତି ପାଇବାକୁ ଛଳନାର ଅପବିଳାପ କରୁଥିବ, ତାହା ପ୍ରତ୍ୟକ୍ଷରେ ଅନୁଭବ କରିବ ସୁବୋଧ ।

 

ଟୁକୁର ବାପା ରୂପେ ତା’ ମା’ର ବିପଦକୁ ଯଥାର୍ଥରେ ଉଦ୍ଧାର କରିବ ।

 

ସେ କହିବାକୁ ହେଉଛି, କିନ୍ତୁ କହି ପାରୁ ନାହିଁ । କଣ୍ଠକୁ ଚାପି ଦେଉଛି । କିନ୍ତୁ ଟୁକୁର ସ୍ନେହ, ମମତାର ଆକର୍ଷଣ ତା ଚିନ୍ତାର ପ୍ରତାପକୁ ପର ମୁହୂର୍ତ୍ତରେ ଦୁର୍ବଳ କରି ପକାଉଥିଲା ।

 

ସେ ମଣିଷ ତ !

 

ଆଖି ଅଛି, କାନ ଅଛି ପୁଣି ପାଟି ଅଛି । ଗୋଡ଼ଦ୍ୱାରା ଚାଲିବା ତାର ଦରକାର ନାହିଁ । ହାତଦ୍ୱାରା କାମ କରିବାକୁ କେହି କହୁନାହିଁ । ଆଖିରେ ଦେଖୁଛି, କାନରେ ଶୁଣୁଛି ଯେତେବେଳେ, ପାଟିରେ ପଦେ କହିବାକୁ, ସହାନୁଭୂତି କିମ୍ୱା ସମାଲୋଚନାର ବିଜ୍ଞପ୍ତି ଦେବାକୁ ସେ ଏତେ କୁଣ୍ଠିତ ହେବ କାହିଁକି ?

 

କୁହନା Uncle ?

 

ଏଇ ଯେ ବୋଉ କାନ୍ଦି କାନ୍ଦି ଶୋଇ ପଡ଼ିଲେଣି । ସେତେବେଳକୁ କାମଦେବ ଟୁକୁକୁ କାଖକୁ ନେଇ ଆସିଥିଲା । ତାକୁ ବୁଝେଇ ଭୁଲେଇ ଦେବା ଛଡ଼ା ଅନ୍ୟ ରାହା ନାହିଁ । ଟୁକୁର ସ୍ନେହ ତାକୁ ତରଳାଇ ଦେଲା । ସେ ମଣିଷ ହୋଇ ମିନାକ୍ଷୀ ନିକଟରେ ପଥରର ପରିବର୍ତ୍ତିତ ଅବତାର ଗ୍ରହଣ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ତାର ଉଦ୍ଦମ୍ୟ ଟୁକୁର ସ୍ନେହାଭିଜାତ୍ୟ ଲାଗି ହେଉ ବା ମିନାକ୍ଷୀର ଛଳନାଭିଜାତ୍ୟ ଲାଗି ହେଉ ଅକ୍ଳେଶରେ ପଣ୍ତ ହୋଇଗଲା । ସେ କରୁଣ ମୂର୍ଚ୍ଛିତ ବୀଣାଜିଣା କଣ୍ଠରେ ଡାକିଲା, ମିନାକ୍ଷୀ ! ତଥାପି ସେ ଉଠିଲା ନାହିଁ । ବେଶୀ ବେଶୀ ଅଭିମାନ କଲା ! କାମଦେବ ଦୁଇ ଚାରି ଥର କଅଁଳେଇ ଡାକିବାରେ ମିନାକ୍ଷୀର ମାନ ଭାଙ୍ଗିଥିଲା ଓ ସେ ମୁଣ୍ତ ଟେକି କାମଦେବକୁ ଚାହିଁଥିଲା । ଟୁକୁ ମଧ୍ୟ ତା’ କାଖରୁ ଖସିଆସି ହସି ହସି ମିନାକ୍ଷୀ କୋଳକୁ ଧାଇଁ ଆସିଥିଲା ।

 

ସନ୍ଦେହ, ଅଭିମାନ ପରେ ପୁଣି ଥରେ ଦୃଷ୍ଟି ବିନିମୟ ହୋଇଗଲା କାମଦେବ ଓ ମିନାକ୍ଷୀଙ୍କ ମଧ୍ୟରେ ।

 

ମିନାକ୍ଷୀ ଟୁକୁକୁ ବାହାରକୁ ପଠେଇ ଦେବା ପରେ କାମଦେବ ପାଖରେ ନତଜାନୁ ହୋଇ କଇଁ କଇଁ କରି ପୁଣି କାନ୍ଦିବାକୁ ଆରମ୍ଭ କରିଥିଲା ।

 

କାମଦେବ କହିଥିଲା, ଏ କ’ଣ ହେଉଛି ମିନାକ୍ଷୀ; ତୁମେ କଣ ପାଗଳୀ ହୋଇଗଲ ନା କ’ଣ ?

 

ମିନାକ୍ଷୀ ପ୍ରତ୍ୟୁତ୍ତରରେ ହଁ ଭରିଥିଲା । ମିଛ ସେ କହୁ । ନ ହେଲେ ଉପାୟ ନାହିଁ । ବଣ ଜଙ୍ଗଲଘେରା ଭୟାକୁଳ ବନ୍ୟଜନ୍ତୁମାନେ କଣ ତା ଭଗ୍ନ ମନୋରାଜ୍ୟରେ ଶାନ୍ତିର ଦୁର୍ଗ ନିର୍ମାଣ କରି ପାରିବେ ? ସେ ପାଗଳୀ ହୋଇ ବଦ୍‍ନାମର ଶରୀରକୁ ତାଙ୍କରି ପାଦତଳେ ଭେଟି ଦେଲେ ସ୍ୱର୍ଗପ୍ରାପ୍ତି ହୋଇ ପାରିବ ବୋଲି ବଡ଼ ଆଶା ରୁହନ୍ତା । ସୁବୋଧ ପାଖରେ ତାର ଆଉ ମୂଲ୍ୟ କଣ-? ତା’ ଦେହରୁ କାମଦେବ ଯେଉଁ ଚରିତ୍ର ଟିକିକ ଅପହରଣ କରି ନେଇଗଲା, ତାହା କେବଳ ତା’ ନିକଟରେ କାହିଁକି, ସୁବୋଧ ସାନ୍ନିଧ୍ୟରେ ମଧ୍ୟ ଅମୂଲ୍ୟ ସମ୍ପଦ ହରାଇଲା ପରି ଲାଗୁଛି ଓ ଚିରଦିନ ଲାଗୁଥିବ । ସୁନା, ରୂପା, ହୀରା, ନୀଳା, ମୋତି ମାଣିକ୍ୟ ଯାହା କିଛି ଦୁର୍ଲଭ ସମ୍ପଦ ଦୁନିଆରେ ଅଛି, ତାହା ଯଦି କୌଣସି କାରଣବଶତଃ ହଜିଯାଏ, ତେବେ ତାକୁ ଚେଷ୍ଟା କରି ପୂରଣ କରିହେବ-। କିନ୍ତୁ ମଣିଷ ଦେହର ସାର ସମ୍ପଦ ଯେଉଁ ଚରିତ୍ର, ସିଏ ଯଦି ଥରେ ହଜିଯାଏ, ତାହେଲେ କୌଣସି ଶକ୍ତି କିମ୍ୱା ମନ ବିନିଯୋଗ କରି ତାକୁ ପୂର୍ବସ୍ଥିତିକୁ ଫେରାଇ ଅଣାଯାଇ ପାରିବ ଅଣାଯାଇ ପାରିବ ନାହିଁ ।

 

ମିନାକ୍ଷୀ ମନରେ ପ୍ରାକ୍-ମନର କାଚ ଚିକ୍ ଚିକ୍ କରୁଥିଲା । ଅନୁତାପର ବୈରାଗ୍ୟରେ ସେ ଦେଖୁଥିଲା ଯେ ସୁବୋଧର ଗୌରବକୁ ନିଜଠାରେ ମଣ୍ତନ କରି ସେ କେଡେ ସୁଖୀ ନ ଥିଲା ସତେ ! ସେ ହସୁଥିଲା, ଖେଳୁଥିଲା, ବୁଲୁଥିଲା, ଯାହା ଇଚ୍ଛା କରୁଥିଲା ତାହା ସେ କରି ପାରୁଥିଲା । ମନର ସ୍ୱାଧୀନ ଶୁକାନି ଧରି ଆଶାର ଜାହାଜକୁ ସମୟର ଦରିଆରେ ଭସାଇ ଚାଲୁଥିଲା ସେ । ସୁବୋଧ ମଧ୍ୟ ତା’ ଖୁସିରେ ଯୋଗଦାନ କରି ତା’ ବିବାହକୁ ସାଫଲ୍ୟମଣ୍ତିତ ହୋଇଛି ବୋଲି ପ୍ରଚାର କରିବାକୁ ଭୁଲୁ ନ ଥିଲା ।

 

ମିନାକ୍ଷୀକୁ ସେ ଅଧିକ ଖୁସି ପାଇଲେ କୁହେ, ତୁମେ ରୂପ କଥାର ନାୟିକା ମିନାକ୍ଷୀ । ତୁମକୁ କେବଳ ଦେଖି ଦେଖି ନୟନ ସାର୍ଥକ ହୋଇ ଯାଉଛି । ମନ ତୃପ୍ତ ହୋଇ ଯାଉଛି । ତୁମ ଶରୀରର ଚର୍ମ ତଳେ ଆଉ ଯାହା ଥାଉ ନା କାହିଁକି, ନିଶ୍ଚୟ ଚୁମ୍ୱକଠାରୁ ଏକ ବେଶୀ ଶକ୍ତିଶାଳୀ ଜିନିଷ ଅଛି, ଯାହାକି ମନର ରୁଟିନ୍‌କୁ ଚିରି ମୋତେ ସେଇ ଆଡ଼କୁ ମୁହୁମୂଁହୁ ଆକର୍ଷିତ କରି ନେଉଛି । ଇଚ୍ଛା ହୁଏ, ସେମିତି ମୋର କ୍ଳାନ୍ତି ବିନୋଦନ ପାଇଁ ମୋତେ ତୁମେ ମାଧ୍ୟାକର୍ଷଣ ଶକ୍ତି ଭଳି ଟାଣୁଥାନ୍ତ, ଅଥଚ ଛୁଉଁ ନ ଥାନ୍ତ ! ମିନାକ୍ଷୀ କହୁଛି, ଆଜି ସେ କାମଦେବ ପାଖରୁ ଅପସରି ଯିବା ପରେ ସୁବୋଧ ତାକୁ ଦେଖି କହିବ ଯେ, କେଇଟା ଦିନରେ ତୁମେ ଚୁମ୍ୱନକୁ କଳଙ୍କି ଲଗେଇ ଦେଇ ଆସିଲ ଟୁକୁ ବୋଉ ! ମୋ ମନର ଆନନ୍ଦ କଥା କଣ ଏତେ ଶୀଘ୍ର ଭୁଲିଗଲ ?

 

ବନ୍ଧୁ ହିସାବରେ ଅବଶ୍ୟ ଆଶ୍ୱାସନାର ଭରସା ରଖିଥିବ ସେ କାମଦେବ ଉପରେ । ଯୌବନର ପରିତୃପ୍ତି ପାଇଁ ସେମାନେ ପତ୍ନୀ ଅଦଳ ବଦଳ କରିଛନ୍ତି ସିନା, ହେଲେ ବନ୍ଧୁପତ୍ନୀର ଦେହକୁ କଣ କେହି ବନ୍ଧୁ ଉପଭୋଗ କରି ବସେ ?

 

କାମଦେବ ମିନାକ୍ଷୀଠାରୁ ତା’ ମନୋଭାବ ଶୁଣିବା ପରେ ସୁବୋଧର ମାନସିକ ସ୍ଥିତି ପାଇଁ ସମାଧାନର ଉତ୍ତର ଖୋଜି ବସୁଥିଲା । ସେ ଯେଉଁ କାରଣରୁ ମିନାକ୍ଷୀ ଓ ସୁବୋଧ ପ୍ରତି କ୍ଷୁବ୍‌ଧ ହୋଇଛି, ତାହା ପରେ ସେ ସେମାନଙ୍କୁ ଆକ୍ଷେପ କରି କୈଫତ୍ ମାଗିବ । କିନ୍ତୁ ବର୍ତ୍ତମାନ ନୁହେଁ ।

 

ମିନାକ୍ଷୀର କୋମଳାଙ୍ଗକୁ ନିଜ କୋଳରେ ତୋଳି ଧରି କାମଦେବ ସାମୟିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଉଠିଲା ।

 

ମିନାକ୍ଷୀଠାରେ ରସର ପ୍ରବଳ ବନ୍ୟା ଛୁଟିଛି । ଯାହାକି କାମିନୀଠାରେ ନାହିଁ । ସୁବୋଧ ସାଙ୍ଗରେ ଅତୀତରେ ନାରୀମାନଙ୍କ ଜାତି ସମ୍ୱନ୍ଧରେ ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ତାହା ଆପଣା ସ୍ତ୍ରୀମାନଙ୍କଠାରେ ମନର ହରସ୍କୋପ୍ ଦେଇ ମିଳାଇଲେ ଠିକ୍ ମିଳି ଯାଉଛି । ମିନାକ୍ଷୀ ହସ୍ତିନୀ, କିନ୍ତୁ କାମିନୀ ଚିତ୍ରିଣୀ ।

 

ମିନାକ୍ଷୀଠାରେ କାମ ଜୁଆର ପୁରୁଷର ଉନ୍ମତ୍ତ ପୂର୍ଣ୍ଣମୀର ଦେହ ଜ୍ୟୋସ୍ନାରେ ଫୁଲି ଫୁଲି ଉଠେ । ସମୟ ଜ୍ଞାନ ମାନେ ନା । ଶୋକ ଶୋଚନାର ଅବସ୍ଥାକୁ ଭଗ୍ନ କରି ସେ ଜୁଆର ପୁରୁଷଠାରୁ ବେଶୀ ଶକ୍ତିଶାଳୀ ହୋଇ ଉଠେ । ଭାଙ୍ଗି ଦିଏ ଅବରୋଧ । ସେଥି ସକାଶେ ଟୁକୁର ପ୍ରତିବନ୍ଧକୁ କାମଦେବ ମିନାକ୍ଷୀର ପ୍ରାଣ ନିର୍ଦ୍ଦେଶରେ ପୂର୍ବରୁ ଏଡ଼ାଇ ଦେଇଛି । ମିନାକ୍ଷୀ ହସୁଥିଲା-। କାମଦେବକୁ ସେ ଯେଉଁ ଭୁଲ୍ ବୁଝିଥିଲା, ତାହା ତା’ ମନରୁ ଦୂର ହୋଇଗଲା । କିନ୍ତୁ କାମଦେବ ଆଖିରୁ ସୁବୋଧ ଓ ମିନାକ୍ଷୀ ପ୍ରତି ବିଷ କାଚର ଚଷମା ଖୋଲି ହୋଇ ପାରିଲା ନାହିଁ ।

 

ସେ ତନ୍ନ ତନ୍ନ କରି ଅତି ସତର୍କତାର ସହ ଚାଲୁଥିଲା ସମୟ ରାସ୍ତାରେ ପାଦ ବଢ଼ାଇ ବଢ଼ାଇ ।

 

।। ୧୧ ।।

 

ଚମକି ପଡୁଛି ମିନାକ୍ଷୀ । ଏଡ଼େ ବକଟେ ପିଲା ଟୁକୁ ଏମିତି କଣ କହୁଛି ! ନା, ନା, ଟୁକୁ ଝରକା ଫାଙ୍କରେ ଯାହା ଦେଖିଛି, ସେ ସବୁ ଠିକ୍ ନୁହେଁ । ଚପଲ ଛନଛନିଆ ଆଖିରେ ତରାଟି ଚାହିଁ ସେ ବା ବୁଝିଲା କଣ ?

 

ମନକୁ ଆଶ୍ୱାସନା ଦେବାକୁ ଯାଇ ସେ ଭୀଷଣ ରାଗି ଉଠୁଛି ଟୁକୁ ଉପରେ । ଆଉ ଥରେ କହିଲୁ, ଦେଖିବୁ କେମିତି ବର୍ଚ୍ଛାବାଲା ବୁଢ଼ା ସାଙ୍ଗରେ ତତେ ଯଦି ଜଙ୍ଗଲ ଜିତରକୁ ପଠେଇ ନ ଦେଇଛି......

 

ମିନାକ୍ଷୀର ରାଗ ଦେଖି ଟୁକୁ ଡରି ଯାଉଛି ସିନା, ହେଲେ ସେ ବି ବେଳ ପଡ଼ିଲେ ତାକୁ କିମ୍ୱା କାମଦେବକୁ ନ କହି ଛାଡ଼ି ଦେଉନାହିଁ ।

 

ବାପା ଆସନ୍ତୁ, ମୁଁ କହିଦେବି । Uncle କେମିତି ବୋଉକୁ....

 

ଫେରେ ପାଟି ଫିଟାଇଲୁ, ଦେଖିବୁ ?

 

କାମଦେବ ଟୁକୁର ଜେରାରେ ନିଜକୁ ଭାରୀ ଅସହାୟ ମନେ କରୁଛି । ମନେ ପଡ଼ିଗଲେ ସେ ଜାଣିବାକୁ ଚାହୁଁଛି ଯେ Uncle କାହିଁକି ବୋଉ ସାଙ୍ଗରେ ଲାଗୁଥିଲା । ଉତ୍ତର ନ ପାଇଲେ ତାର ଅଝଟ ମୋଟେ ଭାଙ୍ଗିବ ନାହିଁ । ପାଞ୍ଚ ବର୍ଷର ପିଲା, ଖେଳିବା ବୁଲିବା ଭିତରେ ବି ତାର ଏତେ ଆଡ଼କୁ ନଜର !

 

ସେଥିଲାଗି କାହାକୁ ବା ସେ ଦୋଷ ଦେବ ।

 

ଇଚ୍ଛା କରି ମିନାକ୍ଷୀର କାମ ଗୋପନ ନଦୀ ତୁଠରୁ ଗୋଡ଼ ଖସେଇଛି ଯେତେବେଳେ, ସେ ତାର ପରିମାଣ ନ ଭୋଗି ଆଉ ଭୋଗିବ କିଏ ? ବୁଝାଉଛି ଟୁକୁକୁ । ଏଣୁ ତେଣୁ କହି ଭୁଲେଇବାକୁ ଚେଷ୍ଟା କରୁଛି । ହାତୀ, ଘୋଡା ଦେଖେଇ ଦେବି, ପେଁ କାଳି ବଜେଇ ଦେବି କହି ଅନେକ ପ୍ରକାରର ବୋଧ ଦେଉଛି । ତଥାପି ସେ ନ ବୁଝିଲେ କାମଦେବ କହୁଛି, ଜାଣିଲୁ ଟୁକୁ, ବୋଉ ଦିହରେ ପରା ଗୋଟାଏ କଙ୍କଡା ବିଛା ଚଢ଼ି ଯାଇଥିଲା । ମୁଁ ତାକୁ କାଢ଼ି ଦେଉଥିଲି । ନ ହେଲେ ସେ ‘ଉ‘ ଯୋଉ ମାରଣା ନା, ବୋଉକୁ ତୋର ତା’ ନାହୁଡ଼ ବଜେଇ ଖଣ୍ତିଆ ଖାବରା କରି ପକାଇ ଥାଆନ୍ତା ।

 

ଟୁକୁ ଡରିଯାଇ ମାନି ଯାଉଥିଲା ।

 

ମିନାକ୍ଷୀ କହିଲା, ପିଲାକୁ ଆପଣ ଠିକ୍ ବୁଦ୍ଧି ଘର ଦେଖାଇ ଦେଇଛନ୍ତି । ବାପ ଯେସନ, ପୁଅ ତେସନ । ଯେଉଁ କଥା ଜାଣିବାକୁ କିମ୍ୱା କରିବାକୁ ଇଚ୍ଛା କରିଥିବେ, ସେ କଥା ନ ଜାଣିଲେ ନ କଲେ ତାଙ୍କ ଆଖିକୁ ଜମା ନିଦ ଆସିବ ନାହିଁ । ବାପଠଉଁ ପୁଅ ବଡ଼ ହେଲେ ଦି’ ଚାଖଣ୍ତେ ବଳି ଯିବ ବୋଲି ଦେଖୁଛି ।

 

କାମଦେବ ମନରୁ କିନ୍ତୁ ପ୍ରମାଦ ଘୁଞ୍ଚି ନ ଥିଲା । ଟୁକୁକୁ ସେ ବିଶ୍ୱାସ ନ କରୁଥିବାର ମନୋଭାବ ବ୍ୟକ୍ତ କଲାବେଳେ, ମିନାକ୍ଷୀ କ୍ଷିପ୍ର କଣ୍ଠରେ କହି ଉଠିଥିଲା, ଆପଣ ଅଧୈର୍ଯ୍ୟରେ ଆଶଙ୍କା ପ୍ରକାଶ କରନ୍ତୁ ନାହିଁ । ମୁଁ ମା ଚଣ୍ତୀଙ୍କ ପାଖରେ ଭୋଗ ମନାସିଛି । ଟୁକୁ କେବେହେଲେ ତୁଣ୍ତରେ ଏ ପାପ କଥା ତା’ ବାପାଙ୍କୁ କହିବ ନାହିଁ ।

 

ଖୁବ୍ ଜୋର୍‌ରେ ଏକ ବିଦ୍ରୂପର ହସ ମୁହଁରେ ଖେଳାଇ କାମଦେବ ବ୍ୟଙ୍ଗପୂର୍ଣ୍ଣ ବାଣୀରେ ଧ୍ୱନି ଦେଇଥିଲା, କଣ କହିଲ ମିନାକ୍ଷୀ; ତୁମକୁ ଚଣ୍ତୀ, ବିପଦରୁ ଉଦ୍ଧାର କରିବେ ?

 

ମିନାକ୍ଷୀ ହଁ ଭରିବାକୁ ଡରି ଯାଇଁ ତ୍ରସ୍ତା ମୃଗିଣୀ ସମ ଚାହିଁ ରହିଥିଲା କାମଦେବର ମୁହଁକୁ । ସେଠୁ ଅଗ୍ନି ବାହାରୁଛି । ଜଳି ଦେବ, ଧ୍ୱଂସ କରି ଦେବ ।

 

ପୁଣି କାମଦେବ କହିଥିଲା, ହୁଁ, ବାପ କରି,ସେଇ ବାପ ଦେହରେ ଠାକୁରଙ୍କୁ ନିବେଦନ ଜଣାଉଛ, ନୁହେଁ ? ଚଣ୍ତୀ ହୁଅନ୍ତୁ ବା ଯେ କୌଣସି ଦେବା ଦେବୀ ହୁଅନ୍ତୁ, ସେମାନେ ଯେ ଏତେ ଶସ୍ତା ବୋଲି ତୁମେ ଭାବୁଛ କାହିଁକି ? ତୁମେ କଣ ଜାଣନା ଯେ ଭଗବାନ୍ କାହା ଡାକ ଶୁଣନ୍ତି ଆଉ କେଉଁଥିପାଇଁ ?

 

କିନ୍ତୁ ମିନାକ୍ଷୀ କାମଦେବର ବାକ୍‌ଶୈଳୀକୁ ଜମା ବୁଝୁ ନ ଥିଲା । ସେ କେବଳ ଅନୁଭବ କରୁଥିଲା ଯେ ସେ ଯାହା କରିଯାଉଛି ତାହାହିଁ ହେଉଛି ପାପ । କ୍ଷମା ଦେଇ ଏ ମଣିଷ ତାକୁ ପୁଣ୍ୟ କହି ନ ପାରେ । ଚୋରା ପୀରତି ଫାନ୍ଦରେ ସେ ପଡ଼ିଛି । ସୁବୋଧର ବନ୍ଧୁତା ରକ୍ଷା କରିବା ଆଳରେ ସେ ପ୍ରୀତିକୁ ଆର୍ଯ୍ୟ ପବିତ୍ର କହି ଯୁକ୍ତି କଲେ ସୁବୋଧ କଣ ସହଜରେ ସେ ଭାବକୁ ଗ୍ରହଣ କରି ନେବ ?

 

ମିନାକ୍ଷୀ ଓ କାମଦେବ ମଧ୍ୟରେ ପ୍ରତିଦିନ, ପ୍ରତି ରାତି ସେଇ ସମ୍ୱନ୍ଧରେ ଯୁକ୍ତିତର୍କ ଲାଗୁଥିଲା ।

 

ଉପରେ ପଞ୍ଜୁରୀବଦ୍ଧ ଶୁଆ ସାରୀ ଦୁହେଁ କେଁ କଟର ଶବ୍ଦ କରୁଥିଲେ ।

 

ତଳେ ଟୁକୁ ବସି ଖେଳୁଥିଲା ।

 

ମିନାକ୍ଷୀ ଟୁକୁର ଦୁଷ୍ଟାମି ଲାଗି ମଧ୍ୟ କାମଦେବକୁ ଅନ୍ତସ୍କରଣରେ କେତେକାଂଶରେ ଦୋଷାରୋପ କରୁଥିଲା । କାରଣ କାମଦେବ ତାକୁ ଗେହ୍ନା କରୁଛି, ଆଦର କରୁଛି । ତାକୁ ମାରିଲେ କିମ୍ୱା ଗାଳି ଗୁଲଜ ଜଲେ, କାମଦେବ ତାଗିଦ୍ କରି ମିନାକ୍ଷୀକୁ କହୁଛି ତୁମେ ଯାହା କର ପଛେ, ଟୁକୁ ଦେହରେ ଟିପ ଛୁଆଁଇଲେ ମୁଁ ମୋଟେ ବରଦାସ୍ତ କରି ପାରିବି ନାହିଁ । କେବେ ଦିନେ ଟୁକୁ ଉପରେ ରାଗ ବର୍ଷା ହୋଇଥିବାର କାମଦେବ ଶୁଣିଲେ ମନରେ ରୋଷ ବହି ଖା’ ପିଅ କରେ ନାହିଁ । ମିନାକ୍ଷୀ ସେଇ ଶ୍ରଦ୍ଧା ଅନୁଭବ କରି ଅତି ପ୍ରୀତ ହୋଇ ପଡ଼ୁଛି ଅନ୍ତରରେ ।

 

ପୁଣି ପ୍ରତିବାଦ ଜଣାଇବାର ଅନ୍ୟ ବାଟ ନ ଦେଖି ମୁହଁକୁ ନଦି ପକାଇ କୁହେ, ପ୍ରଥମେ ମୁଁ ତୁମକୁ ଭାରା ହୋଇଥିଲି । ଏଣିକି ଟୁକୁ ଭାରା ଲାଗିଲା ବୋଲି କଣ ଦୁନିଆରୁ ସନ୍ନ୍ୟାସ ବ୍ରତ ଗ୍ରହଣ କରିବାକୁ ଇଚ୍ଛା କଲଣି ?

 

ମିନାକ୍ଷୀ ସୁବୋଧକୁ ଡରେ ନାହିଁ । କହେ, ହଁ କହିବ ନାହିଁ କାହିଁକି କହିଲ । ବାହା ହୋଇ ସାରିଲଣି, ତମ ଦିହରୁ ଅବାଡ଼ୁଅ ଗନ୍ଧ ମରିଗଲାଣି । ସେଇଲାଗି ନାନା କଥା ଉଠେଇ କହି ଦେଇ ପାର । ହେଲେ ଟିକେ ତଳେଇ ଭାବି ଦେଖିଲ ଏ ନାରୀ ଜାତିଟା ନ ଥିଲେ, ତମ ପୁରୁଷ ଜାତିଟା ଦୁନିଆରେ ଭଲା କାହିଁକି ସୃଷ୍ଟି ହୋଇଥାନ୍ତା ! ବାଡି ବଗିଚାରେ ଅଣ୍ତିରା କଦଳୀ ଗଛଟିଏ ଦେଖି ସେଦିନ ରାଗ ତମତମ ହୋଇ କହିଲ, ଏ ଅଣକଦଳୀଆ ଗଛକୁ ମାଳୀକୁ କହି କଟେଇ ଦେବାକୁ ବୁଦ୍ଧି ଦିଶୁ ନାହିଁ । କେତେ ଏବେ ଜଣେ ଲୋକ କଲେଜରୁ ଫେରି ମୁଁ ସବୁଆଡ଼କୁ ନଜର ଦେଉଥିବି । ମୁଁ କହିଥିଲି ପୁରୁଷ କଦଳୀ ଗଛକୁ କଟେଇ ଦେବାକୁ ଯେତେ ତାଗିତ୍ କରୁଥିଲ, ଗୋଟିଏ ମାଈ କଦଳୀ ଗଛକୁ କାଟିଦେବାକୁ ତ ତୁମର ସତ ବଳୁ ନାହିଁ ।

 

କାହିଁକି ?

 

ଏତେ ଗବେଷଣା କରୁଛ । ମାତ୍ର ଏତିକି ଗବେଷଣା କରିବାକୁ ତୁମ ମୁଣ୍ତରେ ବୁଦ୍ଧି ପଶୁ ନାହିଁ ?

 

ସୁବୋଧ ନୀରବ ରହିବାରେ ହିଁ ମିନାକ୍ଷୀ ସମ୍ମୁଖରେ ହାର ମାନିବା ଭଳି ବୋଧ କରିଥିଲା ।

 

ନାରୀ ନ ଥିଲେ ପୁରୁଷର Valuation କିମ୍ୱା Calculation କିଛି ବାହାର କରିବା ସମ୍ଭବ ହୁଅନ୍ତା ନାହିଁ । ତାକୁ ଯିଏ ବୁଝିଛି, ସେ କେବେ ହେଲେ ସଂସାରରେ ଝୁଣ୍ଟି ପଡ଼େ ନାହିଁ ।

 

ପରେ କାମଦେବର ପ୍ରସ୍ତାବନା ମିନାକ୍ଷୀ ମନକୁ ଠିକ୍ ଛୁଇଁଥିଲା । କିନ୍ତୁ କାମଦେବ ଯେ ଦ୍ୱୈତ ବ୍ୟକ୍ତିତ୍ୱର ରୂପ ଧରି ମିନାକ୍ଷୀ ଓ ସୁବୋଧଙ୍କୁ ସେଇ ଦିନଠାରୁ ବୁଝିବାକୁ ଅଭିଯାନ ଆରମ୍ଭ କରି ଦେଇଛି ତାହା ସେ ଜାଣି ପାରିଲା ନାହିଁ ।

 

ପ୍ରକୃତରେ ରଙ୍ଗ ବଦଳେ । କେହି ହାତରେ ଲିଭେଇ ଅନ୍ୟ ରଙ୍ଗ ସେଠି ମାଖି ଦିଅନ୍ତି ନାହିଁ । ସେମିତି ବଦଳେ ମଣିଷର ରଙ୍ଗ ।

 

କାମଦେବ ଅବୁଝା ମନକୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲା । ସୁବୋଧ ତା ନିକଟରୁ ବନ୍ଧୁତାର ସମସ୍ତ ପାଉଣା ପରିଶୋଧ କରିନେଉ । ଦେବା ନେବା ହୋଇଥିବା ସମସ୍ତ ସାମଗ୍ରୀ ଫେରସ୍ତ ହୋଇଯାଉ । ଆପତ୍ତି ନାହିଁ । ଦୁଃଖ ମଧ୍ୟ ନାହିଁ । ପ୍ରତାରଣାକୁ ରଙ୍ଗ ଦେଇ ବନ୍ଧୁତାର ବନ୍ଧନକୁ ବାନ୍ଧି ରଖିଲେ ତାର ବା ମୂଲ୍ୟ କଣ ଅଛି ?

 

ସୁବୋଧ ତା’ଠାରୁ ଦୂରେଇ ଗଲେ କାମଦେବ ମନରେ ଯେଉଁ ସାମୟିକ ଅନୁଶୋଚନା ସୃଷ୍ଟି ହେବ, ସେ ତାକୁ ଖିଆଲର ନିଶ୍ୱାସରେ ଉଡ଼େଇ ଦେଇ କହିବ, ଜୀବନ ଯେତେବେଳେ ଏ ଦୁନିଆରେ କ୍ଷଣଭଙ୍ଗୁର, ବନ୍ଧୁତା ସେଠି ଅମରବାଦର ଜୈନ ସଂଗୀତ ଗାନ କରିବ କେଉଁ ସକାଶେ-? ଏହି ଯେ ବହୁ ଦିନର ପୁରାତନ ବନ୍ଧୁତା ଆଶାତୀତ ଭାବେ ଅନାୟାସରେ ଭଗ୍ନ ହୋଇଗଲା । କଳାର ଚିକୁରରେ ଶୁଭ୍ର ହାସ୍ୟ ତାର ମ୍ଳାନ ପଡ଼ିଗଲା । ଉତ୍ତେଜନା, ଶିହରଣ ଆଉ ଗୋପନ ଆବରଣ ସବୁ ଅଦିନ ଭୂମିକମ୍ପର ଆକ୍ରମଣରେ ନଷ୍ଟ ବିନଷ୍ଟ ହୋଇ ସମୟ ଭୂମିକାରେ ବିଲୀନ ହୋଇଗଲା । ସବୁ ଯେମିତି ସୁହାସିନୀ ପରି ଆସି ହସି ହସି ସ୍ୱାଗତ କରିଥିଲା ଦେହ, ମନକୁ; ଗଲାବେଳେ ପ୍ରହସନର ମୁହଁ ଛାଟି ଭାଙ୍ଗି ଦେଇଗଲା ସବୁ ଆର୍ଦ୍ଦୋଳି ।

 

ଯାଉ ।

 

କୌଣସି କାରଣରୁ ସୁବୋଧ ଯଦି ବନ୍ଧୁତାକୁ ଭାଙ୍ଗି ଦେଇ, ତା ସଂସାରକୁ ସ୍ୱାର୍ଥନ୍ୱେଷୀ ହୋଇ ଆବୋରି ବସେ, ତେବେ କାମଦେବ ଠିକ୍ ଜାଣିବ ଯେ ବନ୍ଧୁତା ମଧ୍ୟ ଏ ଯୁଗରେ ମଣିଷ ଦେହରେ ଏକ ବ୍ୟବସାୟଗତ ପୋଷାକ । ତାକୁ ଯେମିତି ଯିଏ ପିନ୍ଧି ଜାଣିଲା ସେ ସେମିତି ଲାଭ କ୍ଷତି ଉପଲବ୍‍ଧି କରେ ।

 

କାମଦେବ ମାନୁଛି ଯେ ସୁବୋଧ ସହିତ ତାର ବନ୍ଧୁତା ଚରମ ସୀମାରେ ଉପନୀତ ହୋଇଛି । ଯାହାକି ଅନ୍ୟ କୌଣସି ବନ୍ଧୁମାନଙ୍କଠାରେ ସମ୍ଭବପର ନୁହେଁ । ହେଲେ ପୃଥିବୀର ପ୍ରତ୍ୟେକ କୋଣରେ ବି ତ ଏଭଳି ବନ୍ଧୁ ଅଛନ୍ତି, ଯେଉଁମାନଙ୍କର ମୁହଁରୁ ମଧୁ ଝରେ, ଅଥଚ ହୃଦୟରେ ଲୁକ୍‌କାୟିତ ହୋଇ ରହିଛି ହଳାହଳ ଗରଳ । ସେମାନେ ବନ୍ଧୁ ବୋଲି ଯେତେ ପରିପ୍ରଚାର କଲେ, ପ୍ରକୃତ ବନ୍ଧୁର ଆଖ୍ୟା ପାଇ ପାରିବେ କି ? ସମସ୍ତେ ସୁଦାମା କିମ୍ୱା ଶ୍ରୀକୃଷ୍ଣ ହୋଇ ନାହାନ୍ତି କିମ୍ୱା ହେବେ ନାହିଁ । ତେବେ ସମସ୍ତଙ୍କୁ ହରି ଅର୍ଜ୍ଜୁନ ହେବାକୁ ପଡ଼ିବ । ତା ନ ହେଲେ ମଣିଷ ମଣିଷ ମଧ୍ୟରେ ସମ୍ୱନ୍ଧର ଧର୍ମ ପ୍ରତିଷ୍ଠା ହୋଇପାରିବ ନାହିଁ ।

 

କାମଦେବର ମଥା ଘୂରି ଘୂରି ଆସୁଥିଲା ।

 

ମିନାକ୍ଷୀର ଦେହ ବିଷ ରଙ୍ଗରେ ବିବର୍ଣ୍ଣ । ସେ ତାହା ଦେଖିବାକୁ ଚାହେଁ ନାହିଁ । ଭୁଲରେ ଯେତିକି ଦେଖିଥିଲା ସେତିକି । ଆଉ ଦେଖିବ ନାହିଁ । ଆଖି ବୁଜି ଦେବ । ଯେମିତି ବାଧ୍ୟ ଶିଶୁ ଅବାଧ୍ୟ ନ ହୋଇ ସବୁ ମାନିଯାଏ ।

 

କାମଦେବ ହଁ ହଁ ଠାରରେ ଜବାବ ଦେଇ ସବୁ ମାନି ଯାଉଛି, ଟୁକୁକୁ ଅତିରିକ୍ତ ଭୁଲାଇବା ପାଇଁ ଚେଷ୍ଟା କରୁଛି ।

 

ନ ହେଲେ.....

 

ନ ହେଲେ ମୁଁ ଆତ୍ମହତ୍ୟା କରିବି କାମଦେବ ବାବୁ । ମୋ ଦେହର ସୁରଭି ଆଜି ଗନ୍ଧହରା ହୋଇ ଯାଇଛି । ମୋ ମାତୃତ୍ୱ ଆଜି ପରାହତ । ସ୍ୱାମୀଯୁକ୍ତ ନାରୀର ମାତୃତ୍ୱକୁ ସିନା ସମାଜ ସମ୍ମାନ ଦିଏ, କିନ୍ତୁ ଯାହାଠାରେ ସ୍ୱାମୀ ନ ଥିବା ଅବସ୍ଥାରେ ମାତୃତ୍ୱର ଉନ୍ମେଷ ହୁଏ ?

 

ଏଁ ?

 

ଆଖି ଢିମା ଢିମା କରି ବିସ୍ମୟ ପ୍ରକାଶ କଲା କାମଦେବ ।

 

ଏ ତୁମେ କଣ କହୁଛ ମିନାକ୍ଷୀ ?

 

ମୁଁ ସତ କହୁଛି । ମୋ ଉଦର ପୃଷ୍ଠରେ ହାତ ବୁଲାଇ ଦେଖନ୍ତୁ । ସବୁ ବିଶ୍ୱାସ କରିଯିବେ-

 

କାମଦେବ ମନରେ ତଥାପି ବିଶ୍ୱାସ ଜନ୍ମୁ ନ ଥିଲା । ସେ ସୁବୋଧ ଘରୁ ଫେରିବା ଦିନଠାରୁ ତା’ ଆଖି ଦୁଇଟିରେ ଅବିଶ୍ୱାସର ବାୟୁ ପଶି ତାକୁ ଜଳକା କରି ଦେଇଛନ୍ତି । ଦେଖି ସୁଦ୍ଧା ଅନୁଭବ ନ କରିବା ପର୍ଯ୍ୟନ୍ତ ତାକୁ ବିଶ୍ୱାସ ଆସୁନାହିଁ ।

 

କିନ୍ତୁ ମିନାକ୍ଷୀ ଲଜ୍ଜାବିହୀନ ମୁହଁରେ ସବୁ କଥା ଗପି ଚାଲୁଥିଲା ।

 

ଦୁଇମାସ ହେଲା ସେ ଦେହରେ କ୍ଳାନ୍ତି, ଆଳସ୍ୟ ବୋଧ କରୁଛି । ଖାଦ୍ୟ ପଦାର୍ଥ ଅରୁଚି ଲାଗୁଛି । ବାନ୍ତି ବାନ୍ତି ମାଡୁଛି । ଏ ସବୁ କଣ ମିଛ ? ସୁବୋଧ ନାହିଁ, ଏଭଳି ପରିସ୍ଥିତିରେ ଚମକ ପଡ଼ିଲା ମିନାକ୍ଷୀ । ଖେଳ ଭାବି ପ୍ରଣୟର ସାଗରରେ ଲହଡ଼ି ଭାଙ୍ଗୁଥିଲେ ସେମାନେ । ଦୁର୍ବଳତାର ସୀମା ରେଖା ପରେ କଣ ହେବ ତାହା ଚିନ୍ତା କରାଯିବ ବୋଲି ମନ ମଧ୍ୟରେ ସାଇତି ରଖିଥିଲେ । ହେଲେ ଦଇବ ସହିଲା ନାହିଁ । ଖେଳ ହେଲା କାଳ ।

ରାତିରେ ଏକ ସ୍ୱପ୍ନ ଦେଖିଲା କାମଦେବ ।

କିଏ ? ଚିହ୍ନି ପାରୁ ନାହଁ ?

ଓଃ, କାମିନୀ ତୁମେ ।

ହଁ ମୁଁ ।

ପାପର ପ୍ରାୟଶ୍ଚିତ୍ତ କରିବାକୁ ମୁଁ ତୁମରି ପ୍ରତୀକ୍ଷାରେ ହିଁ ପଥ ଚାହିଁ ରହିଥିଲି ।

କାମିନୀ କିଛି ଉତ୍ତର ଦେଇ ପାରିଲା ନାହିଁ । ସେ ଖୁବ୍ ଜୋର୍‌ରେ ହସୁଥିଲା । ସେ ହସରୁ ସେଦିନର ମୁକ୍ତା ଝରୁ ନ ଥିଲା, ଜ୍ୟୋତ୍ସ୍ନା ବିକିରଣ ହେଉ ନଥିଲା । ସେ ହସରୁ ନିର୍ଗତ ହେଉଥିଲା ଉପହାସର ନିର୍ମମ ଆଘାତ, ବିତୃଷ୍ଣାର ଅନନ୍ତ ଗରଳ । ଯେଉଁ ଗରଳ କି ବାଧ୍ୟ ହସ୍ତରେ କାମଦେବର କଣ୍ଠକୁ ଆପ୍ୟାୟନ କରିବାକୁ ଯାଇ କହୁଛି, ଚମକି ପଡ଼ନା ପ୍ରିୟ । ବ୍ୟଭିଚାରର ବିଷକୁ ଯେହେତୁ ଦୃଢ଼ ଚିତ୍ତରେ ପାନ କରି ସାରିଚ, ଆଉ ଏଇ ସତ ବିଷକୁ ଆହରଣ କଲେ ତୁମର କଣ କ୍ଷତି ଘଟି ଯାଉଛି । ତଦ୍ଦ୍ୱାରା ତୁମକୁ ସମସ୍ତେ ସାବାସ୍ କରିବେ । ଦୁଇ ବିଷକୁ ପ୍ରତିଯୋଗିତା ଛଳରେ ଆକଣ୍ଠ ପାନ କରି ତୁମେ କେବଳ ସାଧାରଣ କାମଦେବ ହୋଇନାହଁ, ତୁମେ ହୋଇ ପାରିଛ ନୀଳକଣ୍ଠ, ଦୁର୍ଲ୍ଲଭ ମଣିଷ ।

ଆରେ ଥକ୍‌କା ହୋଇ ଚାହୁଁଛ କଣ ? ମୋର ପରୀକ୍ଷା ଚାହୁଁଥିଲ, ବନ୍ଧୁତାର ଆଦର୍ଶ ଚାହୁଁଥିଲ ସୁବୋଧଠାରୁ, ହେଲେ ନିଜେ ଯେଉଁ ପରୀକ୍ଷା ଦେଇ ବସିଲ, ସେଇଥିରେ ତ ତୁମେ ଅତିମାନବ ରୂପେ ପରିଗଣିତ ହୋଇଗଲ । ଆଉ ଦୁଃଖ କାହିଁକି ?

 

ତଥାପି କାମିନୀ ହସୁଥିଲା ।

 

ସ୍ୱପ୍ନ ଛାୟାର ସଙ୍ଗିନୀ ମୁହଁରେ ତଡ଼ିତ୍‌ର ବେଗ ଖେଳାଇ ହସର ଆଲୋକ କାମଦେବର ଦେହକୁ ଚିକ୍ ଚିକ୍ କରୁଥିଲ । ଦେଖିବାର ଉଦ୍ଦେଶ୍ୟ ଯେ ଗୋଟିଏ କଳକୁ ଅନ୍ୟ ସ୍ଥାନରେ ଫିଟ୍ କରିବାର ସାହାସ, ସ୍ୱାଧୀନତା ତାକୁ କିଏ ଦେଲା ? ବିବାହ ପରେ ଯଦି ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ସେମାନଙ୍କ ଦେହ କଳକୁ ବିପକ୍ଷ ନାରୀ ପୁରୁଷଙ୍କ ଦେହରେ ସଂଯୋଗ କରିବାରେ ଆଇନ୍‌କାନୁନ୍ ପ୍ରଣୟନ ହୋଇଥାନ୍ତା, ତେବେ ପରିଣୟର ନିର୍ଦ୍ଦେଶନାମାରେ ହିନ୍ଦୁ ଧର୍ମର ଏତେ ଦୃଢ଼ ପ୍ରଭାବ ଆଇନ୍‌ର ଊର୍ଦ୍ଧ୍ୱରେ ରହି କାମ କରୁ ନଥାନ୍ତା ।

 

କାମିନୀ ଯେମିତି କହୁଥିଲା,

 

ତୁମେ ଏ କଣ କଲ, କାମଦେବ ? ଏଇଥିପାଇଁ କଣ ମୁଁ ଦେବାଦେବୀଙ୍କୁ ଏତେ ମନାସୁଥିଲି ? ଏଇଥିପାଇଁ କଣ ତୁମକୁ ପବିତ୍ର ଠାକୁର ରୂପେ ମନ ମନ୍ଦିରରେ ନିତି ପୂଜା କରି ଅର୍ଘ୍ୟ ଅର୍ପଣ କରୁଥିଲି ?

 

ଅଇଁଠାଖାଇ, ଡାହାଣୀଟାର ଭାଗ୍ୟ ତୁମେ ଆଉ କେମିତି ବଦଳାଇ ପାରିଲ ? କେତେ ଆଶା ନ କରିଥିଲି କହନି । ତମ ନିଲ୍‌ ବଡ଼ ହୋଇଗଲେ, ତାକୁ ତମରି ତତ୍ତ୍ୱାବଧାନରେ ଛାଡ଼ିଦେଇ ମୁଁ ଜୀବନର ମୁକ୍ତି ପାଇଁ ସାଧନା କରିବି । ଲକ୍ଷ୍ୟ ମୋର ସାର୍ଥ ହେବ ନାହିଁ, ହେବ ତୁମେ । ଆର ଜନ୍ମରେ ମୁଁ ଯେପରି ତୁମରି ହାତ ଧରେ, ସେଇ ଆଶରେ ତୁମେ ବନ୍ଧୁଙ୍କ ଗୃହରେ ସତୀତ୍ୱର ପରଶମଣିରେ ଆରାଧନା କରୁଥିଲି ଜୀବନ ଦେବତାଙ୍କୁ, ମତେ ତାଙ୍କରି ପଦ ତଳେ ମୁକ୍ତି ଦିଅ ପ୍ରଭୋ ! ଏଇଆ ଥିଲା ମୋର ସ୍ୱପ୍ନ, ଜାଗରଣର ପ୍ରାର୍ଥନା ।

 

କିନ୍ତୁ ତୁମେ ଅପଦେବତା ହୋଇଗଲ । ବେଶ୍ୟାଗୃହଗାମୀ ପୁରୁଷ ଅପକ୍ଷା ଆହୁରି ନ୍ୟୁନ ହୋଇଗଲ । କୌଣସି ଉପାୟରେ ତୁମର ଏ ପାପ ପ୍ରକ୍ଷଳନ ହୋଇ ନ ପାରେ ବା କେହି ତାକୁ ଧୋଇ ଦେଇ ପାରିବେ ନାହିଁ ।

 

କାମଦେବ ପ୍ରକୃତିସ୍ଥ ହୋଇ ଉଠି ପଡ଼ିଲା ।

 

କାମିନୀ ତାକୁ ସ୍ୱପ୍ନରେ ସଚେତନ କରି ଦେବାକୁ ଆସିଛି । ଆଖିରେ ଘୃଣାର ଅଞ୍ଜନ ପିନ୍ଧି ଉପହାସ କରି ଯାଉଛି ମିନାକ୍ଷୀ ନିକଟ ଫେରି ଯିବା ପାଇଁ ।

 

କାମଦେବ ପ୍ରଳାପରେ ହାତ ଠାରି ଅଟକାଉଛି ।

 

କାମିନୀ ?

 

ଆରେ ଏଡ଼େ ବେଗରେ ଧାଇଁଗଲେ ମୁଁ ତୁମକୁ ଧରିବି କେମିତି ?

 

ଛାୟା କାମିନୀ ଅପସରି ଯାଉଥିଲା ।

 

ସ୍ୱପ୍ନ କେଉଁଆଡ଼େ ଉଭେଇ ଚାଲିଗଲା ।

 

କାମଦେବର ଅନ୍ତରରେ ସମୁଦ୍ରର ଢେଉ ମଥାପାଟି ବିଦୀର୍ଣ୍ଣ ହୋଇ ଯାଉଥିଲା । ସକାଳୁ ଉଠି ଦେଖିଲା, ମିନାକ୍ଷୀ ଖୁମାଣ ପୋତି ତା’ ଶୋଇବା ଘର ଦୁଆର ମୁହଁକୁ ଆଉଜି ବସିଛି-। ତାକୁ ଆଶ୍ୱାସନା ଦେବାକୁ ତା ପାଟିରେ ଭାଷା ଆସୁ ନାହିଁ କିମ୍ୱା ଜ୍ଞାନ ସ୍ଫୁରୁ ନାହିଁ । ତା ଆଖି ଆଗରେ ଗୋଟିଏ ମାତ୍ର ଉପାୟ ଧରା ଦେଉଛି । ହେଲେ ମିନାକ୍ଷୀ ସେଥିରେ ମୋଟେ ରାଜି ନୁହେଁ-

 

ତେଣୁ ସେ ମିନାକ୍ଷୀର ନିଷ୍ପତ୍ତି ଶୁଣି ବିଶେଷ ମର୍ମାହତ ହୋଇ ପଡ଼ିଲା ।

 

କିନ୍ତୁ ଏଣେ ସୁବୋଧ କାମିନୀର ମତିଗତିରେ ସହୃଦୟତାର ସ୍ୱାକ୍ଷର ଥିବାର ପରିଚୟ ପାଇ ଏକାନ୍ତରେ ବହୁତ ଖୁସି ହୋଇ ଉଠିଥିଲା ।

 

କାମିନୀ ଶୁଣିଲା ମିନାକ୍ଷୀ ଦେହର ଅସୁସ୍ଥତା । ସୁବୋଧ କହିଲା, କାମଦେବ ମୋତେ ବନ୍ଧୁ ହିସାବରେ ତାର ବିଶଦ୍‌ ବିବରଣୀ ଦେବା କଥା । କାଲି ଯେତେବେଳେ ତୁମ ଦେହ ଖରାପ ହୋଇଥିଲା, ସେତେବେଳେ ମୁଁ ମଧ୍ୟ କାମଦେବକୁ ଜରୁରୀ ଚାଲି ଆସିବାକୁ ଚିଠିରେ ନିର୍ଦ୍ଦେଶ ଦେଇଥିଲି ! କିନ୍ତୁ ଆଜି ବନ୍ଧୁ ହିସାବରେ କାମଦେବ ନୀରବ । ମିନାକ୍ଷୀର ଦେହ ସମ୍ୱନ୍ଧରେ ତାର ମତି ଗତି ଲେଖି ଚିଠି ଖଣ୍ତିଏ ପକାଇବାକୁ ସୁଦ୍ଧା ସେ କୁଣ୍ଠାବୋଧ କଲା ।

 

ହେଉ ।

 

ବନ୍ଧୁ ହୋଇଛୁ । ବୁଝାମଣା ମଧ୍ୟରେ ନିଜେ ନିଜେ ମନକୁ ବୁଝେଇ ନ ଦେଲେ ବନ୍ଧୁତା ଦୃଢ଼ ହୋଇ ରହିପାରିବ କେମିତି ?

 

ସୁବୋଧ କଥୋପକଥନ ଶୈଳୀରେ ଆଶ୍ୱାସନାର ବିବୃତି ଦେଇ ଚାଲିଗଲା ସିନା, ହେଲେ ସେଇ ସଂଳାପ ଗୁଡ଼ିକ ମଦନ ବାଣରେ ସତୀକୁ ଦହ୍ୟ କଲା ପରି କାମିନୀର ହୃଦୟତନ୍ତ୍ରୀର ସତୀତ୍ୱକୁ ଦହନର ଅପମାନ ଶର ନିକ୍ଷେପ କରିଦେଇ ଚାଲିଗଲା । କାମଦେବକୁ ଆଘାତ ଦେବା ଅର୍ଥ କଣ ତାକୁ ନୁହେଁ ? ସେ ପରା ତାଙ୍କ ଦେହର ପ୍ରଚ୍ଛଦପଟ । ତାଙ୍କୁ ପ୍ରତ୍ୟକ୍ଷରେ ନ ଦେଖିଲେ ହେଁ, ମନଶ୍ଚକ୍ଷୁରେ ସେ ନିଜ ଶଙ୍ଖା ସିନ୍ଦୂରକୁ ଚାହିଁଲେ ତାଙ୍କୁ ଦେଖି ପାରୁଛି । ବନ୍ଧୁ ପାଇଁ ସେ କେବେ କୌଣସି ଦିନ ହେଲେ ଊଣା ମନୋବୃତ୍ତିରେ କାମ କରିନାହାନ୍ତି । ତେବେ ଏଠି ଚିଠି ଖଣ୍ତିଏ ନ ଦେବାର କାରଣ ଅନ୍ୟ କିଛି ଥାଇପାରେ ।

 

କାମଦେବକୁ ସେ ଅନେକ ଥର କହିଛି, ତୁମେ ସମସ୍ତଙ୍କ ଆଗରେ ନିଜକୁ ପରିଷ୍କାର କରି ଦେଖାଅ ! ଦେଖିବ କେତେ ହାସଲ ଲାଗିବ ତୁମେ ମନ । ଫୁର୍ତ୍ତି ଲାଗିବ ଦେହ । ଆଉ ଚତୁଃପାର୍ଶ୍ୱର ଭାରୀ ଭାରୀ ବରଫଗଦା ଆପେ ସୂର୍ଯ୍ୟ ରଶ୍ମୀର ତେଜରେ ତରଳି ଯିବେ । ସେ ଶୁଣି ନାହାନ୍ତି । ସତରେ ହେଉ ବା ଭୁଲେଇ ଦେବାକୁ ହେଉ, ସେ କହିଛନ୍ତି, କାମିନୀ, ମନକୁ ଯେ କୌଣସି ଉପମାରେ ଶୈଳୀ ଯୁକ୍ତ କରି କହିଲେ ବା ଲେଖିଲେ, ତାହା କେବେହେଲେ ସୁସ୍ଥ ସମ୍ପୂର୍ଣ୍ଣ ହୋଇ ଆପଣା ଭିତରେ ରହିପାରେ ନାହିଁ । ତାହା ଚିର ଅଶାନ୍ତି ପୁଣି ବିଦ୍ୱେଷଯୁକ୍ତ ।

 

କାମିନୀ କାମଦେବ ଯୁକ୍ତିରେ ଅବୁଝା ହୋଇ ନାହିଁ । କବି ନା ସେ, ତେଣୁ ଅନ୍ଧ ଅନ୍ଧାରରେ ସୂର୍ଯ୍ୟଙ୍କର କିରଣ ବିଚ୍ଛୁରିତ ହୋଇ ପଡ଼ୁଛି କହିଲେ, ତାହା ସତ ମାନି ଯିବାକୁ ହେବ । ଛଳନାର ପ୍ରଥମ ଶିକାରୀ ହେଉଛନ୍ତି କବି ଓ ଲେଖକମାନେ । ମୃଗତୃଷ୍ଣା ପଛରେ ଗୋଡ଼େଇ, ସତକୁ ମିଛ, ମିଛକୁ ସତ କହି ବଞ୍ଚି ରହିବାରେ ଯେ କି ଆନନ୍ଦ ମିଳେ ତାହା ସେମାନେ ଜାଣନ୍ତି । ଆକାଶର ଅରୁନ୍ଧତୀକୁ ନ ଦେଖି ମରିବାର ଯେଉଁ ପରିକଳ୍ପନା !

 

ଓଃ......

 

ପୃଥିବୀଟା ଓଲଟି ପଡ଼ିବ । ଆକାଶର ବନ୍ୟାରେ ତାର ସତ୍ତା ନିଶ୍ଚିହ୍ନ ହୋଇଯିବ । ତେବେ ସତ ମିଛର ପରୀକ୍ଷା କରିବା କି ଲାଭ ?

 

କାମିନୀ ଚୁପ୍‌ ରହୁଥିଲା ।

 

ସୁବୋଧ କଲେଜରୁ ଫେରିଲେ ମିନାକ୍ଷୀ ସମ୍ୱନ୍ଧରେ କିଛି ଚର୍ଚ୍ଚା କରିବାକୁ ସେ ଯେମିତି ଆଉ ଭଲ ମନେ କରୁ ନ ଥିଲା ଯାହା ହେବାର ହେଉ । ସମୟକୁ ଦେହ ଭିତରେ ସେ ବିତେଇ ନେବ ।

 

।।୧୨ ।।

 

ଅନ୍ଧାରକୁ ଟେକା ଫିଙ୍ଗିଲେ ଅନ୍ଧାରର ତ କିଛି ଆଘାତ ହୁଏ ନାହିଁ, ଆଘାତ ହୁଏ ପ୍ରତିବନ୍ଧକର । ଏଇ ମଣିଷ ଗତିରୋଧ କରି ଛିଡ଼ା ହୋଇଛି । ଆଲୋକ ନ ଆସିବାରୁ ଷ୍ଟ୍ରାଇକ୍‌ କରୁଛି । ମୁକ୍ତି ଦରକାର । ପଥ ପ୍ରଦର୍ଶକ ଆଲୋକର ସନ୍ତକ ନ ଥିଲେ ମୁକ୍ତି ମିଳିବ କୁଆଡ଼େ ! ନିରୋଳାରେ ନିଛାଟିଆ ମନ ସେଇ ଅଝଟ କରୁଥିଲା ମିନାକ୍ଷୀ ସାଙ୍ଗରେ । ଚାରିଆଡ଼େ ବନ୍ଧ ପଡ଼ିଛି-। ତାକୁ ଏଡ଼ି ଯିବାକୁ ସାହସ ଆସୁ ନାହିଁ । ସୁଜାତା ଦିଦି, ବେବୀ, ସୁବୋଧର ପରିବାର ପ୍ରତ୍ୟେକ ଯେମିତି ସେଇ ଅବରୋଧର ଆର ପଟରେ ଥାଇ ଅନ୍ଧକାରର ଆଖିକୁ ମିଞ୍ଜି ମିଞ୍ଜି କରୁଛନ୍ତି । ଆଲୋକର ରଶ୍ମି ସେମାନଙ୍କୁ ଛୁଇଁଲେ ମିନାକ୍ଷୀ ଉପରେ ଅନ୍ଧକାର ପ୍ରତ୍ୟେକ୍ଷ ଆକ୍ରମଣ ଚଳାଇବ । ହୁଏତ ତା ପକ୍ଷରେ ମୃତ୍ୟୁ ଅନିବାର୍ଯ୍ୟ ।

 

କିନ୍ତୁ ସେ ତ ଏତେ ଶୀଘ୍ର ମରିବା ପାଇଁ ଆୟୋଜନ କରି ନ ଥିଲା ।

 

ଝୁଣ୍ଟି ପଡ଼ୁଛି ସେ ।

 

ଆଲୁଅର ରାଶି ଗଣିବା ସପକ୍ଷରେ ସମସ୍ତ ଆୟୋଜନ ତାର ପଣ୍ତ ହୋଇ ଯାଇଛି ।

 

ଟୁକୁ ଆସି କହୁଛି, ବୋଉ, ତୋର କଣ ହୋଇଛି, ତୁ ଖାଲି ସବୁବେଳେ ମୁହଁ ଶୁଖେଇ ବସିଛୁ । ହସ ତୋ ମୁହଁରେ ତ ଟିକେ ହେଲେ ଦେଖାଯାଉ ନାହିଁ ।

 

ମିନାକ୍ଷୀ ଟୁକୁର କଥା ଶୁଣି ଥତ୍ୟଧିକ ବ୍ୟସ୍ତ ବିବ୍ରତରେ ଭାଙ୍ଗି ପଡ଼ୁଛି । କଣ କହିବ ସେ-। କେମିତି କହିଲେ ବା ଟୁକୁର ପିଲା ବୁଝି ପାରିବ ! ସେ ହସି ହସି କହି ପାରନ୍ତା ଯେ ଟୁକୁ ସାଙ୍ଗକୁ ଆଉ ଗୋଟିଏ ଭାଇ କିମ୍ୱା ଭଉଣୀର ଶୀଘ୍ର ଆବିର୍ଭାବ ହେବ । ହେଲେ ସେ ସ୍ୱାଧିନତା ତାଠାରୁ ଦଇବ କାଢ଼ି ନେଇ ଯାଉଛି । ସେ ବର୍ତ୍ତମାନ ଭାଗ୍ୟର ଉପହସିତା ହୋଇ ବଞ୍ଚିଛି । ଆଉ ଗୋଟିଏ ସନ୍ତାନ ଯେ ତାର କୋଳ ମଣ୍ତନ କରିବାକୁ ଯାଉଛି, ତାହା ଅନୁଭବ କରି ସୁଦ୍ଧା ସେ ଖୁସି ନୁହେଁ । ଟୁକୁର ବୈଧ୍ୟତା ନିକଟରେ ସେ ସନ୍ତାନର ମୂଲ୍ୟ ଯେ କେଉଁ ତଳେ ତାହା ପରିକଳ୍ପନା କରି ସେ ମର୍ମାହତ ହୋଇ ପଡ଼ୁଛି । ସୁବୋଧ ସେଥିପ୍ରତି ଅନ୍ୟ ପ୍ରତିକାରର ବ୍ୟବସ୍ଥା କରିବାକୁ କୁଣ୍ଠିତ । କାରଣ ତା ଉପଦେଶକୁ ସେ ଯେତେବେଳେ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି, ସେତେବେଳେ ସୁବୋଧ ଆଉ ମୁଣ୍ତ ଖେଳାଇବ କାହିଁକି ?

 

ମିନାକ୍ଷୀ ଅନୁନୟ କରିଥିଲା । ହାତଯୋଡ଼ି ଏକାନ୍ତରେ କହିଥିଲା, ଅପବାଦକୁ ମୋର ଭୟ ଅଛି । ସମାଜରେ ମୁହଁ ଦେଖେଇବାକୁ ମୋର ସାହସ ନାହିଁ । ହେଲେ ମୋତେ ଯଦି ସୁବୋଧ ବାବୁ କଳଙ୍କିନୀ ବୋଲି ପ୍ରତ୍ୟାଖାନ କରନ୍ତି, ତେବେ ମୁଁ ପ୍ରଥମେ ତାଙ୍କ ନାଁରେ ଅଭିଯୋଗ ଆଣିବି ସମାଜର ଅଦାଲତରେ । ଆଉ କହିବି କେଉଁ ସୃଷ୍ଟିର ସ୍ୱାମୀମାନେ ଏତେ ଆଦର୍ଶପରାୟଣ ତଥା ହୃଦୟବାନ୍‌ ଅଛନ୍ତି ଯେଉଁମାନେ କି ଆପଣା ଇଛା ଅନୁସାରେ ସ୍ତ୍ରୀମାନଙ୍କୁ ଅଦଳ ବଦଳ କରି ପକାଉଛନ୍ତି ! ଛି, ଲାଜ ଲାଗୁ ନାହିଁ ମୁହଁକୁ ? ବନ୍ଧୁ ତାର ତ୍ୟାଗ ଦେଖେଇବା ପରେ ପୁଣି ସେଇ ବନ୍ଧୁ ତାର ପରିଣତି ପ୍ରତି ଆକ୍ଷେପ କରିବାକୁ ଧାଇଁ ଆସିଛ କେଉଁ ମନ ନେଇ ?

 

ତେବେ ମିନାକ୍ଷୀ ଭ୍ରୁଣ ହତ୍ୟା ନ କରି ଭୁଲ କରିଛି ? ପିଲା ଜନ୍ମ ହେବା ପରେ ତାର ପରିଚୟ କଣ ହେବ ? କିଏ ହେବ ତାର ବାପା ? ସୁବୋଧ ନା କାମଦେବ ?

 

କାମଦେବର ପାପ ପିତୃତ୍ୱ ପାଖରେ ସୁବୋଧ ହୃଦୟରେ ଯେଉଁ ବ୍ୟକ୍ତିତ୍ୱ ପ୍ରତିକ୍ରିୟାଶୀଳ ହୋଇ ଉଠିବ, ତାକୁ ପ୍ରତ୍ୟକ୍ଷରେ ଲପଲବ୍‌ଧି କରି ମିନାକ୍ଷୀ କିମ୍ୱା କାମିନୀ କେହି ସୁଖୀ ହୋଇପାରିବେ ନାହିଁ । ତେବେ ଇତିହାସରେ ନୂତନ ରେକର୍ଡ଼ ସୃଷ୍ଟି ହୋଇଥିବାର ବିଲୋକନ କରି ସମାଜର ଚିହ୍ନା ଜଣା ସମସ୍ତେ ପ୍ରଚାର କରି ହେବେ ଯେ ଏ ଯୁଗରେ ନାରୀମାନେ କେବଳ ବାରାଙ୍ଗନା ବୃତ୍ତି କରୁ ନାହାନ୍ତି । ପୁରୁଷମାନେ ମଧ୍ୟ ସେଥିରେ ତାଲିକାଭୁକ୍ତ ହୋଇଗଲେଣି ।

 

ସେତିକିବେଳେ କାମଦେବ ଦାନ୍ତ ନିକୁଟେଇ ହସିଲାବେଳେ ଟୁକୁ ଆସି କହୁଛି, Uncle, ବୋଉର କଣ ଏଡ଼େ ପେଟଟାଏ ବାହାରିଲାଣି ? ତା ପେଟରେ କଣ ପଇଛି କି ?

 

କାମଦେବ କଥାରେ ଟୁକୁ ବୁଝିଲା ସେଇଟା ଖେଳଣା ।

 

କିନ୍ତୁ ହାତ, ଗୋଡ଼, କାନ, ଆଖି, ପାଟି ନେଇ ସେ ଯେତେବେଳେ ବାହାରକୁ ବାହାର ପଡ଼ି କୁଆଁ କୁଆଁ ରାବ ଦେବ, ସେତେବେଳେ ମତ ପରିବର୍ତ୍ତନ କରି କାମଦେବ ଟୁକୁକୁ ବୁଝେଇ ଦେବ, ସେ ମିଛ ଖେଳଣା ନୁହଁରେ ଟୁକୁ । ସେ ଏ ସମାଜର ଏକ ଦୁର୍ଲଭ ଖେଳଣା । ଯାହାକୁ ଧରି ସମସ୍ତେ ତା’ ବିପକ୍ଷରେ ଗାଇ ପାରିବେ ଅଥଚ କେହି ତା’ ସପକ୍ଷରେ ବଜେଇ ପାରିବେ ନାହିଁ । ଅଙ୍ଗାରକୁ ହାତରେ ଧରିଲେ କଳା ଲାଗିଯିବ ସିନା, କିନ୍ତୁ ସେ ତ ଅଙ୍ଗାର ନୁହେଁ । କଳଙ୍କ ଅଥଚ ଶୁଭ୍ର, ପବିତ୍ର ପୁଣି ସାତ୍ତ୍ୱିକ ।

 

ଈଶ୍ୱର ତାକୁ ମହାନ୍‌ ଉଦ୍ଦେଶ୍ୟ ନେଇ ସଂସାରରେ ନିକ୍ଷେପ କରିଛନ୍ତି ।

 

କାମଦେବ କେତେକ ସମୟ ଏକାନ୍ତରେ ବସି ରହିବାକୁ ଭଲ ମନେ କରି ମିନାକ୍ଷୀ ପାଖରୁ ଉଠି ଚାଲି ଆସିଲା ।

 

।।୧୩ ।।

 

ସୁବୋଧ କହିଲା ବୁଝିଲ କାମିନୀ, ମୁଁ ଯେତେବେଳେ ମିନାକ୍ଷୀକୁ କାମଦେବ ସାଙ୍ଗରେ ବଦଳ କରି ତୁମକୁ ତା ପରିବର୍ତ୍ତେ ଏ ଘରକୁ ଆଣିଲି, ସେତେବେଳେ ଅପାର ଆନନ୍ଦ ଖେଳି ବୁଲୁଥିଲା ମନରେ । ଭାବିଥିଲି ପରିବର୍ତ୍ତିତ ସ୍ଥିତି ଉପରେ ଦଣ୍ତାୟମାନ ହୋଇ ମୁଁ ଯାଉଁ ସ୍ୱାଦ ଆହରଣ କରିବି, ସେଥିରେ ମୋର ଜୀବନ ଯୌବନ ଧନ୍ୟ ହୋଇ ଉଠିବ ! ମୁଁ ଆଉ ସ୍ୱର୍ଗର ନନ୍ଦନ କାନନକୁ ଝୁରି ହେବି ନାହିଁ । କିନ୍ତୁ ଆଜି ସେ ଧାରଣ ମୋର ବିଭ୍ରାନ୍ତ ହୋଇ ଯାଇଛି । ମୋ ଆଶା ଉପବନର ମ୍ଳାନ ମଧୁଚମ୍ପାକୁ ନେଇ ମୁଁ କେମିତି ବା ସୁଖୀ ହୋଇ ପାରିବି । ଟୁକୁ ବାପାର ଗୌରବ ଅପେକ୍ଷା ମିନାକ୍ଷୀର ସ୍ୱାମୀ ପଦବାଚ୍ୟର ସମ୍ମାନ କଣ ମୋ ପକ୍ଷରେ ବଡ଼ ନୁହେଁ ?

କାମିନୀ କହିଲା, ଆପଣଙ୍କ ମୁଣ୍ତ ଖରାପ ହୋଇଛି । ଡାକ୍ତରଙ୍କ ନିର୍ଦ୍ଦେଶ ଯେ ଆପଣ ବହୁ ସମୟ ବିଶ୍ରାମ ନିଅନ୍ତୁ । ବେଶୀ ଗପନ୍ତୁ ନାହିଁ । କାମିନୀର କଥାକୁ ବିରକ୍ତିକରି ମନ ନେଇ ସୁବୋଧ ଗର୍ଜି ଉଠି କହିଲା, No, No, Kamini, you all have made me fool for months to–gether. Life is not a farce, it is genuine creation of human dignity. ସେମିତି ପିଲାଙ୍କ ଭଳି ମୋତେ ଆଉ ବୋଧ ଦିଅନା କାମିନୀ । ତମେ ସମସ୍ତେ ମିଳି ମୋତେ ମାସ ମାସ ଧରି ବୋକା କରି ଆସିଲ । ଆଉ ତାହା କଦାପି ମୁଁ ବରଦାସ୍ତ କରି ପାରିବି ନାହିଁ । ଜୀବନ କେବଳ ଫାର୍ଶ ନୁହେଁ । ତାହା ମାନବିକ ଗୌରବ ଦୃଷ୍ଟିରୁ ଏକ ଉର୍ଜ୍ୱସଳ ସୃଷ୍ଟି ! ସେଥିପାଇଁ ମୁଁ ଆଉ ପାଗଳର ପ୍ରବଞ୍ଚନାରେ ଅଭିନୟ କରି ପାରିବି ନାହିଁ । କାମଦେବ ମିନାକ୍ଷୀ ଯେଉଁ ଅଭିନୟ କରିଗଲେ, ସେଇ ଅଭିନୟ ମୁଁ ତୁମ ସଂସ୍ପର୍ଶରେ ଥାଇ କରିବି-

ଏଁ ଚମକି ପଡ଼ୁଚ ?

ଆସିଲ ତୁମ ଛାତି ଦୁକୁ ଦୁକୁକୁ ମୁଁ ଟିକେ ପରୀକ୍ଷା କରେ । କାମିନୀ କିଭ କାମୁଡ଼ି ଦେଇ ଭୟରେ ଥରିବାକୁ ଲାଗିଲା । ଏତେଦିନ ପରେ ସୁବୋଧ ବାବୁ ‘‘ଯେ କଣ ଗପି ଯାଉଛନ୍ତି, ସେଥିରେ ସେ ବିସ୍ମିତ ହୋଇ ପଡ଼ିଲା ।

ଛାତି ଦୁକୁ ଦୁକୁ ଦେଖିବେ ? କାହିଁକି ?

ଅଭିନୟ କରିବାକୁ କହୁଛନ୍ତି । ହଁ ନ ଭରିଲେ ସେ ଛାଡ଼ିବେ ନାହିଁ । ଯେ ଜିଦି କରି ଏଣୁ ତେଣୁ ଗପିବେ ।

କାମିନୀ ହଁ ଟାଏ ମାରି ମୁକୁଳି ଆସିବ ବୋଲି ଚେଷ୍ଟା କରୁଥିଲା ବେଳେ ସୁବୋଧ ଜୋର୍‌ରେ ତା’ ପାପୁଲିକୁ ଟାଣି ଆଣିଲା ନିଜ ଆଡ଼କୁ ।

କାମିନୀ ବ୍ୟସ୍ତ,ବିବ୍ରତ ଓ ଶଙ୍କାକୁଳ ମନରେ ସୁବୋଧର ଉଦ୍ଦେଶ୍ୟ ବୁଝି ପାରି ଅନୁନୟ କରିବାକୁ କଣ୍ଠ ଧ୍ୱନି ଖେଳାଉଥିବା ସମୟରେ ବାହାର କଲିଙ୍ଗ ବେଲ୍‌ଟି ହଠାତ୍‌ ବାଜି ଉଠିଲା ।

ନିଶ୍ଚୟ କେହି ଆଗନ୍ତୁକ ଦର୍ଶନ ପ୍ରାର୍ଥୀ ।

କିଏ ?

ସୁବୋଧ କାମିନୀର ହାତ ଛାଡ଼ି ଦେଇ କବାଟ ଖୋଲିବାକୁ ଧାଇଁ ଆସିଲା । ଘର ଭିତରେ କାମିନୀ ଥରୁଛି । ଦୀର୍ଘ ଏତେ ଦିନର ବ୍ୟବଧାନ ପରେ ଅତର୍କିତ ଆକ୍ରମଣ ତାକୁ ଏକ ବିପଦରୁ ସତକ ଧ୍ୱନି ଶୁଣାଇ ଦେଲା । କିନ୍ତୁ ଏ କଣ ? ପୋଷ୍ଟମ୍ୟାନ୍‌ ହାତରୁ ଟେଲିଗ୍ରାମ୍‌ ଖଣ୍ତିକ ପାଇ ଲୁହ ଛଳ ଛଳ ଆଖିରେ ସୁବୋଧବାବୁ କଣ କହିବାକୁ ଚାହୁଁଥିଲେ ।

କାମିନୀ ସୁବୋଧର ବାହା ଦୁଇଟି ଧରି ବିନୀତ କଣ୍ଠ ସ୍ୱରରେ କହି ଉଠିଥିଲା, କୁହନ୍ତୁ, ଟେଲିଗ୍ରାମ୍‌ରେ ଯାହା ଲେଖା ଅଛି ସତ କୁହନ୍ତୁ । ମୋତେ ମୋଟେ ଲୁଚାନ୍ତୁ ନାହିଁ । ମୋ ରାଣ ସତ କୁହନ୍ତୁ ।

ସୁବୋଧ ପିଲାଙ୍କ ପରି ଭୋ ଭୋ କାନ୍ଦି ଉଠି କହିଲା, ମୋର ସର୍ବନାଶ ହୋଇଗଲା କାମିନୀ । ମୋ ସଂସାରର ଉଜୁଡ଼ିଗଲା । ମିନାକ୍ଷୀ ଆଉ ନାହିଁ । ସବୁଦିନେ ପାଇଁ ସେ ମୋତେ ଛାଡ଼ି ଚାଲି ଯାଉଛି । କିଛିଦିନ ତଳେ ମୁଁ ତୁମକୁ କହିଥିଲି ନା, ଆଉ ଥରେ ଅନ୍ୟ ଝିଅକୁ ବିବାହ କଲେ ମୁଁ ଶାନ୍ତିରେ ନିଶ୍ୱାସ ମାରିବି । ଆଜି ତାର ପରାଭବ ମୋତେ ସାଙ୍ଗେ ସାଙ୍ଗେ ଭଗବାନ ଦେଇଦେଲେ । ସୁବୋଧକୁ ବହୁ ସମୟ ଧରି ଉଦ୍‌ବୋଧନ ଦେବା ଫଳରେ ସେ କାମଦେବ ନିକଟ ଯିବା ପାଇଁ ପ୍ରସ୍ତୁତ ହୋଇଗଲା । ରାଜଧାନୀରୁ ଯାତ୍ରୀବାହୀ ବସ୍‌ଯୋଗେ ସୁବୋଧ କାମିନୀକୁ ସାଙ୍ଗରେ ନେଇ କାମଦେବର କ୍ୱାର୍ଟରରେ ପହଞ୍ଚିବା ମାତ୍ରେ ବାହାରେ ପ୍ରଥମେ କାମଦେବକୁ ଦେଖି ସେ କୁଣ୍ଢେଇ ପକେଇଲା । ଆଉ ସେ ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କଲାବେଳେ କାମଦେବ ତାକୁ ସାନ୍ୱନା ଦେଇ କହିଲା, ସୁବୋଧ, ତୁ ଆଉ ଅନୁଶୋଚନା କରନା । ମିନାକ୍ଷୀ ଚାଲିଯିବା ପରେ ତୋ ଦେହରୁ ବରଂ ଏକ ବଡ଼ ପ୍ରତିବନ୍ଧକ ଭାଙ୍ଗିଯାଇଛି । ଇଚ୍ଛା କଲେ ତୁ ଏଣିକି ଆଉ ଗୋଟିଏ ଝିଅକୁ ବିବାହ କରି ସଂସାରର ପୁନର୍ଗଠନ କରି ପାରିବୁ । କଳଙ୍କିନୀ ମିନାକ୍ଷୀ ଯଦି ଆଜି ବଞ୍ଚିଥାନ୍ତା, ତାହେଲେ ତୁ ତାର ସନ୍ତାନକୁ ନେଇ ସଂସାରରେ ମୁହଁ ଦେଖାଇ ତିଷ୍ଠି ପାରିଥାନ୍ତୁ ତ ?

କାମଦେବ ?

କହ, ମୁହଁ ଖୋଲି ତୋ ଭାବନା ବ୍ୟକ୍ତ କରି ଦେ ! ମୁଁ ତୋର ସାଙ୍ଗ । ତୋ ସ୍ତ୍ରୀକୁ ମୁଁ କଳଙ୍କିନୀ କରିଛି । କାମିନୀ ଭଳି ସ୍ୱାଧୀ ସତୀ ପତ୍ନୀକୁ ଉପେକ୍ଷା କରି ମୁଁ ତୋ ସଂସାରରେ ଯେଉଁ ନିଆଁ ଜଳେଇଥିଲି, ସେ ଯଦି ତୋ ସମ୍ମୁଖରେ ଜଳୁଥାନ୍ତା, ତେବେ ତୁ ସେଥିରେ ପୋଡ଼ି ଜଳି ଦଗ୍‌ଦ ହେଉଥାନ୍ତୁ । ଏଥିରେ କୌଣସି ସନ୍ଦେହ ନାହିଁ । ତୋ ଆସିବା ପୂର୍ବରୁ ସେ ନିଆଁ ଲିଭି ଯାଇଛି ।

ତୁମେ ତାହେଲେ.... ?

ହଁ ହଁ କାମିନୀ ମୁଁ । କେବଳ ସୁବୋଧ ଓ ତମ ସମ୍ମୁଖରେ ନୁହେଁ, ସାରା ସମାଜ ସମ୍ମୁଖରେ ମୁଁ ଆଜି ନର୍କର ମଣିଷ । ଶପଥ ଦ୍ରୋହୀ ହୋଇ ମୁଁ ବି ଆଉ ତୁମ ସଂସାରରେ ରହିବା ଉଚିତ ନୁହେଁ । ଯାଉଛି ଅନ୍ୟତ୍ର କେଉଁଠାରେ ହେଲେ ପାପର ପ୍ରାୟଶ୍ଚିତ୍ତ କରିବି ।

କାମିନୀ କାମଦେବର ହାତ ଧରି ପକେଇ କହିଲା, ନା, ନା ତୁମେ ବରଂ ମୋରି ପାଖରେ ରହି ଅନୁତାପ କରି ନିଜ ମନକୁ ପ୍ରାୟଶ୍ଚିତ୍ତ କର । କିନ୍ତୁ ତୁମକୁ ମୋ କାୟାଠାରୁ କେଉଁ ଆଡ଼କୁ ଦୂରେଇ ଦେବି ନାହିଁ । ତୁମ ପାପକୁ ମୁଁ ପାପ ବୋଲି ମଣୁ ନାହିଁ । ମର୍ତ୍ତ୍ୟରେ ପ୍ରେମ କରି ଶ୍ରୀକୃଷ୍ଣ ଯେତେ ଯେତେ ନାରୀମାନଙ୍କର ସତୀତ୍ୱ ଅପହରଣ କରିନେଲେ ବୈକୁଣ୍ଠରେ ଥାଇ ଲକ୍ଷ୍ମୀ କଣ ସେଇ ପାପ ଶ୍ରୀକୃଷ୍ଣଙ୍କୁ କେବେ ଅଭିମାନରେ ଆଡ଼େଇ ଦେଇଛନ୍ତି, ଘୃଣା କରିଛନ୍ତି ?

କାମିନୀ ?

ଏଇ ପୁରୁଷଙ୍କୁ ପଚାର । ସେ କିଭଳି ମୋ ସତୀତ୍ୱର ଜାଗ୍ରତ ପ୍ରହରୀ ସମ ତୁମ କଳ୍ପନାର ମୂର୍ତ୍ତିକୁ ସଦା ସର୍ବଦା ଆରାଧନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେତେ ଦୂରରେ ଥିଲେ ସୁଦ୍ଧା ମୁଁ ଭାବିଛି ଯେ ତୁମେ ହେଉଛ ସଦା ସ୍ୱଚ୍ଛ, ପବିତ୍ର । ପାପ, ପୂଣ୍ୟର ତର୍କ କରି ଯେତେ ଗୀତାଦ୍ରୋହୀ ହେଲେ ସୁଦ୍ଧା ଈଶ୍ୱରଙ୍କ ଆଖିରେ ପାପ ହେଉଛି ଦେହ ପୂଣ୍ୟ ହେଉଛି ଆତ୍ମା । ତୁମେ ହେଉଚ ମୋର ସେଇ ଆତ୍ମା–ଦେବତା । ଯେଉଁଠିକି ପବିତ୍ରତାର ସନ୍ଧାନ ବିଲକ୍ଷଣ କରି ମୁଁ ମୋର ସର୍ବସ୍ୱ ଉତ୍ସର୍ଗ କରିବାକୁ ଆଗେଇ ଯିବି ।

କାମଦେବ କାମିନୀକୁ ନିଜ କୋଳକୁ ଆଉଜାଇ ଆଣିବା ସମୟରେ ସୁବୋଧ ପୁଣି ଉଚ୍ଚ କଣ୍ଠରେ ବିଳାପ କରିବାକୁ ଲାଗିଲା । ସେ ପ୍ରକମ୍ପିତ କଣ୍ଠରେ କହିଲା, ପାପ ଯଦି ତୋଠେଇଁ କିଛି ନୁହେଁ, ତେବେ ମିନାକ୍ଷୀକୁ କାହିଁକି ମୁଁ ପାପିନୀ ବୋଲି ଦୂରେଇ ଦେଇଥାନ୍ତି । ଦୁନିଆରେ କଣ ବ୍ୟଭିଚାର କରି ବହୁ ବହୁ ନାରୀ ସ୍ୱାମୀ ସୁହାଗିନୀ ହୋଇ ଅଇସୁଲକ୍ଷ୍ମଣୀ ଭଳି ସଂସାରରୁ ବିଦାୟ ନେଉନାହାନ୍ତି ? ସେ ଗୋଡ଼ ଖସେଇ ଦେଲା କେବଳ ତୋଠେଇଁ, ଯେଉଁଠିକି ମୁଁ ମୋ ମାନସ୍‌ଚକ୍ଷୁରେ ମୋ ଆତ୍ମାକୁ ମଧ୍ୟ ଦେଖି ଆସୁଥିଲି ଏତେଦିନର ବନ୍ଧୁତା ଭିତରେ ତୋ ମୋ ଆତ୍ମା ମଧ୍ୟରେ କି ପ୍ରଭେଦ ଅଛି କହିଲୁ ? ଦୁହେଁ ପରା ଏକ ଆଉ ଅଭିନ୍ନ ।

ଦୁନିଆରେ ସବୁ ଓଲଟି ପାଲଟି ପରିବର୍ତ୍ତନ ହୋଇଗଲେ ସୁଦ୍ଧା ଆମେ ଦୁହେଁ ଅପରିବର୍ତ୍ତିତ ହୋଇ ସେମିତି ରହିବା । କିନ୍ତୁ.....

ନୂଆ ବିବାହ କରି ମୁଁ ଆଉ ମିନାକ୍ଷୀକୁ ପାଇ ପାରିବି କି ? କହ, ଚୁପ୍‌ କାଇଁ ରହିଲୁ ?

ସୁବୋଧ....

ହଁ ଭାଇ, ତୁ କାମିନୀକୁ ପାଇବା ପରେ ତୋ ନିଜ କଥା ବୁଝିଗଲୁ । ଆଉ ଏ ହତଭାଗା ସାଙ୍ଗଟା କଥା ପଚାରେ କିଏ । ସିଏ ପର, ତୋର ସିଏ କିଏ ? ତୋ ଆତ୍ମାକୁ ତାର ଦୁଃଖ କାହିଁକି କାଟିବ ?

ନା, ନା, ସୁବୋଧ । ତୁ ଏମିତି କହନା । ତୋ ପାଇଁ ମୁଁ ଶୂନ୍ୟ ସ୍ୱର୍ଗରୁ ଯମରାଜା ହାତରୁ ମିନାକ୍ଷୀକୁ ଛଡ଼େଇ ଆଣି ଦେବି । ହେଲେ ତୁ......

ହଁ କଣ କହ, ଅଟକି ଗଲୁ କାହିଁକି ?

ତୁ ତାକୁ ସାଦରେ ଗ୍ରହଣ କରିବୁ ତ !

ମିନାକ୍ଷୀ ତାହେଲେ.....

ହଁ, ତୋ ମିନାକ୍ଷୀକୁ ଆତ୍ମହତ୍ୟାରୁ ଉଦ୍ଧାର କରି ମୁଁ ବର୍ତ୍ତମାନ ମେଡ଼ିକାଲରେ ଆଡ଼ମିସନ୍ କରାଇ ଆସିଛି । ଚାଲ ସେଇଠାକୁ ସମସ୍ତେ ।

ଗୋଟିଏ କାର୍‌ ଡାକି କାମଦେବ, କାମିନୀ, ସୁବୋଧ, ନିଲୁ ଆଉ ଟୁକୁ ସମସ୍ତେ ମେଡ଼ିକାଲ୍‌ରେ ପହଞ୍ଚି ଗଲେ । ସେତେବେଳକୁ ମିନାକ୍ଷୀ ଥିବା ଓ୍ୱାର୍ଡ଼ରୁ କୁଆଁ କୁଆଁ ରାବ ଭାସି ଆସୁଥାଏ । ସୁବୋଧ କାମଦେବ ଆଡ଼କୁ ଚାହିଁ ହସିଦେଲା । କାମିନୀ ପ୍ରଥମେ ମିନାକ୍ଷୀ ନିକଟ ଯାଇ ତାକୁ ସମ୍ଭାଷଣ ଜଣାନ୍ତେ ସୁବୋଧର ହାତ ଧରି ଜୋର୍‌ରେ ମିନାକ୍ଷୀ କାନ୍ଦି ପକାଇଲା ।

ହେଲେ ସୁବୋଧ.....

ପୁଣି ସେଇ ମାଇଚିଆ ଢଙ୍ଗରେ ତା’ ଆଖିରୁ ଲୁହ ପୋଛି ଦେଇ କହିଲା, ନୂଆ ପୁଅଟି ମୋରି, ମୁଁ ତାକୁ ରଖିବି । ସେ ଈଶ୍ୱର ପ୍ରଦତ୍ତ । ମୋରି କୋଳରେ ବଢ଼ିବ । ତୁମର ଏତେ ଚିନ୍ତା କାହିଁକି ? ଡର କାହିଁକି ? ସମାଜକୁ ଆମେ ଗଢ଼ିଛେ, କୁସଂସ୍କାରକୁ ଆମେ ଆଣି ତା ଭିତରେ ପୂରାଇଛେ ! ଆମେ ଯେତେବେଳେ ପଶ୍ଚିମର ନିୟମ ପଦ୍ଧତି, ସଭ୍ୟତା ଆଉ ମନୋବୃତ୍ତିକୁ ଆମରି ସମାଜରେ ପରିବେଷଣ କରି ବସୁଛେ, ସେତେବେଳେ ତାର ପରିଣତି ଯାହା ହେବ ତାକୁ ଆମେ ଭୋଗ କରିବା ନାହିଁ ତ, ଆଉ କିଏ, ଭୋଗିବ ? ଏ ପିଲାର ତ କିଛି ଦୋଷ ନାହିଁ । ଦୋଷୀ ଆମେ-। ଆମେ ଅନୁତାପ କରି ସେ ଦୋଷର ପ୍ରାୟଶ୍ଚିତ୍ତ କରିବା !

ସୁବୋଧ !

ହଁ ।

ଗୋଟିଏ କଥା କହିବି, ସତ ମାନିବୁ ?

କଣ କହ ।

ମିନାକ୍ଷୀ ଓ ମୋ ଭିତରେ ଘଟି ଯାଇଥିବା ପ୍ରଣୟାଙ୍ଗନର ପଟ୍ଟ ଭୂମିକାରେ ଇନ୍ଧନ ଯୋଗାଣକାରୀ କଣ ତୁ ନୋହୁ ? କାମଦେବ କଥାରେ ବିସ୍ମିତ ହୋଇ ପଡ଼ିଲା ସୁବୋଧ । ସେ ଖୋଲା ଖୋଲି ଭାବେ କାମଦେବର ମନକଥା ଜାଣିବାକୁ ଚାହିଁଲା ।

କାମଦେବ ବୁଝାଇ ଦେବା ପରେ ମିନାକ୍ଷୀ ଆଖି ଢିମା ଢିମା କରି କହିଲା, ତାହେଲେ....

ହଁ, ସେଇ ଚିଠିକୁ ହିଁ ସନ୍ଦେହ କରି ମୁଁ ଜାଣି ଶୁଣି ଉଚ୍ଛୃଙ୍ଖଳ ହୋଇ ପଡ଼ିଲି । କାମିନୀର ବଥ ସମ୍ୱାଦରେ ତୋ ଘରକୁ ଯାଇ ମିନାକ୍ଷୀ ହସ୍ତାଙ୍କିତ ପତ୍ର ଏକାନ୍ତରେ ପାଠ କରି ମୋ ଅନ୍ତରଟା କ୍ଷୁବ୍‌ଧ ହୋଇ ଉଠିଲା । ମୁଁ ମନେ ମନେ ରାଗି ଯାଇ କହିଲି, ସୁବୋଧ ମୋର ଏତେ ଅନ୍ତରଙ୍ଗ, ସେ ତାହେଲେ ଏତେ ଷଡ଼ଯନ୍ତ୍ର କରି ମିନାକ୍ଷୀକୁ ମୋ ନିକଟ ବିଷକନ୍ୟା ସଜେଇ ପଠାଇବାର ଉଦ୍ଦେଶ୍ୟ କଣ ? ପରେ ପରେ ଚିନ୍ତା କରି ଦେଖିଲି ଯେ କାମିନୀର ଆଉ ମୋର ଯେଉଁ କ୍ଷତି କରିବାକୁ ଏ ବନ୍ଧୁତାର ଚକ୍ରାନ୍ତ ଖେଳା ଯାଇଛି ସେ ଖାଲରେ କିଏ ପଡ଼ୁଛି ଦେଖାଯାଉ । ମିନାକ୍ଷୀକୁ ପଚାରେ, ତୋ ଘରୁ ଫେରି ଆସିବା ପରେ ଏଇ ରାଗ ନେଇ ଅଭିମାନର ମନ ମୋର କେତେ ସନ୍ତୁଳି ନ ହୋଇଛି । କେତେ ମୁହୂର୍ତ୍ତ ମୁଁ ମିନାକ୍ଷୀ ନିକଟରେ ଆତ୍ମଛଳନାକୁ ଉପଜୀବ୍ୟ କରି ଅନ୍ତରର ଖୁସିକୁ ହତ୍ୟା ନ କରିଛି ? ସେଥିପାଇଁ କଣ ଦାୟୀ ତୁ ନୋହୁ ?

କାମଦେବ ?

ତୁ ମିଛ କହନା ଭାଇ । ଆଉ ଯଦି କିଛି ତର୍କ ଅଛି କରି ଯା । ମୁଁ ମନ ଭରି କାନ ଦେଇ ଶୁଣିବି । ଆଜି ଆମମାନଙ୍କର ପୁନର୍ଜନ୍ମ ହୋଇଛି ନା, ସେଇଲାଗି ମୁଁ ସବୁ ଶୁଣି ଖୁବ୍‌ ନିକଟରେ ଆମ ବନ୍ଧୁତା ଉପରେ ଏକ ଉପନ୍ୟାସ ଲେଖିବି ।

ମିନାକ୍ଷୀ ଆଡ଼କୁ ଆଙ୍ଗୁଠି ନିର୍ଦ୍ଦେଶ କରି ସୁବୋଧ ସବୁ ଗୋଟି ଗୋଟି କରି କହି ଦେଇଥିଲା ।

Image